Unknown

 

 

 

 

 

 

 

 

 

 

 

ମୋ ସ୍ୱପ୍ନର କାଶ୍ମୀର

ଡକ୍ଟର କୁଞ୍ଜବିହାରୀ ଦାଶ

 

 

 

 

ବୋଉ,

 

କାଶ୍ମୀରର ଗୋଲାପ ନୁହେଁ, ଅଙ୍ଗୁର ବା ଜାଫ୍ରାନ୍‌ ନୁହେଁ, ତୋତେ ଗୋଟିଏ ଭଙ୍ଗା ହାତ ଉପହାର ଦେଇଥିଲି । ଏଥିରେ ମୋ ଅପେକ୍ଷା ତୋର ବେଦନା ବେଶୀ–ଯାହା ମରଣାନ୍ତ ଥିଲା, ସ୍ୱର୍ଗପୁରେ ଥିବ । ଭଙ୍ଗା ମନର ସେଇ ସ୍ୱପ୍ନଟିକ ଭଲ ହାତରେ ବଡ଼ବଡ଼ିଆ ଟେକି ଦେଇ ମୁଁ ଖସି–ଖୁସିର ସମସ୍ତ ଖୁସ୍‌ ବି ତୋର ।

 

କୁଞ୍ଜ

Image

 

ଭୂମିକା

 

ଯେହୁ ମୋର ଅନ୍ତରାତ୍ମା ପ୍ରିୟ-ପ୍ରିୟତର

ତା କଥା ଲେଖିବା ଲାଗି ଲେଖନୀ କାତର

କାଳେ ସତ୍ୟ ରୂପ ତାର ନ ପାରେ ଫୁଟାଇ

ପୂର୍ଣ୍ଣାଙ୍ଗ ସେ ବାଣୀମୂର୍ତ୍ତି କ୍ଷୁର୍ଣ୍ଣ କରେ ନାହିଁ

ଅନ୍ତରେ ଜଳଇ ଶୁଭ୍ର ଅନିର୍ବାଣ ଶିଖା

‘ସ୍ୱପ୍ନର କାଶ୍ମୀର’ ମୋର ଅସମାପ୍ତ ତାହାର ଭୂମିକା ।

Image

 

ତା କଥା ସେ ଆଗେ କହୁ

 

ସକାଳ ସୂର୍ଯ୍ୟର ବିଦ୍ୟୁତ୍‌ କିରଣ ସୁବର୍ଣ୍ଣ ହରିଣ ପରି ହିମାଳୟର ସ୍ଫଟିକ ଶୃଙ୍ଗେ ଶୃଙ୍ଗେ ଡେଇଁଗଲା—ତା ପଛେ ପଛେ ଛୁଟିଲା ମୋର ମନ, ଗୋଟିଏ ଧଳା କଇଁଫୁଲ ପରି ସଫେଦ ତଟୁ ଘୋଡ଼ାରେ ବସିଲି । ଧଇଲି ଲଗାମ୍‌ । ପହଲଗାଁଓର ପିଚୁ ରାସ୍ତାରେ ଘୋଡ଼ା ଚାଲିଲା—ଟପକ୍‌ ଟପକ୍‌ । ବେଶ୍‌ ମଜ୍ଜା ତ ! ମନରେ ଗୋଟିଏ ଗୀତ ଗୁଣୁଗୁଣେଇଲା—‘‘କଦମ୍‌ କଦମ୍‌ ବଢ଼ାୟେ ଯା-।’’ ଘୋଡ଼ା କଦମ୍‌ ପକେଇଲା । ଚିତ୍ତରେ ଶଙ୍କା—ଏ ମୋର ପହିଲି ଘୋଡ଼ା ଚଢ଼ା । ପୁଣି ବେପରୁଆ ଭାବ—ଯାହା ହେବାର ହେଉ । ସଙ୍ଗରେ ନରେନ୍ଦ୍ର, ଜଗବନ୍ଧୁ—ଦୁଇଜଣ ଛାତ୍ରସାଥୀ, ପଛରେ ପାହାଡ଼ୀ ଗାଆଁର ପଗଡ଼ିଲଗା ଦାଢ଼ିଆ ପଠାଣ—ଘୋଡ଼ା ମାଲିକ । ସମତଳ ପଥ ପଛରେ ରହିଲା । ସରୁ ମଣିଷଚଲା ରାସ୍ତା ଅଣ୍ଟାସୂତା ପରି ପାହାଡ଼ ମଝାରେ ଗୁଡ଼ାଇ ହୋଇଛି । ଆବୁଖାବୁଡ଼ିଆ ଢେଲାଢିମା—ତା ଉପରେ ଡେଇଁ ଭିତରେ ଗଳି ପାହାଡ଼ୀ ଝରଣା ଛୁଟିଛି, ସାପ ମୁଣ୍ଡକଟା ସୁଅ । ଘୋଡ଼ା ଗୋଟିଏ ପାଦଟଳ କଲାପରେ ଆଉ ଗୋଟିଏ ପାଦ ପକାଉଛି । ହେ ଭଗବାନ୍‌, ଏଠି ପଡ଼ିଲେ ମଣିଷର ଆଉ ପତ୍ତା ରହିବ ? ଆହା, ଏକଥା କାହିଁକି ଭାବୁଛି ? ‘‘ମନର ମୂଳେ କାଳ ଥାଇ, ପ୍ରାଣୀ ତା ଜାଣି ନପାରଇ ।’’ ମନରେ ଦମ୍ଭ ଆଣିଲି, ସାହସ ଭର୍ତ୍ତିକଲି । ପାହାଡ଼ ପରେ ପାହାଡ଼, ଅତଟ ପରେ ଅତଟ ଘାଟି ପରେ ଘାଟି ପାରି ହୋଇଗଲା, ପଶୁ ତାର ଦାୟିତ୍ୱ ବୁଝିଲା ।

 

ପ୍ରତିବର୍ଷ ତଟୁ ଘୋଡ଼ାରେ ବା ପଦବ୍ରଜରେ ଶତ ଶତ ଯାତ୍ରୀ ଏଇ ପଥରେ ଯାନ୍ତି ‘ଅମରନାଥ’—ଯେଉଁଠି ଯୁଗ ଯୁଗ ଧରି ତୁଷାର ଶିବଲିଙ୍ଗ ଚନ୍ଦ୍ରକଳା ସହିତ ବଢ଼ନ୍ତି ବା ଛିଡ଼ନ୍ତି, କେବଳ ଦେଖାଯାନ୍ତି ପୂର୍ଣ୍ଣତମ ରୂପରେ ଶ୍ରାବଣ ପୂର୍ଣ୍ଣିମା ଦିନ ।

 

ପହଲଗାଁଓରୁ ଅମରନାଥ ୪୪ କିଲୋମିଟର ପଥ—ଏଇ ଦୀର୍ଘ ଉଠାଣି ଓ ଗଡ଼ାଣି ପାର୍ବତ୍ୟ ପଥରେ ପହିଲି ଆଶ୍ରୟସ୍ଥଳ ‘ଚନ୍ଦନବାଡ଼ି’—ଯାହାର ତୁଷାର ସେତୁତଳେ ‘ଦୁଧଗଙ୍ଗା’ ଝରଣାର ଧାର ବୋହିଯାଇ ମିଶିଛି ‘ଲିଡ଼୍‌ର’ ନଦୀରେ ।

 

ତା ପରେ ‘ଶେଷନାଗ’; ଏହା ଏକ ଇନ୍ଦ୍ରନୀଳ ହ୍ରଦ; ଆକାଶଚୁମ୍ଭୀ ହିମାଦ୍ରିର ତୁଷାର ସ୍ରୋତ ମନ୍ଥର ଗତିରେ ବହି ଆସି ମିଶେ ସେଇ ହ୍ରଦରେ । ଶ୍ୱେତସ୍ୱଚ୍ଛ ତୁଷାର ଖଣ୍ଡମାନ ନୀଳ ଜଳରେ ସନ୍ତରଣ କରୁଥାନ୍ତି ରାଜହଂସ ପରି ।

 

ଅମରନାଥ ପଥର ଶେଷ ଘାଟି ‘ପଞ୍ଚତର୍ଣ୍ଣୀ’—ଶିବ ତାଣ୍ଡବ ନୃତ୍ୟ କରୁ କରୁ ତାଙ୍କର ପାଞ୍ଚୋଟି ଜଟା ଏହି ସ୍ଥାନରୁ ପାଞ୍ଚୋଟି ଝରଣା ହୋଇ ବୋହି ଯାଇଥିଲା ।

 

ଶତ ଶତ ଗିରିଶୃଙ୍ଗ ଲଙ୍ଘି ଏତେ ପଥ ଯିବାକୁ ସାହସ ନାହିଁ । ଆମର ଲକ୍ଷ୍ୟ ‘ଚନ୍ଦନବାଡ଼ି’; ଏ ବର୍ଷର ପହିଲି ଯାତ୍ରୀ ଆମେ ଯାଉଛୁ । ଉପରବେଳା ଫେରି ଆସିବୁ । ସଙ୍ଗରେ କିଛି ଚିନି, ଲହୁଣୀ, ପାଉଁରୁଟି—ଦୁଇ ପ୍ରହର ବେଳାର ଖାଦ୍ୟ ।

 

ଆଗରେ କ୍ଷୀର ସମୁଦ୍ରର ସ୍ଥିର ଢେଉପରି ବରଫ ପାହାଡ଼, ଗାଢ଼ ସବୁଜ ବନ ଦୂରରୁ ନୀଳତର ହୋଇ ଧୂସର ଦିଗ୍‌ ବଳୟରେ ମିଶିଯାଇଛି । ଲିଡ଼ର ଝରଣା—ତୁଷାରପ୍ରକୃତିର ଅନୂଢ଼ା କନ୍ୟା, ଉଗ୍ର ଭାବରେ ଶିଳା ଉପରେ ଲମ୍ଫଦେଇ ଚାଲିଛି । ପାହାଡ଼ ଉପରେ ପାହାଡ଼, ଶୃଙ୍ଗ ଉପରେ ଶୃଙ୍ଗ, ବରଫ ଉପରେ ମେଘ—ଆଖିପାଆନ୍ତା ଆକାଶର ଶୀର୍ଷଯାଏ ସୋପାନ ଗଢ଼ି ଦେଇଛି । ଉପତ୍ୟକାର କୁହୁଡ଼ିଆ ବାମ୍ଫ—କ୍ଷୁଧାଗ୍ନିର ଧୂମପରି ଉଠୁଚି ଉପରକୁ—କ୍ଷୁଦ୍ରର ବୃହତ୍‌ ଶୃଙ୍ଗର ଉପରକୁ । ଚାଲିଛି ଆମର ଘୋଡ଼ା—କଦମ୍‌, କଦମ୍‌—ପାଇନ୍‌ ବନର ମର୍ମର, ପାହାଡ଼ଗଡ଼ା ଝରଣାର ବଳତାନ । ନିର୍ଜ୍ଜନ ପର୍ବତ ଅରଣ୍ୟର ବିସ୍ତାର ସକାଳ କିରଣରେ ସତେକି ଗୋଟିଏ ଅଦ୍ଭୁତ କିଶୋରୀ ରୂପରେ ଜୀବନ୍ତ ହୋଇ ଉଠିଲା—ଏ ତୁଷାର କନ୍ୟା ! ମନର ମୋହ ନା ପ୍ରକୃତିର ମାୟା ? ଆକାଶେ ଆକାଶେ ଲମ୍ୱିଛି ତାର ଉଜ୍ଜ୍ୱଳ କେଶରାଶି, ତା ଗୀତ ଝରଣା ହୋଇ ବୋହି ଯାଉଛି । କୌତୁକମୟୀ ପ୍ରପାତେ ପ୍ରପାତେ ଲମ୍ଫ ଦେଉଛି, ମେଘକୁ ମନ୍ଥନ କରି ଧରୁଛି ବିଜୁଳି । ତା ପଛେ ପଛେ ମନର କିଶୋର ଶୃଙ୍ଗେ ଶୃଙ୍ଗେ ଡେଇଁ ବୁଲିଲା । ଘୋଡ଼ା ଉପରେ ଅଥର୍ବ ଦେହଟା ମାତ୍ର ବସି ରହିଲା । କେତେବେଳେ ହାତରୁ ଲଗାମ୍ ଖସି ପଡ଼ିଲା ଜାଣେ ନାହିଁ । ସ୍ୱାତନ୍ତ୍ର୍ୟ ପାଇ ଘୋଡ଼ା ଦୁଇ ପାହୁଣ୍ଡ ଦଉଡ଼ିଗଲା । ଗଛ କାଟିଲା ପରି ଦେହଟା ଅଜାଡ଼ି ହୋଇ ପଡ଼ିଲା ତଳକୁ । ଡାହାଣ ହାତ ଉପରେ ଦେହର ସମସ୍ତ ଭାର ପଡ଼ିଲା, ହାଡ଼ ଦୁଇଟା ମଡ଼୍‌ କିନେ ଭାଙ୍ଗିଗଲା । ଚେତା ହେଲାବେଳକୁ କଥା ଶେଷ । ଆଖି ଲୁହେଇଲା, କିନ୍ତୁ କାନ୍ଦି ପାରିଲି ନାହିଁ । ଚୌଦିଗ ଅନ୍ଧାର । ହାତଟି ନଡ଼୍‌ନଡ଼୍‌ ହେଉଥାଏ, ଦେଖି ଛାତିରେ ଛନକା ପଶିଲା । ଖାଇବା ହାତ, ଲେଖାଲେଖି କରୁଥିବା ହାତଟି ! ଡାକ୍ତର ଯଦି ଶରୀର ରକ୍ଷାଲାଗି ଏ ହାତ କାଟିବାକୁ କହେ ? ଓଃ-! ଲୋକେ ଡାକିବେ ହାତକଟା ବାବୁ ! ଆଗନ୍ତୁକ ଆସିଲେ ଆଗେ ସେଇ ଜାଗାଟିରେ ତାର ଆଖି ପଡ଼ିବ, ପଚାରିବ ତାର ଇତିହାସ । ମୃତ୍ୟୁ ପର୍ଯ୍ୟନ୍ତ ଏ ଇତିହାସର ବୋଝ ମୋତେ ବୋହିବାକୁ ହେବ, ଏଇ କ୍ଷତ ଜୀବନ୍ତ ଆଗ୍ନେୟଗିରିର ବମିତ ନବ ନବ ଉତ୍ତପ୍ତ ଧାତୁ ସ୍ରୋତ ପରି ମୋ ପ୍ରାଣକୁ ଆଘାତ କରୁଥିବ ।

 

ସାଥୀ ଦୁଇଜଣ ହାତରେ ଲୁଙ୍ଗିଟାଏ ଭିଡ଼ି ବାନ୍ଧି ଦେଲେ । ମୁଁ ଫେରିଲି—ଆହତ ସୈନିକ ପରି, ଯନ୍ତ୍ରଣାରେ ମୋ ମନ ସତେ ବା ମରିଗଲା । ନାଚିଲା ଅଗଣିତ ପର୍ବତର ଅଭିଶାପ, ତୁଷାର ମରୀଚିକା ମୋତେ ଉପହାସ କଲା । ଅଭିଶାପଗ୍ରସ୍ତ, ଅଧଃପତିତ, ସତେ ବା ପ୍ରକୃତିର ତ୍ୟାଜ୍ୟ ପୁତ୍ର ମୁଁ । ସ୍ୱର୍ଗୀୟ ସୁଷମା ବିଷ ପାଲଟିଗଲା । ମୁଁ ପାଞ୍ଚମାଇଲ୍‌ ବାଟ ଫେରି ଆସି ଖାଲ୍‌ସା ହୋଟେଲରେ ଆଶ୍ରୟ ନେଲି । ସେତେବେଳକୁ ପହଲଗାଁଓର ଅସ୍ଥାୟୀ ଡାକ୍ତରଖାନାଟି ଖୋଲି ନ ଥାଏ । ଚିକିତ୍ସାର କୌଣସି ସୁବିଧା ନ ପାଇ ଫେରିଲି ଶ୍ରୀନଗର—ପହଲଗାଁଓରୁ ୫୯ ମାଇଲ୍‌ । ବସରେ ଗୋଟିଏ ପାଖ ସିଟ୍‌ ଧରି ବସିଲି, ଜାଣେନା ଏ କୌଣସି ଭଦ୍ର ଭଦ୍ରାଙ୍କର ସିଟ୍‌ । ସେମାନେ କେଉଁଠି ଥିଲେ ବାଘବାଘୁଣୀ ପରି ଚିହିଙ୍କି ଆସିଲେ—ଆମେ ଅଧିକ ପଇସା ଦେଇଛୁ, ସେଠି ବସି ଯିବୁ ।’’ ମୋ ଦୁଃଖ ଜଣାଇଲି—ଅନ୍ୟ ଜାଗାରେ ବସିଲେ ବସ୍‌ ଧକ୍‌ଚକରେ ଲୋକଙ୍କ ଦେହ ଧକ୍‌କାରେ ଭଙ୍ଗା ହାତରେ ଆଘାତ ଲାଗିବ । ‘ଲାଗୁ’—ଏ କଥା ସେମାନେ ତୁଣ୍ଡରେ କହିଲେ ନାହିଁ, ଆଚରଣରେ ଇଙ୍ଗିତ ଦେଲେ ‘‘ଟଙ୍କା ଖର୍ଚ୍ଚ କରି ମଉଜ କରିବାକୁ ଆସିଛୁ— ମଉଜ–ମଉଜ, ସେଥିରେ ଆଞ୍ଚ ଲାଗିବ କାହିଁକି ? କାହାର ଅସୁବିଧା ହେଲେ ଆମର କି ଯାଏ ?’’ ଆଉ ଜଣେ ଭଦ୍ର ଲୋକ ସାମ୍ନା ସିଟରେ ବସିଥାନ୍ତି—ଏ ପାଶବ ଯୁକ୍ତିର ପ୍ରତିବାଦ ସେ କଥାରେ କଲେ ନାହିଁ, କାର୍ଯ୍ୟରେ ଦେଖାଇଦେଲେ । ସିଟ୍‌ ଖାଲି କରି ସେ ମୋତେ ସାଦର ନିମନ୍ତ୍ରଣ କଲେ-। ମଣିଷ ମଣିଷ ମଧ୍ୟରେ ସ୍ୱର୍ଗ ନରକର ତାରତମ୍ୟ ବୁଝି ପାରିଲି । ଭଦ୍ରଭଦ୍ରା ଦୁହେଁ ଅତି ଛୋଟ ହୋଇ ସତେ ଅବା ବସ୍‌ ଭିତରେ ନିଭିଗଲେ, ଦାମୀ ପୋଷାକ, ଅଳଙ୍କାର ଦେହକୁ ଯେପରିକି ଧିକ୍‌ ଧିକ୍‌ କରୁଥିଲା ।

 

ଶ୍ରୀନଗରରେ ଡକ୍ଟର ଶମ୍ଭୁନାଥ ଭଟ୍ଟଙ୍କର ଅତିଥି ଆମେ । ସେ ସଙ୍ଗେ ସଙ୍ଗେ ଆସି ବ୍ୟାଣ୍ଡେଜ ବାନ୍ଧିଦେଲେ, ଔଷଧ ପଥ୍ୟର ସୁବ୍ୟବସ୍ଥା କଲେ । ମୋର କାରୁଣ୍ୟ ଶୁଣି କହିଲେ—ଏ ଗୋଟିଏ ସାଧାରଣ ଦୁର୍ଘଟଣା, ହାତପାଦଭଙ୍ଗା ରୋଗୀ ଆମ ଡାକ୍ତରଖାନାକୁ ଶତ ଶତ ସଂଖ୍ୟାରେ ଆସନ୍ତି । ଆଘାତଟା ହାତରେ ଲାଗିଛି ରକ୍ଷା, ପାଦରେ ଲାଗିଥିଲେ ପାହୁଣ୍ଡେ ବି ଆସି ପାରି ନ ଥାନ୍ତେ । ମୁଣ୍ଡରେ ଲାଗିଥିଲେ ଭଲ ହୋଇଥାନ୍ତେ କି ନାହିଁ ନିର୍ଭରତା ଦେଇ ପାରି ନ ଥାନ୍ତୁ । କିଞ୍ଚିତ୍‌ ଆଶ୍ୱସ୍ତ ହେଲି ।

 

ତା ପରଦିନ ରହିଲି ‘ମହାରାଜ ହରି ସିଂ ହସପାତାଳ’ରେ । ହାତଟି ଭଲ ଥିଲାବେଳେ ତାର ମୂଲ୍ୟ ବୁଝି ନ ଥିଲି, ଏବେ ଜାଣିଲି ତା ବିନା ମୁଁ ଅଚଳ, ଅକର୍ମଣ୍ୟ । ଖାଇ ପାରିଲି ନାହିଁ, ଲୁଗା ପିନ୍ଧି ପାରିଲି ନାହିଁ । ବରଂ ସେ ଗୋଟିଏ ବୋଝ ହେଲା । ଊର୍ଦ୍ଧ୍ୱବାହୁ ହୋଇ ଶୋଇବାକୁ ହେଲା, ଏ ବାଧ୍ୟତାମୂଳକ ସାଧନା ବଡ଼ ଆଶ୍ୱସ୍ତକର ।

 

ବାଆଁ ହାତ ଡାହାଣର ସହାୟକ ମାତ୍ର । ନିଜେ ଆଗେଇ କେଉଁକଥା କରେ ନାହିଁ, ଡାହାଣ ତାର ନେତା । ଆଜି ଯେତେବେଳେ ଗୋଟିଏ ଦେହର ସମସ୍ତ ଭାର ତା ଉପରେ ପଡ଼ିଲା, ସେ ଗର୍‌ରାଜି, ମଧ୍ୟ ଅସମର୍ଥ ହେଲା । ବଡ଼ ଭାଇ ଅସୁସ୍ଥ ହେଲେ ସାନ ଭାଇ ଉପରେ ଘରର ଦାୟିତ୍ୱ ପଡ଼େ । ମନ ଏକଥା ତାକୁ ବୁଝେଇଲା । ବାଆଁ ହାତ ଆସ୍ତେ ଆସ୍ତେ ସବୁ କାର୍ଯ୍ୟରେ ତାଲିମ୍‌ ହେଲା, ଅଭ୍ୟାସରେ ପଟୁତା ବି ହାସଲ କଲା ।

 

କେତେ ମାସ ପର୍ଯ୍ୟନ୍ତ ମୁଁ କେବଳ ମୋର ନୁହେଁ, ଅନେକଙ୍କର ହେଲି ଗୋଟିଏ ସମସ୍ୟା । ବୋଉ କହିଲା—‘‘ପାହାଡ଼, ଜଙ୍ଗଲ ନ ଦେଖିଥିଲେ କଣ ହୋଇଥାନ୍ତା ? ଆମ ଗାଆଁର ଅମୁକ ଲୋକ ଏତେ ବଡ଼ ଜମିଦାର, ଉଭା ଯେତେ, ପୋତା ସେତେ, ଟଙ୍କା ଉପରେ ଚାଲୁଛି, ଭରଣ ଭରଣ ଧାନ ଖତ ହୋଇ ଯାଉଛି, ସେ କୋଉ ପାହାଡ଼ ଦେଖି ଯାଉଛି ? ଅମୁକ ଲୋକ ଚାକିରୀ କରି ବାଟି ବାଟି ଜମି କିଣିଛି, ଟିଣ ଛାତ ବାଡ଼େଇଛି, ପିଣ୍ଡାରେ ସିମିଟି ଲିପିଛି । ସେ କୋଉ ଜଙ୍ଗଲ ଦେଖି ବାହାରୁଛି ? ତୋରି ପାଖରେ ଖାଲି ପାଠର ଶଗଡ଼ ଛିଡ଼ିଲା । ପଇସା ଖର୍ଚ୍ଚ କରି ଏ ଖଣ୍ଡମଣ୍ଡଳରେ ପାହାଡ଼ ଦେଖି କିଏ ଯାଉଛି ? ସେସବୁ କଣ ମଣିଷ ନୁହନ୍ତି ? ମୁଁ ମନା କରୁଛି । ‘‘ବଡ଼ ବଡ଼ଙ୍କ କଥା ନ ମାନନ୍ତି ରାୟେ, ପଛକୁ ହୁଅନ୍ତି ବାବନାଭୂତ ପ୍ରାୟେ ।’’ ମହାପାତ୍ରେ କହିଲେ—‘‘ବାବୁ, ଆମେ ହଜାରେ କଥା କହିବା, ହେଲେ ସବୁ ଭାଗ୍ୟର ବରାଦ୍‌ । ଗ୍ରାହାଚାର ଯେତେବେଳେ ଖରାପ ପଡ଼ିବ, ସେତେବେଳେ କେହି ରଖି ପାରିବେ ନାହିଁ ।’’

 

ଲୋକବିଶ୍ୱାସର ଚାପରେ ପଡ଼ି ପାଞ୍ଚମାଣିଆରୁ ହୁକୁମ୍‌ ଆଣିଲି । ବୁଡ଼ିଗଲା ଲୋକ କୁଟାଖିଏ ଆଶ୍ରେ କଲା ପରି ଏ ବିଶ୍ୱାସ କରିବାକୁ ହେଲା । ଆମ ଗାଁ ପଧାନେ ଗାଧୋଇ ପାଧୋଇ ଖାଲି ପେଟରେ ପାଞ୍ଚମାଣିଆ ଗଲେ, ବାଟରେ କାହାକୁ କଥା କହିବା ମନା, ପାନପତର ଖାଇବା ମନା । ଓଷଦ ପାଣି ପ୍ଲାଷ୍ଟର ଉପରେ ଛିଞ୍ଚାଗଲା, ତିନି ଢୋକ ପିଇଲି । ଦିନ ଗୋଟାକ ପର୍ଯ୍ୟନ୍ତ ସେଥିଲାଗି ନିରାହାର ରହିଥିଲି । ଏମିତି ୨୧ ଦିନ ପାଳିବାକୁ ହେଲା । ଫଳରେ କିଛି ହେଲା ନାହିଁ-। ଦୃଢ଼େ ତରନ୍ତି, ମୂଢ଼େ ତରନ୍ତି; ମୁଁ ମଝି ମଝିଆ, ତେଣୁ ବୁଡ଼ି ମରିବା ସାର ହେଲା । ଡାକ୍ତରୀ ଚିକିତ୍ସା ଛାଡ଼ିବାକୁ ନାରାଜ, ଏଣେ ଅଧାପନ୍ତରିଆ ଦେବାଶ୍ରୟ । ଦୁଇ ନାଆରେ ଗୋଡ଼ ଦେଲେ ଯାହା ହୁଏ, ମୋର ସେଇଆ ହେଲା ।

 

ଉପଶମ ହେବାର କୌଣସି ଲକ୍ଷଣ ନ ଦେଖି ପୁଣି ‘ଏକ୍‌ସରେ’ କଲି । ହାଡ଼ ବଙ୍କେଇ ଯାଉଥିଲା, ସିଧା କରାଗଲା । ବିପଦ ଏକୁଟିଆ ଆସେ ନାହିଁ, ସାହା ସାଥୀ ସଙ୍ଗେ ଘେନି ଆସେ । ମୋ ଦୁର୍ଦ୍ଦଶା ଦେଖି ଶତ୍ରୁ ଝଗଡ଼ା, ମାଲିମକଦ୍ଦମା ଆରମ୍ଭ କରିଦେଲେ—‘‘ଖାପ୍‌ଚରେ ପଡ଼ିଛି, ଏତିକିବେଳେ ଖାତକୁ ପେଲି ଦିଅ ।’’ ନାନା ଦୁଶ୍ଚିନ୍ତାରେ ପଡ଼ି ବୋଉ କତରାଲଗା ହେଲା । ବୁଝିଲି ସବୁ ଦୁର୍ଦ୍ଦଶାର କାରଣ ମୋର ଏଇ ଭଙ୍ଗା ହାତ । ବାଟରେ, ଘାଟରେ, ଗାଡ଼ିରେ ଯେ ଦେଖେ, ସେ ପଚାରେ, ବାବୁ, ହାତ କଣ ହେଲା ? ସମସ୍ତଙ୍କୁ ଚୁମ୍ୱକରେ ଉତ୍ତର ଦିଏ, କାଶ୍ମୀର ଯାଇଥିଲି—ହିମାଳୟରେ ଚଢ଼ୁ ଚଢ଼ୁ ବରଫରେ ଗୋଡ଼ ଖସିଗଲା, ପଡ଼ିଯାଇ ଏ ଅବସ୍ଥା । ଘୋଡ଼ାଚଢ଼ା କଥାଟି କାହାକୁ କହେ ନାହିଁ । ଯେ ଶୁଣିଥାନ୍ତା ଥଟ୍ଟା କରିଥାନ୍ତା, କଣ ପିଲା ହୋଇଥିଲ ? ଯେ ଯୋଉ କଥା ନ ଜାଣେ ସେ ସେଥିରେ ପଶେ କାହିଁକି ? କରୁଣା ବଦଳରେ ହୋଇଥାନ୍ତା କ୍ରୋଧ, ଅବଶ୍ୟ କେଉଁଟା ମୋର କାମ୍ୟ ନୁହେଁ । ଏମିତି ଅଢ଼େଇଟି ମାସ ଅକର୍ମା ଜୀବନ କଟେଇଲି । ହାତଟି ପ୍ଲାଷ୍ଟର ଭିତରେ କଏଦୀ ହୋଇ ରହିଲା । ମସ୍ତିଷ୍କ ଆଉ ଶରୀର ସହିତ ତାର ଯୋଗସୂତ୍ର ଛିନ୍ନ ହେଲା । କାଶ୍ମୀର ଦେଖି କେତେ କବିତା ମନରେ ଅଙ୍କୁରି ଉଠିଥିଲା, ସେ ସବୁ ଅଙ୍କୁରେ ବିନଷ୍ଟ ହେଲା । ପନ୍ଦରଟି ଦିନର ଆନନ୍ଦ ଲାଗି ଅଢ଼େଇ ମାସ ଦୁଃଖ ।

 

ଆଜି ଶାନ୍ତିନିକେତନରେ ପଟି ଫିଟା ହେଲା; ଆଲୁଅ ପବନ ହାତରେ ବାଜିଲା । ମନରେ କେଉଁ କରୁଣ ସୁନ୍ଦର ଭାବ ଚେଇଁ ଉଠିଲା; ଭାବିଲି ଆଜି ମୋର କାହାଣୀର ଶୁଭାରମ୍ଭ ହେଉ; ଅଦ୍ୟାପି ଅସର୍ମଥ ଯେଉଁ ହାତ ଏ କାହାଣୀ ଲେଖିବ, ତା କଥା ସେ ଆଗେ କହୁ ।

Image

 

କାଶ୍ମୀର ପଥେ

 

ପାଞ୍ଚ ବର୍ଷର ସ୍ୱପ୍ନ ଆଜି ସଫଳ ହେଲା । କୋଉ ଥର ପରମିଟ୍‌ ମିଳେ ନାହିଁ, କୋଉ ଥର ଅର୍ଥାଭାବ, କେବେ ଘରେ ବେମାର—ଏମିତି ନାନା ବିଘ୍ନ । ସଂସାରୀ ନାନା ଜଞ୍ଜାଳରେ ବେଙ୍ଗଳା ପଡ଼ୁଥାଏ । ସେଥିରୁ ଖସି କୁଆଡ଼େ ଯିବା କାଠିକର ପାଠ । ଏମିତି ବେଙ୍ଗଳା ବୁଲୁ ବୁଲୁ କେତେକ ମେଡ଼ିମୂଳେ ଓଲଟି ପଡ଼ନ୍ତି, ପାଖ ସହରଟି ଦେଖିବାର ସୌଭାଗ୍ୟ ଜୀବନରେ ଘଟେ ନାହିଁ । କେତେକ ଅଫିସ ଫାଇଲ୍‌, ଜମିଜମା ମାମଲତ ଆଉ ମକଦ୍ଦମା ଘେନି ଜୀବନ ସାରା ବ୍ୟସ୍ତ ରହନ୍ତି, ସେଥିରୁ ମୁକୁଳିବା ମାତ୍ରେ ଦେହଛଡ଼ା ହୁଅନ୍ତି । କେତେକ ଅତି ସଂସାରୀ, ସଂସାର ଚିନ୍ତା ନଛାଡ଼ୁଣୁ ସଂସାର ଛାଡ଼ନ୍ତି । ଭ୍ରମଣ ଲାଗି ଅବକାଶ କାହିଁ ? ସଂସାର ଜଞ୍ଜାଳ ମୋତେ ଘାଇଲା କରିଛି, ଅକର୍ମଣ୍ୟ କରି ପାରିନାହିଁ, ତଥାପି ଗାଡ଼ିରେ ନ ବସିବା ପର୍ଯ୍ୟନ୍ତ ସତ ବଳୁ ନ ଥାଏ, କାଳେ କିଛି ବାଧା ବିଘ୍ନ ପହଞ୍ଚିବ ।

 

୧୯୫୫, ଅପ୍ରେଲ ୮ ତାରିଖ । ଚୈତ୍ର ପୂର୍ଣ୍ଣିମା, ସନ୍ଧ୍ୟା କେତେବେଳେ ଆସି ମେଘାନ୍ଧକାରରେ ହଜିଗଲା; ଚନ୍ଦ୍ର ଉଇଁଲେ ନାହିଁ, ତାରା ଫୁଟିଲେ ନାହିଁ, ପ୍ରକୃତିରାଜ୍ୟରେ ନାନା ରୂପ ରୂପାନ୍ତର ଘଟିଲା । କିନ୍ତୁ ଏହା କଲିକତାବାସୀଙ୍କ ମନରେ କୌଣସି ରେଖାପାତ କଲା ନାହିଁ । ଏ ସହରରେ ସବୁବେଳେ ଦିନ, ଦିନ ଅପେକ୍ଷା ରାତି ବରଂ ଅଧିକ ବିଚିତ୍ର, ରହସ୍ୟମୟ । ବୃହତ୍‌ ସୌଧ ତଳେ ରହି ଆମେ ବି ଆକାଶର କୌଣସି ସମ୍ବାଦ ରଖିନାହୁଁ, ମେଘ ଆସିଲା, ଆସିଲା ତ ଆକାଶକୁ ଗ୍ରାସିଲା । ସଙ୍ଗତ ନ ହେଉଣୁ ଯାତ୍ରାରମ୍ଭ ହେଲା ପରି ହଠାତ୍‌ ମୂଷଳ ଧାରାରେ ବୃଷ୍ଟି ଆରମ୍ଭ ହୋଇଗଲା । କଲିକତାର ପିଚୁ ରାସ୍ତାରେ ଆଣ୍ଠୁଆଣି ପାଣି, ଟାକ୍‌ସି ଆଉ ଟ୍ରାମ ସତେ ଯେମିତି ଆକେତା ହୋଇ ଯାଉଥାନ୍ତି ! କେବଳ ବସ୍‌ଗୁଡ଼ାକ ମଗର ପରି ପାଣିକି ଦିଭାଗ କରି ଛୁଟିଥାନ୍ତି । ଖଣ୍ଡିଏ ଘୋଡ଼ାଗାଡ଼ି ରାସ୍ତା ମଝିରେ ଭାଙ୍ଗି ପଡ଼ିଥାଏ । ତା ଯୋଗେ ବହୁ ଗାଡ଼ି ଧାଡ଼ି ଧାଡ଼ି ଛିଡ଼ା ହୋଇ ଶଙ୍ଖଧ୍ୱନି କରୁଥାନ୍ତି । ପାଣିରେ ବିଜୁଳି ଚମକୁ ଥାଏ, ପହଁରି ପହଁରି ଲଞ୍ଚପରି ଆମ ଟାକ୍‌ସି କୌଣସିମତେ ହାବଡ଼ା ଷ୍ଟେସନରେ ଲାଗିଲା । ଜିନିଷପତ୍ର ଘେନି କାଲ୍‍କା ମେଲରେ ବସିଲୁ—ଦ୍ୱିତୀୟ ଶ୍ରେଣୀର ଗୋଟିଏ ଛୋଟ ଡବା, ପ୍ରାୟ ଦୁଇଦିନ ପର୍ଯ୍ୟନ୍ତ ଏ ଆମର ଅସ୍ଥାୟୀ ଚଳନ୍ତି ଘର ହେବ; ଜିନିଷପତ୍ର ସଜାସଜିରେ ଲାଗିଗଲୁ । ବିଛଣା ପାରିଦେଲୁ—ମାନେ ଗାଡ଼ି ଚାଲିଲେ ଶୋଇବୁ, ଆମ ଆୟୋଜନ ଦେଖି ଅନ୍ୟ ଯାତ୍ରୀ ବି ଭିଡ଼ ଜମାଇବାକୁ ସାହସ କରିବେ ନାହିଁ । କିନ୍ତୁ ଏ ପାଞ୍ଚ ରହିଲା ନାହିଁ । ଦୁଇଜଣ ଶରଣାର୍ଥୀ ଯାତ୍ରୀ ଆସି ଜାଗାଲାଗି କଟାଳ କଲେ । ସେମାନେ ଆଗରୁ ସିଟ୍‌ ରିଜର୍ଭ କରିଥିଲେ; ରିଜର୍ଭ ଡବାରେ ପ୍ରତି ଲୋକ ମାନିଆ ଜାଗା ଠିକ୍‌ କରାଯାଇଛି । ଶୋଇବା ଆଶା ବୃଥା । ଅଥଚ ଆମ ଡବାରେ ପ୍ରଚୁର ଜାଗା । ସେମାନେ ଧସେଇ ପଶିଲେ, ଆମେ ରୋକିଲୁ ନାହିଁ । ଆମେ ବି ସେମାନଙ୍କ ପରି ରିଜର୍ଭ ମୋହରେ ପଡ଼ିଥିଲୁ, ରିଜର୍ଭ କଲାବାଲା କହିଲା—ଦୁଇଦିନ ଆଗରୁ ଡବା ରିଜର୍ଭ କରିବାକୁ ହୁଏ, ଏବେ ୪୮ ଘଣ୍ଟା ମାତ୍ର ବାକି-! ବୁଝେଇଲୁ, ଦିନକ ଚବିଶ ଘଣ୍ଟା ଇତ୍ୟାଦି । ସେ ବୁଝିଲା ନାହିଁ । ଲୋକେ ତା ଉପରେ ତା ଉପରେ ମାଡ଼ି ପଡ଼ୁଥାନ୍ତି । ଧାଡ଼ିଦେଇ କେତେ ଠିଆହେବୁ ? ପଳେଇ ଆସିଲୁ । ଏବେ ବୁଝିଲୁ—ସେ ପରାଜୟଟି ପ୍ରକୃତରେ ଆମର ବିଜୟ ।

 

ମୋର ସହଯାତ୍ରୀ

 

ମୋର ସାଥୀ ଶାନ୍ତିନିକେତନର ଗବେଷକ ନରେନ୍ଦ୍ର, ଏମ. ଏ ଛାତ୍ର ଜଗବନ୍ଧୁ; ଜଣେ କୁହାଳିଆ, ଆକାଶରୁ ତୋଳିଆଣି କଥା କହେ; ଆଉ ଜଣେ କର୍ମଠ, କର୍ମ ନ ଥିଲେ କର୍ମ ସୃଷ୍ଟି କରେ । ଦୁହିଙ୍କର ସହଯୋଗ କଥା ସଙ୍ଗେ କର୍ମର ଯୋଗପରି ପ୍ରୀତିକର ବୋଧ ହେଉଥାଏ ।

 

ଆମ ଆର ପାଖକୁ ଜଣେ ବ୍ୟକ୍ତି ବସିଥାନ୍ତି, ମହନ୍ତ ପରି ଚେହେରା, ଦେହର ପୁଳା ପୁଳା ମାଂସ ଚଉଦିଗକୁ ବହକି ବୋହି ପଡ଼ିଛି, ସେଠ୍‌ଜୀ ? ପଦେ ହେଲେ କଥା ତାଙ୍କ ତୁଣ୍ଡରୁ ବାହାରୁ ନାହିଁ; ବଡ଼ କଥାକୃପଣ, ଚକ୍ଷୁରେ ଅଶାନ୍ତ ଝଡ଼ର ଧୂଳି, ମୁଖରେ ଚିନ୍ତାର ରେଖା । କୌଣସି ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ? ପଚାରିବା ? ଏତେ ଦୂରରୁ ଆଳାପ ସୁଖକର ନୁହେଁ, ଗାଡ଼ି ଶବ୍ଦକୁ ବୁଡ଼ାଇ ଗର୍ଜ୍ଜନ କରିବାକୁ ହେବ, କୌତୂହଳ ମେଣ୍ଟିବ କି ନାହିଁ ଜଣାନାହିଁ; ଅପରିଚିତ ଆଗରେ ସେ ହୃଦୟ ଖୋଲି ନ ପାରନ୍ତି । ତାଙ୍କ ମୌନ ଭଙ୍ଗ କରିବା ନାହିଁ । ସେ ଆମର ଚିର ରହସ୍ୟ ହୋଇଥାନ୍ତୁ ।

 

ତାଙ୍କ ଡାହାଣ ପଟକୁ ଲାଗି ଜଣେ ଓକିଲ ବସିଥାନ୍ତି, ମନୋବୃତ୍ତିରେ ଦୁହେଁ ଦୁହିଙ୍କଠାରୁ ଯୋଜନେ ଦୂରରେ; ପରିଚିତ ହେବାର ଆକାଂକ୍ଷା ନାହିଁ; ଶତଶତ ମାଇଲ ଅତିକ୍ରମ କଲେ ବି ଦୁହିଙ୍କ ମଧ୍ୟରେ ଗୋଟିଏ ଶବ୍ଦ ବିନିମୟ ହେଲା ନାହିଁ । ଏ ଦୃଶ୍ୟ ବଡ଼ ବିଚିତ୍ର । ଓକିଲଙ୍କ ବୟସ ୬୫ । ସରକାରୀ ଚାକିରୀରୁ ଅବସର ନେଲା ପରେ ଓକିଲାତୀ କରୁଛନ୍ତି । ନିଜ ବ୍ୟବସାୟ ଉପରେ ତାଙ୍କର ଉଚ୍ଚ ଧାରଣା ନାହିଁ—ତାଙ୍କ କଳନାରେ ଏ ଗୋଟିଏ ମିଛ ବେଉସା । ମିଛ କହିଲେ ମନରେ ଅଶାନ୍ତି ଆସେ, ନ କହିଲେ ବେଉସା ଚଳେ ନାହିଁ । ପଞ୍ଚାୟତି ଶାସନ ହେଲା, ରଜାଙ୍କ ରାଜୁତି ଗଲା, ଜମିଦାରୀ ଉଠିଲା, ହେଲେ ଲୋକଙ୍କ ଅବସ୍ଥା ବଦଳିଲା ନାହିଁ । ପୋଷାକ ଅଭାବରୁ ଓକିଲଙ୍କ ଦଶା କହିଲେ ନ ସରେ ।

 

ବୟସର ଲୌହ ଚାପ ଓକିଲବାବୁଙ୍କୁ ଦବାଇ ପାରିନାହିଁ । ତମ୍ୱାପାତିଆ ପରି ଦେହ, ଆଖିରେ ଅପରାହ୍ନର ରଶ୍ମି, ଓଠରେ ଜ୍ଞାନର ଗାମ୍ଭୀର୍ଯ୍ୟ । ନୈଷ୍ଠିକ ହିନ୍ଦୁ, ସନାତନୀ । ଦୃଷ୍ଟିକୋଣ ସଂକୀର୍ଣ୍ଣ, ଅନ୍ୟମତ ଅସହିଷ୍ଣୁ, କିନ୍ତୁ ସ୍ୱମତରେ ଦୃଢ଼ । ଯାହା ବୁଝିଛନ୍ତି ସେଇଆ, ତାଙ୍କୁ ଟଳାଇବାର ଉପାୟ ନାହିଁ । ଆମ ଅଧା ସାହେବ ରୀତି ତାଙ୍କୁ ବିଷପରି ଲାଗୁଥାଏ, ମୁହେଁ ମୁହେଁ ଆମର ଉତ୍କଟ ସମାଲୋଚନା କରୁଥାନ୍ତି, ଆମେ ବି ଶରକୁ ପ୍ରତିଶର ପ୍ରୟୋଗ କରୁଥାଉ । ସେ ଚୈତନ୍ୟଙ୍କ ଭକ୍ତ । ସେ ଯାହା ଭକ୍ତ ହୁଅନ୍ତୁ, ଆମର ସେଥିରେ ଆପତ୍ତି ବା ଅଭିଯୋଗ ନାହିଁ । କିନ୍ତୁ ସ୍ୱମତ ଆମ ଉପରେ ନଦି ଦେବାର ଦେଖି ଆମେ ଉତ୍ୟକ୍ତ ହେଲୁ । ସେ ଯେତେବେଳେ କହିଲେ, ଚୈତନ୍ୟଙ୍କ ତୁଳନାରେ ନେହେରୁ କିଛି ନୁହନ୍ତି, ଆମେ ଯୁକ୍ତି ମଞ୍ଚକୁ ଲମ୍ଫ ଦେଲୁ; ଚାହୁଁ ଚାହୁଁ ଝିମିଟି ଖେଳରୁ ମହାଭାରତ ଉପୁଜିଲା । ତା ପରେ ମନରେ ଆସିଲା ନିର୍ବେଦ ଭାବ । ବୃଦ୍ଧଙ୍କର ଯାହା ବଦ୍ଧମୂଳ ଧାରଣା, ତାହା ବଦଳିବାର ଏବେ ଆଉ ଅବକାଶ ନାହିଁ; ତାଙ୍କ ମୋ ମଧ୍ୟରେ ଗୋଟିଏ ଯୁଗ ତଫାତ୍‌ । ତାଙ୍କ ମୋ ଭିତରେ କଳି ଅର୍ଥ ପ୍ରାଚୀନ ଯୁଗ ସହିତ ଆଧୁନିକ ଯୁଗର କଳି । ଏଥିରେ କିଛି ଲାଭ ନାହିଁ; ପରିଣାମ ଅଶାନ୍ତି ।

 

ପରାସ୍ତ ଯୁଦ୍ଧ ଜାହାଜ ପରି ଖଣ୍ଡ ଖଣ୍ଡ ମେଘ ଦିଗ୍‌ବଳୟକୁ ଗଡ଼ିଯାଇ କୁଆଡ଼େ ଲୀନ ହୋଇଗଲେ । ବର୍ଷାଧୁଆ ଆକାଶ ବଡ଼ ତୋଫା ଦେଖାଗଲା । ପୂର୍ଣ୍ଣଚନ୍ଦ୍ର ସେତେବେଳେ ଆକାଶର ପାଆ ଭାଗକୁ ଉଠିଲେଣି । ଗାଡ଼ି ଚାଲିଲା । ବିସ୍ତୃତ ଜଳରାଶି ଉପରେ ଅଟକାଳି ଚନ୍ଦ୍ରିକା ବହଳ ବରଫ ପରି ଦିଶୁଥାଏ । ପବନ ଏତେ ଶୀତଳ ଯେ ମନେ ହେଲା କାଶ୍ମୀର ଆମକୁ ଅଭିନନ୍ଦନ କରିଦେବା ଲାଗି କଲିକତା ଆସିଛି ।

 

ଆଖିରେ ଘନେଇ ଆସିଲା ନିଦ; ଘୁମଉ ଘୁମଉ ଶେଯରେ ଗଡ଼ି ପଡ଼ିଲୁ । ନିଦ ଭାଜିଲା ଉତ୍ତର ପ୍ରଦେଶର ପ୍ରାନ୍ତହୀନ ପ୍ରାନ୍ତରରେ । ଆଖି ଯେତେଦୂର ପାଏ, ଖାଲି ପାଚିଲା ଗହମ ଖେତ, ସକାଳ କିରଣରେ ଗାଧୋଇ ସ୍ୱପ୍ନାଲୋକର ସୁବର୍ଣ୍ଣ ସଂସାର ପରି ଦିଶୁଛି । କେଉଁଠି ହରଡ଼, ଚଣା, ଆଖୁ ଖେତ, କେଉଁଠି ପିଜୁଳି, ବରକୋଳି ବଗିଚା । ଆମ୍ୱ ଗଛରେ କଅଁଳିଆ ପତ୍ର, ନୂଆ ବଉଳରେ ଡାଳ ଭାଙ୍ଗି ପଡ଼ୁଛି; ଅପର୍ଯ୍ୟାପ୍ତ ପରିମାଣରେ ଗଛ ମୂଳରେ ଗଦା ହୋଇଛି ବଉଳ ଗୁଣ୍ଡି । ଚଇତାଳି ବାଆ ବୋହି ଆଣୁଛି ମହକ । ବସନ୍ତ ସମଗ୍ର ଭାରତ ବର୍ଷକୁ ଏକାବେଳକେ ଆସେ ନାହିଁ, ଉପକୂଳବର୍ତ୍ତୀ ଅଞ୍ଚଳରେ ବାଜେ ତାର ପହିଲି କାଉଁରୀ କାଠି । ଉତ୍ତର ପ୍ରଦେଶକୁ ଆସିଲାବେଳକୁ ପ୍ରାୟ ଚୈତ୍ର, ବୈଶାଖ ହୋଇ ଯାଇଥାଏ । ଆମ ଆଡ଼େ ଆମ୍ୱ ଯେତେବେଳେ କରଡ଼ିଖସା ଦିଏ, ଏଠି ସେତେବେଳେ ଚଣା ଫୁଟେ ।

 

ଚୁପୁଚୁପିଆ ପାଣିରେ ଦୁଇଟି ବଢ଼ିଆକାଙ୍କ ଡେଣା ମେଲାଇ ବସିଛନ୍ତି, ପ୍ରାତଃକାଳ ଏଠାରେ ଯେପରି କି ଧ୍ୟାନସ୍ଥ ! ଗାଡ଼ି ଜାଣ ଉଡ଼ି ଯାଉଥାଏ, ‘କାଲ୍‌ କା’ ଏକ ଦ୍ରୁତଗ୍ରାମୀ ଗାଡ଼ି । ଗାଡ଼ି ସଙ୍ଗେ ସଙ୍ଗେ ଆମର ଦୃଷ୍ଟି ବି ଧାଉଁଥାଏ, ଚଲା ଦୃଶ୍ୟର ଚଳଚ୍ଚିତ୍ର ଏ, ଗୋଟାକ ପରେ ଗୋଟାଏ ଦୃଶ୍ୟ ଆଖି ଧରୁଥାଏ, କେଉଁଟିକି ମୁହୂର୍ତ୍ତେ ବି ରଖିପାରୁ ନ ଥାଏ ।

 

ଏ ଅଞ୍ଚଳର ଚାଳଘର ଗହମ ନଡ଼ାରେ ଛପର ହୁଏ, ତାର ସଂଖ୍ୟା ଅଳ୍ପ । ଚଳନ୍ତି-ପକ୍ଷ ଖପରୁଲୀ ବା ଟାଇଲି ଘର କରନ୍ତି । ବଗିଚା ଚାରି ପାଖେ କାନ୍ଥ, ଏହା ବାଡ଼ର କାର୍ଯ୍ୟ କରେ, ପାଣି ସହେ । ପହ୍ଲ ପହ୍ଲ ଗାଈ, ଘୋଡ଼ା, ମଇଁଷି ଚରୁଥାନ୍ତି, ବେଶ୍‌ ସୁସ୍ଥ, ସବଳ । ମଣିଷ ସ୍ୱଳ୍ପ ପରିଶ୍ରମରେ ଏଠି ମୁଠିଏ ଦାନା ଯୋଗାଡ଼ କରିପାରେ । ପ୍ରତି ଖେତରେ କୂଅ, ତିନି ଚାରି ହାତ ଖୋଳିଲେ ପାଣି ବାହାରେ, ତେଣ୍ଡା ମାରିଲେ ଜଣେ ଲୋକ ଅକ୍ଳେଶରେ ଦି’ପା ବିଲ ପାଣି ମଡ଼ାଇ ଦେଇପାରେ । ତେଣୁ ଖରାଦିନରେ ବି ବିଲରେ ଲକ୍ଷ୍ମୀ ହସୁଛନ୍ତି ।

 

ଦିଗ୍‌ବଳୟ ଶୈଳ ପ୍ରାଚୀରରେ ରୁଦ୍ଧ ହୋଇ ନାହିଁ, ସମତଳର ବୈଚିତ୍ର୍ୟହୀନ ଦୃଶ୍ୟ ଦେଖି ଦେଖି ଆଖି ଯେପରିକି କ୍ଳାନ୍ତ ହୋଇପଡ଼ିଲା । ବୃକ୍ଷେ ବୃକ୍ଷେ ଝିଙ୍କାରୀ ରୌଦ୍ରର ଦହନ ଜ୍ୱାଳା ଏକତାରାରେ ବଜାଇଲା । ଉତ୍ତପ୍ତ ଦିନର ଉଦ୍‌ଭ୍ରାନ୍ତ ସାଥୀ—ମରୀଚିକା ଏଇ ସ୍ୱରର ତାଳେ ତାଳେ ଚତୁର୍ଦ୍ଦିଗରେ ନୃତ୍ୟ କଲା । ପ୍ରକୃତିର ଅଗ୍ନି ଉତ୍ସବରୁ ଦୃଷ୍ଟି ଫେରାଇଲି, ଏଇ ଜ୍ୱାଳାମୟ ମୁହୂର୍ତ୍ତଗୁଡ଼ିକ ନିଦ୍ରାରେ ନିଭାଇ ଦେଲି । ଉଠିଲାବେଳକୁ ଅସ୍ତପୂର୍ବ ସୂର୍ଯ୍ୟ ପୃଥିବୀ ଆଉ ଆକାଶର ମଧ୍ୟ ସୀମାରେ ହସୁଛନ୍ତି, ତୋଟା ଗହଳରୁ ଲୋହିତ କିରଣଧାରା ଲମ୍ୱି ଆସି ଆମକୁ ସ୍ପର୍ଶ କଲା—ସତେ ଯେପରି ପଲ୍ଲୀର ଜନତା ସହିତ ଆମ ପ୍ରାଣର ନିବିଡ଼ ଯୋଗସୂତ୍ର ଏ !

 

ରାତି ସାଢ଼େ ଆଠଟାବେଳେ ଦିଲ୍ଲୀରେ ପହଞ୍ଚିଲୁ, ଭାରତ ରାଜଧାନୀ ଦିଲ୍ଲୀର ବିପୁଳ ପ୍ରାଣର ସ୍ପର୍ଶ ଷ୍ଟେସନରେ ଅନୁଭବ କରିବାକୁ ଅବସର କାହିଁ ? ସହସ୍ର ସହସ୍ର ଯାତ୍ରୀଙ୍କ ନିରର୍ଥକ କୋଳାହଳ ମଧ୍ୟରେ ଆମେ ଆମର କଣ୍ଠସ୍ୱର ଯୋଗ କଲୁ ମାତ୍ର । ପଠାଣକୋଟ ମେଲ୍‌ ଧଇଲୁ—ଗାଡ଼ି ଜାମ୍‌ । ଆମ ଯାତ୍ରା ସୁଖ ପରେ ଏ ଦୁଃଖ ବଡ଼ ବାଧିଲା । ପ୍ରାୟ ପନ୍ଦରଟି ଡବାରୁ ମୁହଁ ଫେରାଇ ଶେଷରେ ଗାଡ଼ି ଛାଡ଼ି ଦେବା ଶଙ୍କାରେ ଗୋଟିଏ ଡବାରେ ପଶିଲୁ । ଉଠି ଯାହା ଦେଖିଲୁ, ମନ ମରିଗଲା । ଗଣ୍ଡା ଗଣ୍ଡା ବନ୍ଧୁକ, ବଡ଼ ବଡ଼ ଟ୍ରଙ୍କ, ସୁଟ୍‌ କେସ୍‌, ଗଦା ଗଦା ବିଛଣା । ସେଇ ବିଛଣା ଉପରେ ପାଦ ଭାଙ୍ଗି ଯାକିଯୁକି ହୋଇ ଦାଢ଼ିଆ ଶିଖ୍‌ ସୈନ୍ୟ—କିଏ ଘୁଙ୍ଗୁଡ଼ି ମାରୁଛି, କିଏ ଆଉଜି ଢୁଳାଉଛି, କିଏ ଲାଲ୍‌ ଆଖିରେ ଚାହିଁଛି, କିଏ ଦୁଇ ତିନିଜଣଙ୍କ ଜାଗା ମାଡ଼ି ବସି ଡ଼ାକିଲେ କାନଉ ନାହିଁ—ମାନେ ସେ ଆଗେ ଆସି ବସିଛି; ଗୋଟିଏ ଟିକିଟ୍‌ କରି ତିନୋଟି ଜାଗା ଅଧିକାର କରିଛି ସତ୍ୟ, ହେଲେ ଏଥିରେ ତାର ଦଖଲସ୍ୱତ୍ୱ ଅଛି । ଅନ୍ୟମାନେ ବି ତା ପରି ଟିକିଟ୍‌ କରିଛନ୍ତି, ଏ କଥା ବୁଝିବାକୁ ସେ ନାରାଜ । ଏଇ ସୈନ୍ୟଦଳ ମଝିରେ ଶିଶୁ ସହିତ ଜଣେ ଜଣେ ପଞ୍ଜାବୀ ମହିଳା ଶୋଇଛନ୍ତି । ପୁରୁଷ ସ୍ୱ ଡବାର ଆଂଶିକ ଅଧିକାରୀ, ସ୍ତ୍ରୀ ଉଭୟଚାରିଣୀ । ସେ ଜାଣେ ତାକୁ କେହି ଉଠାଇବାକୁ ସାହସ କରିବେ ନାହିଁ, ତେଣୁ ନିଘୋଡ଼ ନିଦରେ ଶୋଇଛି ।

 

ଗରମକୁ ଭିଡ଼, ଏକଦମ୍‌ ଜାଉ ହୋଇଗଲୁ । ସୈନ୍ୟମାନଙ୍କ ସଙ୍ଗେ ଆଳାପ, ମେଳାପ ଜମେଇ ବସିବାର ଅନ୍ତତଃ ପାଆ ଭାଗ ଜାଗା ଯୋଗାଡ଼ କରିନେଲୁ, ପଞ୍ଜାବରେ ଆସ୍ତେ ଆସ୍ତେ ଗାଡ଼ି ଖାଲି ହେଲା; ଆରାମ୍‌ । ଉତ୍ତର ପ୍ରଦେଶ ଓ ଏଇ ପ୍ରଦେଶ ମଧ୍ୟରେ ଦୃଶ୍ୟଗତ ତାରତମ୍ୟ ନାହିଁ । କୋଶ କୋଶ ବ୍ୟାପି ପାଚିଲା ଗହମ ଖେତ, ମଝିରେ ମଝିରେ ଖଣ୍ଡିଏ ଖଣ୍ଡିଏ ଗାଆଁ, ଘରେ ମାଟି ଛାତ, ବର୍ଷ ମଧ୍ୟରେ ୧୦।୧୫ ଦିନ ମାତ୍ର ବର୍ଷା ହୁଏ, ପରିମାଣ ଅଳ୍ପ । ମାଟି ଛାତ ଏ ପାଣି ସହିପାରେ । ବିଆସା ଆଉ ଚକ୍‌କୀ ନଦୀ ଅତିକ୍ରମ କଲୁ । ଶୁଖିଲା ବାଲି, କେଉଁଠି ସରୁ ପାଣି ଧାରଟିଏ ଚିକ୍‌ ଚିକ୍‌ କରୁଛି । ନଈ କୂଳେ କୂଳେ ତୋଟା, ପଞ୍ଜାବୀ ଝିଅ ମୁଣ୍ଡରେ ଡାହାଣ କାଖରେ ପାଣି ମାଠିଆ ଘେନି ଗ୍ରାମ ଅଭିମୁଖରେ ଯାତ୍ରା କରୁଅଛନ୍ତି । ମୁଣ୍ଡରେ ପଗଡ଼ି ବାନ୍ଧି ପଞ୍ଜାବୀ ଚଷା ହଳ କରୁଛି । ଆମ ପ୍ରଦେଶର ଦରିଦ୍ର ବେଶୀ କୃଷକ ଦୁର୍ଲ୍ଲଭ, ତେବେ ସ୍ୱ ପ୍ରଦେଶର ଉଚ୍ଚଦରର ବସନ ଭୂଷଣ ସମ୍ମୁଖରେ ସେମାନେ ଦରିଦ୍ର ଦିଶୁଥିବେ । ଖାଇ ବୁଲୁଛି, ଗୁଡ଼ରନ୍ଧା ମହକ ଉଠୁଛି; ଚାଷୀ ବସି ବସି ଦାଆରେ ଗହମ କାଟୁଛନ୍ତି, କେହି କେହି ଦଉଡ଼ିରେ ଗହମ ଗୋଛା ଖଳାକୁ ବୋହି ନେଉଛନ୍ତି; ଗରିବ ଲୋକେ ବିଲରେ ପଡ଼ିଥିବା ଛୋଟ ଛୋଟ ଶୀସା ଗୋଟାଉଛନ୍ତି-। ଶଗଡ଼ ଛୋଟ, ବଳଦଙ୍କ ଦେହରୁ ମାଛି ଖସି ପଡ଼ୁଛି । କେହି କେହି ଶଗଡ଼ରେ ନଦି ଖଳାକୁ ଗହମ ନେଉଛନ୍ତି । ଏଠି ଏକା ବିଲରେ ଗହମ, ଧାନ ହୁଏ । ଧାନକଟା ହେଲା ପରେ ହଳକରି ଚାଷୀ ଗହମ ବୁଣନ୍ତି ।

 

ଆମ୍ୱାଲା, ଲୁଧିଆନା, ଜଳନ୍ଧର, ମୁକେରିଆ ସହର ଗୋଟିକ ପରେ ଗୋଟିଏ ପାରି ହୋଇଗଲୁ । ଷ୍ଟେସନ ସବୁ ଏକାପରି, ଏଥିରୁ ସହରର ଶ୍ରୀ କଳିବା ଦୁଷ୍କର । ସହର ଅପେକ୍ଷା ଗାଆଁ ମନରେ ଗହିଡ଼ା ଗାର ଟାଣିଲା । ବିଲର ବେଣା ବୁଦା, ବାଡ଼ିର ବେଗୁନିଆଁ, ବାଇଗବା ବାଡ଼, ସପ୍ତଫଣୀ କଣ୍ଟା, ଆମ ଗାଆଁର କେତେ ପରିଚିତ ଦୃଶ୍ୟ ମନେ ପକେଇ ଦେଲା, ଖଜୁରୀ ଗଛର ପାଚିଲା କୋଳି ପେଣ୍ଡା ଖାଲି ଆଖିମୁଠି ବୁହା ନୁହେଁ, ପିଲାଦିନର କେତେ ଦରଭୁଲା କାହାଣୀରେ କୁଆଁରୀ ଛୁଆଁଇ ଦେଲା ।

 

ପଠାଣକୋଟରୁ ଶ୍ରୀନଗର

 

ଦୂରରୁ ହିମାଦ୍ରିର ରହସ୍ୟାବୃତ୍ତ ଶୃଙ୍ଗ ମନକୁ ଆକର୍ଷଣ କରୁଥାଏ; ସକାଳ ସାଢ଼େ ଆଠଟାବେଳେ ଗାଡ଼ି ପଠାଣକୋଟରେ ପହଞ୍ଚିଲା; ଆମ ଯାତ୍ରାର ପ୍ରଥମ ପର୍ବ ଏହିଠାରେ ଶେଷ ହେଲା । ଛୋଟ ଷ୍ଟେସନ, ଏହାର ପରିସର ବୃଦ୍ଧି କରାଯାଉଛି । ଶତ ଶତ କୁଲି ସାବଳ, ଗଇଁତି ଧରି କାମରେ ଲାଗିଛନ୍ତି । ଯାତ୍ରୀ ଭିଡ଼ ନାହିଁ, ତୋଫା ଖଣ୍ଡାଧାର ପରି ଖରା, ଦେହକୁ ହାଣି ହାଣି ଦେଉଛି, ଶୀତଳ ପବନ ମାଆପରି ଆଉଁସିପାଉଁସି ସତେ ଯେପରି ସେ କ୍ଷତରେ ପ୍ରଲେପ ବୋଳି ଦେଉଛି । ଆମ୍ୱ ଗଛରେ ପେନ୍ଥା ପେନ୍ଥା କଷି ଝୁଲୁଛି, ଦଳେ ବଗ ପାଖ ପଡ଼ିଆରେ ଚରାଖୋଜି ବୁଲୁଛନ୍ତି, କଜ୍ଜଳପାତିଆ ମୁଣ୍ଡ ଉପରେ ଚକ୍‌କର ଦେଉଛି । ଜିନିଷପତ୍ର ଘେନି ଆମେ ବିଶ୍ରାମଘରକୁ ଗଲୁ । କଳ ପାଣିରେ ଦୁଇଦିନର କ୍ଳାନ୍ତି, ଅବସାଦ ଧୋଇ ହୋଇଗଲା । ବଡ଼ ବଡ଼ ହୋଟେଲରେ ବିଦେଶୀ ଚାକଚକ୍ୟ, ସାହେବୀ କାରଖାନା, ଚଢ଼ା ଦର ଯିବାକୁ କଲା ମନା । ସାଧାରଣ ଦୋକାନରୁ କିଛି ଗରମ୍‌ ପରେଟା, ତରକାରୀ, ଗାଜର ଭଜା, ହାଲୁଆ କିଣି ଆଣି ଖାଇଲୁ ।

 

ପେଟ ଟିକିଏ ଥଣ୍ଡା ହେଲା; ରାତି ଅନିଦ୍ରା; ବସ୍‌ର ଦୋଳିଖେଳାରେ ଝାଙ୍କିଲା ନିଦ । ନିଦବାଉଳାରେ ଯାହା ଉପରକୁ ଝୁଙ୍କି ପଡ଼ିବ ସେ ଚିଡ଼ିବ । ଆମେ ସହୁନାହିଁ, କିଏ କାହିଁକି ଆମ ଅର୍ଦ୍ଦଳି ସହିବ, ଆମ ଅସୁବିଧା ବୁଝିବ ? ଆଖି ମକଚି, ବାଳ ଝିଙ୍କି, କାନ ଓଟାରି ଟିକିଏ ଟିକିଏ ଗୁଆମସଲା ଖାଇ କୌଣସିମତେ ନିଦକୁ ଚପାଇଲୁ । କାଶ୍ମୀର ମାଟିର ସ୍ପର୍ଶରେ ଦେହରେ ରୋମାଞ୍ଚ ଜାତ ହେଲା । ଏ ଗଛଲତାରେ ନୂତନ ରଙ୍ଗ ବୋଳା ହୋଇଛି, ଏ ବାୟୁ ହିଲ୍ଲୋଳର ଅପୂର୍ବ ମାଦକତା ଚିତ୍ତକୁ ବିଭୋଳ କରୁଛି । ଏ ଆକାଶ ଅଭିନବ ଚିତ୍ରପଟ ପରି ମନୋମୁଗ୍‌ଧକର-। ଏ ଝରଣାରେ ଜଳ ନୁହେଁ, ଅଜସ୍ର ପ୍ରାଣର ପ୍ରବାହିତ ହେଉଛି । ଏ ପାହାଡ଼ ଶତ ଯୁଗର ସହସ୍ର ସ୍ମୃତିଗାଥାରେ ମୁଖର । ସସ୍ମିତ କାଶ୍ମୀର ପ୍ରଥମେ ଆମକୁ ଗୋଟିଏ ପୁଷ୍ପିତ ବନ୍ୟ କୁଞ୍ଜ ଉପହାର ଦେଲା, ସେହି କୁଞ୍ଜ ମଧ୍ୟରୁ କାଶ୍ମୀର ଗୋଲାପରେ ଲାଳିତ କୋଇଲି ମଧୁର ସ୍ୱାଗତ ଜଣାଇଲା । ବସ୍‌ ଚାଲିଲା, କାଶ୍ମୀର ମଞ୍ଜୁଷାର ଦୃଶ୍ୟ ଦୃଶ୍ୟାନ୍ତରର ରହସ୍ୟ ଫିଟାଇ ।

 

ଭୂଗୋଳରେ ପଢ଼ା ରାବୀ ନଦୀ ତାର ହାଓ୍ୱା ଦେହରେ ଚମକ ଆଣିଲା, ତୃଷିତ ଆଖି ଯେପରିକି ତାର ଦୃଶ୍ୟ ସବୁ ଶୋଷିଗଲା । ଏହି ନଦୀ ଶୁଷ୍କ, ତାର ଜଳ ନାଳରେ ଛଡ଼ା ଯାଇ ଅନ୍ୟତ୍ର ଜଳସେଚନ କରାଯାଉଛି, ଶଯ୍ୟାର ଅଗଣିତ ଶିଳା ସଂଗ୍ରାମର ଅକ୍ଳାନ୍ତ ସାଧନାରେ ଶାଳଗ୍ରାମ ପାଲଟି ଯାଇଛନ୍ତି । ବିଭାଗ ପରେ ଭାରତ ସରକାର ଏହା ଉପରେ ଗୋଟିଏ ନୂତନ ସେତୁ ନିର୍ମାଣ କରିଅଛନ୍ତି ।

 

ଖଣ୍ଡେ ଦୂର ଗଲା ପରେ ଗୋଟିଏ ଛକ ଜାଗା ପଡ଼ିଲା; ବିଶ୍ରାମାଗାର, ଚେକ୍‌ ଅଫିସ ଅଛି, ଗୋଟିଏ ଅଧେ ଫଳ ଦୋକାନ ଅଛି, ଦର ଚଢ଼ା । ଏଠି ବସ୍‌ ଅଟକିଲା । ଜଣେ ଦୁଇଜଣ ଲାଲ୍‌ ପଗଡ଼ିଆ ଘେରି ଯାଇ ଯାତ୍ରୀଙ୍କ ଉପରେ ଆଖି ବୁଲାଇ ଆଣିଲେ । ତା ପରେ ଗୋଟିଏ ସିମେଣ୍ଟ ପିଣ୍ଡି ଉପରେ ଥୁଆ ଚୌକୀରେ ବସି ପରମିଟ୍‌ ଚେକ୍‌ କଲେ । ଛାତ୍ର ହେଡ଼୍‌ମାଷ୍ଟରଙ୍କ ନିକଟରେ ଦରଖାସ୍ତ ଘେନି ଛିଡ଼ା ହେଲା ପରି ଆମେ ପରମିଟ୍‌ ଧରି ଛିଡ଼ା ହୋଇଥାଉ । ତିନି ଜଣଯାକ ଚେକର୍‌ ଭୁଷ୍‌ ପଣ୍ଡିତ—କିଏ କାହାକୁ ବିଦ୍ୟାରେ ବଳିବ ସ୍ୱୟଂ ଗଜାନନ କହିପାରିବେ । ଜଣେ ବୋଧେ ଫାଷ୍ଟବୁକ୍‌ ଘୋଡ଼ା ଲେସନ୍‌ ଯାଏ ପଢ଼ିଛନ୍ତି, ଇଂରାଜୀ ଅକ୍ଷର ଯାହା ଲେଖୁଛନ୍ତି ତାହା ପ୍ରକୃତରେ ହସ୍ତାକ୍ଷର । ଅଳ୍ପ ପଛକେ ଜାଣନ୍ତୁ, ସେ ହେଲା ହାକିମ୍‌ ପାଠ, ତେଣୁ ଅନ୍ୟ ଦୁଇଜଣଙ୍କ ଉପରେ ସେ ହୁକୁମ୍‌ ଚଳାଉଥାନ୍ତି । ଅନ୍ୟ ଦୁଇଜଣ ପରମିଟ୍‌ ପଢ଼ିବା ପାଇଁ ତାଙ୍କ ମୁହଁକୁ ଚାହୁଁଥାନ୍ତି । ସେ ଯାତ୍ରୀଙ୍କ ମୁହଁକୁ ଚାହିଁ ମୁରୁକି ହସି ଯେମିତିକି କହୁଛନ୍ତି—ମୁଁ କେଡ଼େ ବିଜ୍ଞ ଦେଖୁଛ ! ଅନ୍ୟ ଦୁଇଜଣଙ୍କ ଗଉଁ ବି କମ୍‌ ନୁହେଁ, ପରକଲମରେ ନାଆଁ, ଠିକଣା, ଯାତ୍ରାର ଉଦ୍ଦେଶ୍ୟ ରାମ୍ପୁ ରାମ୍ପୁ ରାମ୍ପି ଯାଉଛନ୍ତି—ଦେଖୁଛ ଆମ ହସ୍ତର କ୍ଷିପ୍ରତା ! ତିନିଜଣଙ୍କ ମୁଖରେ ପୋଲା ଗାମ୍ଭୀର୍ଯ୍ୟ, କ୍ଷମତାର ଦାନ । ଯାତ୍ରୀଙ୍କ ଉପରେ ଯେଉଁ ତୋଡ଼ ଦେଖଉଥାନ୍ତି, ସେଥିରେ ଏହି ଲମ୍ୱ ସାର୍ଟ ପ୍ୟାଣ୍ଟ ଆବୃତ୍ତ, ସଦାଢ଼ି ସପଗଡ଼ି ବ୍ୟକ୍ତିଙ୍କର ମୂଢ଼ତା ପଦାରେ ପଡ଼ି ଯାଉଥାଏ ସିନା, ଅଧିକ ଫଳ ହେଉ ନଥାଏ ।

 

ଜାମୁ

 

କଳା ସାପ ପରି ପିଚୁ ରାସ୍ତା ପାହାଡ଼ ଦେହରେ ଗୁଡ଼େଇ ହୋଇଛି, ଦନ୍ତାବଳ ପରି ଗର୍ଜି ଗର୍ଜି ବସ୍‌ ଚାଲିଲା । ଜାମୁରେ ପହଞ୍ଚିଲା ବେଳକୁ ସାଢ଼େ ଦଶ । ଜାମୁ ସମୁଦ୍ର ପତ୍ତନଠାରୁ ୧୦୦୦ ଫୁଟ୍‌ ଉଚ୍ଚ, ଏଠାରେ ଅତ୍ୟଧିକ ଗ୍ରୀଷ୍ମ ବା ଶୀତ ହୁଏ ନାହିଁ । ଶୀତ ଦିନରେ ଯେତେବେଳେ ତୁଷାରପାତ ଯୋଗୁଁ ରାସ୍ତାଘାଟ ବନ୍ଦ ହୋଇଯାଏ, ସେତେବେଳେ ଶ୍ରୀନଗରରୁ ଜାମୁକୁ ରାଜଧାନୀ ଉଠିଆସେ । କିମ୍ବଦନ୍ତୀ ଅଛି, ରାମଭକ୍ତ ଜମ୍ୱୁ ଏ ଅଞ୍ଚଳର କୌଣସି ଗିରି କନ୍ଦରାରେ ବାସ କରୁଥିଲା । ଅନ୍ୟ ମତରେ ସୂର୍ଯ୍ୟବଂଶର ରାଜା ଜମ୍ୱୁଲୋଚନ ଏହି ନଗର ନିର୍ମାଣ କରିଥିଲେ । ପ୍ରକୃତରେ କାହା ନାମାନୁସାରେ ଏହି ପ୍ରଦେଶ ନାମିତ ହୋଇଥିଲା, ତାହା ଏବେ ଜାଣିବାର ଉପାୟ ନାହିଁ । ଜମ୍ୱୁ ପ୍ରଦେଶ ଏବେ କାଶ୍ମୀର ସହିତ ସଂଯୁକ୍ତ ହୋଇ ଏକ ଶାସନ ସଂସ୍ଥାର ଅନ୍ତର୍ଭୁକ୍ତ ହୋଇଅଛି । ପୀର ପଞ୍ଜାଲ ପର୍ବତମାଳା ଦ୍ୱାରା ଏହା କାଶ୍ମୀରଠାରୁ ବିଚ୍ଛିନ୍ନ । ଏହି ପ୍ରଦେଶରେ ରାବୀ, ବାଜୁ, ଚନୁନ୍‌, ବସନ୍ତ, ତର୍ଣ୍ଣା ପ୍ରଭୃତି ନ’ଟି ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଉଛନ୍ତି । ନାଳଦ୍ୱାରା ଏହି ନଦୀମାନଙ୍କୁ ସଂଯୁକ୍ତ କରାଯାଇ ଜଳସେଚନର ସୁବ୍ୟବସ୍ଥା କରାଯାଇଅଛି । ଏଠାରେ ଗହମ, ବାଜରା, ବାଲି, ଧାନ ପ୍ରଭୃତି ଫସଲ ହୁଏ । ସହରଟି କ୍ଷୁଦ୍ର, କିନ୍ତୁ ରୁଚିକର । ନିମ ଉପତ୍ୟକାରେ ଛୋଟ ଛୋଟ ବଙ୍କାଢଙ୍କା ପାହାଡ଼, ସାତବାଙ୍କରେ ବୋହୁଥିବା ତାବୀ ନଦୀ, ଘଞ୍ଚ ଅରଣ୍ୟ; ଦଶମିନିଟ୍‌ ମାତ୍ର ଚୌଦିଗକୁ ଆଖି ବୁଲାଇଛୁ, ବସ୍‌ ଚାଲିଲା, ପହଞ୍ଚିଲା ଡାକବଙ୍ଗଳାରେ । ଏଠି ଯାତ୍ରୀମାନଙ୍କ ଲାଗି ଭୋଜନଭାଜନର ସୁବ୍ୟବସ୍ଥା ।

 

ଚମକତୁରା ଖରା, କଳପାଣି ଗରମ୍‌, ଟିକିଏ ପୋଛାପୋଛି ହୋଇ ପଡ଼ିଲୁ । ହୋଟେଲଟି ସାହେବୀ ରୀତିରେ ଗଢ଼ା, ସବୁ ଜିନିଷର ଦାମ୍‌ ବି ସେଇ ରୀତିରେ ଚଢ଼ା । ଗଦିପକା ଚୌକୀ, ଖାଇବା ଟେବୁଲ ଉପରେ ଧୋବ ଫରଫର କନା, ଉପରେ ସାଇଁ ସାଇଁ ଫ୍ୟାନ୍‌ ବୁଲୁଛି, ହେଲେ ଖାଲି ଗରମ ପବନ ତାହୁଛି । ଚଟାଣ, କାନ୍ଥ, ବାସନା, କଣ୍ଟା, ଚାମୁଚ ଚିକ୍‌ ଚିକ୍‌ । ଟିକିଏ ଚାମୁଚ ଠକ୍‌ ଠକ୍‌ କଲାକ୍ଷଣି ଏକ ଦୁଇ ବୟ ହାଜର—ହଜୁର ! ଖାଦ୍ୟର ପରିଚ୍ଛନ୍ନତାରେ ବିଶେଷ ତୃପ୍ତି ମିଳିଲା । ଆରାମ୍‌ ଚୌକୀରେ ଟିକିଏ ଛାଇ ନଦି ଆସିଛି କି ନାହିଁ, ଡ୍ରାଇଭର ହର୍ଣ୍ଣ ଦେଲା—ବୁଝିଲୁ—ଯାତ୍ରାର ମଙ୍ଗଳ ଶଙ୍ଖଧ୍ୱନି ଏ ।

 

ବସ୍‌ ଏଥର ଆସ୍ତେ ଆସ୍ତେ ଉପରକୁ ଉଠିଲା । ଗଭୀର ଉପତ୍ୟକାରେ ଚେନାବ୍‌ ନଦୀ ଝର ଝର ଶବ୍ଦରେ ଧାଇଁଛି । ଏ ଶୁଣାଉଛି ଅସରନ୍ତି ପଥର ରୋମାଞ୍ଚକର ବାର୍ତ୍ତା, କର୍କଶ ପର୍ବତ ସହିତ ତାର ସଂଘର୍ଷ ଓ ବିଜୟ କାହାଣୀ । ଚେନାବ୍‌ ଆମ ଉତ୍ସାହର ଉତ୍ସ, ଅବସାଦ ଓ କ୍ଳାନ୍ତିର ସଞ୍ଜୀବନୀ । ତାର ସବୁଜ ସ୍ୱପ୍ନ ସଂଗୀତ ସୁପ୍ତ କବିତ୍ୱକୁ ଜାଗ୍ରତ କରେ । କେଉଁଠି ବୃହତ୍‌ ଶିଳା ଉପରେ ଲମ୍ଫ ପ୍ରଦାନ କରୁଛି, କାହିଁ ବା ବୃହତ୍‌ ପର୍ବତ ସନ୍ଧିରେ ଗଳି ଗଳି ଯାଉଛି, କେଉଁଠି ଧାରା କ୍ଷୀଣ, କେଉଁଠି ପ୍ରବାହ ବିପୁଳ, କେଉଁଠି ଜଳଧାରା ଅଦୃଶ୍ୟ, କେଉଁଠି ପ୍ରବଳ ପ୍ରପାତର ଗର୍ଜନରେ ସମସ୍ତ ଅରଣ୍ୟ ମାର୍ଗ ଝଙ୍କୃତ ।

 

ପର୍ବତ ଉପରକୁ ଯେତେ ଯେତେ ଉଠିଲୁ ପବନ ହାଲୁକା ଜଣାଗଲା, ବିଭିନ୍ନ ଋତୁ ଅନୁଭୂତ ହେଲା; ବର୍ଷର ଋତୁଚକ୍ର ମଧ୍ୟରେ ଏ ଭ୍ରମଣ ବଡ଼ ପ୍ରୀତିପ୍ରଦ । ବସନ୍ତ ଧୀରେ ଧୀରେ ହେମନ୍ତ ଶେଷରେ ଶିଶିରରେ ପରିଣତ ହେଲା । ଉଦ୍ଭିଦ ମଧ୍ୟ ସେହିପରି ପରିବର୍ତ୍ତିତ ହେବାକୁ ଲାଗିଲା । ଓସାରିଆ ପତ୍ରଥିବା ବୃକ୍ଷ କ୍ରମେ ଦୁର୍ଲ୍ଲଭ ହେଲା । ଗାଢ଼ ସବୁଜ ପତ୍ର ଛୁଞ୍ଚିପରି ଚାହିଁଥାଏ–ବରଫ ଶୃଙ୍ଗ ତଳେ, ଢାଲୁ ବା ଅଳ୍ପୋନ୍ନତ ପାହାଡ଼ରେ ପାଇନ୍‌ ବନ; ତାର ମର୍ମରରେ ହିମାଦ୍ରି ମୋଡ଼ିଭିଡ଼ି ହୋଇ ସାକ୍ଷାତେ ଅଳସ ହାଇ ମାରୁଛି ।

 

କେଉଁଠି ପାହାଡ଼ ଲଣ୍ଡା, କେଉଁଠି ଗଛଲତା ହାଣିହୁଣି ପୋଡ଼ିଜାଳି ଲୋକେ ‘ପୋଡ଼ୁ’ ଚାଷ କରିଛନ୍ତି । କେଉଁଠି ପର୍ବତ ଗୁଳ୍ମିତ, କେଉଁଠି ତୃଣମୟ, କେଉଁଠି ପଲାଶରେ ରକ୍ତାକ୍ତ, କେଉଁଠି କଙ୍କର କଙ୍କାଳମୟ, ରୁକ୍ଷତାରେ ହୃଦୟକୁ ବିଦ୍ଧ କରୁଛି । କେଉଁଠି ଶୁକ୍ଳକେଶ ବୃଦ୍ଧ ପରି ଚିନ୍ତାମଗ୍ନ, କେଉଁଠି ବାୟୁର ହିଲ୍ଲୋଳରେ ଅରଣ୍ୟାବୃତ୍ତ ପର୍ବତ ଚଞ୍ଚଳ । ଏମିତି ଶୃଙ୍ଗରୁ ଶୃଙ୍ଗାନ୍ତରକୁ ଉଠିଲୁ, ପୁଣି ପ୍ରଶସ୍ତ ଉପତ୍ୟକାକୁ ଖସିଲୁ । ବସ୍‌ କାଜିଗୁଣ୍ଡ ଡାକବଙ୍ଗଳାରେ ଅଧଘଣ୍ଟାଏ ଥାକ ମାଇଲା । ମୋ ଦୁଇ ସାଥୀକି ସଙ୍ଗରେ ଘେନି ଡାକବଙ୍ଗଳା ହାତରେ ପଶିଲି । ଚୌକୀଦାର ଘାସର ଗାଲିଚା ଉପରେ ଆରାମ ଚୌକୀ ପକାଇଦେଲା, ଚା’ ପାନ କଲାପରେ ବଙ୍ଗଳାର ଚଉକତିରେ ଘେରାଏ ବୁଲି ଆସିଲି । ଚାରିଆଡ଼େ ଉଚ୍ଚ ଉଚ୍ଚ ପାହାଡ଼, ଆକାଶର ଛାତକୁ ମୁଣ୍ଡାଇ ଧରିଛନ୍ତି, କେଉଁଠି ସ୍ୱଚ୍ଛ ହ୍ରଦ ପରି ଆକାଶ, ପାହାଡ଼ଗୁଡ଼ିକ ତାର ବନ୍ଧ, ମେଘ ଏ କୂଳରୁ ସେ କୂଳକୁ ପହଁରି ଯାଉଛି, ବଡ଼ ହାଲୁକା ତାର ଗତି, ବୋଧେ ପ୍ରତିଯୋଗୀ କେହି ନାହାନ୍ତି ବୋଲି ।

 

ଡାକବଙ୍ଗଳାକୁ ଲାଗି ବୋହି ଯାଉଛି ବିତସ୍ତା ନଦୀ, ସ୍ଥାନୀୟ ନାମ ବିଥୁବିଥର; ଜଳଧାରା ସଂକୀର୍ଣ୍ଣ, ସ୍ରୋତ ପ୍ରଖର । ନୀଳ ସ୍ରୋତରେ ବରଫ ପାହାଡ଼, ପାହାଡ଼ ଢାଲୁ ସୋରିଷ ଖେତର ଛାଇ—ପୀତ ଆଉ ଧବଳ ରଙ୍ଗର ରସାରସି, ମିଶାମିଶି, ହସାହସି । କୂଳରେ ଚେରୀ ଗଛ, ଫୁଲରେ ଲୋଟି ପଡ଼ୁଛି । ବୃହତ ଚିନାର ବୃକ୍ଷ—ସ୍ୱର୍ଗେ ଲାଗେ ଡାଳ ମଞ୍ଚେ ଲାଗେ ଡାଳ, ସାକ୍ଷାତେ ପାହାଡ଼ର ଉଚ୍ଚତାକୁ ଆଦର୍ଶ କରି ବଢ଼ୁଛି । ସରୁପତ୍ରିଆ ସଫେଦା (ପପ୍‌ଲାର) କି ଅବ୍ୟକ୍ତ ଭାଷାରେ ସମ୍ଭାଷଣ କରୁଛି ! ହେଉ ପଛେ ଅବ୍ୟକ୍ତ ଏହା ମୈତ୍ରୀର ଭାଷା, ସ୍ନେହ ଆଉ ଶୁଦ୍ଧ ଆନନ୍ଦରେ ଜୀବନ୍ତ ।

 

ପୁଣି ଆମର ଊର୍ଦ୍ଧ୍ୱଯାତ୍ରା ଆରମ୍ଭ ହେଲା । କେଉଁ ପାହାଡ଼ର କଟିରେ, କାହାର ବା ଶୃଙ୍ଗରେ, କେଉଁଠି ଗହମ କ୍ଷେତରେ, କେଉଁଠି ଘଞ୍ଚ ଅରଣ୍ୟରେ, କେଉଁଠି ଶୁଷ୍କ ଟାଙ୍ଗରା ଢାଲୁରେ, କେଉଁଠି ଶୃଙ୍ଗର ଛାୟା ଅନ୍ଧାରରେ, କେଉଁଠି ଆଲୋକର ଅବାଧ ଉତ୍ସରେ ବସ୍‌ ଚାଲିଲା–ଚାଲିଲା-। ଦୁଇଟି ପର୍ବତ ଶୃଙ୍ଗର ମଧ୍ୟଭାଗରେ ଅସ୍ତସୂର୍ଯ୍ୟ ମୁହୂର୍ତ୍ତେ ସୁବର୍ଣ୍ଣ ଶୃଙ୍ଗ ହୋଇ ରହିଲେ, ଉପତ୍ୟକା ମଧ୍ୟରେ ତାଙ୍କର କିରଣଧାରା ଗୋଟିଏ ସୁବର୍ଣ୍ଣ ନଦୀ ହୋଇ ବୋହିଗଲା । ତା ପରେ ଆମ ସହିତ କ୍ଷଣେ ଲୁଚକାଳି ଖେଳି ଦିଗ ତଳକୁ ଗଡ଼ି ପଡ଼ିଲେ, ଗୋଛା ଗୋଛା ଲାଲ୍‌ ଗୋଲାପ ପରି ଖରା ଊର୍ଦ୍ଧ୍ୱକୁ ନିକ୍ଷିପ୍ତ ହେଉଥିଲା—ବୃହତ୍‌ ପର୍ବତ ଅରଣ୍ୟର ଏହି ଦୀପମାଳା ହଠାତ୍‌ ନିଭିଗଲା, ଖଣ୍ଡିତ ଆକାଶର ଗୋଟିଏ କୋଣ ପାଣ୍ଡୁର ହୋଇ ରହିଲା ମୁହୂର୍ତ୍ତେ; ତା ପରେ ବସ୍‌ ଶୃଙ୍ଗାନ୍ତରକୁ ଚାଲିଗଲା, ମାଡ଼ି ଆସିଲା ଶୀତଳ ଛାୟା—ସେ ଛାୟା ଆସ୍ତେ ନିବିଡ଼ ହେଲା, ତା ପରେ ଘନାନ୍ଧକାର ସମସ୍ତ ପାର୍ବତୀୟ ଜଗତକୁ ଏକ ଉଜ୍ଜ୍ୱଳ ମୂର୍ତ୍ତିରେ ପରିଣତ କରିଦେଲା । ପାହାଡ଼ୀ ବନକୁ ଦୋଳାଇ ଖେଳାଇ ବହିଆସିଲା ଶୀତଳ ପବନ, ବସ୍‌ର ଝରକା ବନ୍ଦ କଲୁ, ସ୍ୱେଟର, କୋଟ୍‌ ଉପରେ କମ୍ୱଳ ଘୋଡ଼ି ହେଲୁ । ତଥାପି ରକ୍ଷା ନାହିଁ । ମଞ୍ଜ ଦୋହଲି ଗଲା । ମନେହେଲା, ବସ୍‌ଟା ଗୋଟାଏ ଅପନ୍ତରା ତୁନ୍ଦ୍ରା ପ୍ରଦେଶର କନ୍ଦରା, ତା ଭିତରେ ଆମେ କେତେଜଣ ଏସ୍କିମୋ ।

 

ବନିହାଲ୍‌

 

ରାତି ପ୍ରାୟ ପହରେ, କାଳିବୋଳା ଶୂନ୍ୟରେ ଧୋବ ଫରଫର ବରଫ ପାହାଡ଼, ଝର୍ଝର ନାଦରେ ଝରୁଛି ପାହାଡ଼ୀ ଝରଣା; ବନିହାଲ୍‌ । ପାରସିକ ଭାଷାରେ ବନିହାଲ୍‌ ଅର୍ଥ ରକ୍ତ ଧାରା । କିମ୍ବଦନ୍ତୀ ଅଛି, କାଶ୍ମୀର ଆକ୍ରମଣକାରୀ ହୁଣ ରାଜା ମିହିରକୁଳ ଏହି ଘାଟିରେ ନିଜ ପକ୍ଷର ଗୋଟିଏ ହାତୀ ପର୍ବତ ତଳକୁ ଗଡ଼ିଯିବାର ଦେଖିଲେ, ତାଙ୍କୁ ଏ ଘଟଣା ବଡ଼ କୌତୁକପ୍ରଦ ବୋଧ ହେଲା, ସେ ଏକ ଶତ ହାତୀ ଏହିପରି ଭାବରେ ତଳକୁ ଗଡ଼ାଇଦେବା ଲାଗି ସେନାପତିଙ୍କୁ ଆଦେଶ ଦେଲେ । ପାହାଡ଼ ଆଉ ଉପତ୍ୟକା ରକ୍ତରଞ୍ଜିତ ହେଲା । ସେହି ଦିନଠାରୁ ଏହାର ନାମ ହେଲା ବନିହାଲ୍‌ । ରାଜ ଖିଆଲର ଏହା ଏକ ଚମକପ୍ରଦ ଦୃଷ୍ଟାନ୍ତ ।

 

ବଜାରରେ ଗାଡ଼ି ଅଟକିଲା । ଗୋଡ଼ ହାତ କୋଲ ମାରି ଯାଉଥାଏ, ଦାନ୍ତ କଡ଼ କଡ଼ ଡାକୁଥାଏ । ଶୀତରେ ଏକଦମ୍‌ କୁଜ୍ଜା ହୋଇ ଯାଉଥାଉଁ । ପୁଷ ମାସରେ ଆମ ପ୍ରଦେଶରେ ଏହାର କାଣିଚାଏ ଶୀତ ହୁଏ କି ନାହିଁ ସନ୍ଦେହ । ବୀରଭୂମିର ୧୧୦ ଡିଗ୍ରୀ ଉତ୍ତାପରୁ ହଠାତ୍‌ ସୁମେରୁ ଅଞ୍ଚଳରେ ପଡ଼ିଗଲୁ ଅବା ! ବିଛଣାପତ୍ର ମୁଣ୍ଡେଇ ଗୋଟିଏ ବସାଘରେ ପହଞ୍ଚିଲୁ । ଘର ଭଡ଼ା ରାତିକୁ ଦୁଇ ଟଙ୍କା । ଅଧିକ ଖଟ ନେଲେ ଖଟ ପିଛା ରାତିକୁ ଚାରିଅଣା ଅଧିକା ଦେବାକୁ ପଡ଼େ । ଆମ ବସା ଘର ପାଖରେ ଗୋଟିଏ ଛୋଟ ପାହାଡ଼ୀ ନଈ, ସର ସର ମର ମର ଶବ୍ଦରେ କେତେ ସ୍ମୃତି ମନରେ ଜୀଇଁ ଉଠିଲା, ରାତିରେ ଚେହେରା ଦିଶୁ ନ ଥାଏ, କେବଳ ସେଇ ପର୍ବତ ନର୍ତ୍ତକୀର ଅସରନ୍ତି ଚରଣ ଛନ୍ଦ ଚିତ୍ତକୁ ଚଞ୍ଚଳ କରୁଥାଏ ।

 

ସେଡ଼େ ଶୀତରେ ଘରବାଲା ଏଇ ଝରଣାରୁ ପାଣି ଉଠାଇ ଆମକୁ ଦେଲା । ବ୍ୟବହାର କରିବୁ କଣ, ତାକୁ ଛୁଇଁଲାକ୍ଷଣି ହାତ କେମ୍ପା କେମ୍ପା ହୋଇଗଲା, ସମସ୍ତ ସ୍ପର୍ଶ ଶକ୍ତି ହରାଇ ବସିଲି-। ତା ପରେ କମ୍ୱଳର ଅମୁହାଁ ଦେଉଳ ତିଆରି କରି ତା ଭିତରେ ପଶିଗଲି । ଘରବାଲା ଲଣ୍ଠନ ଜଳାଇଲା, ଆମକୁ ଗୋଟିଏ ହୋଟେଲ ଦେଖାଇଦେଲା । ଶେଯରୁ ଉଠି କୁଆଡ଼େ ଯିବାକୁ ମନ ହେଉ ନ ଥାଏ, ପେଟ ସେ ଗୁଞ୍ଜନ ଶୁଣିବ କାହିଁକି ? ବରଡ଼ାପତ୍ର ପରି ଥରି ଥରି ଆମେ ଯାଇଁ ହୋଟେଲ ଚୁଲୀକି ଆଲିଙ୍ଗନ କଲୁ; ଦାଉ ଦାଉ କୋଇଲା ନିଆଁ ଜଳୁଛି, ଟିକିଏ ହେଲେ କାଟନ୍ତା । ଏଠି ସୂର୍ଯ୍ୟ ଯେପରି ଦୁର୍ବଳ, ଅଗ୍ନି ସେହିପରି ତାପହୀନ । ହାତ ପାଦ ବହେ ସେକାସେକି କଲୁ, କମ୍ପ କମିଲା, ପେଟ ରଡ଼ିଲା । ପଣ୍ଡିତଜୀ ବୃଦ୍ଧ ବ୍ରାହ୍ମଣ, ମୁଣ୍ଡରେ ପଗଡ଼ି, ଦେହରେ ସାମାନ୍ୟ ଗରମ ଜାମା; ରାନ୍ଧୁଣିଆ ନିଜେ ହୋଟେଲର ମାଲିକ, ବେଶ୍‌ ଦୁଇ ପଇସା ହାତ ପୈଠ ହୁଏ, ଜଣେ ଦୁଇଜଣ ଚିହ୍ନା କାଶ୍ମୀରୀ ହୋଟେଲରେ ଆଶ୍ରୟ ନେଇଛନ୍ତି, ଅନ୍ତତଃ ଘର ଭଡ଼ା ଦାଉରୁ ଅବ୍ୟାହତି ପାଇବା ପାଇଁ ।

 

ପଣ୍ଡିତଜୀ ଆମ ଲାଗି ଚପାଟି, ଡାଲି, କୋବି ତରକାରୀ, ଖଟା ବାଢ଼ିଦେଲା । ରୁଟି ଛଡ଼ା ସବୁ ଲୁଣିଆ । ବୁଢ଼ାକୁ ପଚାରିଲୁ—ଆଉର କୁଚ୍ଛ୍‌ ସବ୍‌ଜି ହୈ; ବୁଢ଼ା କହିଲା—ବହୁତ ଆଚ୍ଛା । ଫେର୍‌ ପଚାରିଲୁ—ଦୁସରା କୋଇ ଡାଲ୍‌ ହୈ । ବୁଢ଼ା କହିଲା—ବହୁତ ଆଚ୍ଛା । ଆମେ କହିଲୁ—ସବୁ ତ ଆଚ୍ଛା, ଆଚ୍ଛା କହୁଛ, କୋଉ ଜିନିଷଟି ଆଚ୍ଛା ? ଶେଷରେ ପଚାରିଲୁ—ଦୁଧ୍‌ ହୈ ? ବୁଢ଼ା କହିଲା—ବହୁତ ଆଚ୍ଛା, ଉସ୍‌ମେ କୋଇ ଫିକର ନହିଁ ହୈ । ସତରେ ଦେଖିଲୁ—ଦୁଧଟି ବହୁତ ଆଚ୍ଛା, ଏଥିରେ କୌଣସି ଫିକର ନ ଥିଲା । ଅଧସେର ଲେଖାଏଁ ଦୁଧ ପିଇ ଖୁସି ମନରେ ଫେରିଲୁ-। ସାରା ଦିନର କ୍ଳାନ୍ତି । ଶେଯ ଶୁଂଘୁ ଶୁଂଘୁ ନିଦ ଆସିଗଲା ।

 

ସକାଳୁ ଆଖି ମେଲିବା ମାତ୍ରେ ପହିଲେ ବରଫ ଶୃଙ୍ଗ ଉପରେ ଆଖି ପଡ଼ିଲା । ପାଖରୁ ଏ ଦୃଶ୍ୟ କେବେ ଦେଖିନଥିଲି । ପାହାଡ଼ ମୂଳରେ ବୁଲୁ ବୁଲୁ ଦେଖିଲି—ଦୁଇଜଣ ଲୋକ, ବୋଧେ ମୂଲିଆ, ଏକାଠି ବସି ଖାଉଛନ୍ତି, ଥାଳିରେ ଥାଳିଏ ଗରମ ଭାତ, ବାମ୍ଫ ବାହାରୁଛି, ଥାଳି ଫଙ୍ଗରେ ଟୋପାଏ ଚଟଣି, ସେଇଟା ଖାଇବା ପାଇଁ ନୁହେଁ, ଜିଭରେ ମାରିବା ଲାଗି, ମାନେ ପତର ଜାଳକୁ ଗୋଜଣା । ହିମାଦ୍ରିର ସମୃଦ୍ଧ ଶ୍ରୀ ମଧ୍ୟରେ ଏ ଉତ୍କଟ ଦାରିଦ୍ର୍ୟ ମନକୁ ବିଷେଇ ଦେଲା ।

 

ଏଠି ସେପରି କିଛି ଫସଲ ହୁଏ ନାହିଁ, ଏ ଗୋଟିଏ ପାହାଡ଼ୀ ଗ୍ରାମ, ଯାତ୍ରୀଙ୍କ ରହଣି ସ୍ଥାନ ହୋଇ ଥିବାରୁ ବଜାର ଖୋଲିଛି, ଏଠା ବାସିନ୍ଦା ବାହାର ରପ୍ତାନୀ ଉପରେ ନିର୍ଭର କରନ୍ତି, ମେଣ୍ଢା ଛେଳି ଚରାନ୍ତି; ମହୁ ପଶମ ବିକି ଚଳନ୍ତି । କାଶ୍ମୀର ଉପତ୍ୟକାରେ ପ୍ରବେଶ କରିବା ଲାଗି ବନିହାଲ୍‌ ହେଉଛି ଦ୍ୱାର ସ୍ୱରୂପ । ଏହାର ଉଚ୍ଚତା ୫୩୩୦ ଫୁଟ ମାତ୍ର । ଏହାର ଚତୁର୍ଦ୍ଦିଗରେ ୧୦-। ୧୨ ହଜାର ଫୁଟ ପାହାଡ଼ ।

 

ହୋଟେଲରେ ଚା ଖାଉଛୁ, ଡ୍ରାଇଭର ହର୍ଣ୍ଣଦେଲା, ଯାଇ ବସିଲୁ, ଠିକ୍‌ ଛ’ଟାବେଳେ ବସ୍‌ ଛାଡ଼ିଲା । ଆକାଶରେ ମେଘ, ପାହାଡ଼ରେ ବରଫ, ଉପତ୍ୟକାରେ କୁହୁଡ଼ି; ତା ମଧ୍ୟରେ ସୂର୍ଯ୍ୟର ନିର୍ବଳ ଦିହୁଡ଼ି ଜଳି ଉଠିଲା, ତହିଁରେ ଉତ୍ତାପ ନାହିଁ, ମିଞ୍ଜି ମିଞ୍ଜି ଜଳା ଆଲୋକପିଣ୍ଡୁଳା ମାତ୍ର । ବରଫ ରାଶି ମଧ୍ୟରେ ବରଫ ଚକିପରି ଦିଶୁଥାଏ ତାର ଚେହେରା, କୁହୁଡ଼ି ଗର୍ଭରେ ସାକ୍ଷାତେ ଏହି ଧଳା ବଟିକାଟି ଜୀର୍ଣ୍ଣ ହୋଇଯାଉଛି ।

 

କେବଳ ନାକ ଆଉ ଆଖି ଦୁଇଟି ଛଡ଼ା ସମସ୍ତ ଶରୀର ଆବୃତ କରିଥାଉ, ତଥାପି ଶୀତରେ ପ୍ରାଣ ଥରି ଉଠୁଥାଏ । ଶୃଙ୍ଗ ଉପରୁ ଲକ୍ଷ୍ୟ କଲେ ଗୋଛା ଗୋଛା କଷ କତାର ଦଉଡ଼ିପରି ପିଚୁରାସ୍ତା ଦିଶୁଥାଏ । ରାସ୍ତାର ଗୋଟିଏ ପାଖରେ ପାହାଡ଼ କାନ୍ଥ, ଅନ୍ୟ ପାଖରେ ହାତେ ଉଞ୍ଚର ଢିମା ବାଡ଼, ଗାଡ଼ି ଖରାପ ହେଲେ ହଠାତ୍‌ ତଳକୁ ଗଡ଼ି ନଯାଇ ହୁଏତ ଟିକିଏ ଅଟକି ଯିବ । ଶୀତଦିନେ ଏ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଏ, ବର୍ଷସାରା ଯାନବାହନ ଚାଲୁ ରଖିବା ଲାଗି ସରକାର ଏବେ ତିନି ମାଇଲ ଲମ୍ୱର ଟନେଲ ନିର୍ମାଣ କରୁଅଛନ୍ତି । ଏହା ହେବ ପୃଥିବୀର ବୃହତ୍ତମ ଟନେଲ, ଏହାଦ୍ୱାରା ବହୁତ ବୁଲାଣି ବାଟ କଟିଯିବ । ପୁରୁଣା ଟନେଲଟି ଅଳ୍ପ କେତେ ଫୁଟ ମାତ୍ର । ତା ଭିତରେ ପଶି କିଛି ଦୂରଗଲୁ, ଉପରୁ ବରଫ ତରଳି ଟନେଲ ଭିତରେ ପାଣି ପଶୁଥାଏ, ଟନେଲ ମୁହଁରେ ଗଦା ଗଦା ବରଫ । ଶୃଙ୍ଗ ତମାମ ଚନ୍ଦା ଚନ୍ଦା ହୋଇ ବରଫ ଜମିଛି, ଉପରେ ଶାଶ୍ୱତ ତୁଷାର—ଶଙ୍ଖ ମଲମଲ ପ୍ରସ୍ତର ଆଚ୍ଛାଦନ । ଗାଡ଼ି ଆମର ଉଠିଲା—ଉଠିଲା, ୭ ହଜାର ଫୁଟ, ଆଠ ହଜାର ଫୁଟ, ନ’ ହଜାର ଫୁଟ । ଏହା ବୋଧେ ଆମ ଯାତ୍ରାପଥର ଉଚ୍ଚତମ ବିନ୍ଦୁ । ଲୋକେ ବରଫ କାଢ଼ି ରାସ୍ତା ଦୁଇପାଖକୁ ଆଉଜାଇ ଦେଇଥାନ୍ତି । ଗାଡ଼ି ଅଟକାଇ ବରଫ ଉପରେ ଓହ୍ଳାଇଲୁ, ଖାଲି ଭସ୍‌ ଭସ୍‌ ହେଉଛି, ସାକ୍ଷାତେ ପାଣିଗଳା ମୋଟା ଦାନାର ଚିନି । ବରଫ ଲଡ଼ୁ ବୋଳି ଫିଙ୍ଗାଫଙ୍ଗି ହେଲୁ, ବରଫର ପେଣ୍ଡୁ ଖେଳିଲୁ, ଟିକିଏ ଟିକିଏ ବରଫ ଖାଇଲୁ । ଏ ଖେଳ ଆମର କାଳହେଲା, ସଙ୍ଗେ ସଙ୍ଗେ ଧଇଲା ସର୍ଦ୍ଦି, ନାକରୁ ଟପ୍‌ ଟପ୍‌ ପାଣି ପଡ଼ିଲା, ଶ୍ରୀନଗରରେ ଯେତେ ଔଷଧ ଖାଇଲେ ବି କମିଲା ନାହିଁ ।

 

ବରଫଭରା ପର୍ବତ ଶୃଙ୍ଗ ଲଣ୍ଡା, କେଉଁଠି କେମିତି ବୁଦାଏ ବୁଦାଏ ଘାସ, ସେ ବି ମରି କହଁରା ହୋଇଯାଇଛି, କେଉଁ କେଉଁ ପାହାଡ଼ର ଶୃଙ୍ଗରେ ଶିରା ଶିରା ବରଫ କେରା କେରା ଝୋଟ ଲମ୍ୱିଲାପରି ଦିଶୁଥାଏ । କାହିଁ ଗୋଟିଏ ଚଢ଼େଇ ଉଡ଼ିବାର ଦେଖୁନାହିଁ, ବନର ମର୍ମର ନାହିଁ, ବରଫଭରା ମରୁଭୂମି, ମୃତ୍ୟୁର ଏ ରୁକ୍ଷତା ଅସହ୍ୟ । ମେଘରେ ବିଜୁଳିର ଚମକ ନାହିଁ, ଇନ୍ଦ୍ରଧନୁର ଝଲକ ନାହିଁ, କେବଳ କିଲିକିଲିଆ ପବନ, ମେଘ ଆଉ ପର୍ବତର ମୁକୁଟକୁ ମିଶାଇ ଦେଇଥାଏ; ସର୍ବତ୍ର ବୈରାଗ୍ୟ, ବୈଧବ୍ୟର ଚିତ୍ର ।

 

ପର୍ବତ ମୂଳକୁ ବସନ୍ତ ଆସିଛି; ଦୀପାବଳୀ ପରି ଅଜସ୍ର କୋମଳ ପତ୍ର ବୃକ୍ଷେ ବୃକ୍ଷେ ଝଲସୁଛି; ନାସ୍‌ପାତି, ଓ୍ୱାଲ୍‌ନଟ ଆଉ ଚେରୀର ଡାଳେ ଡାଳେ ଫୁଲ, ମହୁମାଛିର ଗୁଞ୍ଜନକୁ ଡୁବାଇ ବେଳେ ବେଳେ କୋଇଲିର କୁହୁ ଶୁଣାଯାଉଛି । ଏଣେ ପର୍ବତର ଅର୍ଦ୍ଧଭାଗରେ ଶୀତ, ଗଛସବୁ ପତ୍ରଝଡ଼ା ଦେଇ ଝାଟିହୋଇ ଛିଡ଼ା ହୋଇଛନ୍ତି—ଶୀତ ଆଉ ବସନ୍ତର ମିଳନ ଭୂମିରେ ଗୋଟିଏ, ଗୋଟିଏ ମାତ୍ର ଫୁଲ ଫୁଟିଛି, ଶୀତର ଗାମ୍ଭୀର୍ଯ୍ୟ ଆଉ ବସନ୍ତର ପ୍ରଫୁଲ୍ଲତା ଘେନି ।

 

ବରଫ ତରଳି ଚୌଦିଗକୁ ବୋହି ଯାଉଛି, ପାହାଡ଼ ତମାମ୍‌ ଧାରା ଲମ୍ୱିଚି—ସାକ୍ଷାତେ ବରଫ ଜଟାଧାରୀ ଶିବ ଅଜସ୍ର ସାପ ଗୁଡ଼ାଇ ହୋଇ ତପସ୍ୟା କରୁଅଛନ୍ତି ! ଲୋକେ ବୋହି ଯାଉଥିବା ଝରଣା ଜଳକୁ ବନ୍ଧାଇ ରଖୁଛନ୍ତି; ପାହାଡ଼ର ଈଷତ୍‌ ଢାଲୁ ବା ସମତଳ ଅଞ୍ଚଳ ଜଳମୟ, ହିଡ଼ ପରେ ହିଡ଼ ପାହାଡ଼ର ଅର୍ଦ୍ଧଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଲମ୍ୱିଛି; ହିମାଳୟର ଦେହ ମାଟିରେ ଗଢ଼ା, ପଥର ଅଳ୍ପ, ତେଣୁ ଜମି କରିବାକୁ ସୁବିଧା । ଲୋକେ ତଳି ପକାଇ ଧାନ ରୁଅଁନ୍ତି ।

 

ପାହାଡ଼େ ପାହାଡ଼େ ବୁଲି ବୁଲି ବଙ୍କେଇ ବଙ୍କେଇ ଉପରକୁ ଉଠି ତଳକୁ ଖସି ପୁଣି ଉପରକୁ ଉଠି ଶେଷକୁ ବସ୍‌ କେବଳ ତଳକୁ, ଏକଦମ୍‌ ତଳକୁ ଖସିଗଲା । ହିମାଦ୍ରିର ଅଗଣିତ ଶୃଙ୍ଗ ଆମ ପଛରେ, ଆଗରେ, ଚତୁର୍ଦ୍ଦିଗରେ—ଆମେ କିନ୍ତୁ ଚାଲିଲୁ ସମତଳ ଉପତ୍ୟକାରେ—ସଳଖ ପିଚୁ ରାସ୍ତାରେ, ରାସ୍ତା ଦୁଇ ପାଖରେ ଖେତ, କାଶ୍ମୀର ଚଷା ଧାନ ରୁଇବ ବୋଲି ବିଲ କାଦୁଅ କରୁଛି, କେହି କେହି ହାତୁଡ଼ି ଧରି ଢେଲା ପିଟୁଛନ୍ତି, ସ୍ଥାନେ ସ୍ଥାନେ ମଜୁରିଆ ରାସ୍ତା ତିଆରି କରୁଛନ୍ତି ।

 

ମାଇଲ ମାଇଲ ଧରି ଲମ୍ୱିଛି ସୋରିଷ ଖେତ, ପ୍ରାଣାରାମ, ନୟନାନନ୍ଦକର । ଅଳ୍ପ ଦୂରରେ ଜାଫ୍ରାନ ଖେତ, ଧଳା ନାଲିଫୁଲ ଭରା । ୨।୩ ମାଇଲର ସୀମାବଦ୍ଧ ଅଞ୍ଚଳରେ ଜାଫ୍ରାନ୍‌ ଚାଷ ହୁଏ, ଜାଫ୍ରାନ୍‌ ବ୍ୟବସାୟ ଲାଗି ଗୋଟିଏ ସ୍ୱତନ୍ତ୍ର ସହର ଅଛି । ଜାଫ୍ରାନ୍‌ ଖେଚୁଡ଼ିରେ ପଡ଼ିଲେ ମହକେ । କେହି କେହି ରସିକ ଚିତା ଘିନନ୍ତି, କବିରାଜୀ ଓଷଦରେ ବିଶେଷ ବ୍ୟବହୃତ ହୁଏ । ଦୁଇପଟେ ପାହାଡ଼ର ତୋରଣ, ସାମ୍‌ନା ଦିଗରୁ ଦଳେ ପାରା ଉଡ଼ି ଆସିଲେ, ଘୁମୁରି ଘୁମୁରି ଯେପରି କି କହିଲେ—ନୀଳ ଗଭୀର ଝେଲମ୍‌, ଏଇ ଏଇ ଯେ ସାମ୍‌ନାରେ ଶ୍ରୀନଗର !

Image

 

ଶ୍ରୀନଗର

 

୧୧-୪-୧୯୫୫, ଦିନ ପ୍ରାୟ ଏଗାରଟା; ମେଘ ଘୋଡ଼ା ଘୋଡ଼ା କରୁଛି । ବସ୍‌ ଶ୍ରୀନଗରରେ ପହଞ୍ଚିଲା । ଶ୍ରୀନଗର ! ଗୋଟିଏ ପଲକରେ ଚୌଦିଗର ଯାହା କିଛି ଶ୍ରୀ ଆହରଣ କରି ଆଣି ମନରେ ଭର୍ତ୍ତିକଲି—କୁଣ୍ଡଳିତ ପର୍ବତ, ମେଘୟିତ ଆକାଶ, ପ୍ରଶସ୍ତ ରାଜପଥ, ପୁଷ୍ପିତ ପାର୍କ, ମୁଖର ଫେରିବାଲା, ସୁଦୀର୍ଘ ସଫେଦ । ପ୍ରସାରିତ ଚିନାର—ଲାବଣ୍ୟମୟ ନଗରର ଏଇ ଛାୟା ସଂକେତ ମନରେ ଆଙ୍କି ହୋଇଗଲା । ପୁରାତନ ହେଲେ ବି ନବ ପରିବେଶରେ ଏହା ନବୀନ, ତେଣୁ ଚୁମ୍ୱକ ପରି ଚୁମ୍ୱକେ ଆକର୍ଷଣ କରି ନେଲା ସୌନ୍ଦର୍ଯ୍ୟ ଉପଭୋଗ କରିବାର ବେଳ ଏ ନୁହେଁ, ବନ୍ଧୁ ଚେତାଇ ଦେଲେ । ଏଥିଲାଗି ନିର୍ଦ୍ଦିଷ୍ଟ ବେଳ ଅଛି କି ନା ଜାଣେ ନାହିଁ, ଯେତେବେଳେ ଯାହା ଆଖିରେ ପଡ଼ିବ, ଆଡ଼େଇ ଦେବା ନିର୍ବୋଧତା । କିନ୍ତୁ ମୁଣ୍ଡ ଗୁଞ୍ଜିବାକୁ ଯେ ଥାନ ନାହିଁ, ବର୍ଷା ମାଡ଼ି ଆସୁଛି, ଜଲ୍‌ଦି ଭାବିବାକୁ ହେବ, ଝଟତି ଆୟୋଜନ କରିବାକୁ ହେବ । ଭ୍ରମଣକାରୀଙ୍କ ବିଶ୍ରାମ ଘରେ ବିଛଣାପତ୍ର ରଖି ଧାଇଁଲୁ ମହାରାଜ ହରି ସିଂ ହଁସପାତାଳ । ବାଟରେ କାହାର ରୋଗବ୍ୟାଧି ହୋଇନାହିଁ, ହଁସପାତାଳ ଯିବାର ଉଦ୍ଦେଶ୍ୟ ? ଆମ ସତ୍‌କାରକ ଡାକ୍ତର ଶମ୍ଭୁନାଥ ଭଟ୍ଟ ସେଠି ଅଛନ୍ତି । ପ୍ରାୟ ପାଞ୍ଚ ବର୍ଷ ତଳେ ଶାନ୍ତିନିକେତନ ପରିଦର୍ଶନରେ ଆସି ପାଞ୍ଚମିନିଟ୍‌ ଲାଗି ମୋର ଅତିଥି ହୋଇଥିଲେ । ତାଙ୍କ ଠିକଣା ଟିପି ରଖିଥିଲି, ମଝିରେ ମଝିରେ ପତ୍ର ଦେଉଥିଲି, ବିଶେଷତଃ ଯେତେବେଳେ ମୋର କାଶ୍ମୀର ଯାତ୍ରା କଥା ଉଠୁଥିଲା । ହାଉସ ବୋଟ୍‌ବାଲା, ହୋଟେଲବାଲା ଆସି ଖାଦ୍ୟ, ବାସସ୍ଥାନର ବିଜ୍ଞାପନ କରିଯାଉଥାନ୍ତି, ଶ୍ରୀନଗର ଦଲାଲ୍‌ଙ୍କ ଆଡ଼୍‌ଡ଼ା ଜାଗା । ବନ୍ଧୁ ଡାକ୍ତରଙ୍କୁ ନ ପଚାରି କୋଉଠି ରହିବା କଣ ଠିକ୍‌ ହେବ ? ସେ ନ ଥିଲେ ଅବଶ୍ୟ ଭାଗ୍ୟ ପରୀକ୍ଷା କରା ଯାଇଥାନ୍ତା । ଟଙ୍ଗା ଖଣ୍ଡିଏ ଧରି ହଁସପାତାଳ ଦୌଡ଼ିଲୁ, ଦୁଇପାଖର ଦୃଶ୍ୟରେ ଆଖି ଚରି ଯାଉଥାଏ ।

 

ଡାକ୍ତରଖାନାରେ ଭାରି ଭିଡ଼—ଖୁନ୍ଦାଖୁନ୍ଦି, ଧସ୍ତାଧସ୍ତି । ଏଇଟା ଡାକ୍ତରଖାନା ନାଁ ହାଟ-? ଦରୁଓ୍ୱାନ ୧୫/୨୦ ଜଣ କରି ଭିତରକୁ ଛାଡ଼ୁଥାଏ, ସ୍ତ୍ରୀଙ୍କ ଲାଗି ସ୍ୱତନ୍ତ୍ର ବ୍ଳାକ୍‌ ଥିଲେ ବି ଯାଉନାହାନ୍ତି । ଡାକ୍ତରାଣୀଙ୍କ ଉପରେ ବୋଧେ ଆସ୍ଥା ନାହିଁ । ପଠଉଣୀ ଯୁବତୀ ରୋଗଶୀର୍ଣ୍ଣ ଶରୀରକୁ ବୁର୍ଖାରେ ଲୁଚାଇବା ଆବଶ୍ୟକ ମନେ କରୁନାହାନ୍ତି, ଗୋଛା ଗୋଛା ଅଳଙ୍କାର ଭାରରେ କାନ ଚାରି ଆଙ୍ଗୁଳ ତଳକୁ ଓହଳି ପଡ଼ିଛି, ସତେ ଅବା ଛିଡ଼ିପଡ଼ିବ ! ବାହାର ଆଖିକି ଏ ଦୃଶ୍ୟ ଅରୁଚିକର, ସ୍ୱାଭାବିକ ସୌନ୍ଦର୍ଯ୍ୟକୁ ହାନି କରିବାର ଏ ଅପଚେଷ୍ଟା ବଡ଼ ପୀଡ଼ାଦାୟକ । କିନ୍ତୁ ପରମ୍ପରାର ଡାକ ମଣିଷ ଏଡ଼ି ପାରିନାହିଁ, ବହୁ ଓଷା, ବ୍ରତ, ଆଚାରବିଚାର ପରି ସେ ଅଳଙ୍କାରକୁ ଜାବୁଡ଼ି ଧରିଛି । ପୁରୁଷର ଅଭ୍ୟାସଗ୍ରସ୍ତ ରୁଚି ଏହାର ବିରୋଧ କରିନାହିଁ ।

 

ଭିଡ଼ରେ ଅଧଘଣ୍ଟାଏ ଠେଲାପେଲା ହେବା ପରେ ଆମେ ଭିତରେ ପଶିଲୁ । ଭଟ୍ଟଙ୍କ ଚେହେରା ସ୍ମରଣ ହେଉନାହିଁ, ଏତେ ପତ୍ରାଳାପ, ବନ୍ଧୁତ୍ୱ, ଚିହ୍ନି ନ ପାରିଲେ ଅପ୍ରସ୍ତୁତ ହେବା କଥା । ଭାଗ୍ୟକୁ ଏ ଘରେ ଜଣେ ମାତ୍ର ଡାକ୍ତର ଅଛନ୍ତି, ଦରଓ୍ୱାନଠାରୁ ବୁଝିଲୁ—ଏ ସେହି । ଏଥର ଆଶ୍ୱସ୍ତ ହେଲୁ, ଧସେଇ ସାମ୍‌ନାକୁ ଚାଲିଲୁ—ଅର୍ଥାତ୍‌ ହେ ଶମ୍ଭୁନାଥ, ଆମେ ତୁମକୁ ପୂରାପୂରି ମନେ ରଖିଛୁ, ତୁମ ଚେହେରାକୁ, ତୁମ ମୁଖର ପ୍ରତ୍ୟେକ ଭାଙ୍ଗ ଓ ଭଙ୍ଗୀକୁ ମୁଖସ୍ଥ କରିଥିଲୁ, ସେ କଣ ଭୁଲିବାର କଥା ?

 

କାନ୍ଥକୁ ଲାଗି ଖଣ୍ଡିଏ ଚୌକି, ଗୋଟିଏ ଟେବୁଲ ବିଶିଷ୍ଟ ରୋଗୀ ବସିବା ପାଇଁ ଖଣ୍ଡିଏ ବେଞ୍ଚ୍‌ । ତିନି ପାଖରେ ପ୍ରାୟ ଶତାଧିକ ସ୍ତ୍ରୀ ପୁରୁଷ ବାଡ଼ କରି ଛିଡ଼ା ହୋଇଛନ୍ତି । ଗୋଟିଏ ବୁଢ଼ା, କଙ୍କାଳରେ ନିଃଶ୍ୱାସ ମାତ୍ର ଯା’ ଆସ କରୁଛି । ସେ ହାତ ଉଠାଉଛି, ଡାକୁଛି—ମୋ ଅବସ୍ଥା ଦେଖୁଛଟିକି ! ବୁଢ଼ାର ଆଖି ତରାଟି ହୋଇଯାଉଛି, ଜୀବନ ପ୍ରତି ତାର ଗଭୀର ମମତା କାକୁସ୍ଥ ବାଣୀରେ ଫୁଟି ଉଠୁଚି—ମୁଁ ବଞ୍ଚିବାକୁ ଚାହେଁ, ଆହୁରି ବଞ୍ଚିବାକୁ ଚାହେଁ । ଡାକ୍ତରବାବୁ କାହାକୁ ଚାହୁଁ ନାହାନ୍ତି, ଜଣକ ପରେ ଜଣେ ରୋଗୀର ଓଷଦ ଚିଠା ସେ ଲେଖି ଯାଉଛନ୍ତି । ଏମିତି କେତେ ରୋଗୀ ସେ ଦେଖିଛନ୍ତି, ଦେଖୁଛନ୍ତି, ଚକ୍ଷୁରେ ଚମକ ନାହିଁ, ମନରେ କୌତୂହଳ ନାହିଁ, କର୍ଣ୍ଣ ଜଡ଼, ରୋଗୀର କାରୁଣ୍ୟ ସେଥିରେ ଚାଞ୍ଚଲ୍ୟ ଆଣୁନାହିଁ । ବୁଢ଼ାର ଦରମଲା ଦେହ ନିଷ୍ପ୍ରଭ ଚକ୍ଷୁର ପ୍ରଦୀପ, କ୍ଷୀଣତମ କଣ୍ଠସ୍ୱର ଡାକ୍ତରବାବୁଙ୍କୁ ବିଚଳିତ କରୁନାହିଁ ।

 

ଘଡ଼ିକ ପରେ ଭଟ୍ଟ ଆମ ଆଡ଼କୁ ଅନାଇ ଛିଡ଼ା ହେଲେ, ଆମକୁ କାଶ୍ମୀରୀଙ୍କ ଭିତରେ ବାରିବା ସହଜ, ଆଗରୁ ତ ପତ୍ର ଦେଇଛୁ, ନୋହିଲେ ଭଟ୍ଟ ଯେ ଆମକୁ ଚିହ୍ନି ପାରିଥାନ୍ତେ ତା ନୁହେଁ-। ଆଗର ମୁହୂର୍ତ୍ତକ ପରିଚୟ ମିଳେଇ ଯାଇଥିଲା—ଶୂନ୍ୟ ଶୂନ୍ୟ ମହାଶୂନ୍ୟରେ । ମୁଣ୍ଡରେ ଟୋପି, ଦେହରେ ପିଙ୍ଗଳ ବର୍ଣ୍ଣର ଗରମ ସୁଟ୍‌, ଭଟ୍ଟ ଛିଡ଼ା ହେଲେ, ମାର୍ବଲ ପରି ଗୋରା ମୁହଁ, ଆମକୁ ଦେଖି ସେଥିରେ ଟିକିଏ ବି ହସ ଫୁଟିଲା ନାହିଁ । ବୋଧେ ମୋ ସହିତ ଗୋଟିଏ ମୁହୂର୍ତ୍ତର ପରିଚୟକୁ ସେ ସ୍ୱୀକାର କରୁନାହାନ୍ତି, ତା ବିନିମୟରେ କୌଣସି ସୁବିଧା କରିବାକୁ ଚାହାନ୍ତି ନାହିଁ । ଆମେ ତାଙ୍କର ଅନୁଗ୍ରହପ୍ରାର୍ଥୀ ? ଚିତ୍ତ ବିପ୍ଳବ କରି ଉଠିଲା; ଚାଲ, ଚାଲ, ନ ହେଲା ନାହିଁ, ବନ୍ଧୁତା ଏତିକି ହୋଇଥାଉ, ଏଥର ନିଜ ଶିଙ୍ଘରେ ମାଟି ତାଡ଼ିବ । ଆଚ୍ଛା, ସ୍ନେହପୂର୍ଣ୍ଣ ହସ ନ ହେଲା ନାହିଁ, ଆମ ହାନିଲାଭ ହେଲେ ଟିକିଏ ପଚାର—ଏତେ ବାଟ ଆସିଲ, କିଛି ଅସୁବିଧା ହୋଇ ନାହିଁ ତ ? କଣ ଖିଆପିଆ କରିଛ ? ଜିନିଷପତ୍ର କେଉଁଠି ଅଛି ? ରାମ କି ବିଷ୍ଣୁ କିଛି ନାହିଁ, ଏକା ନିଦା ବିଷ୍ଣୁ; ଆମ ଭାଗ୍ୟ—ଆଗମନକୁ ସମ୍ମାନ ଦେଇ ଛିଡ଼ା ହେଲେ, ନମସ୍କାରର ଜବାବ୍‌ ଦେଲେ । ଏତିକି ନ କରିଥିଲେ ଅଭଦ୍ରତା ହୋଇଥାନ୍ତା ପରା !

 

ଦ୍ରୁତ ଗତିରେ ଏମିତି କେତେ କଥା ଭାବି ଯାଉଥାଏ । ମିନିଟ ଦୁଇ ଛିଡ଼ା ହେଲା ପରେ ପଥର ଦେବତାର ମୁଖ ଫିଟିଲା, କିନ୍ତୁ ଆମ ଦୁଃଖ ଫିଟିଲା ନାହିଁ—ଆଦେଶ ହେଲା—ଚାରିଟା ବେଳକୁ ଆସନ୍ତୁ, ଦେଖିବା । ଚାକିରୀ ନୁହେଁ, ସାର୍ଟିଫିକେଟ୍‌ ନୁହେଁ, ଟଙ୍କା ଉଧାର ନୁହେଁ, ଖଣ୍ଡେ ଭଡ଼ାଘର ଠିକ୍‌ କରିଦେବେ, ଏଥିଲାଗି ଏତେ କଥା ? ଆଚ୍ଛା, ଦେଖାଯାଉ, କୁଆଡ଼ ପାଣି କୁଆଡ଼କୁ ଯାଉଛି । ସନ୍ଧ୍ୟା ପୂର୍ବରୁ ଆମକୁ କୌଣସି ଜାଗାରେ ଆଶ୍ରୟ ନେବାକୁ ହେବ, ନୋହିଲେ ଶୀତରେ ପ୍ରାଣ ବାହାରିଯିବ ।

 

ଭଟ୍ଟ କଠୋର ନମସ୍କାର ଜଣାଇ ବସିଲେ—ଜନତା ଭିତରେ ଉବେଇ ଟୁବେଇ ହୋଇ ବୁଡ଼ିଗଲେ । ରୋଗୀଙ୍କ ଚିତ୍କାର ଶୁଣାଗଲା, ବେଶ୍‌ ଗୋଟିଏ କୋଳାହଳ, ସମସ୍ତେ ଏକାବେଳକେ ଓଷଦ ନେବାକୁ ଚାହାନ୍ତି; ଜଳ ପରି ଚାଲିଲା ତାଙ୍କ ହାତ । ଭୋକରେ ପେଟ ଦୋଓଡ଼େଇ ହୋଇ ପଡ଼ୁଥାଏ, ଆମେ ଫେରିଲୁ, ଖୋଜି ଖୋଜି ଗୋଟିଏ ଛୋଟ ହିନ୍ଦୁ ହୋଟେଲରେ ପହଞ୍ଚିଲୁ, ଚୌକୀ ଟେବୁଲ୍‌ ବ୍ୟବସ୍ଥା, ଜିଙ୍କ୍‌ ମିଶା ପିତ୍ତଳ ଥାଳିରେ ପଟେ ମୋଟା ରୁଟି, ହରଡ଼ ଡାଲି, ମଟର ମଞ୍ଜି ଆଳୁ ଝୋଳ, ଚଟଣି, ପଣ୍ଡିତ୍‌ଜୀ ବାଢ଼ି ଆଣି ଦେଲା । ତା ପରେ ଗୋଟାକ ପରେ ଗୋଟାଏ ରୁଟି ସେକା ହୋଇ ଆସିଲା । ଶେଷକୁ ଲମ୍ୱା ଅଧସେରିଆ ଗିଲାସରେ ଗିଲାସେ ଲେଖାଏଁ ଦୁଧ, ମନ ବୋଧ । ଦି’ଅଣିଆ ବାସ୍ନା କାଶ୍ମୀରୀ ପାନରେ ପାଟି ଲାଲ୍‌ କରି ଆସି ବିଶ୍ରାମାଗାରରେ ବିଶ୍ରାମ ନେଲୁ ।

 

ଠିକ୍‌ ସାଢ଼େ ତିନିଟାବେଳେ ଡାକ୍ତରଖାନାରେ ପହଞ୍ଚିଲୁ, ଡାକ୍ତରଖାନା ବନ୍ଦ ହେବ ଚାରିଟାରେ; ଅଧଘଣ୍ଟାଏ ସମୟ କେମିତି କଟିବ ? ଅଳସ ଆଳାପରେ ? ନା । ପାର୍କରେ ପଶିଲୁ । ଗଛ, ଲତା, ଗୁଳ୍ମ ଆମ ଆଡ଼ର ନୁହନ୍ତି, କିନ୍ତୁ ପୁଷ୍ପିତ ରୂପରେ କ୍ଷଣକେ ଆମର ଏକାନ୍ତ ଆତ୍ମୀୟ ହୋଇଗଲେ; ବାସ୍ତବିକ ସୌନ୍ଦର୍ଯ୍ୟ ଆଗରେ ଅପରିଚୟ ନାହିଁ, ଏହା ସାର୍ବଜନୀନ ସୌହାର୍ଦ୍ଦ୍ୟର ପ୍ରତୀକ । ଗଛମାନଙ୍କର ମୂଳ, ଡାଳ, ଚୂଳ ସର୍ବତ୍ର ଫୁଲ—କେବଳ ମୁଖରେ ନୁହେଁ ସାରା ଦେହରେ ଏମାନେ ହସୁଛନ୍ତି । ଘାସର ଇନ୍ଦ୍ରନୀଳ ଆସ୍ତରଣରେ ଲୋଟୁଛି ଅଜସ୍ର ପାଖୁଡ଼ା ଦେଇ ଦେଇ ସୌନ୍ଦର୍ଯ୍ୟ ଶେଷରେ ଦେଇଛି ନିଜକୁ, ଭ୍ରମର ଶୁଣାଉଛି କାଶ୍ମୀର ପୃଥିବୀର ରୋମାଞ୍ଚକର କାହାଣୀ, ଛିନ୍ନବିଚ୍ଛିନ୍ନ ପାଖୁଡ଼ା ପରାଗ ଶୁଣାଉଛନ୍ତି ଆତ୍ମଦାନର ବାଣୀ । ପୁଷ୍ପମେଳାରେ ରଙ୍ଗର ବାହୁଲ୍ୟକୁ ବଢ଼ାଇ ଚୂର୍ଣ୍ଣ ଇନ୍ଦ୍ରଧନୁ ପରି ଉଡ଼ି ବୁଲୁଛନ୍ତି ପ୍ରଜାପତି । କାଶ୍ମୀରର ପୁଷ୍ପିତ ପ୍ରାଣର ସୁରଭି, ତାର ପ୍ରଥମ ସ୍ପର୍ଶ ଆମକୁ ରୋମାଞ୍ଚିତ କଲା ।

 

ଭଟ୍ଟ ଓ ତାଙ୍କ ପରିବାର

 

ଶମ୍ଭୁନାଥ ସାଇକେଲ୍‌ ଖଣ୍ଡି ଧରି ଠିକ୍‌ ଚାରିଟାବେଳେ ଡାକ୍ତରଖାନାରୁ ବାହାରିଲେ । ଏଇ ପାର୍କର ଫୁଲ ପରି ତାଙ୍କ ମୁଖ ପ୍ରଫୁଲ୍ଲ ! ଏ ଦିନକ ଜଞ୍ଜାଳରୁ ମୁକ୍ତ ହୋଇ ଆସିଥିବାର ପ୍ରଫୁଲ୍ଲତା ନୁହେଁ, ଦୂର ବନ୍ଧୁକୁ ନିକଟରେ ପାଇବାର ସ୍ୱାଚ୍ଛାନ୍ଦ୍ୟ । ଏଥିରେ ଅପବ୍ୟୟର କାର୍ପଣ୍ୟ ନାହିଁ, ଅପରିଚୟର ଦ୍ୱିଧା ନାହିଁ, ଶିଷ୍ଟାଚାରର ତାଡ଼ନା ନାହିଁ । ପାହାଡ଼ୀ ଝରଣା ପରି ମୁକ୍ତ ଏ ହାସ୍ୟ–ଆମର ବଡ଼ ଆଶ୍ୱାସନା ।

 

ଗୋଟିଏ ଟଙ୍ଗା ଡକାଇଲୁ, ଆମ ଏଠିକି ମୋଟେ ମାଇଲିଏ ଦୂର,ଏଇତକ ବାଟ ଚାଲିଯାଇ ପାରିବେ ନାହିଁ ? ଅଯଥା ଖର୍ଚ୍ଚାନ୍ତ ହେବେ ? ତାଙ୍କ ବଚନ ଶିରୋଧାର୍ଯ୍ୟ । ପ୍ରଧାନ ରାସ୍ତାରୁ ଗଳିକନ୍ଦିରେ ପଶି ଏକରେ ସେକରେ ବଙ୍କେଇ ବୁଲି ଗଣପତିଆରରେ ପହଞ୍ଚିଲୁ । ଗଳିଟା କି ଅପରିଚ୍ଛିନ୍ନ ! ସେଥିରେ ପୁଣି ଭଟ୍ଟଙ୍କ ଘର ! କାଦୁଅ ପଚପଚ ତାଙ୍କ ଅଗଣା; ଦୁଆର, ପାହାଚ, ନର୍ଦ୍ଦମାରୁ ହୀନ । ଏଥିରେ ପୁଣି ମନିଷ ରହନ୍ତି ? ଶିକ୍ଷିତ ଡାକ୍ତର ?

 

ଶମ୍ଭୁନାଥ ଆମକୁ ଉପର ମହଲାକୁ ଘେନିଗଲେ, ରହିବାକୁ ଗୋଟିଏ କୋଠରୀ ଛାଡ଼ିଦେଲେ । ସେଥିରେ କାଠପଟାର ଚଟାଣ, ତା ଉପରେ ଗାଲିଚା, ମେଣ୍ଢାଲୋମର ବହଳ ନାମ୍‌ଦା ପଡ଼ିଛି, କାଠ କାନ୍ଥରେ ଭଟ୍ଟଙ୍କ ପ୍ୟାଣ୍ଟ, କୋର୍ଟ ଝୁଲା ହୋଇଛି । ଅନ୍ୟ ପାଖରେ କେତେକ ଡାକ୍ତରୀ ବହି, କାନ୍ଥ ଆଲ୍‌ମାରୀରେ ଗୁଡ଼ିଏ ଓଷଦ ଶିଶି, ତୁଳା, ବ୍ୟାଣ୍ଡେଜକନା ଇତ୍ୟାଦି । ଆଉ ଗୋଟିଏ କାନ୍ଥରେ ତିନୋଟି ରଙ୍ଗୀନ୍‌ ଛବି ଟଙ୍ଗା ହୋଇଛି । ପ୍ରଥମ ଛବିରେ ଶ୍ରୀକୃଷ୍ଣ, ଚେହେରା, ବସ୍ତ୍ର ପରିପାଟୀରେ ପଞ୍ଜାବୀ, ସେ ବଂଶୀ ବଜାଉଛନ୍ତି, ଗାଈମାନେ ଗ୍ରୀବା ଟେକି ଚାହିଁଛନ୍ତି । ଦ୍ୱିତୀୟରେ ଗୋଦାବରୀ ନଦୀକୂଳରେ ପତ୍ରକୁଟୀର ନିର୍ମାଣ କରି ରାମ, ଲକ୍ଷ୍ମଣ, ସୀତା ନଦୀର ବିପୁଳ ପ୍ରବାହକୁ ଅନାଇ ରହିଛନ୍ତି । ତୃତୀୟ ଛବି ଅଷ୍ଟଭୁଜା ଦୁର୍ଗାଙ୍କର, ବାହନ ସିଂହର ମୁଖ ରକ୍ତାକ୍ତ ।

 

ଛବିରେ କୌଣସି ବୈଚିତ୍ର୍ୟ ନାହିଁ, କିନ୍ତୁ ମୁସଲମାନ ପ୍ରଧାନ ରାଜ୍ୟରେ ଏ ଗୁଡ଼ିକ ବଡ଼ ବିଚିତ୍ର ଲାଗୁଥାଏ । ଏଠି ହିନ୍ଦୁ ଆତ୍ମରକ୍ଷାକାରୀ, ପୁଷ୍ପ ଗୁଚ୍ଛ ପରି ଗୋଟିଏ ଅଞ୍ଚଳରେ ନିବିଡ଼ ହୋଇ ରହିଛନ୍ତି । ଏଠି ସଂସ୍କୃତ ଟୋଲ ଅଛି । ବିଭିନ୍ନ ମନ୍ଦିର ଅଛି । ଅଧିକାଂଶ ବ୍ରାହ୍ମଣ ପଣ୍ଡିତ । ଭଲ ଘର ମିଳିଲେ ବି ଭଟ୍ଟ ମହାଶୟ ଅନ୍ୟତ୍ର ଯାଉନାହାନ୍ତି । କେତେବେଳେ କୋଉ କଥା ! ଦଙ୍ଗା ଲାଗିବା ବିଚିତ୍ର କଣ ?

 

ଏ ମଧ୍ୟରେ ପିତ୍ତଳ ବାଟିରେ ବହଳ ଦୁଧଦିଆ କାଶ୍ମୀର ଚା, ମଡ଼ମଡ଼ିଆ ବିସକୁଟ୍‌ ଆସି ଯାଇଥିଲା । ଚା ଖାଉ ଖାଉ କହିଲି—ଡାକ୍ତର ସାହେବ, ‘ଆପଣଙ୍କର ଛୋଟ ଘର, ଆମେ ବଡ଼ ଅସୁବିଧାରେ ପକେଇଲୁ !’ ଡାକ୍ତର ବାବୁ କହିଲେ—‘ସୁବିଧା ଅସୁବିଧା ସବୁ ଚଳେଇବାକୁ ହେବ, ଏହା ଭଗବାନଙ୍କର ନିର୍ଦ୍ଦେଶ । ତୁମେ ମୋର ବନ୍ଧୁ, ମୁଁ କୌଣସିମତେ ଚଳି ଯାଉଥିବା ପର୍ଯ୍ୟନ୍ତ ତୁମକୁ ହୋଟେଲରେ ରଖି ଦେବି ନାହିଁ ।’ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କର ଅତିଥିଚର୍ଚ୍ଚାରୁ ବୁଝିଲି—ଭଟ୍ଟ ଶିଷ୍ଟାଚାର ଦୃଷ୍ଟିରୁ ଏହା କହି ନାହାନ୍ତି, ଏଥିରେ ତାଙ୍କର ଗଭୀର ଆନ୍ତରିକତା ଅଛି ।

 

ଭଟ୍ଟଙ୍କର ଦୁଇଟି ଛୋଟ ଛୋଟ ଝିଅ, ଗୋଟିଏ ଛୋଟ ପୁଅ । ଝିଅ ଦୁଇଟି ଚନ୍ଦ୍ରକଳା ପରି ସୁନ୍ଦର । ଗାଲରେ ଗୋଲାପ ରଙ୍ଗ, ଆଖି ଦୁଇଟି ପଦ୍ମ ପାଖୁଡ଼ା ପରି ଲମ୍ୱ ଆଉ ବଡ଼ ବଡ଼ । ଡୋଳା କହଁରା, କେଶ କଳାରେ କଶରା ମିଶିଛି, ଚମ୍ପା ଫୁଲ ପରି ଦେହର ଝଟକ, ଚାଲିଗଲାବେଳେ ସତେ କି ଜ୍ୟୋତି ଛିଟିକି ପଡ଼ୁଛି । ସାକ୍ଷାତେ ଲାଜକୁଳୀ ଲତା, ଚାହିଁଲେ ବି ଝାଉଁଳି ଯାଉଛନ୍ତି । ଆମ କଥା ତିଳାର୍ଦ୍ଧ ହେଲେ ବୁଝନ୍ତେ ! ଯାହା ପଚାରୁ କେବଳ ନିଃଶବ୍ଦ ହସରେ ତାର ଜବାବ୍‌ ମିଳେ; ସବୁ ପ୍ରଶ୍ନର ଗୋଟିଏ ମାତ୍ର ଉତ୍ତର—ଏ ସୃଷ୍ଟି ଆନନ୍ଦମୟ ହେ ।

 

ଭଟ୍ଟଙ୍କ ସ୍ତ୍ରୀ ପନ୍ଦର ଦିନ ରହଣି ମଧ୍ୟରେ କେବେ ଆମ ସଙ୍ଗେ କଥା ଭାଷା ହୋଇ ନାହାନ୍ତି, ଆମ ଲାଗି ଚା, ଜଳଖିଆ ଝିଅ ହାତରେ ପଠାନ୍ତି, ଆମକୁ କିଛି କହିବାକୁ ଥିଲେ ଝିଅକୁ ଅନାଇ କହନ୍ତି । ଗଲା ଅଇଲାବେଳେ କେବଳ ନମସ୍କାର ବିନିମୟ ହୁଏ; ଚର୍ଚ୍ଚା ଆଉ ଚଳଣି ଭିତରେ ତାଙ୍କ ଅନ୍ତରର ସମସ୍ତ ଚେହେରାଟି ଆମ ଆଗରେ ଆଜି ସୁସ୍ପଷ୍ଟ ହୋଇ ରହିଅଛି ଯାହା ଲିଭିବାର ନୁହେଁ । ସେ ତିନୋଟି ପିଲାଙ୍କୁ ଶାସନ କରନ୍ତି, ତାଙ୍କ ଛଡ଼ା ଅଳିଅର୍ଦ୍ଦଳି ବୁଝନ୍ତି, ରୋଷେଇବାସ ଆଦି ଘରର ଯାବତୀୟ ଆଡ଼ତିପତର କରନ୍ତି, ସ୍ୱାମୀ, ଭାଇ ଆଉ ଆଗନ୍ତୁକ ଅତିଥିବର୍ଗଙ୍କୁ ଖୁଆନ୍ତି, କିନ୍ତୁ ସବୁ ନୀରବରେ କରନ୍ତି; କେବେ ତାଙ୍କ କଣ୍ଠସ୍ୱର ଶୁଣିନାହୁଁ । ରାତି ପ୍ରାୟ ସାଢ଼େ ଚାରିଟାରୁ ଉଠି ବାସି ଆଡ଼ତି ସାରନ୍ତି, ଝେଲମ୍‌ ନଦୀରେ ତେତେ ବଡ଼ ଶୀତରେ ଗାଧୋଇପାଧୋଇ ଗଣପତିଙ୍କୁ ଦର୍ଶନ କରି ଛ’ଟା ବେଳକୁ ଘରକୁ ଆସନ୍ତି । ସେତେବେଳେ ଆମେ କମ୍ୱଳ ତଳେ ଅଳସରେ ପରସ୍ପରକୁ ପଚାରୁଥାଉ—ରାତି ଆଉ କେତେ ଅଛି ?

 

ଭଟ୍ଟ ବଡ଼ ଗମ୍ଭୀର, କିନ୍ତୁ ଏ ଗାମ୍ଭୀର୍ଯ୍ୟ କେବଳ ମୁଖରେ ବ୍ୟାପ୍ତ, ବହିରଙ୍ଗ ସଂସାର ଲାଗି ଉଦ୍ଦିଷ୍ଟ । ଅନ୍ତରରେ ଝେଲମ୍‌ ନଦୀର ତରଳତା ଘେନି ସେ ଜନ୍ମିଛନ୍ତି, କିନ୍ତୁ ସେ ତାରଲ୍ୟରେ ତାଙ୍କ ବ୍ୟକ୍ତିତ୍ୱ କେବେ ଭାସି ଯାଏ ନାହିଁ । ଏକ ସୁଦୃଢ଼ ପର୍ବତ ଲୀଳାଖେଳା କରିବାକୁ ଯେପରିକି ଝରଣାକୁ ଛାଡ଼ି ଦେଇଛି । ସେ ନିଜେ ହସନ୍ତି ଅଳ୍ପ, ହସାନ୍ତି ବହୁତ; କଥା ଜୁମାଣ କରି କହିପାରନ୍ତି, ଶ୍ରୋତା କଥାର ମହକରେ ଟାଣି ହୋଇ ଆସେ ତାଙ୍କ କତିକି, ଅନ୍ତର କତିକି, ସେ ଅନ୍ତର ଦର୍ପଣ ପରି ନିର୍ମଳ !

 

ସେଦିନ ରାତି ନ’ଟା ପର୍ଯ୍ୟନ୍ତ ଗପସପ ଚାଲିଲା—ନେହୁରୁ ଆଉ ଭାରତୀୟ ରାଜନୀତି, ଭାରତ ସହିତ କାଶ୍ମୀରର ସମ୍ପର୍କ, କାଶ୍ମୀରର ଦର୍ଶନୀୟ ସ୍ଥାନ ଇତ୍ୟାଦି କଥା ପ୍ରସଙ୍ଗରେ ଡାକ୍ତର ଭଟ୍ଟ କହିଲେ—କାଶ୍ମୀରର ଚାରୋଟି ବୈଶିଷ୍ଟ୍ୟ ଅଛି ।

 

କାଶ୍ମୀରର ଚାରୋଟି ଆଶ୍ଚର୍ଯ୍ୟ

 

(କ) ଜମିଚୋରୀ । ମାଲିମକଦ୍ଦମା କରି ଜମି ଛଡ଼େଇ ନେବା କିମ୍ୱା ଫୁସୁଲାଫୁସୁଲି କରି ନିଜ ନାଆଁରେ ଜମି କରେଇ ନେବା କଥା ଶୁଣା ଅଛି, କିନ୍ତୁ କାହା ଜମି କେହି ଚୋରେଇ ନେବା କାଶ୍ମୀର ଛଡ଼ା ଅନ୍ୟତ୍ର ଶୁଣାନାହିଁ । କାଶ୍ମୀରୀ ଚଷା ୨୦ ଗଜ ଲମ୍ୱା, ଗଜେ ଓସାର,: ଅଢ଼େଇ ଫୁଟ୍‌ ବହଳ ଖଣ୍ଡେ ଜମି ଡାଲଲେକ୍‌ କୂଳର ସନ୍ତିସନ୍ତିଆ ଜାଗାରୁ କାଟେ, ବହୁ ଘାସ ଓ ବଲରସ ଚେର ଥିବାରୁ ସେ ଜମି ଭାସେ; ତାକୁ ନୌକାରେ ବାନ୍ଧି ସେ ନିରୂପିତ ସ୍ଥାନକୁ ଭସାଇ ନିଏ । ହ୍ରଦର ଅଳିଆମଳିଆ ପଚାସଢ଼ା ଜଳ ଜମି ତା ଉର୍ବର ହୁଏ । ସେଥିରେ କଖାରୁ, କାକୁଡ଼ି, ଚଲଣା, ଆଳୁ, କୋବି, ମୂଳାଦି ଫସଲ କରେ । ବେଳେ ବେଳେ ଏଇ ଜମି ଚୋରୀ ଯାଏ । ଚୋର ରାତିରେ ଆସି ଏଥିରୁ ଗଡ଼େ ଗଡ଼େ କାଟି ନିଜର କରିନିଏ । କାହା ଜମି କିଏ ଚିହ୍ନିବାର ଉପାୟ ନାହିଁ । ଧରା ପଡ଼ିବା କଷ୍ଟ । ଆଜି ଯାହାର ମାଣେ ଜମି ଅଛି କାଲି ପାଏ ହେବା ବିଚିତ୍ର ନୁହେଁ । କାଶ୍ମୀରର ପ୍ରସିଦ୍ଧ ଭସା ବଗିଚାର କାହାଣୀ ଏ ।

 

(ଖ) କାଶ୍ମୀରରେ ଅଧିକାଂଶ ଘରର ଛାତ ଅତି ଗଡ଼ାଣିଆ, ବରଫ ପଡ଼ିଲେ ତଳକୁ ଗଡ଼ିଆସେ । ଏତେ ବରଫ ପଡ଼େ ଯେ ବେଳେ ବେଳେ । ଆଣ୍ଠୁଏ ଉଚ୍ଚରେ ବରଫ ଛାତ ଉପରେ ଜମି ରହେ । ତେଣୁ କାଠର ହାତୁଡ଼ି ଧରି ଘର ମାଲିକ ବରଫ ଭାଙ୍ଗି ତଳକୁ ଫିଙ୍ଗି ଦିଅନ୍ତି, ନୋହିଲେ ବରଫ ଚାପରେ ଘର ଛାତ ଦବିଯାଏ, ବେଳେ ବେଳେ ଏଇ ଭଙ୍ଗା ଗୁଣ୍ଡା ବରଫ ଗଦାହୋଇ ରାସ୍ତା ବନ୍ଦ ହୋଇଯାଏ । ସରକାରୀ ଲୋକେ ଆସି ଯାନବାହନ ଗତାୟାତର ସୁବିଧା ଲାଗି ତାକୁ ଦି’ ପଟକୁ ଆଉଜାଇ ଦିଅନ୍ତି । ଛାତରେ ରହିଥିବା କିଛି କିଛି ବରଫ ଖରାପଡ଼ିଲେ ତରଳେ, ପାଣିଧାରା ତଳକୁ ଗଡ଼େ । ଦିନଯାକ ଏପରି ଧାରା ଗଳୁଥାଏ, ରାତିହେଲେ ସେ ଧାରା ବରଫ ପାଲଟିଯାଏ, ମାର୍ବଲ ଲାଠି ବା ଖଣ୍ଡ ଖଣ୍ଡ କାଉଁରିଆ କାଠିପରି ଛାତ ତଳକୁ ଏହା ଝୁଲି ପଡ଼ିଥାଏ, ଦ୍ୱାରେ ଦ୍ୱାରେ ଏ ଦୃଶ୍ୟ ପରିଚିତ, କିନ୍ତୁ ଅତି ଚିତ୍ତାକର୍ଷକ । ଏହାକୁ ବରଫ ବାଡ଼ି ବା ପାଣିଲାଠି କହନ୍ତି ।

 

(ଗ) ପାହାଡ଼ୀ ଘାସ ବୋଳି ଗରିବ ଲୋକେ ଜୋତା ତିଆରି କରନ୍ତି, ତଳେ ଚାଲିବା ଅସମ୍ଭବ, ଏଣେ ମୂଲ୍ୟବାନ୍‌ ରବର ବା ଚମଡ଼ା ଜୋତା କରିବାକୁ ସେମାନଙ୍କର ପଇସା ନାହିଁ ।

 

(ଘ) ନଡ଼ା ବା କୁଟାରେ ଏଠି ଘର ଛପର ହୁଏ ନାହିଁ । କାରଣ ବରଫରେ ତାହା ସଢ଼ିଯାଏ । ତେଣୁ ସାଦା ମାଟିରେ ଚଷୁ ମିଶାଇ ଗରିବ ଲୋକେ ଚଟାଣପରି ଛାତ କରନ୍ତି । ଯେଉଁଠି ଅଳ୍ପ ବରଫ ପଡ଼େ ସେଠି ଏଇଭଳି ଘର ଦେଖାଯାଏ । ଏହା ବର୍ଷା ସହେ, ଖୁବ୍‌ ଶକ୍ତ ।

 

ଆଲୋଚନା ଚାଲିଛି, ସମ୍ୱାଦ ଆସିଲା—ରନ୍ଧାବଢ଼ା ଶେଷ; ଜାଗା ପ୍ରସ୍ତୁତ କଲେ ମୋହନଲାଲ୍‌—ସେ ଭଟ୍ଟଙ୍କ ଶଶୁର ପୁଅ । ବୟସ କୋଡ଼ିଏ ଏକୋଇଶି ହେବ । ସିଧା ସଳଖ ମେରୁଦଣ୍ଡ, ଦୀର୍ଘ ଦେହ, କ୍ଷୀଣ କଟି, ଓସାରିଆ ଛାତି । ସେ ସିନେମାପ୍ରିୟ ଛାଁଟକାଟ ଆଧୁନିକ ଟୋକା, ମୁହଁରେ ଟିକିଏ ବୋକା ବୋକା ଭାବ—ପ୍ରେମରେ ପଡ଼ିଲେ ଯେମିତି ଦିଶନ୍ତି । ସେବାକୁ ଆଗଭର, ସାଥୀ ହେବାକୁ ତତ୍ପର ।

 

ମୋହନଲାଲ୍‌ ଗାଲିଚା ଉପରେ କମ୍ୱଳ ବିଛାଇଲେ, ଆମେ ମଣ୍ଡଳ କରି ବସିଲୁ । ଗରମ ପାଣି, ପିତ୍ତଳ ତସଲା, ଗାମୁଛା ଆସିଲା । ସେଠି ବସି ମୁହଁ ଧୋଇଲୁ, ହାତ ପୋଛିଲୁ । ତା ପରେ ଭାତ, ମାଂସ ଝୋଳ, ମାଂସ କବାବ୍‌, ହାକ୍‌, ଚଟଣି ଆସିଲା । ତରକାରୀ ବେଶ୍‌ ଲୁଣିଆ, ତେବେ ଭାତ ସଙ୍ଗେ ଗୋଳେଇ ଖାଇ ହୋଇଗଲା । କାଶ୍ମୀରର ସବୁଆଡ଼େ ଏଇଆ । କେବଳ ହୋଟେଲରେ ବିଦେଶୀ ଖାଉଥିବାରୁ ଲୁଣର ଉପଦ୍ରବ ନଥାଏ ।

 

ଖିଆ ଶେଷ ହୋଇନାହିଁ, ପ୍ରଚଣ୍ଡ ବର୍ଷା ଆରମ୍ଭ ହୋଇଗଲା । ଭଟ୍ଟ ଘୁଡ଼ୁ ଘୁଡ଼ୁ ସୁଟ୍‌ ଧଇଲେ, ଆମେ ବିଛଣା ପାରି ଶୋଇଲୁ । ସକାଳୁ ବର୍ଷାର ବିରାମ ନାହିଁ, ରାସ୍ତାରେ ଅତି ଅଳ୍ପ ଲୋକ, ଯାନବାହନ ଗତାୟାତ କରୁଥାନ୍ତି । ପ୍ରବଳ ଶୀତ; ଗାଧୋଇବା ପ୍ରଶ୍ନ ଉଠିଲା ନାହିଁ । ଥରକୁ ଥର ଖାଇ ସେଇ ଗୋଟିଏ ଜାଗାରେ ପଡ଼ି ରହିଲୁ—ପ୍ରାୟ ଦିନ ଗୋଟାକ ବେଳେ ବର୍ଷା ଊଣାହେଲା, ଶ୍ରୀନଗର ଦେଖି ବାହାରିଲୁ ।

 

ପ୍ରଥମେ ଶ୍ରୀନଗର ବିଶ୍ୱବିଦ୍ୟାଳୟରେ ପହଞ୍ଚିଲି, କାଷ୍ଠ ସୋପାନ, କାଷ୍ଠ ଛାତ, କାଷ୍ଠ ଚଟାଣ—ସୌଧଟି କାଶ୍ମୀରୀ କାଷ୍ଠ ଶିଳ୍ପର ଅପୂର୍ବ ନମୁନା । ରେଜିଷ୍ଟ୍ରାରଙ୍କ ଦରଜାରେ ଗୋଟିଏ ରେଜେଇ ପରଦା ହୋଇ ଝୁଲା ହୋଇଛି, ଶୀତ ପଶିପାରିବ ନାହିଁ । ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପୂର୍ଣ୍ଣଭାବେ ସଙ୍ଗଠିତ ହୋଇନାହିଁ, ଏହା ଏକ ପରୀକ୍ଷକ ଅନୁଷ୍ଠାନ ହୋଇ ରହିଅଛି, ଗବେଷଣାର କୌଣସି ବ୍ୟବସ୍ଥା ହୋଇନାହିଁ ।

 

‘ଶ୍ରୀପ୍ରତାପ’ କଲେଜ

 

ବିଶ୍ୱବିଦ୍ୟାଳୟରୁ ଖଣ୍ଡେ ଦୂରରେ ‘‘ଶ୍ରୀପ୍ରତାପ’’ କଲେଜ୍‌ । ବର୍ଷାପାଗ, ଆଜି ବେଶି ଛାତ୍ର ଆସିନାହାନ୍ତି । ନିଜେ ନିଜର ପରିଚୟ ଦେଲୁ, ଅଧ୍ୟକ୍ଷ ମହୋଦୟ ଆମକୁ କଲେଜ, ଉଦ୍ୟାନ, ପାଠାଗାର ବୁଲାଇ ଦେଖାଇଲେ, ଅଧ୍ୟାପକମାନଙ୍କ ସଙ୍ଗେ ପରିଚିତ କରେଇଦେଲେ । ଛାତ୍ରମାନେ ସୁଶ୍ରୀ, ସ୍ୱାସ୍ଥ୍ୟବନ୍ତ, ସୁଭୂଷିତ, ଭୂଷଣରୁ ଦାରିଦ୍ର୍ୟ ଧରାପଡ଼େ ନାହିଁ । ସେମାନେ ଆମକୁ କଲେଜ୍‌ ମାଗାଜିନ୍‌ ଉପହାର ଦେଲେ, ନାନା ପ୍ରଶ୍ନ ପଚାରିଲେ; ଜଣେ ପଚାରିଲା—ସମୁଦ୍ରଟା କିପରି ? ମୁଁ କହିଲି—ନୀଳ ଆକାଶ ଦେହରେ କାଶ୍ମୀରର ଏ ପାହାଡ଼ ଗୁଡ଼ାକ ଖଞ୍ଜିଦେଲେ ଯେପରି ଦୂରକୁ ଦିଶନ୍ତା ସେହିପରି । ଆଉଜଣେ ପଚାରିଲା—ଓଡ଼ିଶାରେ ବିଶେଷ ଦର୍ଶନୀୟ କଣ ଅଛି ? ‘‘ତାର ବିଶ୍ୱପ୍ରସିଦ୍ଧ ମନ୍ଦିରମାଳା, ବିବିଧ ଶିଳ୍ପକଳା, ହୀରାକୁଦ ଆଉ ଡୁଡୁମା, ହ୍ରଦପ୍ରପାତାଦି ପ୍ରାକୃତିକ ଦୃଶ୍ୟ-।’’ ଜଣେ ଅଧ୍ୟାପକ ପଚାରିଲେ ମନୋହର ପ୍ରାକୃତିକ ଦୃଶ୍ୟ ଆପଣଙ୍କ ପାଖରେ ଥାଉଁ ଥାଉଁ କାଶ୍ମୀର ଆସିଛନ୍ତି କାହିଁକି ? କହିଲି—ଆପଣମାନଙ୍କ ପରି ପାର୍ବତ ଓ ପାର୍ବତୀମାନଙ୍କୁ ଦେଖି । ଆମ ପ୍ରଦେଶରେ ଉଲାର ହ୍ରପପରି ହ୍ରଦଅଛି, ଝେଲମ୍‌ ନଦୀପରି ନଦୀ ଅଛି, ‘ଶଙ୍କରାଚାର୍ଯ୍ୟ’ ପାହାଡ଼ପରି ପାହାଡ଼ ଅଛି, ପ୍ରପାତ ପ୍ରସ୍ରବଣ ବହୁ, ହେଲେ ହିମାଳୟପରି ବିପୁଳ କିଛି ନାହିଁ, ସମୁଦ୍ର ପରି ବିଶାଳ ଯେପରି ଆପଣଙ୍କ ଏଠି କିଛି ନାହିଁ ।

 

କଲେଜର କେତେକ ଲେଖକ All Kasmiri Cultural Conferenceରେ ଯୋଗଦେବା ଲାଗି ଅନୁରୋଧ କରିଥିଲେ, କିନ୍ତୁ ଆମ ନିର୍ଘଣ୍ଟ ସ୍ଥିର ନ ଥିବାରୁ ନିର୍ଭରତା ଦେଇପାରିଲୁ ନାହିଁ ।

 

ଯାଦୁଘର

 

ପ୍ରାୟ ଦିନ ତିନିଟାବେଳେ ‘ପ୍ରତାପସିଂହ’ ଯାଦୁଘରେ ପହଞ୍ଚିଲି । କାଶ୍ମୀରୀ ସାଂସ୍କୃତିକି ଗୋଟିଏ ସ୍ଥାନରେ ଦେଖିବାର ଇଚ୍ଛାଥିଲେ ଏ ଯାଦୁଘର ଦେଖିବା ଦରକାର । କଲିକତା, କଲମ୍ୱୋ, ମାନ୍ଦ୍ରାଜର ଯାଦୁଘର ତୁଳନାରେ ଏହା କ୍ଷୁଦ୍ରତର ହେଲେହେଁ ବିଚିତ୍ରତର । ଯାଦୁଘରେ ପ୍ରବେଶ କରୁ କରୁ ପହିଲେ ଡୋଗ୍ରା ବଂଶର ପ୍ରତିଷ୍ଠାତା ମହାରାଜ ଗୁଲାବ ସିଂହଙ୍କ ବିରାଟ ତୈଳଚ୍ଚିତ୍ର ଆଖିରେ ପଡ଼େ । ପାଟକନାର ମୁକୁଟରେ ମୁକ୍ତାର ଜରୀଶିଖ, ମୟୂର ପୁଚ୍ଛର ଶାହାରା, ଗଳାରେ ଛ’ ସରି ମୁକ୍ତାମାଳା, ହାତରେ ମୁକ୍ତା ଖଡ଼ୁ, ଲମ୍ୱନିଶ, ବଳିଷ୍ଠ ଦେହ । ଆହା ମହାରାଜ ଯଦି ସୁଶାସକ, ସୁମନୁଷ୍ୟ ହୋଇଥାନ୍ତେ, ବିନା ଭୂଷଣରେ ଅଧିକ ଶୋଭା ପାଉଥାନ୍ତେ ପରା ! ଏ ସୁସଜ୍ଜିତ ଛବିଟି ଦେଖି ଭକ୍ତି ବା ପ୍ରୀତି ଆସୁନାହିଁ, ଆସୁଛି ଶଙ୍କା । ପ୍ରଜାଙ୍କ କଠୋର ଦାରିଦ୍ର୍ୟ ଉପରେ ଅଗ୍ନି ଶିଖା ପରି ଜଳୁଥିଲା ଏ ସୁବର୍ଣ୍ଣ, ଗୁଳିପରି ଫୁଟୁଥିଲା ଏ ମୁକ୍ତା ।

 

ଯାଦୁଘରେ କାଷ୍ଠଶିଳ୍ପ, ବସ୍ତ୍ରଶିଳ୍ପ, ଅସ୍ତ୍ରଶାଳା, ଚିତ୍ରଶାଳା, ମୃତପ୍ରାଣୀ, ପ୍ରାଚୀନ ମୁଦ୍ରା, ମୂର୍ତ୍ତି, ପାଣ୍ଡୁଲିପି ପ୍ରଭୃତି ବିଭିନ୍ନ ବିଭାଗ ରଖା ଯାଇଅଛି । କାଶ୍ମୀରର କାଷ୍ଠଶିଳ୍ପ ସର୍ବୋତ୍କୃଷ୍ଟ । କାଠଚୌକି, ଟେବୁଲ, ବାକ୍‌ସ, ଟ୍ରେ, ମୁଖା ପ୍ରଭୃତି ବହୁବିଧ ପଦାର୍ଥ ବାହାରକୁ ରପ୍ତାନୀ ହେଉଅଛି, ବହୁ ଶତ ଶିଳ୍ପୀ ଏହି କାର୍ଯ୍ୟରେ ନିଯୁକ୍ତ ରହିଅଛନ୍ତି । କାଷ୍ଠ ତୋରଣ ସ୍ତମ୍ଭର ଚାରି ଦିଗରେ ଚାରୋଟି ଶିଖ, ମଝିରେ ବୃହତ୍‌ ବିମାନ ଶିଖ ଓ ତହିଁରେ ଥିବା ପଦ୍ମ କଳସର କାରୁକାର୍ଯ୍ୟ ମନୋମୁଗ୍‌ଧକର । କାଠର ଅଙ୍ଗୁରଲତା, ଚୀନା ଡ୍ରାଗନ୍‌, ପଦ୍ମଲତା, କଢ଼ି ବିଶେଷ ଦର୍ଶନୀୟ ହୋଇଅଛି । ପ୍ରାଚୀନ ଯୁଗର ପ୍ରସ୍ତର ଅଳଙ୍କାର, ପ୍ରସ୍ତର ଅସ୍ତ୍ରଶସ୍ତ୍ର ମନକୁ ବହୁ ଶତାବ୍ଦୀ ପଛକୁ ପହଁରାଇ ଘେନି ଯାଏ । ମଣିଷ ସେହି ଯୁଗରୁ ନିଜକୁ ନିତ୍ୟ ନୂତନ କରି ଗଢ଼ୁଛି, ଗଢ଼ି ଯେଉଁ ଅବସ୍ଥାରେ ପହଞ୍ଚିଛି ତାର ପ୍ରତୀକ ଏ ଯୁଗର ମଣିଷ ।

 

ଏ ପଥର କଳସୀଟି ଘେନି କେଉଁ ରୂପସୀ ନଦୀ ଘାଟକୁ ଯାଉଥିଲା ? ଏ ଚିତ୍ରବିଚିତ୍ର ଆଲୋକ ଝାଡ଼ କେଉଁ ରାଜା ବା ଧନିକର ବାସଗୃହ ମଣ୍ଡନ କରୁଥିଲା ? ଏ ବାଘମୁଖୀ ପିତ୍ତଳ କେଟଲରେ କେଉଁ ଭାଗ୍ୟବନ୍ତ ଲାଗି ଚାଆ ପ୍ରସ୍ତୁତ ହେଉଥିଲା ? ଏ ଲାଡ଼ାକୀ ପିତ୍ତଳ ଡ୍ରାଗନ୍‍ କେଉଁ ଦେବମନ୍ଦିରରେ ପୂଜିତ ହେଉଥିଲା ? ଦିନେ ମଣିଷର ମାୟାମମତା ଏ ସମସ୍ତ ପଦାର୍ଥ ସହିତ ଜଡ଼ିତ ଥିଲା । ସେ ମଣିଷ ଗଲା—ଲିଭିଗଲା ଚିରଦିନ ଲାଗି; ଏହା ମଧ୍ୟରେ ସତେ ଯେପରି ସେମାନଙ୍କ ଛାୟାମୂର୍ତ୍ତି ନାଚୁଛି !

 

ଆଫଗାନ୍‌ ରାଜତ୍ୱର ଏ ମଗରମୁହାଁ ବନ୍ଧୁକ, ଧନୁଶର ରଣକ୍ଷେତ୍ରରେ କି ବିଭୀଷିକା ସୃଷ୍ଟି କରି ନ ଥିବ ! ଏବେ ସେ ଗୁଡ଼ିକ ମୂକ, ନିର୍ଜୀବ ହୋଇ ପଡ଼ି ରହିଛି । ସେମାନଙ୍କ ଅଧିକାରୀ ଏବେ କେଉଁ ପ୍ରେତଲୋକରେ ?

 

ଆଫଗାନ୍‌ ଯୁଗର ସାଲ, ୟାର ଦାମ୍‌ ସେତେବେଳେ ସାଢ଼େ ନ’ଟଙ୍କା, ଏବେ ଅଢ଼େଇ ହଜାର ଟଙ୍କା; ଏ ଯୁଗରେ ଜିନିଷ ମହର୍ଗ, ଟଙ୍କା ଶସ୍ତା ହୋଇଅଛି । ଗୁଲାବ୍‌ ସିଂହଙ୍କ ସାଲ, ଜାମୁର ସୁନାଜରିଆ ସାଲ ଉପରେ ସିଲେଇରେ ଶ୍ରୀନଗରର ବୃହତ୍‌ ମାନଚିତ୍ର କାଶ୍ମୀର ସୂଚୀଶିଳ୍ପର ଅପୂର୍ବ ନମୁନା । ଏହା ଦିନେ ବ୍ୟକ୍ତିର ଥିଲା, ଏବେ ସମଗ୍ର ଜାତିର ସମ୍ପତ୍ତି ହୋଇଅଛି ।

 

ମୃତ୍ତିକାରେ ବିବିଧ ମଣିଷ ମୂର୍ତ୍ତି ଗଢ଼ା ଯାଇ ସେମାନଙ୍କୁ କାଶ୍ମୀରରେ ବ୍ୟବହୃତ ବିବିଧ ପରିଚ୍ଛଦ ପିନ୍ଧେଇ ଦିଆ ହୋଇଅଛି । ମୁସଲମାନ୍‌ ବର ପାଇଜାର୍‌, ସିଲଓ୍ୱାର, ଫେରନ୍‌ ପିନ୍ଧିଚି, କନ୍ୟା ଫେରନ୍‌, ପୁଚ୍‌, କସାବା ପିନ୍ଧିଚି । ମହାରାଜା, ପଣ୍ଡିତ, ପଣ୍ଡିତିଆଣୀ, ନାଉରୀଝିଅ, ମୁସଲମାନ ଚଷାର ପରିଚ୍ଛଦରୁ କାଶ୍ମୀରରେ ପ୍ରଚଳିତ ବିଭିନ୍ନ ବାସଭୂଷଣର ସ୍ଥୂଳ ଧାରଣା କରିହୁଏ-

 

ପକ୍ଷୀ ବିଭାଗର ମୃଗାବୀ, ଛଞ୍ଚାଣପେଚା, ମୃନାଳ (ମୟୂର ପରି, ମୁଣ୍ଡରେ ଚୂଳ ଅଛି) ବରଫ କୁକୁଡ଼ା, ବଜ୍ରକାପ୍‌ତା, ଓରିଏଲ ପ୍ରଭୃତି ପକ୍ଷୀ, ପଶୁ ବିଭାଗରେ କଳା ଚିତାବାଘ, କସ୍ତୁରୀ ମୃଗ (ଛୋଟ, ଲୋମଶ, ଶିଙ୍ଗ ନାହିଁ), ବଳିଆ କୁକୁର, ମରମାଇଟ୍‌, ମାରଖୋର୍‌ (ବୃହତ୍‌ ଛାଗଳ ପରି, ଲମ୍ୱାଦାଢ଼ି, ସାପ ଖାଏ, ତା ପାଟି ନାଳରେ କବିରାଜୀ ଔଷଧ ପ୍ରସ୍ତୁତ ହୁଏ) ପ୍ରଭୃତି ପଶୁ ଏ ଯାଦୁଘରର ବିଶେଷ ଆକର୍ଷଣ ।

 

ତିବତୀୟ ବାନାର୍‌, ୟାରକନ୍ଦର ସାଡ଼ଲ୍‌ କଭର୍, ବହୁବିଧ କାର୍ପେଟ୍‌, ଫସିଲ୍‌ ହାତୀଦାନ୍ତ, କଙ୍କାଳିନୀ, ମାର୍ବଲ ଗଣେଶ, ସାଢ଼େ ଚାରି ମହଣ ଓଜନର ବିଷ୍ଣୁ ମୂର୍ତ୍ତି, ତ୍ରିମୂର୍ତ୍ତି ନୃସିଂହ ପ୍ରଭୃତି ବହୁବିଧ ପ୍ରସ୍ତର ମୂର୍ତ୍ତି, ବହୁ ପ୍ରକାର ମୁଦ୍ରା, ଶିଳାଲିପି, ପାଣ୍ଡୁଲିପି, ଚିତ୍ରଲିପି, ଭୁର୍ଜପତ୍ର ଲେଖା, ପ୍ରାଚୀନ ଚିଠିପତ୍ର, ଜାତକ, ଦଲିଲ୍‌, ଡାକ ଟିକଟ ପ୍ରଭୃତି ବହୁ ଚିତ୍ତାକର୍ଷକ ଦ୍ରବ୍ୟ ଦେଖିଲି, ଯାଦୁଘର ସହିତ ସଂଲଗ୍ନ ପାଠାଗାରରେ ଅଧ୍ୟୟନ କଲି, ସେତେବେଳେ କେଉଁ ଯୁଗର କେଉଁ ରାଜ୍ୟର ବାସିନ୍ଦା ହୋଇଥିଲି, କି ସ୍ୱପ୍ନ ଦେଖିଥିଲି ?

 

ବର୍ଷାରୁ ବରଫପାତ

 

ଯେତେବେଳେ ବାହାରକୁ ଆସିଲି, ଦେଖିଲି ମୋ ସ୍ୱପ୍ନ ସହିତ ବାସ୍ତବତାର କିଛି ହେଲେ ମେଳ ନାହିଁ । ଘୋର ଝଡ଼ି ବର୍ଷା ଆରମ୍ଭ ହୋଇଗଲାଣି, କୁଆଡ଼େ ଯିବୁ ? ଛତା କି ବର୍ଷାତି କିଛି ହେଲେ ନାହିଁ । ଟୋପାକ ପାଣି ଦେହକୁ ସାତଟୋପା ପରି ଲାଗୁଥାଏ । ପ୍ରବଳ ଶୀତରେ କି ବର୍ଷା ପାଣି ସହି ହୁଏ ? ତଥାପି ଦୌଡ଼ି ଦୌଡ଼ି ଗୋଟାଏ ହୋଟେଲରେ ପଶିଗଲୁ, ଚା’ ଖାଇଲୁ । ବର୍ଷା ଯୋଗୁଁ ଦଣ୍ଡକ ଭିତରେ ସେଠି ଏପରି ଭିଡ଼ ହୋଇଗଲା ଯେ ବସିବା ଦୂରର କଥା, ଠିଆ ହୋଇ ରହିବା ସମ୍ଭବ ହେଲା ନାହିଁ । ସେଠୁଁ ଦଉଡ଼ି ଦଉଡ଼ି ଗୋଟିଏ ମନ୍ଦିରରେ ପଶିଗଲୁ—ପଞ୍ଚମୁଖୀ ହନୁମାନ୍‌ଜୀଙ୍କ ମନ୍ଦିର । ମନ୍ଦିର ଲଗାଏତ୍‌ ଗମ୍ଭୀରି ଘରେ ଦୁଇଜଣ ବାବାଜିଙ୍କ ସଙ୍ଗେ ଭେଟ ହେଲା, ଲମ୍ୱା ଲମ୍ୱା ଦାଢ଼ି, କପାଳରେ ତିନି ରେଖା ଚିତା । ଏମାନେ ରାମଚନ୍ଦ୍ରଜୀଙ୍କ ଭକ୍ତ, ମୋଟା ମୋଟା କମ୍ୱଳକୁ କୋଟ କରି ପିନ୍ଧିଛନ୍ତି, ମୁଣ୍ଡରେ ଗରମ୍‌ ଟୋପି, ଓଠରେ ସିଗାରେଟ୍‌, କୋଳରେ ‘କଙ୍ଗଡ଼ି’ । ‘କଙ୍ଗଡ଼ି’ ଆମ ଦେଶର ଉହ୍ମେଇ ପରି । ଗୋଟିଏ ବେତ ବୁଣା ଭୋଗେଇରେ ମାଟି ଉହ୍ମେଇଟି ପଶିଥାଏ, ଧରିବା ପାଇଁ ଅବା ବେକରେ ଝୁଲାଇ ନେବାପାଇଁ ସେଥିରେ ବେତବୁଣା ନାଡ଼ ଥାଏ । ଉହ୍ମେଇରେ କାଠ ଅଙ୍ଗାର ନିଆଁ ଦହକୁ ଥାଏ । ତାକୁ ସଙ୍ଗରେ ଘେନି କାଶ୍ମୀରୀ କାଶ୍ମୀରୀଣୀ ଯୁଆଡ଼େ ଯାନ୍ତି । ଶୀତ ଦିନରେ ଏପରିକି ବସନ୍ତ କାଳରେ କଙ୍ଗଡ଼ିହୀନ କାଶ୍ମୀର ଦେଖିବା ଦୁର୍ଲ୍ଲଭ । କଙ୍ଗଡ଼ି ତାର ଆଶା, ଭରସା, ସୁଖ ଦୁଃଖର ସାଥୀ । ବନ୍ଧୁ ବାନ୍ଧବ ଆସିଲେ କାଶ୍ମୀରୀ ତାଙ୍କୁ ଆଗେ କଙ୍ଗଡ଼ି ଦେଇ ସମ୍ୱର୍ଦ୍ଧନା କରେ ।

 

ଗମ୍ଭୀରି ଘରେ ପହଞ୍ଚିବା ମାତ୍ରେ ବାବାଜିମାନେ କୋଡ଼ିର କଙ୍ଗଡ଼ି କାଢ଼ି ଆମକୁ ଦେଲେ, ଆମେ ସେକି ହେଉଁ ହେଉଁ କଙ୍ଗଡ଼ି ନିଆଁରେ ଲଗେଇ ଆମ ହାତରେ ସିଗାରେଟ୍‌ ଧରାଇଲେ । ବାବାଜିମାନଙ୍କର ଏ ପରାର୍ଥପର ଭାବ ଟିକକ ବଡ଼ ଭଲ ଲାଗିଲା । ମୁଁ ଜଣେ ଡାକ୍ତର ବୋଲି ବନ୍ଧୁବାବାଜିଙ୍କ ନିକଟରେ ପରିଚୟ କରେଇ ଦେଇଥାନ୍ତି । ବାବାଜି କହିଲେ—ଆପଣ ତ ଡାକ୍ତର, ଆମର ଗୋଟିଏ ରୋଗୀକୁ ଭଲ କରି ଦିଅନ୍ତୁ । ବନ୍ଧୁ କହିଲେ—ସେ ଦେହ ରୋଗ ଭଲ କରନ୍ତି ନାହିଁ ମନରୋଗ । ମୁଁ କହିଲି—ଆପଣଙ୍କର ତ ବିଭୂତି ଅଛି, ଭଗବତ୍‌ ବିଶ୍ୱାସ ଅଛି, ଓଷଦ କଣ ହେବ ? ସେମାନେ ହସିଲେ—ସେଥିରୁ ବୁଝିଲି, ବିଭୂତିର ସେ ମାହାତ୍ମ୍ୟ ନାହିଁ, ଭଗବତ୍‌ ବିଶ୍ୱାସରେ ସେ ଦୃଢ଼ତା ନାହିଁ, ସେମାନେ ସାଧାରଣ ମଣିଷ, ପେଟ ପୋଷିବାର ସହଜ ଉପାୟ ରୂପେ ବାବାଜି ଦୀକ୍ଷା ଧରିଛନ୍ତି ।

 

ବାବାଜିମାନେ ଯୋଉ ଘରେ ରହନ୍ତି, ସେଠି ଦୋମହଲା କୋଠା, ବୁଲି ଦେଖୁ ଦେଖୁ ଆଉ ଜଣେ ବଙ୍ଗାଳୀ ବାବାଜିଙ୍କ ସଙ୍ଗେ ଭେଟ ହେଲା । ଶିକ୍ଷିତ । ପାଖରେ କିଛି କିଛି ଧର୍ମ ପୁସ୍ତକ ରଖିଅଛନ୍ତି, ପାହାଡ଼ ପର୍ବତ ପ୍ରତି ତାଙ୍କର ଅସୀମ ପ୍ରୀତି—ଦଶବର୍ଷ ବୟସରୁ ସେ ବୁଲୁଛନ୍ତି—ବୁଲିବାରେ ତାଙ୍କର ପରମ ଆନନ୍ଦ, ସ୍ୱଚ୍ଛନ୍ଦ ପାହାଡ଼ୀ ବାୟୁସେବନରେ ତାଙ୍କର ପରମ ଶାନ୍ତି । ଏତେ ବଡ଼ ଶୀତରେ ଖଣ୍ଡିଏ ଅଧାକାମିଜି ପିନ୍ଧିଛନ୍ତି, ସଙ୍ଗରେ ଖଣ୍ଡିଏ ମାତ୍ର କମ୍ୱଳ; ଅନ୍ୟ ଦୁଇ ବାବାଜିଙ୍କ ପରି ତାଙ୍କର ‘କଙ୍ଗଡ଼ି’ ନାହିଁ । ସାଥିରେ କିଛି ଜିନିଷପତ୍ର ନାହିଁ । ଯୋଉଠି ଯାହା ମିଳେ ଖାଆନ୍ତି, ନଇଲେ ଓପାସେ ଶୁଅନ୍ତି । ତାଙ୍କର ପ୍ରଫୁଲ୍ଲ ପ୍ରଶାନ୍ତ ମୁଖ, ଅମାୟିକ ବ୍ୟବହାର ବଡ଼ ପ୍ରୀତିପ୍ରଦ ବୋଧ ହେଲା ।

 

ଉପର ମହଲା ଘରଟି ମେଲା; ଝରକା ତିଆରି ସରିନାହିଁ, ମେଲା ବାଟେ ପବନ ହୁହୁ ହୋଇ ପଶିଆସୁଛି, ମୂଷଳଧାରାରେ ଅଜାଡ଼ୁଛି ବର୍ଷା । ଥଣ୍ଡାରେ ଆମ ଗୋଡ଼ହାତ ପାଣି ହୋଇଗଲା, ଦେହଟା ବରଡ଼ାପତ୍ର ପରି ଥରୁଥାଏ, ବିକଳରେ ଏପଟ ସେପଟ ହେଉଁ ହେଉଁ ଦୈବାତ୍‌ କଙ୍ଗଡ଼ିଟିଏ ପାଇଗଲି, ଆଃ, କୋଟିନିଧି । ବାର୍ସିକାଠ ଚଞ୍ଚା ହୋଇ ପଡ଼ିଥିଲା, କଙ୍ଗଡ଼ିରେ ପକାଇ ନିଆଁ ଜାଳିଲୁ, ସେକି ହେଲୁ । ଅନ୍ଧାର ଘନେଇ ଆସୁଛି, ବର୍ଷା ଛାଡ଼ିନାହିଁ, ଛାଡ଼ିବ ନାହିଁ, ପାହାଡ଼ ଆଗରୁ ଧୂଆଁଳିଆ ମେଘ ଘୋଟି ଆସୁଛି, ଏଠି ଆଉ ରହିଲେ ବଞ୍ଚିପାରିବା ନାହିଁ ।

 

ଗାଡ଼ି ଚଳାଚଳ ବନ୍ଦ, ରାସ୍ତାରେ ଜନପ୍ରାଣୀ କେହି ନାହାନ୍ତି । ଓଦା ସୁଡ଼ୁ ବୁଡ଼ୁ ହୋଇ ଶ୍ରୀନଗର ରାସ୍ତାରେ ଆମେ ଦୌଡ଼ିଛୁ—ଦୌଡ଼ିଛୁ । ଆଉ ସମ୍ଭାଳି ପାରିବା ନାହିଁ, କୋଉଠି ଠିଆ ହୋଇଯିବା । ଚାଲ ଚାଲ କହୁଁ କହୁଁ ଆମେ ଗୋଟାଏ ହୋଟେଲ ପିଣ୍ଡାରେ ଉଠିଲୁ, ଓଃ, ଝେଲମ୍‌ କୂଳର ସମସ୍ତ ହାଲପା ଏ ହୋଟେଲରେ ଜମିଛି, ଦୌଡ଼ାଦୌଡ଼ିରେ ରକ୍ତ ଟିକିଏ ଗରମ୍‌ ଥିଲା । ଟିକିଏ ଛିଡ଼ାହେବା ମାତ୍ରେ ଶୀତ ମାଡ଼ି ବସିଲା । ଚୁଲୀ ମୁଣ୍ଡେ ବସି କଫି, ଡିମ୍ୱ ଖାଇ ଦେହକୁ ଟିକିଏ ଗରମ୍‌ କଲୁ । ମେଘ ଟିକିଏ ଛାଡ଼ିଲାପରି ଲାଗିଲା, ଭଗବାନଙ୍କ ଦୟା ! ନିଷ୍ଠୁର ଭଗବାନ୍‌ ଆମ ଲାଗି ଘୋରତର ଯନ୍ତ୍ରଣାର ବ୍ୟବସ୍ଥା କରୁଥିଲେ । ଦୁଆରକୁ ଆସି ଦେଖିଲୁ—ରାସ୍ତା ଏକଦମ୍‌ ଧଳା, ଏଇ ଘଡ଼ିକ ଭିତରେ ରାସ୍ତାଘାଟରେ କିଏ ଶଙ୍ଖମଲମଲ ପଥର ବିଛେଇ ଦେଲା । ଆକାଶକୁ ଅନାଇଲି—ଅନ୍ଧାରରୁ ରୁପାଟଙ୍କା ବୃଷ୍ଟି ହେଉଛି, ମହାଶୂନ୍ୟର କେଉଁ କୋଣରେ କିଏ ବସି ତୁଳାରାଶି ଭିଣିଭିଣି ତଳକୁ ଫିଙ୍ଗୁଛି । ଅଭିନବ ଅଭିଜ୍ଞତା, ଏ ଯେ ବରଫପାତ ! ପ୍ରକୃତି ଗ୍ରୀଷ୍ମ କାଳରେ ଆମ ଲାଗି ଏ ସ୍ୱତନ୍ତ୍ର ଅଭିନୟର ବ୍ୟବସ୍ଥା କରିଛି । କି ଆନନ୍ଦ, ମହଣଛତାରେ କର୍ପୂର ଗୁଣ୍ଡି ପରି ଲାଗି ଯାଇଛି ବରଫ, ଚଲା ମଣିଷର ଓଭରକୋଟ ଯାତ୍ରାରେ ବାହାରୁଥିବା ରଜାଙ୍କ ଜରି ପୋଷାକ ପରି ଦିଶୁଛି । ଶ୍ରୀନଗରର ବିଜୁଳିବତୀ ନିଭିନାହିଁ, ନିଆଁ ଖୁଣ୍ଟା ପରି ନିଜକୁ ଆଲୁଅ କରୁଛି ମାତ୍ର, ରାସ୍ତାଘାଟ କିଛି ଦିଶୁନାହିଁ । ଏ ଅନ୍ଧାରରେ, ବର୍ଷା ବରଫରେ କୁଆଡ଼େ ଯିବା ? ହୋଟେଲ୍‌ ବୟକୁ ଫୁସୁଲାଫୁସୁଲି କରି ଟଙ୍ଗାଟିଏ ମଗାଇଲୁ, କିନ୍ତୁ ଏ ଘୋର ବିତ୍ପାତରେ କେହି ଟଙ୍ଗା ନେବାକୁ ମଙ୍ଗିଲେ ନାହିଁ ।

 

ଆମର ଦୁର୍ଦ୍ଦଶା

 

ଆମକୁ ଯିବାକୁ ହେବ, ରାସ୍ତାକୁ ବାହାରି ପଡ଼ିଲୁ । ନରେନ୍ଦ୍ର, ଜଗବନ୍ଧୁ ସାଣ୍ଡାଲ୍‌ ପିନ୍ଧଛନ୍ତି, ପାଦ ଅଧାଖୋଲା, ମୁଣ୍ଡରେ ଟୋପି ନାହିଁ । ମୋ ମୁଣ୍ଡରେ ସାହେବୀ ଟୋପି, ଦୌଡ଼ିଲୁ । ରାସ୍ତାରେ ଦୁଇ ଇଞ୍ଚ ବରଫ ଜମିଗଲାଣି, ପଚ ପଚ କାଦୁଅ, ଖାଲରେ ଅରାଅରା ପାଣି, ତଳେ ବରଫ, ଉପରେ ବରଫ, ବର୍ଷା ଛେଚୁଚି । ଜୋତା ବରଫରେ ପଶିଲା, ଜୋତାରେ ବରଫ ପଶିଲା । ପାଦ ଦିଟା ଗୋଦରା ହୋଇଗଲା, ହାତ ଦୁଇଟା ଅଥର୍ବ, ମୁଣ୍ଡରୁ ପାଦଯାଏ ବରଫ—ବୋଧହେଲା—ପଡ଼ିଯିବୁ, ଆମ ଉପରେ ନଦି ହୋଇ ପଡ଼ିବ ବରଫ—ତା ଉପରେ ବରଫ, ଆମ ପ୍ରାଣବାୟୁ ଉଡ଼ିଯିବ; ସମ୍ୱାଦପତ୍ରରେ ବାହାରିବ—ପ୍ରବଳ ବରଫପାତରେ ତିନିଜଣ ବିଦେଶୀଙ୍କ ଅପମୃତ୍ୟୁ ! ଓଡ଼ିଆ ଖବରକାଗଜରେ ଟିକିଏ ଟିପ୍ପଣୀ ବାହାରିବ, ତିନିଗୋଟି ଗ୍ରାମର ତିନିଗୋଟି ଘରେ ଉଠିବ କରୁଣ କାନ୍ଦଣା । ଭାବିବାକୁ ତର ନାହିଁ, ପାଦ ଖସୁଛି, ଦୌଡ଼ି ଦୌଡ଼ି ଗୋଟାଏ ଦୋକାନ ଦୁଆରେ ଛିଡ଼ା ହୋଇଗଲୁ—ସେଠି ଜମିଥାନ୍ତି ଯେତେକ ଟଙ୍ଗାବାଲା, ଟାକ୍‌ସିବାଲା, ଆଶାର ସଞ୍ଚାର ହେଲା-। ଅନୁରୋଧ କଲୁ, ନ ଶୁଣିଲାରୁ ରୀତିମତ ଖୋସାମତ୍‌ । ଟଙ୍ଗାବାଲା କହିଲା—ଟଙ୍କା ଲାଗି କଣ ଘୋଡ଼ାର ପ୍ରାଣ ଯିବ ? ଏହାର ଉତ୍ତର ନାହିଁ, ଆମ ପ୍ରାଣ ଲାଗି ଆମେ ଘୋଡ଼ାର ପ୍ରାଣ ଯିବ ? ଏହାର ଉତ୍ତର ନାହିଁ, ଆମ ପ୍ରାଣ ଲାଗି ଆମେ ଘୋଡ଼ାପରି ଗୋଟିଏ ଭଦ୍ର ଜନ୍ତୁର ପ୍ରାଣ ନେବାକୁ ଚାହୁଁ ନାହିଁ ।

 

ଜଣେ ଟାକ୍‌ସିବାଲାକୁ ବୁଝାଇଲୁ—ଆମେ ବିଦେଶୀ, ବରଫର ଦାଉ ଘାତ କେବେ ସହିନାହୁଁ, ଓଦା ସୁଡ଼ୁ ବୁଡ଼ୁ ହୋଇ ଏମିତି ଘଣ୍ଟାଏ ରହିଲେ ମରିଯିବୁ । ତୁମେ ଯଦି ଆମକୁ ନ ନେବ, ସେ ଅଧର୍ମ ତୁମ ମୁଣ୍ଡରେ ଯିବ । ଟାକ୍‌ସିବାଲା ମନ ତରଳିଲା, କିନ୍ତୁ ଲୋଭର ରସନାରୁ ଲାଳ ବୋହିଲା, ପଇସା ଅରଜିବାର ସୁଯୋଗ ଏ । ମଣିଷର ଅସମୟକୁ ପୁଞ୍ଜି କରି ମଣିଷର ବେଉସା ଚାଲେ, ଦୁନିଆର ନୀତି ଏ । ବତେଇଲା ପାଞ୍ଚଟଙ୍କା, ହସ ମାଡ଼ିଲା—ମାତ୍ର ଏତିକି ? ସମୟ ଯାହା, ପଚାଶ ଟଙ୍କା ଅକ୍ଳେଶରେ ଟାଣିନେଇ ପାରିଥାନ୍ତା । ଆମେ କହିଲୁ—‘‘ଯାହା ନେବୁ ଦିଆଯିବ, ଗଣପତିଆର ଚଲା ।’’ ମଟର ସାମ୍ନା କାଚରେ ବରଫ ବସିଗଲା, ଆଲୁଅ ମୁହଁରେ ବରଫ, କିଛି ଦିଶୁନାହିଁ, ବରଫ ମଟର ଚକକୁ ବାନ୍ଧି ପକାଉଛି । ମଣିଷ ଚଲା ଗତିରେ ଠେଲାପେଲା ହୋଇ ଗାଡ଼ି ଚାଲିଲା—କିନ୍ତୁ ଅନ୍ଧାରରେ ଡାକ୍ତରବାବୁଙ୍କ ଘର ବାରିହେଲା ନାହିଁ । ଆମେ ଗାଡ଼ି ଭିତରେ ବସିଥାଉ, କ୍ଳିନର ଯାହା ଇଚ୍ଛା ତା ଦୁଆରେ ଡାକ ପକାଇଲା—ହୋ ଶମ୍ଭୁନାଥ, ହୋ ଭାୟା ଶମ୍ଭୁନାଥ । ଦରଜା, ଝରକା ବନ୍ଦ, ବର୍ଷା ପବନରେ ଡାକ ଶୁଣା ଯାଉନାହିଁ । କ୍ଳିନର ତୋଟି ପଡ଼ିଗଲା, ଶମ୍ଭୁନାଥ ‘ଓ’ କଲେ ନାହିଁ । ଗୋଟିଏ ବୁଢ଼ୀ, ମିଞ୍ଜି ମିଞ୍ଜି ଆଲୁଅରେ ତାର ପାତଳ ଛାଇ ଯାଉଥାଏ, ଆସୁଥାଏ, କାତର ଡାକର ଜବାବ୍‌ ସେ ଦେଲା—ଏଇ ପାଖ ଘରଟି ଡାକ୍ତର ଶମ୍ଭୁନାଥଙ୍କ ଘର; ଦେହରେ ପ୍ରାଣ ପଶିଲା—ହେ ପ୍ରଭୁ !

 

ଓଦା ପ୍ୟାଣ୍ଟକୋର୍ଟ ଫିଙ୍ଗିଦେଇ ଦୋହରା କମ୍ୱଳ ତଳେ ପଶିଗଲୁ । ମୋହନଲାଲ୍‌ ତିନିଟା କଙ୍ଗଡ଼ିରେ ରଡ଼ନିଆଁ ଜାଳି ଘେନିଆସିଲେ, ସେତେବେଳକୁ ନରେନ୍ଦ୍ରର ଅବସ୍ଥା ସାଂଘାତିକ-। ତା ହାତଗୋଡ଼ ଅଚଳ, ତା ଆଙ୍ଗୁଠି ସବୁ ଫାଟିଗଲା ପରି ଲାଗୁଥାଏ । ସେ ବିକଳରେ ‘ବୋପାଲୋ’ ‘ମାଆଲୋ’, ‘ମରିଗଲିଲୋ’ ଡାକ ପକେଇଥାଏ । ସମସ୍ତେ ମିଶି ତା ହାତଗୋଡ଼ ଘଷିଲୁ, ନିଆଁରେ ସେକିଲୁ । କିଛି କାଶ୍ମୀର ଚା’, ତା ପରେ ରମ୍‌, ସିଗାରେଟ୍‌ ଖାଇ ସେ ଆସ୍ତେ ସୁସ୍ଥ ହେଲେ । ଥଣ୍ଡା ପ୍ରକୋପରୁ ବଞ୍ଚିବା ପାଇଁ ଆମେ ବି କିଛି କିଛି ‘ରମ୍‌’ ଖାଇଲୁ । କିଛି ସମୟ ପରେ ନିଶା ଝାଙ୍କିଲା । ନିଘୋଡ଼ ନିଦରେ ଶୋଇ ପଡ଼ିଲୁ ।

 

ସକାଳ ହେଲା, କିନ୍ତୁ କୁକୁଡ଼ା ଡାକିଲା ନାହିଁ । କୁଆ ବୋବେଇଲା ନାହିଁ । ଲାଲ୍‌ ଟୁକୁଟୁକୁ ସ୍ୱଚ୍ଛ ଆକାଶରେ ସୂର୍ଯ୍ୟ ଉଇଁଲା ନାହିଁ—କେବଳ ମେଘ ଆଉ ମେଘ । ପର୍ବତରେ ବରଫ, ଆକାଶରେ ବର୍ଷା; ନୀରବ, ଗମ୍ଭୀର ଚତୁର୍ଦ୍ଦିଗ ସାକ୍ଷାତେ ମୃତ ।

Image

 

Unknown

ନିଶାତ୍‌ ଆଉ ସାଲମାର ଉଦ୍ୟାନରେ

 

ନିଷ୍କର୍ମା ହୋଇ ବସିରହିବାରୁ ବଳି ଦୁଃଖ ନାହିଁ; ରୁଦ୍ଧ ଗୃହର ଏ ଅନ୍ଧକାର ଅପେକ୍ଷା ବର୍ଷା, ବରଫ, ତୋଫାନ ଭଲ; ଚଉକତିରେ ଚାରୋଟି କାଠକାନ୍ଥ ଛଡ଼ା କିଛି ଦେଖିବାର ନାହିଁ, ଆମ ଦୁର୍ଦ୍ଦଶା ଛଡ଼ା ଆଉ କିଛି ଭାବନାର ବସ୍ତୁ ନାହିଁ; ଆକାଶରୁ ଟପ ଟପ ପାଣି ପଡ଼ୁଥାଏ, କାଦୁଅ ପଚପଚ ରାସ୍ତାରେ ଭିଜିଭିଜି ଚାଲିଲୁ । ଛକ ଉପରେ ଦୌଡ଼ୁଥିବା ଟଙ୍ଗାଟିଏ ଅଟକାଇ ବସି ପଡ଼ିଲୁ–ଚଲାଅ ନିଶାତ୍‌, ସାଲମାର । ଟଙ୍ଗାବାଲା ଟିକିଏ ଆମ ମୁହଁକୁ ଚାହିଁଲା—ତାର ଅର୍ଥ, ଏ ପାଗରେ ଭୂତପ୍ରେତ ପଦାକୁ ବାହାରୁ ନାହାନ୍ତି, ହେ ବିଦେଶୀ, ଏତେଦୂର ଯିବାକୁ ତୁମେ କେମିତି ସାହସ ବାନ୍ଧିଚ ? ତୁଣ୍ଡ ଫିଟାଇ କହିଲି ନାହିଁ, ଏହାର ଉତ୍ତର ମୁଁ ମନେ ମନେ ଭାବିନେଲି—ହେ ଟଙ୍ଗାବାଲା, ଅନାବଶ୍ୟକ ବିଶ୍ରାମକବଳରୁ ଆମକୁ ଘେନିଯା, ହିମାଚଳର ମୂଳେ ମୂଳେ ଝେଲମ୍‌ର କୂଳେ କୂଳେ ଘେନିଯା ଆମକୁ ଦୂରରୁ ଦୂରକୁ, ମେଲିଦେ ଆଖି ଆଗରେ ରୋମାଞ୍ଚକର ବର୍ଷାରେ ପାଇନ ବନର ନୃତ୍ୟ, ନୈରାଶ୍ୟର ଉତ୍‌ପୀଡ଼ନରୁ ରକ୍ଷାକର । ଟଙ୍ଗାବାଲା ମାଇଲା କୋରଡ଼ା, ଘୋଡ଼ା ଯୋଡ଼ି ପକାଇ ଦଣ୍ଡକରେ ଶ୍ରୀନଗର ପାରି ହୋଇଗଲା । ସାମ୍ନାରେ ଝେଲମ୍‌ ନଦୀ, କଳକଳ ଛଳଛଳ ତାର ପ୍ରବାହ, ତହିଁରେ ଶତ ଶତ ହାଉସବୋଟ୍‌ ଭିଡ଼ ଜମେଇଛନ୍ତି । ନୌକାରେ ସ୍ଥାୟୀ ଘର ତୋଳି କେହି କେହି ରହିଛନ୍ତି, ସ୍ଥଳ ଭାଗରେ ଜାଗା ମିଳିନାହିଁ, ସାରା ଜୀବନର ସଞ୍ଚୟ ଗଢ଼ା ହୋଇଛି ଏ ନୌକା, ତୋଳା ହୋଇଛି ଏ ଘର, ସେଥିରୁ ବଖରାଏ ଭଡ଼ା ଲଗା ହୁଏ, ସଜେଇବାକୁ ଶ୍ରମିକର ସମ୍ୱଳ ନାହିଁ, ଗରିବ ଯାତ୍ରୀ ରହୁଥିବେ । ଅନ୍ୟ ବଖରାଟିରେ ଶ୍ରମିକଟି ରହେ, ଯାହା ଅରଜେ ପେଟକୁ ନଅଣ୍ଟ, ଅଣ୍ଟା କଥା ପଚାରେ କିଏ ? ମଇଳା କନା ଖଣ୍ଡିଏ ଖଣ୍ଡିଏ ପିନ୍ଧି ତାର ପିଲାଝିଲା ଖେଳୁଛନ୍ତି । ଧୁଆଁ ଉଠୁଛି, ଘରଣୀ ବୋଧେ ରୋଷେଇ କରୁଛି ।

 

ଆମକୁ ଦେଖିବା ମାତ୍ରେ ଜଣେ ହାଉସବୋଟ୍‌ବାଲା, ଧାଇଁଲା ଡାଲ୍‌ ହ୍ରଦରେ ଛୁଟିଲା ତାର ଶିକାର, ତାକୁ କୂଳରେ ଲଗାଇ ପିଚୁ ରାସ୍ତାରେ ଆମ ଟଙ୍ଗା ଅଟକାଇଲା—ବାବୁ, ହାଉସବୋଟ୍‌ ? ଆଉ କିଏ କାଳେ ଯାତ୍ରୀ ନେଇଯିବ ସେଥିଲାଗି ବିକଳରେ ଧାଇଁଛି, ଏବେ ଶୀତ ଯାଇ ଯାଇନାହିଁ, ବାହାରଯାତ୍ରୀ ଆସିନାହାନ୍ତି, ଯେ ବା ଆସିଛନ୍ତି ଛିଣ୍ଡା ପାହାଡ଼ ଅତଡ଼ାରେ ବର୍ଷା ବରଫରେ ଫେରିଯିବାକୁ ବାଟ ପାଉ ନାହାନ୍ତି । ହାଉସବୋଟ୍‌ସବୁ ଖାଲି, ବୋଟ୍‌ବାଲା ଅକର୍ମା । ଏ ନୂଆ ଗର୍‌ହାକକୁ ହରେଇବାର ନୁହେଁ, ଦିନ ଦୁଇଦିନ ଲାଗି ହେଉପଛେ ପେଟର ଭୋକ ମରିବ; ଆଖିରେ ତାର ମିନତି—ଦିନକ ଲାଗି ମୋ ହାଉସବୋଟରେ ରହ, ରହ; କିନ୍ତୁ ସେ ଏତିକି ବୁଝିଲା ନାହିଁ ଯେ ଘୋର ଥଣ୍ଡା ପାଗରେ ଏ ଜଳକୁଟୀରରେ ରହିବାକୁ କାହାକୁ ଭଲ ଲାଗିବ ? ବ୍ୟବସାୟୀ ସେ, ବ୍ୟବସାୟ ଛଡ଼ା ତାକୁ କିଛି ଦିଶିଲା ନାହିଁ । ଟଙ୍ଗା ଟହଲି ଟହଲି ଯାଉଁ ଯାଉଁ ବିଜୁଳି ଗତିରେ ଦୌଡ଼ିଲା, ବୋଟ୍‌ବାଲା ନିରାଶ ହୋଇ ମୁଖ ଫେରାଇଲା ।

 

ଡାଲ୍‍ ଗେଟ୍‌ ପାରି ହୋଇ ଡାଲ୍‍ ଲେକ୍‌ କୂଳରେ ପହଞ୍ଚିଲୁ, ବର୍ଷାରେ ତାର ମୁଖ ବିବର୍ଣ୍ଣ, ଜଳ ବାଷ୍ପ ଓ ଆକାଶର ବାଷ୍ପ ପୁଞ୍ଜିତ ହୋଇଅଛି । ପକ୍ଷୀର କଳସ୍ୱନ ନାହିଁ, ସେଇ ସୁଯୋଗରେ ଭେକର ଅଂଶବଂଶ ଆଦି କରି ସମସ୍ତେ ଏକ ତାନରେ ମେଘର ମାଙ୍ଗଳିକ ଗାଉଛନ୍ତି, ବର୍ଷାର ଫାର୍ସା ପରି ବିଜୁଳି ନାଚୁଛି । ସାମ୍ନାରେ, ଦକ୍ଷିଣରେ, ବାମରେ ଆକାଶସ୍ପର୍ଶୀ ହିମାଳୟ, ଧବଳ ଶୃଙ୍ଗେ ଶୃଙ୍ଗେ ନୀଳ ମେଘର ଜୟଯାତ୍ରା । ଆମର ଯାତ୍ରା କିନ୍ତୁ ଅଶ୍ରୁର; ଅଚାନକ ବର୍ଷା ମାଡ଼ରେ ଆମ ସର୍ବାଙ୍ଗରୁ ଅଶ୍ରୁ ଝରୁଥାଏ । ହସ୍ତ ପଦ ଅଥର୍ବ । ତଥାପି ନିଷ୍କ୍ରିୟର ଶାନ୍ତି ଅପେକ୍ଷା ଏ ଅଶ୍ରୁ କାମ୍ୟ, ବିଫଳ ପ୍ରତ୍ୟାବର୍ତ୍ତନ ଅପେକ୍ଷା ଏ ସଂଘର୍ଷ ପ୍ରୀତିପ୍ରଦ ।

 

ରାସ୍ତା କଡ଼ରେ ବଡ଼ ବଡ଼ ହୋଟେଲ୍‌, ମହାରାଜ କରଣସିଂହଙ୍କ ରାଜବାଟି, କେତେ ସୁନ୍ଦର ପାର୍କ, ସୁନ୍ଦରତର ଉଦ୍ୟାନ । ଧାଡ଼ି ଧାଡ଼ି ଓ୍ୱାଲନଟ୍‌, ଆପ୍ରିକଟ୍‌, ପିଚ୍‌, ଆପଲ୍‌, ଚେରୀଗଛ । ବର୍ଷା ମାଡ଼ରେ ଫୁଲର ଫସଲ ନଷ୍ଟ ହୋଇ ଯାଇଛି, ତୋଫାନରେ ଅଗି ଡାଳ ଭାଜି ପଡ଼ିଛି; ପତର ଝଡ଼ି ଗଦା ହୋଇ ଯାଇଛି । କାହିଁକି ଏ ଫୁଲ ଫୁଟିଲା, ପତ୍ର କଅଁଳିଲା ? କାହିଁକି ବା ଝଡ଼ିଲା ? ସ୍ରଷ୍ଟା ତା କୀର୍ତ୍ତି ରକ୍ଷା କଲା ନାହିଁ କାହିଁକି ? ସୃଷ୍ଟିର ଏ ଶୋଚନୀୟ ପରିଣତି ତା ମନରେ କି ବେଦନା ଆଣୁ ନ ଥିବ ? ପ୍ରକୃତିର ଚରିତ୍ରରେ ଦୁଇଟି ବିଭାବ—ସର୍ଜନ ଆଉ ବିସର୍ଜନ; ସୃଷ୍ଟି ଆଉ ଧ୍ୱଂସର ଦେବତା ଯେପରିକି ହାତ ଧରାଧରି ହୋଇ ଚାଲିଛନ୍ତି !

 

ବାଟରେ ଟଙ୍ଗାରୁ ଓହ୍ଲାଇ ଚା’ କପେ କପେ ଖାଇ ଅଥର୍ବ ଅଧରକୁ ସଚଳ କଲୁ । ଗୁଡ଼ିଆର ଶୋକସନ୍ତାପର ଅନ୍ତ ନାହିଁ, କାଲି ପହିଲି ବୈଶାଖ ମେଳା ହୋଇଥିଲା; ସବୁ ବର୍ଷ ହଜାର ହଜାର ଯାତ୍ରୀ ହୁଅନ୍ତି, ମେଳା ଜମେ, ଦୋକାନୀର ବେଶ୍‌ ଦୁଇ ପଇସା ହାତ ପୈଠ ହୁଏ । ଗୁଡ଼ିଆ ଲାଲ୍‌, ନୀଳ ଜରି କାଗଜର ଜଞ୍ଜିର ବାନ୍ଧି ଦୋକାନଟି ସଜେଇଥିଲା, ଦୁଇ ପଟେ ଚେରୀ ଫୁଲର ଡାଳ, କେତେ ଚିତ୍ର, ଫଟୋ ଖଞ୍ଜିଥିଲା, ଥାଳିରେ ସଜାଡ଼ି ରଖିଥିଲା ଜାତି ଜାତିକା ରଙ୍ଗୀନ୍‌ କାଶ୍ମୀରୀ ମିଷ୍ଟାନ୍ନ, ଏଠି ଛିଡ଼ା ହେବା ମାତ୍ରେ ଲୋକଙ୍କ ପାଟି ପାଣେଇଥାନ୍ତା, ଝଡ଼େଇଥାନ୍ତା ବରକୋଳି ପରି ପଇସା, ପୂରି ଯାଇଥାନ୍ତା ତାର କମକୁଟକରା କାଠ ବାକ୍‌ସ, ଲୋଭାତୁର ମନ । କର୍ମ ବାମ, ସେ କଥା ହେଲାନାହିଁ, ଅକାଳ ବର୍ଷା ସବୁ ସାରିଦେଲା; ଦୋକାନ ଆଗରେ ଆଣ୍ଠୁଏ କାଦୁଅ, ପେଣ୍ଡାଏ ପାଣି, ଗୁଡ଼ିଆ ମୁଣ୍ଡରେ ହାତ ଦେଇ ଭାବୁଛି—ଭାବୁଛି ।

 

ପ୍ରାୟ ଦିନ ଦଶଟା ବେଳେ ନିଶାତ ପ୍ରମୋଦ ଉଦ୍ୟାନରେ ପହଞ୍ଚିଲୁ; ଗୋଟାଏ ନିଶାରେ ଚାଲିଆସିଲୁ ସିନା, ଓଦାରେ ପାଦେ ଚଙ୍କିବାକୁ ମନ ହେଲା ନାହିଁ । ଦେଉଳ ଦୁଆରକୁ ଆସି ଦର୍ଶନ ନ କରି ଫେରିଯିବା ଅନ୍ୟାୟ । ଦଳେ ମାଳୀ ବଗିଚା ସାମ୍ନା ଘରେ ବସି କଙ୍ଗଡ଼ି ପୋହୁଁଥିଲେ । ସେମାନଙ୍କ ଛତା ଧରି ଆମେ ବଗିଚାରେ ପଶିଲୁ । ବଗିଚାର ରାସ୍ତା ପ୍ରଶସ୍ତ, ତାର ଦୁଇ ପାଖରେ ଲାଲ୍‌, ହଳଦିଆ, ବାଇଗଣୀ ଫୁଲ ପବନରେ ଲହଡ଼ା ମାରୁଛି । ଫଳ ବଗିଚା ମଧ୍ୟରେ ସ୍ଥାନେ ସ୍ଥାନେ ସବୁଜ ପ୍ରାନ୍ତର; ମଧ୍ୟେ ମଧ୍ୟେ ସୁବିସ୍ତୃତ ଚିନାର୍‌, ଦୀର୍ଘ ପପ୍‌ଲାର୍‌, ଅଙ୍ଗୁରଲତା, ଚିହ୍ନା ଅଚିହ୍ନା ବହୁ ଫୁଲ ଗଛ; ପାଖୁଡ଼ାରେ ଲୁହ ଢଳ ଢଳ ହେଉଛି—ସେମାନେ ଯେପରିକି କହୁଛନ୍ତି—ବର୍ଷା ଚାହୁଁ ନାହିଁ, ଫେରାଇ ଦିଅ ଆମର ପ୍ରାଣରୋମାଞ୍ଚକାରୀ ପ୍ରିୟତମ ବସନ୍ତ ।

 

ଉଦ୍ୟାନର ପରିବେଶ ମନୋରମ । ପୃଷ୍ଠଦେଶରେ ତୁଷାର ପର୍ବତ, ସାମ୍ନାରେ ହ୍ରଦ, ଦୁହିଙ୍କର ଯୋଗସୂତ୍ର କ୍ଷୁଦ୍ର ବୃହତ୍‌ ବହୁ ଝରଣା । ସେମାନେ ପାହାଡ଼ର ବିଭବ ଆଣି ହ୍ରଦରେ ଜମାନ୍ତି, ଉଦ୍ୟାନ ପଥରେ ପୁଷ୍ପମୟୀ ନର୍ତ୍ତକୀ ରୂପରେ ଜନମନ ହରଣ କରନ୍ତି । ପର୍ବତ ମୂଳ ପର୍ଯ୍ୟନ୍ତ ସ୍ତର ପରେ ସ୍ତର ଉଦ୍ୟାନ ଉଠିଛି, ମଝିରେ ମଝିରେ ବିଶ୍ରାମ ଘର । ବହୁ ପଥ ଦ୍ୱାରା ବିଭିନ୍ନ ଅଞ୍ଚଳ ସଂଯୁକ୍ତ । ନୁର୍‌ଜାହାନଙ୍କ ଭାଇ ଆସଫ୍‌ ଖାଁ ଏ ଉଦ୍ୟାନ ରୋପଣ କରିଥିଲେ ।

 

ସମଗ୍ର ନିଶାତରେ ବୁଲିବା ତ ସମ୍ଭବ ହେଲା ନାହିଁ, ଚୌଦିଗରେ ଥରେ ଦ୍ରୁତ ଦୃଷ୍ଟି ବୁଲାଇ ଆଣି ଚାଲିଲୁ ସାଲ୍‌ମାର ଅଭିମୁଖେ । ସାଲ୍‌ ଅର୍ଥ ପର୍ବତ, ମାର୍‌ ଅର୍ଥ ସୁନ୍ଦର । ସାଲ୍‌ମାର ଅର୍ଥ ସୁନ୍ଦର ପର୍ବତ । ଅନ୍ୟ ଅର୍ଥ ପ୍ରୀତି ଉଦ୍ୟାନ । ଏହି ଉଦ୍ୟାନର ପୃଷ୍ଠଦେଶରେ ସ୍ତର ପରେ ସ୍ତର ହୋଇ ହିମାଦ୍ରିର ବହୁ ଶୃଙ୍ଗ ରହିଅଛି । ଭୂମି ସମତଳ ନୁହେଁ, ପାହାଡ଼ ଢାଲୁ ଧୀରେ ଅବନତ ହୋଇ ଆସିଛି । ନିଶାତ୍‌ ଆଉ ସାଲ୍‌ମାର ଗୋଟିଏ ଅନ୍ୟଟିର ପୁନରୁକ୍ତି ମାତ୍ର, ଛାଞ୍ଚ ଏକ, ଛନ୍ଦ ଏକ । ତେବେ ପରିବେଶ ଭିନ୍ନ । ସାଲ୍‌ମାର ସାମ୍ନାରେ ହ୍ରଦ ନାହିଁ । ପୁଣି ପୃଷ୍ଠଦେଶର ଦୁଇ ପାହାଡ଼ ସ୍ତର ଦିଗ୍‌ବଳୟକୁ ପଶି ଯାଇଅଛି, ମଝିରେ ଉପତ୍ୟକା । କହୁଡ଼ି ଦୁଇ ପାହାଡ଼ ଉପରେ ହାତ ଭରା ଦେଇ ଉପରକୁ ଉଠୁଚି, ଉଠୁଚି ଶୂନ୍ୟଗାମୀ ଦୈତ୍ୟପରି । ହାଓ୍ୱାର ଆବେଗରେ ବର୍ଷାର ବେଗ ବଢ଼ି ଚାଲିଛି, ହିମାଦ୍ରିର କନ୍ଦର ଗର୍ଜି ଉଠୁଛି ମେଘର ସାମାନ୍ୟ ଗର୍ଜନରେ । ଖାଲି ବର୍ଷା-ବର୍ଷା, ଗଛଲତାର ମର୍ମର, ଜଳର କଳ କଳ ଧ୍ୱନି, ଆମେ ଆଉ ଦେଖିବୁ କଣ ? ଯାହାକୁ ଦେଖିବାକୁ ଆସିଛୁ, ସେ ଆମର ଶତ୍ରୁ । ଏଠି କେତେ ବ୍ୟକ୍ତି କେତେ ଉପଭୋଗ କରି ଯାଇଥିବେ, କେହି ଚନ୍ଦ୍ରିକାରେ, କେହି ସଜ୍ଜିତ ଆଲୋକମାଳାରେ, ଫୁଲର ରେଣୁରେ ମିଶି ମନ କେଉଁ ଅଜଣା ଦେଶକୁ ଭାସି ଯାଇଥିବ । ପାହାଡ଼ୀ ପ୍ରକୃତି ଦେଖି କିଏ କେତେ କବିତା ଲେଖିଥିବେ । ଦୁର୍ଭାଗ୍ୟକୁ ଆମେ ପଡ଼ିଛୁ କେଉଁ ବଦଖିଆଲୀ ରୁଦ୍ର ଦେବତାର ଷଡ଼ଯନ୍ତ୍ରରେ । ପ୍ରକୃତିର ପ୍ରେୟସୀ ମୂର୍ତ୍ତି ନାହିଁ, ଭୈରବୀ ରୂପରେ ସେ ବିଭୀଷିକା ଦେଖାଉଛି । ଆକାଶେ ଆକାଶେ ଘୋଟିଛି ତାର ମୁକୁଳା କେଶ-। ବାଦଲର ପଣତ ଉଡ଼ାଇ ପର୍ବତପାଦରେ ସେ ଆମ ଆଡ଼କୁ ମାଡ଼ି ମାଡ଼ି ଆସୁଛି, କୁହୁଡ଼ିଆ ହାତରେ ସତେ ଯେପରି ଆମକୁ ପେଷିଦେବ !

 

ମାଳୀମାନେ ଆମକୁ ଫୁଲତୋଡ଼ା ଉପହାର ଦେଲେ—ସସ୍ମିତ ଅଧରରେ ଯେପରିକି କହିଲେ—ହେ ବିଦେଶୀ, ଆମେ ତୁମକୁ ଜାଣୁନାହୁଁ, ତୁମର ଭାଷା ଜାଣୁନାହୁଁ; ତଥାପି ତୁମେ ଆମର ଏକାନ୍ତ ଆପଣାର । ଦୁର୍ଦ୍ଦିନରେ ପହଞ୍ଚିଛ, କଣଦେବୁ ? ଆମ ଅନ୍ତର୍ଗତ ଶ୍ରଦ୍ଧା ନିଅ, ଫୁଟିଛି ଏଇ ଫୁଲତୋଡ଼ାରେ । ମୁଁ ଭଙ୍ଗା ଭଙ୍ଗା ହିନ୍ଦୀରେ କହିଲି—ଭାଇମାନେ, ଆର୍ଥିକ ଦିଗରୁ ତୁମ୍ଭେମାନେ ଦରିଦ୍ର ସତ୍ୟ, କିନ୍ତୁ ପୁଷ୍ପସୌରଭରେ ତୁମ୍ଭମାନଙ୍କର ପ୍ରାଣ ଚିର ସମୃଦ୍ଧ, ପୁଷ୍ପର ସୌନ୍ଦର୍ଯ୍ୟମହଲରେ ତୁମର ଜୀବନ ବିତୁଛି, କର୍ମର ସାଧନାରେ ତୁମେମାନେ ସୌନ୍ଦର୍ଯ୍ୟକୁ ଫୁଟାଉଛ, ଫଳାଉଛ । ସାଧାରଣ ଆଖିରେ ଏହା ଉଦରପୋଷଣ ହୋଇପାରେ, କିନ୍ତୁ ରୂପଦେବତାର ଏ ଆରାଧନାର ସୁଯୋଗ କେତେ ଜଣକୁ ମିଳେ ? ଯେଉଁ ଶ୍ରମିକ ଧୂଳି ଧୂଆଁରେ କାରଖାନାରେ କାମକରେ, ତା ଦୁଃଖକ୍ଳେଶ ଚିନ୍ତାକର । ତା ତୁଳନାରେ ତୁମେମାନେ ସୁଖୀ ନୁହଁ କି-? ମୋତେ ଫୁଲ ଉପହାର ଦେଲ, ତା ବଦଳରେ ମୁଁ କଣ ଦେବି ? କେବଳ ପ୍ରୀତି-ଆନନ୍ଦ । ଯେଉଁ ସମାନ୍ୟ ଅର୍ଥ ଦେଉଛି, ତା ଉପରବେଳାକୁ ନ ଥିବ, କିନ୍ତୁ ଆନନ୍ଦ, ମୋ ଅନ୍ତରର ଅଭ୍ୟନ୍ତରରୁ ନିଃସୃତ ହୋଇ ଆସୁଛି, ଏ କଳ୍ପଜୀବୀ ।

 

ପ୍ରକୃତି ଆମର ମନର ବେଦନା ବୁଝିଲା ନାହିଁ, ଅଥଚ ତାକୁ ଦେଖିବା ଲାଗି ଆମେ ଏତେ ଦୂର ପଥ ଶ୍ରମ କରି ଆସିଛୁ । ବାସ୍ତବିକ୍‌ ସେ ବଡ଼, ମଣିଷ ତାଠାରୁ ସ୍ୱତନ୍ତ୍ର, ମନର ଜମାଟ ଜଡ଼ତାକୁ ସେ ସ୍ନେହର କିରଣରେ ତରଳାଇ ଦେଲା । ମାଳୀମାନଙ୍କୁ ଅନ୍ତରର ଶ୍ରଦ୍ଧା ଜଣାଇ ଆମେ ଫେରିଲୁ ।

 

ରାସ୍ତା ଦୁଇ ପାଖରେ ଚାଳ ଘର, କାଶ୍ମୀରିଣୀ କାନ୍ଥରେ ଘଷି ଛାପୁଛି, ପଦାକୁ ଯାଇ ନ ପାରି ଗାଈମାନେ ହମ୍ୱାଳୁଛନ୍ତି । ଛେଳିଟିଏ ପନ୍ଦାଡ଼ରେ ଛିଡ଼ା ହୋଇ ପାକୁଳି କରୁଛି । କେତେ କେତେ ଦୃଶ୍ୟ ପଛକୁ ପକାଇ ଆମେ ଚାଲିଛୁ ଆଗକୁ, ନୂତନର ଆହ୍ୱାନରେ ପୁରାତନକୁ ବିସର୍ଜନ ଦେବାକୁ ହେବ, ଏଇ ଆଶ୍ୱାସନାରେ ।

 

ଫେରିବାଲା

 

ହଠାତ୍‌ ଟଙ୍ଗା ଅଟକି ଗଲା, କଥା କଣ ? ଗଣ୍ଠିରିଏ ଲୁଗା ଘେନି ଗୋଟିଏ ଲୋକ ଚାଲିଛି, ବର୍ଷାରେ ଭିଜି ଏହାର ଓଜନ ଦୁଇ ଗୁଣ ବଢ଼ିଯାଇଛି, ତାକୁ ବୋହି ବୋହି ଲୋକଟିର ଅଣ୍ଟା କିଟି କିଟି ଡାକୁଛି, ସେ ନଇଁ ନଇଁ ଭାଜି ପଡ଼ିଛି, ଗଣ୍ଠିରିଟି କେଉଁଠି ରଖି ଦିଅନ୍ତା ! କାଦୁଅରେ କେଉଁଠି ରଖିବ ? ଶୀତରେ ତାର ଓଠ ପଡ଼ୁଚି, ଉଠୁଚି । ପାଟି ଫିଟୁନାହିଁ, ଇସାରାରେ କହିଲା, ଆଉ ବୋହିବାକୁ ଶକ୍ୟ ନାହିଁ, ଏ ଗରିବକୁ ନେଇ ଯାଅ । ଶିଖ୍‌ ଟଙ୍ଗାବାଲା, ମୁହଁରେ ଦାଢ଼ି, ମୁଣ୍ଡରେ ପଗଡ଼ି—ଲଗାମ୍‌ ଟାଣି ଧଇଲା; ଆମକୁ ଶୁଣେଇ ଶୁଣେଇ କହିଲା—ସଂସାର ଭଗବାନଙ୍କ ଲୀଳା, କାହାକୁ କଷ୍ଟ ଦେଲେ ଭଗବାନ କଷ୍ଟ ଦିଅନ୍ତି । ସେ ଫେରିବାଲାଟି ଆଜି ଆପଦରେ ପଡ଼ିଛି, କାଲି ଆମେ ପଡ଼ିବା; ସାହାଯ୍ୟ କରିଥିଲେ ସାହାଯ୍ୟ ମିଳେ । ସେ ଟଙ୍ଗାରେ ବସୁ । ବିନା ଭଡ଼ାରେ ଯେ ଟଙ୍ଗାବାଲା ତାକୁ ଶ୍ରୀନଗର ଘେନିଯିବ, ତା ନୁହେଁ । କଥା ଆଉ କାର୍ଯ୍ୟ ମଧ୍ୟରେ ଅନେକ ତଫାତ୍‌ । ଆମେ ଆପତ୍ତି କଲୁ—ପାଞ୍ଚଟଙ୍କା ଆଠଅଣା ଭଡ଼ା ନେବୁ, ଆହୁରି ଲୋଭ ? ଏ କଥା କହିଦେଲୁ ସିନା, ଫେରିବାଲାର ଦୁର୍ଦ୍ଦଶା ଦେଖି ମନ କଣ ହୋଇଗଲା; ବିଚରା ୬ । ୭ ମାଇଲ୍‌ ଏମିତି ଚାଲି ଚାଲି ଗଲେ ସର୍ଦ୍ଦି ଘୋଟିଯିବ, ପେଟକୁ ଅଣ୍ଟୁ ନ ଥିବ, ଚିକିତ୍ସା ପାଇଁ ପଇସାଟିଏ କାହୁଁ ପାଇବ ? ତା ଅର୍ଜନରେ ପିଲାଙ୍କ ପାଟି ବୁଲେ, ବାଧିକି ପଡ଼ିଲେ ପିଲାଝିଲା କି କଷ୍ଟ ନ ପାଇବେ ! ସେ ବସୁ, ଆମେ ତ କଷ୍ଟ ପାଇବା ପାଇଁ ଆସିଛୁ, ଦୁଃଖ ଦେହସୁହା ହୋଇଗଲାଣି; ଖୁନ୍ଦାଖୁନ୍ଦିରେ ଆଉ ଟିକିଏ କଷ୍ଟ ହେବ, ହେଉ ।

 

ଫେରିବାଲା ତା ଲୁଗା ଗଣ୍ଠିରିଟି ନଦି ବସିଲା । ବିଚରା ପଶୁର ବେଦନା ବଢ଼ିଲା, ସକାଳୁ ସେ ତିନ୍ତୁଚି, ଶୀତରେ କୁଙ୍କୁରିକାଙ୍କରି ହୋଇଯାଉଛି, ସକାଳୁ ପେଟରେ କଣ ପଡ଼ିଛି କେଜାଣି; ପୁଳାଏ ଘାସ କି ପୁଳାଏ ଦାନା ! ପ୍ରାୟ ୪ଟା ବାଜିଲାଣି, ପେଟରେ ସେ କୁଆଡ଼େ ପାଣି ହୋଇ ଯିବଣି । ମେଞ୍ଚା ମେଞ୍ଚା ନେଳିଆ ଫେଣ ଗାଳୁଛି, ଦୀର୍ଘଶ୍ୱାସ ପକଉଛି; ପଶୁ ଜନ୍ତୁ, ପାଟି ଫିଟୁନାହିଁ ବୋଲି ସିନା, ନୋହିଲେ କଣ ସେ ନିଜ ଦୁଃଖ କହନ୍ତା ନାହିଁ ? ମାଲିକ କୋରଡ଼ା ଉପରେ କୋରଡ଼ା କଷୁଚି, ସେ ଦୌଡ଼ୁ, ପାରୁ ନ ପାରୁ ଦୌଡ଼ୁ । ଯାତ୍ରୀଙ୍କ ଧାରଣା ହେଉ, ତା ଘୋଡ଼ା ଭାରି ଭଲ ।

 

ଗୁପ୍ତଗଙ୍ଗା

 

ପୁଣି ଟଙ୍ଗା ଅଟକିଲା, ଭାରତବର୍ଷର କେଉଁ ପ୍ରଦେଶରେ ଏ ପୁଣ୍ୟଜଳା ନଦୀ ପ୍ରତି ଭକ୍ତି, ଶ୍ରଦ୍ଧା ପ୍ରକାଶ ପାଇନାହିଁ ? କେଉଁଠି ଏଇ ନାମରେ ତୀର୍ଥ ନାହିଁ ? ଗଙ୍ଗା ମାଟି ତଳେ ତଳେ ବୋହି ଆସି ଶିବଙ୍କ ମୁଣ୍ଡରେ ପଡ଼ୁଛନ୍ତି, ଶିବ ପ୍ରକୃତରେ ଏଠି ଗଙ୍ଗାଧର । ଝରଣାର ଜଳ ବୋହିଯାଇ ଗୋଟିଏ କୁଣ୍ଡରେ ଜମୁଛି, ତା ପରେ ଡାଲ୍‌ଲେକ୍‌କୁ ବୋହି ଯାଉଛି । ଏଇ ଝରଣା ପାଖରେ ଶଙ୍ଖମଲମଲ ପଥରର ମନ୍ଦିର, ଦୁଆରେ ଚାବି ପଡ଼ିଛି । ଦେବତାଙ୍କର ଦର୍ଶନ ମିଳିଲା ନାହିଁ । ତାଙ୍କ ପ୍ରାଙ୍ଗଣରେ ଯାବତୀୟ ଆବର୍ଜନା ଜମିଛି, ବୋଧେ ବେଶୀ ଲୋକ ଯାତାୟାତ ନାହିଁ, କାଳକ୍ରମେ ଦେବତାଙ୍କ ପ୍ରତିଷ୍ଠା ଊଣା ହୋଇଛି, ଏବେ ତ ଏ ଅବସ୍ଥା, ଯେତେବେଳେ ଲୋକେ ଆତ୍ମଶକ୍ତିରେ ବିଶ୍ୱାସୀ ହେବେ, ରୋଗ, ଦୁଃଖ ଶୋକରେ ଦେବତାଙ୍କୁ ଡାକିବେ ନାହିଁ, ସେତେବେଳେ ଏ ଦେଉଳ ଆଉ ଦେବତାଙ୍କ ଅବସ୍ଥା କଣ ହେବ ?

 

ମନ୍ଦିରକୁ ଲାଗି ଗୋଟିଏ ଅତିଥିଭବନ ଅଛି, ମେଳାମଉଛବରେ ଏଥିରେ ଯାତ୍ରୀ ରହୁଥିବେ । ଏବେ କୁକୁରମାନେ ବଳାତ୍କାର ଅଧିକାର କରି ରହିଛନ୍ତି, ଆମକୁ ଦେଖି ସେମାନେ ଝାଡ଼ିଝୁଡ଼ି ହୋଇ ଉଠିଲେ, ଗୋଡ଼ ହାତ ସଳଖି ଆଖିକୁ ଲାଲ୍‌କରି ଛିଡ଼ାହେଲେ—ଅର୍ଥାତ୍‌ ଆମ ସୁଖରେ ଆମେ ଶୋଇଥିଲୁ, ଆମକୁ ଉଠେଇଲା କାହିଁକି ? ବାଟୋଇ ଲୋକ ଆସିଛ, ବାଟରେ ଯିବ, ଏ କି ବ୍ୟବହାର ! ଜଣେ କିଏ ସେଠି ବୁଲୁଥିଲା, ବାଳ ନୁଖୁରା, ମୁହଁରେ ରୁଢ଼ ବଢ଼ିଛି, ଗଛ ଗହଳରୁ ବାହାରି ପଡ଼ି ହଠାତ୍‌ ଆମକୁ ଚମକାଇ କହିଲା—Do not raise a sleeping dog. ଅର୍ଥାତ୍‌ ତୁମକୁ କାମୁଡ଼ିବେ, ମୋତେ ବି । କୁକୁରଙ୍କ ମୁଣ୍ଡ ଥଣ୍ଡା ଥାଏ, ସେମାନେ ଜାଣନ୍ତି, ଆମେ ସେମାନଙ୍କୁ ଉଠାଇ ନାହୁଁ, ବିନା ଲାଇସେନ୍‌ସରେ ଅତିଥିଭବନରେ ପଶିଛନ୍ତି, ଏଇ ଭୟ ସେମାନଙ୍କୁ ବିଚଳିତ କଲା, ନୀରବ ରଖିଲା ।

 

କୁକୁରଗୁଡ଼ାକ ଦେଖିବାକୁ ମହାବଳ ପରି ଭୀଷଣ, ଶୀତଳ କଳବାୟୁରେ ଷଣ୍ଢା ଷଣ୍ଢା ହୋଇ ବଢ଼ିଛନ୍ତି, ତା ଛଡ଼ା ଆମ ପ୍ରଦେଶର କୁକୁରଙ୍କ ପରି ସେମାନେ ଯନ୍ତ୍ରତନ୍ତ୍ର ବୁଲି ଆବର୍ଜନା ଖାନ୍ତି ନାହିଁ । ସହରରେ ଯେପରି ବୃଷଭ ପାଇଁ କିଏ କୁଳୁଚି, କିଏ ଖୁଦ, ଗହମଚୋକଡ଼ ରଖିଥାନ୍ତି, ବୃଷଭ ଥାକ ଜାଣି ସେଇ ଲୋକଙ୍କ ଦୁଆରେ ଉଭା ହୋଇ ପ୍ରାପ୍ୟ ଆଦାୟ କରେ, ଏ ପ୍ରଦେଶରେ ସେହିପରି କୁକୁରମାନେ ଦ୍ୱାରେ ଦ୍ୱାରେ ଛିଡ଼ା ହୁଅନ୍ତି, ଦାତା ସେମାନଙ୍କ ଆଡ଼କୁ ରୁଟି ଛିଣ୍ଡାଇ ଫୋପାଡ଼େ । ରୀତିମତେ ଖାଇଲେ କୁକୁର ବଦନ ନ ବୋହିବେ କାହିଁକି ?

 

ସେ ଲୋକଟି ଆମଠାରୁ ବିଦାୟ ନେଲା, ଚାଲିଚଳନରୁ ବୁଝିଲୁ—ସେ ଆଡ଼ପାଗଳା, ମୁଣ୍ଡ ଠିକ୍‌ ନାହିଁ, ତୁଣ୍ଡ ଥରୁଛି, ମନେ ମନେ ଆକାଶ ପାତାଳ କଣ ଯେ ଗପୁଚି, ସେଇ ଏକା ଜାଣେ-। ଦୃଷ୍ଟି ତାର ଅର୍ଥ—ଶୂନ୍ୟ, ମୁଖ ବିବର୍ଣ୍ଣ, ବୁଲିବା ତାର ଅଭ୍ୟାସ, ଭାର୍ଯ୍ୟା ନାହିଁ, ପିଲାଝିଲା ନାହାନ୍ତି, ଚାକିରୀ ଛାଡ଼ିଛି; ସେ ଖାଲି ବୁଲୁଛି, ଆହା ଖାଲି ବୁଲୁଛି !

 

ଆକାଶ ମଝିରେ ମେଘ ଟିକିଏ ଫାଟି ପଡ଼ିଲା, ସେଇ ଫାଙ୍କରେ ଉଙ୍କି ମାଇଲା ନୀଳ ଆକାଶ; ଗୋଟାଏ ବିରାଟ ଜଳପ୍ରପାତ ପରି ଅଜାଡ଼ି ହୋଇପଡ଼ିଲା ଖରା, ହୀରାର ଦର୍ପଣ ପରି ଝଟକି ଉଠିଲା ପର୍ବତପୃଥିବୀ । ଆଖି ଚାହିଁ ସହିଲା ନାହିଁ, ସ୍ୱପ୍ନପୁରୀର ଏଇ ଜମାଟ ଚନ୍ଦ୍ରିକା ସୌଧରେ ଶ୍ରାନ୍ତ ମନ ସତେ କି ଶୋଇ ପଡ଼ିଲା !

Image

 

ଅଳସ ଦିନର ସଞ୍ଚୟ

 

ଟୋପି ବରଷା, ମଝିରେ ମଝିରେ ମୂଷଳ ଧାରା; ଦମ୍‌କା ପବନ ଝରକା କବାଟରେ ଚାବୁକ ମାରୁଛି, କଙ୍ଗଡ଼ି କୋଳରେ ଯାକି ଆମେ ବସିଛୁ—ଓଃ, ଏ ବର୍ଷା ଆଉ ଛାଡ଼ିବ ନାହିଁ । ଭଟ୍ଟ ଟାହୁଲି କଥା ପକାଇ ନିର୍ଜୀବ ମୁହୂର୍ତ୍ତଗୁଡ଼ିକୁ ସକ୍ରିୟ, ସତେଜ ଓ ସାବଲୀଳ ରଖିଛନ୍ତି । କହିଲି—ଭଲ ଯୋଗନକ୍ଷତ୍ରରେ ଦଧିମାଛ କରିନାହୁଁ, କାଶ୍ମୀର ଭ୍ରମଣଟା ମାଟି ହୋଇଗଲା । ଗଭୀର ନୈରାଶ୍ୟର ଦୁଇ ସାଥୀ ନୀରବ, ମୋ କଥା ସେମାନଙ୍କ ହୃଦୟରେ ବୋଧେ ପ୍ରତିଧ୍ୱନିତ ହେଲା, ଧ୍ୱନିଠାରୁ ଉଚ୍ଚତର ଶବ୍ଦରେ । ବହୁ କଷ୍ଟରେ ଅର୍ଥ ଆୟୋଜନ କରି ସେମାନେ ଆସିଛନ୍ତି, କାଶ୍ମୀରର ବସନ୍ତରାଗିଣୀ ଶୁଣିବେ, ଏ ଯେ କେବଳ ମେଘମହ୍ଲାର, ଅହୋରାତ୍ର ‘ମେଘଦୂତ’ର ହିଁ ଅଭିନୟ, ପୁନରାଭିନୟ ଚାଲିଛି । ବସି ବସି ଅଣ୍ଟାପିଠି ବଥେଇଲାଣି, ମନରେ ଘୋର ଅବସାଦ । ଭାବିଥିଲି, କାର୍ଯ୍ୟ କଷ୍ଟକର, ଅନୁଭବରେ ବୁଝିଲି, କାର୍ଯ୍ୟଗ୍ରାହୀ ବ୍ୟକ୍ତି ପକ୍ଷରେ ବସିରହିବା ଆହୁରି କଷ୍ଟକର । ଭଟ୍ଟ ଆଶ୍ୱାସନା ଦେଲେ—ଏ ଋତୁରେ ବର୍ଷା ନିତାନ୍ତ ଅସ୍ୱାଭାବିକ, ଦ୍ୱିତୀୟରେ ଏହା ଏବେ କଳନାର ସୀମା ଟପିଗଲାଣି, ପାଗ ଖରାଟିଆ ହେବ, ଅଲବତ୍‌ ହେବ । ସତକୁ ସତ ଦିନ ଦିଟା ବେଳକୁ ଟିକିଏ ଫରଚା ହେଲା; ଖରା ପଡ଼ିଲା ନାହିଁ ସତ, ସୂର୍ଯ୍ୟ ବଉଦର ପାତଳ ପରଦା ଭିତରୁ ସସ୍ନେହ ଦୃଷ୍ଟିରେ ଅଶ୍ରୁମୟୀ ପୃଥିବୀକି ଅନେଇଲେ; ଅନିଶ୍ଚିତ ପାଗ, ଦୂରବର୍ତ୍ତୀ ଜାଗାକୁ ଯିବା ସମ୍ଭବ ନୁହେଁ । ବସିବା ଅପେକ୍ଷା କାଶିବା ନ୍ୟାୟରେ ଆମେ ଶ୍ରୀନଗର ବୁଲି ବାହାରିଲୁ । ସ୍ୱଳ୍ପ ଗରମ ଜାମା ଦେହରେ ପାଣି ହୋଇଗଲା । କମ୍ୱଳ ଘୋଡ଼ି ହୋଇ ରାସ୍ତାରେ ଯିବାକୁ ସଙ୍କୋଚ ଆସିଲେ ବି ବାଧ୍ୟ ହେଲୁ । ଏ ଦେଶରେ ଆମ ପରି ଆଉ ଜଣେ କାହାକୁ ଦେଖିଲୁ ନାହିଁ, ନିତାନ୍ତ ଯେ ସର୍ବହରା, ସେ କମ୍ୱଳକୁ କୋଟରେ ପରିଣତ କରିଛି ।

 

ବଜାରରେ ସୁଅ ଭାସୁଛି, ଲୋକଗହଳ ନାହିଁ, ଟଙ୍ଗାଟାଏ କି ମଟରଟାଏ ଛୁଟିଛି । ଛିଟିକା ଭୟରେ ପାଖେଇ ପାଖେଇ ଆମେ ବଡ଼ ରାସ୍ତା ମୋଡ଼ରେ ପହଞ୍ଚିଲୁ, ଜହରତ୍‌ ଦୋକାନ; କେତେଦିନ ହେଲା ଗୋଟିଏ ପଇସା ବିକ୍ରୀ ହୋଇନାହିଁ । ଦୋକାନୀ ଏଇ ଦୋକାନ ଖୋଲୁଛି, ଆଖିରେ ଆଦର ପୂରେଇ ଡାକିଲା । ଆମେ କହିଲୁ—କାଶ୍ମୀର ଦେଖିବାକୁ ଆସିଛୁ, ମୋତି ମାଣିକ୍ୟ କିଣିବାକୁ ନୁହେଁ । ଦୋକାନୀ କହିଲା—ନ କିଣନ୍ତୁ, ଯେମିତି ସବୁ ଦୃଶ୍ୟ ଦେଖୁଛନ୍ତି, ୟାକୁ ବି ଦେଖନ୍ତୁ । ଖାଲି ହିମାଳୟର ବରଫ ଉପରେ ନଜର ରଖିଲେ କଣ ହେବ, ତା ଭିତରେ କି କି ରତ୍ନଅଛି ଦେଖିବା ଦରକାର । ୟା କହି ସେ କାଚ ଆଲ୍‌ମାରୀରୁ ପୁଟୁଳାକୁ ପୁଟୁଳା କାଢ଼ି ଆଣିଲା–ଏ ପଦ୍ମରାଗ, ଏ ଇନ୍ଦ୍ରନୀଳ, ଏ ହୀରା, ଏ ନୀଳା, ଏ ଗୋଲାପ ପଥର, ଏ ଗୋମେଦ ଇତ୍ୟାଦି । ‘‘ଏ ରାଜାରାଜୁଡ଼ାଙ୍କ ଜିନିଷ, ସେମାନେ ସିଂହାସନରୁ ତଳକୁ ଖସିଲେଣି, ଏ ସବୁ କିଣୁଛି କିଏ ?’’

 

‘‘ଆପଣଙ୍କ ପରି ରାଜା, ସାହେବ । ବର୍ଷକୁ ୩ ଲକ୍ଷ ଟଙ୍କାର ଜିନିଷ ଭାରତର ବଣିଆଙ୍କ ପାଖକୁ ଆମେ ପଠାଉଛୁ ।’’

 

‘ଦାମ୍‌ କଣ ?’

 

‘ଏ ଖାଣ୍ଟି ପଦ୍ମରାଗ, ଏହାର ଦାମ୍‌ ଦଶଟଙ୍କା; ଏ ନୀରସା, ଏହାର ଦାମ୍‌ ଦୁଇଟଙ୍କା । ଏ ରୋଜ୍‌ଷ୍ଟୋନ, ସେଟ୍‌ (ପାଞ୍ଚୁଟା ଥାଏ) ଦେଢ଼ଟଙ୍କା; ଏ ଧଳା ପଥର, ସେଟ୍‌ ଏକ ଟଙ୍କା । ମନେ ମନେ ଖୁସିଟାଏ ହୋଇପଡ଼ି ଭାବିଲ—Dam cheap । ଅର୍ଥାତ୍‌ ଆମ କିଣିବା ଶକ୍ତିର ବାହାରେ ନୁହେଁ । ଗୋଟା କେତେ କିଣାଯାଉ, ପ୍ରିୟଜନଙ୍କୁ ଉପହାର ଦିଆଯିବ, ନୋହିଲେ ସ୍ମୃତି ହୋଇ ରହିବ । ଦୋକାନୀ ଆମ ମନର ଅବସ୍ଥା ଠଉରେଇ ଜିନିଷର ମହିମା, ମାଧୁର୍ଯ୍ୟ ବଖାଣିବାକୁ ଲାଗିଲା । ଆମେ ପକ୍‌କା ବ୍ୟବସାୟୀ ଗାମ୍ଭୀର୍ଯ୍ୟରେ ପଚାରିଲୁ—ଏ ପଦ୍ମରାଗ ଯେ ବିଶୁଦ୍ଧ ଏହାର ପ୍ରମାଣ କଣ ? (ଅର୍ଥାତ୍‌ ଆମ୍ଭେମାନେ ଶିକ୍ଷିତ, ବିନା ପ୍ରମାଣରେ କୌଣସି ଜିନିଷ ଗ୍ରହଣ କରୁନାହୁଁ, କଅଁଳ କଥା କହି ଆମକୁ ଯେ ଭୁଲାଇବାକୁ ବସିଛ, ସେ ବୁଦ୍ଧି ଛାଡ଼) । ବ୍ୟବସାୟୀ ହସିଲା—ସେ ଖାଲି ମଣି, ରତ୍ନ ନୁହେଁ, ମଣିଷ ବି ତଉଲୁଛି । ଗର୍‌ହାକଙ୍କ ମନୋବିଜ୍ଞାନ ପଢ଼ି ପଢ଼ି ସେ ଗୋଟାଏ ପଣ୍ଡିତ ହୋଇଗଲାଣି । ସେ ସଙ୍ଗେ ସଙ୍ଗେ ଖଣ୍ଡିଏ କାଚ ଆଣି ତା ଉପରେ ମଣିରେ ଗୋଟିଏ ଗାର କାଟିଦେଲା, ତା ପରେ ଟିକିଏ ବଙ୍କେଇଲାରୁ ଗାରଠୁଁ କାଚଟି ଭାଙ୍ଗିଗଲା । ଏ ହେଲା ଏକ ନମ୍ୱର ପ୍ରମାଣ । ତା ପରେ ଟୋପାଏ ପାଣିଆଣି ମଣି ଉପରେ ପକାଇଲା, ପାଣି ଟୋପାଟି ସେ ଜାଗାରେ ଢଳ ଢଳ ହେଲା, ସମସ୍ତ ମଣିରେ ବ୍ୟାପ୍ତ ହେଲା ନାହିଁ । ଏ ହେଲା ଦୁଇ ନମ୍ୱର ପ୍ରମାଣ । ଅପ୍ରମାଣ କରିବାକୁ ଆମର କିଛି ନାହିଁ । କିଛି କିଛି କିଣିଲୁ । ଏବେ ଭାରତୀୟ ବଣିଆଙ୍କୁ ଦେଖାଇଲାରୁ ସେମାନେ କହୁଛନ୍ତି—ନକଲୀ ! ଦଶଟଙ୍କାକୁ ପଦ୍ମରାଗ ? ଆମେ ଗାଲୁ ପେଲୁଛୁ, ତୁମେ ତ ଭାରି ଖାଣ୍ଟି ଦିଅ ? ତୁମ ଠକାମି ତ ପ୍ରବଚନରେ ପରିଣତ ହେଲାଣି । ‘ବାଘ ନ ଦେଖିଲେ ବିରାଡ଼ି ଦେଖୁ ଠକ ନ ଦେଖିଲେ.... ।’

 

ତା ପରେ ଗୋଟିଏ ଫଳ ଦୋକାନରେ ପହଞ୍ଚିଲୁ—କିଛି କାଶ୍ମୀରୀ ଫଳ ଖିଆଯାଉ । ଏ ଫଳଋତୁ ନୁହେଁ । ଆପଲ୍‌ଗୁଡ଼ାକ ନିତାନ୍ତ ସୁକୁଟା । ସେର ବାରଅଣା । ଆଃ, ସଜ ଫଳରେ ସ୍ୱାଦୁତା ଟିକିଏ ହେଲେ ଏଥିରେ ନାହିଁ । ଥାଉ, ଥାଉ, ବେଶୀ ଆଣନାହିଁ । ଭାବିଲୁ—ଆମଦାନୀ ଜାଗା, ଅଙ୍ଗୁର ନ ମିଳିଲା, କିସ୍‌ ମିସ୍‌ ଗୁଡ଼ାକ ଖୁବ୍‌ ଶସ୍ତା ହୋଇଥିବ । ‘ଭାଇ, ଦାମ୍‌ କେତେ ?’ ‘ତିନିଟଙ୍କା’; ‘କିଛି ଜାଫ୍ରାନ୍‌ ନେବା; ୟାର ଦାମ୍‌ କେତେ ?’ ‘ତୋଳା ଆଠ ଟଙ୍କା’ । ଏ ଦରଦାମ୍‌ ଶୁଣି ଆମେ ବାଟେ ବାଟେ ଚାଲିଲୁ । କିନ୍ତୁ ବେଶୀ ଦୂର ଯିବାକୁ ହେଲା ନାହିଁ । କାଷ୍ଠ ଶିଳ୍ପ ଦୋକାନୀ ସାଦରେ ନିମନ୍ତ୍ରଣ କଲା । ଟେବୁଲ, ଚୌକୀ, ଫୁଲଦାନୀ, ନାଛଦାନୀ, ଧୂପଦାନୀ, ବାକ୍‌ସ, ରାକେଟ୍‌, ଟ୍ରେ ଏମିତି କେତେ କଣ; ଆମେ ମୂଲେଇଲୁ—ମୂଲେଇଲୁ । ଦୋକାନୀ ଟିକିଏ ଗମ୍ଭୀର ହେଲା, ତା କୃତ୍ରିମ ପ୍ରଫୁଲ୍ଲତାଟିକକ ଲୋପ ପାଇଗଲା—ବୋଧେ ବିଚାରିଲା—ଏ ଦେଖୁଣିଆ ଚାଖୁଣିଆ, ଖରିଦ୍‌ ଦାର ନୁହନ୍ତି । ଯେତେ ଶୀଘ୍ର ବିଦାୟ ନିଅନ୍ତି, ଉତ୍ତମ । ସେ ଅନ୍ୟ ଗର୍‌ହାକ ଆଡ଼କୁ ଆଖି ବୁଲେଇଲା, ପାଞ୍ଚୋଟି କଥା ପଚାରିଲେ ବଡ଼ କୁଣ୍ଠାରେ ଗୋଟିଏ ଉତ୍ତର ଦେଲା । ତା ମୁଖଭଙ୍ଗୀ ଦେଖି ଆମେ ଫେରିଲୁ, କିନ୍ତୁ ଯଥାର୍ଥ ଜବାବ ନ ଦେଇ ନୁହେଁ, ତୁମ ଜିନିଷଗୁଡ଼ାକ ଆମ ମନକୁ ପାଇଲା ନାହିଁ, କାରଣ ପ୍ରତ୍ୟେକଟିରେ ତୁମ ଦୁର୍ବ୍ୟବହାରର କଳଙ୍କ ଲାଗିଛି, ତା ପରେ ଗୋଟିଏ ଦୋମହଲା ଦୋକାନକୁ ଉଠିଲୁ । କାଶ୍ମୀରୀ ତୁଣ୍ଡରେ ଏ ହେଉଛି ‘ପେପିଅର ମିଶି’—କାଗଜ ଶିଳ୍ପ ଦୋକାନ । ଦୋକାନର ସାଜସଜା, ପରିଚ୍ଛନ୍ନତାର ତୁଳନା ନାହିଁ, ଦୋକାନୀ ବଡ଼ ଅମାୟିକ, ଆମକୁ ବୁଲେଇ ଦେଖାଇଲା—ଟେବୁଲ ଲ୍ୟାମ୍ପ, କଲମଦାନୀ, ପାଉଡ଼ରଡବା, ଟୟେଲେଟ୍‌ ସେଟ୍‌, ଟ୍ରେ, ବକ୍‌ସ, କାଚ ଆଲମାରୀରେ ସଜା ହୋଇ ରଖାଯାଇଛି । କାଗଜରେ ଯେ ଏପରି ସୁନ୍ଦର ଜିନିଷ ତିଆରି ହୋଇପାରେ ତା ଆମ କଳନାର ବାହାରେ । କେଉଁଟି ନେବା, କେଉଁଟି ନ ନେବା ? ସେଟ୍‌ ପରେ ସେଟ୍‌ ଦେଖିଲୁ—ସବୁ ସୁନ୍ଦର, ମନୋମୁଗ୍‌ଧକର । ଏଇଟି ନିଶ୍ଚୟ ନେବା, ନିଶ୍ଚୟ, ନିଶ୍ଚୟ । ଆଉ ଗୋଟିଏ ସେଟ୍‌ ଦେଖିଲାପରେ ସେ ସଂକଳ୍ପ ପାଣି ଫାଟିଯାଏ ! ଭାବି ଚିନ୍ତି ବୁଝିଲୁ—ଅର୍ଥ ହିଁ ଆମ ରୁଚିକି କେତେକ ପରିମାଣରେ ନିୟନ୍ତ୍ରିତ କରୁଛି । ବାଛି ବସିଲୁ—ଯେ ଅଳ୍ପ ଦାମ୍‌, ଅଥଚ ରୁଚିକର ହେବ । ଶେଷକୁ ଏ ଚାକଚକ୍ୟରେ ଏମିତି ବାଉଳା ହେଲୁ ଯେ କିଛି ସ୍ଥିର କରିପାରିଲୁ ନାହିଁ, ଖାଲି ହାତରେ ଫେରିଲୁ । ଦୋକାନୀ କାଳେ କଣ ଭାବିବ, ଏତେ ଖଟେଇଲୁ, ତାକୁ କହିଲୁ—ଅମକ ଅମକ ସେଟ୍‌ ଆମର ଭାରି ପସନ୍ଦ ହୋଇଛି, କାଲି ନେବୁ, ଆଉ କୋଉ ଗର୍‌ହାକକୁ ଯେତେ ଦାମ୍‌ ଦେଲେ ବି ବିକିବ ନାହିଁ । ଦୋକାନୀ ଏ ଭଳି କଥାର ମର୍ମ ବୁଝେ—ଜାଣିଲା, ଏ ଅନୁରୋଧ ଖାଲି ସୌଜନ୍ୟରକ୍ଷା, ୟା ଭିତରେ ଫମ୍ପା । ଟିକିଏ ଭଦ୍ର ହସ ହସି ଦେଇ ନୀରବ ରହିଲା । ଏମିତି କେତେ ଗର୍‌ହାକ ଆସନ୍ତି; ଦେଖନ୍ତି, ଅଳ୍ପ ନିଅନ୍ତି, ସେ କଥା ଭାବିଲେ ବ୍ୟବସାୟ ଚଳିବ ?

 

ତା ପରେ Government Art Emporium ଦେଖି ଗଲୁ । ଏଠି ଭଲ ଜିନିଷ ଠିକ୍‌ ଦାମରେ ମିଳେ ବୋଲି ବିଜ୍ଞାପନ ପଢ଼ିଛୁ, ବଜାର ଠକାମିରେ ନ ପଡ଼ିବା ଲାଗି ଯାନ୍ତ୍ରିକ ସାବଧାନ କରାଯାଇଛି । କେତେକ ବଡ଼ଲୋକ ମଟର ଚଢ଼ି ଆସି ଜିନିଷ କିଣିବାର ଦେଖିଲୁ । ଇମ୍ପୋରିଅମ୍‌ର ଚାକଚକ୍ୟ ଦୃଷ୍ଟି ଆକର୍ଷଣ କଲା ପରି ଏହା ହୋଇଛି । ପରିବେଶ ସୁନ୍ଦର, ସାମ୍ନାରେ ଗାଢ଼ ସବୁଜ ପ୍ରାନ୍ତର, ଅନାମିକା ଫୁଲରେ ବଗିଚାର ଡାଳ ଭାଙ୍ଗୁଛି । ଘରର ଏକମହଲା ଆଉ ଦୋମହଲାରେ କାଶ୍ମୀର ଶିଳ୍ପର ନମୁନାମାନ ରଖାଯାଇଛି । ଗାଲିଚା, କମ୍ୱଳ, ସାଲ୍‌, ନାମ୍‌ଦା, ସିଲ୍‌ କକନା କଣ ନେବ ନିଅ । ପ୍ରତ୍ୟେକ ଜିନିଷ ଉପରେ ବଜାର ଦରରୁ ତିନି ଟଙ୍କା ପାଞ୍ଚ ଟଙ୍କା ଚଢ଼ା । ମ୍ୟାନେଜରକୁ ଏହାର ହେତୁ ପଚାରିଲି । ସେ କହିଲେ—ଜିନିଷର ତାରତମ୍ୟ ଅଛି । ପ୍ରକୃତରେ ବିଶେଷ ତଫାତ୍‌ ଦେଖିଲୁ ନାହିଁ । ଭାବିଲୁ, ସରକାରୀ ପରିଚାଳନାରେ ଛ’ ଟଙ୍କାର ଘୋଡ଼ାକୁ ନ’ ଟଙ୍କାର ଦାନା ଖର୍ଚ୍ଚ ହୁଏ; ଜିନିଷପତ୍ରର କିଛି ବେଶୀ ଲାଭ ନ ଉଠାଇଲେ ଇମ୍ପୋରିୟମ୍‌ ଦେବାଳିଆ ହୋଇଯିବ । କିଛି କିଛି ଗରମ୍‌ କନା କିଣି ଫେରିଲୁ । ପହଞ୍ଚିଲୁ ଗୋଟିଏ ବୁଢ଼ା ପଣ୍ଡିତ ଦୋକାନରେ । ବୁଢ଼ା ମୁଣ୍ଡରେ ପଗଡ଼ି, ଗୋଛାଏ ସାଲ କାରଖାନାରୁ ଘେନି ଏଇ ଫେରୁଛି, କ୍ଳାନ୍ତ । ଦୋକାନରେ ତାର ଦୁଇ ପୁଅ, ଗୌରବର୍ଣ୍ଣ, ଗାଲରେ ଲାଲ୍‌ ରଙ୍ଗ ପେଣ୍ଟ କଲା ପରି ଦିଶୁଛି । ସେମାନେ ଥାଉଁ ଥାଉଁ ବୁଢ଼ା ନିଜେ ଉଠି ପଡ଼ିଲା, ନବତନ ଯୁବକ, ଗର୍‌ହାକଙ୍କ ମନ କିଣିବା କୌଶଳ ଶିଖି ନାହାନ୍ତି । ଆମକୁ ଗଦିପକା ଚୌକୀରେ ବସାଇ ହାତରେ ସିଗାରେଟ୍‌ ଧରାଇ ବୁଢ଼ା ଦିପଦ ସୁଖ ଦୁଃଖ ହେଲା ! ତା ପରେ ଆଗରେ ଜିନିଷ ଖୋଲି ଦେଇଗଲା—ଏ ନାମ୍‌ ଦା, ଏ ସାଲ୍‌, ଏ ସିଲ୍‌କ ବ୍ଳାଉସ୍‌, ଏ ବ୍ୟାଗ୍‌ । ବୁଢ଼ାର ସାଧୁତାରେ ଆମର ବିଶ୍ୱାସ ଜନ୍ମିଲା; ଦୁଇଶ ଟଙ୍କାର ଜିନିଷ କିଣିଲୁ । ଭଟ୍ଟଙ୍କ ସ୍ତ୍ରୀ ଜିନିଷ ଦେଖିଲେ, ବେଶ୍‌ ପସନ୍ଦ, ଦାମ୍‌ ଟା ଯେ ଚଢ଼ା ! ସେ ମୋହନଲାଲ୍‌ଙ୍କୁ ଆମ ସଙ୍ଗେ କାରଖାନାକୁ ପଠାଇଲେ । ‘ଶିକାରା’ ଖଣ୍ଡିଏ ଭଡ଼ା କରି ଆମେ ଝେଲମରେ ଛୁଟିଲୁ, ପ୍ରାୟେ ଅଧମାଇଲିଏ ଗଲା ପରେ କାରଖାନା ପଡ଼ିଲା, ତଳ ମହଲାରେ ସାଲ ବୁଣା, ଫୁଲ ପକା କାମ ଚାଲିଛି । ଉପରେ ଦୋକାନ । ପଣ୍ଡିତ ଦୋକାନରୁ ଏଠି ପ୍ରତି ଜିନିଷ ଉପରେ ପାଞ୍ଚ ସାତ ଟଙ୍କା ଊଣା ପଡ଼ିଲା । ବହୁ ଜିନିଷ ମଧ୍ୟରୁ ଜିନିଷ ପସନ୍ଦ କରି ଆଣିବାର ସୁବିଧା ବି ମିଳିଲା । ପଣ୍ଡିତ ବୁଢ଼ାର ନାମ୍‌ଦା, ବ୍ୟାଗ୍‌ ରଖିଲୁ, ସାଲ ଫେରାଇଦେଲୁ । ବୁଢ଼ା ଦୁଃଖିତ ହେଲା ନାହିଁ, କ୍ରୋଧ କଲା ନାହିଁ, ଟଙ୍କା ଫେରାଇ ଦେଲା, କହିଲା, ଭଗବାନ୍‌ଙ୍କ ଇଚ୍ଛା, ଯାହା ତାଙ୍କର ବରାଦ ଥିଲା, ମିଳିଲା ।

 

ମେଘୁଆ ଦିନର ଅଳସ ମୁହୁର୍ତ୍ତଗୁଡ଼ିକ ନିଗାଡ଼ି ଯେତେ ଆନନ୍ଦ ଉପଭୋଗ କରାଯାଏ, କଲୁ । ତା ନ ହେଲେ କଲିକତାରୁ ଯାଇ ଶ୍ରୀନଗରରେ ସିନେମା ଦେଖିବାରେ କୌଣସି ତାତ୍ପର୍ଯ୍ୟ ନ ଥିଲା । ସିନେମା ଗୃହରେ କୌଣସି ଶ୍ରୀ ନାହିଁ, ଯେଉଁ ଶ୍ରେଣୀରେ ଯେ ଆଗ ଟିକେଟ୍‌ କଲା, ବସିଲା; ସିଟରେ ନମ୍ୱର ନାହିଁ, ଇଣ୍ଟରଭାଲ ବି ନାହିଁ । ‘ସୋ’ ଭିତରେ ଚିନାବାଦାମ୍‌ରୁ ଚା’ ପର୍ଯ୍ୟନ୍ତ ସବୁ ବିକ୍ରୀ ହେଉଛି ।

 

‘ଦୋ ଦୁଲ୍‌ ହେ’ ଗୋଟିଏ ସାମାଜିକ ଚିତ୍ର—ସପତ୍ନୀ କନ୍ୟା ପ୍ରତି ବିମାତାର ଅତ୍ୟାଚାର କାହାଣୀ । ଧନୀ ଆଉ ପାଠୁଆ ବର କନ୍ୟା ଦେଖିବାକୁ ଯାଇ ସୁନ୍ଦରୀ ସପତ୍ନୀ କନ୍ୟାର ପ୍ରେମରେ ପଡ଼ିଛି । ବିମାତା ନିଜ କନ୍ୟା ସହିତ ସେହି ବରକୁ ବିଭା ଦେବାକୁ ଚେଷ୍ଟା କରି ବିଫଳ ହୋଇଛି । ଦୁର୍ଭାଗ୍ୟବଶତଃ ନାୟକ ସହିତ ରୂପରେ ସାଦୃଶ୍ୟ ଥିବା ଜଣେ ପାଗଳ ହାତରେ ସେ ପଡ଼ିଛି । ଅର୍ଥଲୋଭରୁ ଜଣେ ବୃଦ୍ଧ ପୁଞ୍ଜିପତି ହସ୍ତରେ ସପତ୍ନୀ କନ୍ୟାକୁ ଦେବାରେ ବ୍ୟର୍ଥ ହୋଇ ପାପର ପରିଣାମ ସ୍ୱରୂପ ସେ ଅନ୍ଧୁଣୀ ହୋଇଅଛି । ପ୍ରକୃତ ପ୍ରଣୟୀ ସହିତ ବହୁ ଘନଘଟା ପରେ ପ୍ରଣୟିନୀର ମିଳନ ହୋଇଅଛି । ବିଷୟବସ୍ତୁରେ କୌଣସି ନୁତନତ୍ୱ ନାହିଁ, ବାସ୍ତବତା ବି ସାମାନ୍ୟ । କିନ୍ତୁ ପରିବେଷଣର ଚମତ୍କାରିତା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍‌ଧ କରି ରଖିଥିଲା । ସନ୍ଧ୍ୟାର ମଧୁର ଆନନ୍ଦରେ ଦୁଇ ତିନି ଦିନର ଦୁଃଖ ମନରୁ ପାସୋରି ପକାଇଲୁ ।

 

କ୍ଳାନ୍ତ, କ୍ଷୁଧାର୍ତ୍ତ; ଜଗବନ୍ଧୁ ଆଗେ ଫେରି ଆସିଲେ । କୌଣସି କାର୍ଯ୍ୟରେ ଆମେ ବଜାରରେ ରହିଗଲୁ । ଡାକ୍ତର ଭଟ୍ଟ ରୋଗୀର କଲରେ ଯାଇଛନ୍ତି । ମୋହନଲାଲ୍‌ଙ୍କ ଜରିଆରେ ତାଙ୍କ ସ୍ତ୍ରୀ ପଚାରିଲେ—ଖାଇବ ? ମାଆ ପରି ପେଟ ଦୁଃଖ କିପରି ଜାଣିଲେ, ଆଶ୍ଚର୍ଯ୍ୟ; ଜଗବନ୍ଧୁ ଆଗ ପଛ ନ ବିଚାରି ରାଜି ହୋଇଗଲେ । ଭଟ୍ଟେ ଫେରିଲାବେଳକୁ ସେ ଶେଯରେ, ଜୋତା ଶବ୍ଦ ଶୁଣି ଉଠି ବସିଲେ । ଭଟ୍ଟେ ପଚାରିଲେ—

 

‘ଖାଇଛ’ ?

 

‘ଆଜ୍ଞା ।’

 

‘କିପରି ? ଏ ତୁମର ଗୁରୁ, ଖାଇ ନାହାନ୍ତି । ମୁଁ ଅଭିଭାବକ, କାର୍ଯ୍ୟରୁ ଫେରି ନାହିଁ । ତୁମ ଦେଶରେ କଣ ଏହିପରି ଚଳେ ?’

 

‘ମୋହନଲାଲ୍‌ କହିଲେ ।’

 

‘ତୁମେ ନାହିଁ କଲ ନାହିଁ ?’

 

‘ଭୋକ ହେଉଥିଲା’

 

‘ପ୍ରବୃତ୍ତିର ଦାସ ହୋଇ ଗୃହ, ପରିବାରର ଶୃଙ୍ଖଳା କଣ ଭାଙ୍ଗିବା ଉଚିତ୍‌ ?’

 

ଭଟ୍ଟ ଯେ ପ୍ରକୃତରେ କ୍ଷୁର୍ଣ୍ଣ ହୋଇଥିଲେ, ତା ନୁହେଁ, ସେ ଅନ୍ତର ପରଖୁଥିଲେ । କିନ୍ତୁ ଜଗବନ୍ଧୁ ଏତିକିରେ ମଉଳି ପଡ଼ିଲେ, ତାଙ୍କ ପାଟିରୁ କଥା ବାହାରିଲା ନାହିଁ, ସେ ତଳକୁ ମୁହଁ ପୋତି ବସି ରହିଲେ । ଭଟ୍ଟଙ୍କ ହାସ୍ୟରସିକ ବ୍ୟକ୍ତିତ୍ୱ ଏଥର ଶାଖା ମେଲିଲା । କ୍ଷଣକ ମଧ୍ୟରେ ଆମ ସହିତ ଜଗବନ୍ଧୁ ମଧ୍ୟ ସେଥିରେ ମଜ୍ଜିଗଲେ । କିନ୍ତୁ ଭଟ୍ଟଙ୍କ କଠୋର ସତ୍ୟ ଅଦ୍ୟାପି ତାଙ୍କ ଅନ୍ତରକୁ ଯେପରିକି ରକ୍ତାକ୍ତ କରୁଥିଲା !

 

ତା ପରେ ଗାଳି ବୃଷ୍ଟି ହେଲା ମୋହନଲାଲ୍‌ଙ୍କ ଉପରେ; ଭଟ୍ଟେ ଏତେ ରାଗନ୍ତି ? ମୋହନଲାଲ୍‌ ଏପରି କଣ ଗୁରୁତର ଅପରାଧଟାଏ କରି ପକେଇଛନ୍ତି ? ପଛେ ଏ ଭାବନା ସଂଶୋଧିତ ହୋଇଗଲା । କଥା କଣ କି ଜଣେ ଭଦ୍ର ଲୋକ ଘୋର ଅସମୟରେ ଭଟ୍ଟଙ୍କଠାରୁ ଶହେ ଟଙ୍କା ଉଧାର ନେଇଥିଲେ । ‘‘ଟଙ୍କା, ଯାଏ ସଳଖ ଆସେ ବଙ୍କା ।’’ ଯେ ଜୀବନରେ ଟଙ୍କା ଉଧାର ଦେଇଛି, ତାର ଏ ଅଭିଜ୍ଞତା ନିଶ୍ଚୟ ଅଛି । ଦୁଇମାସ, ଚାରିମାସ, ଛ’ ମାସ, ବର୍ଷେ ପୂରିଗଲା ! ଭଦ୍ରଲୋକ ସପ୍ତାହକ ମଧ୍ୟରେ ପରିଶୋଧ କରିଦେବେ ବୋଲି କହିଥିଲେ । କାଲି, ପରଦିନ କହି ଦିନ ଗଡ଼ାଉଛନ୍ତି, ଧରାଛୁଆଁ ଦେଉନାହାନ୍ତି । ଆଜି ଦୈବାତ୍‌ ଧରା ପଡ଼ିଗଲେ । ଭଟ୍ଟେ ତାଙ୍କୁ ସଙ୍ଗରେ ଘେନି ଆସିଛନ୍ତି । ଭଦ୍ରଲୋକଙ୍କୁ କଣ ଗାଳି ଦିଆଯାଏ ? ତେଣୁ ସେ ତାଙ୍କୁ ଦେଖେଇ ମୋହନଲାଲ୍‌ଙ୍କ ଉପରେ ଗାଳି ବର୍ଷଣ କରୁଛନ୍ତି । ମୋହନଲାଲ୍‌ ଭିତରେ ହସୁଛନ୍ତି, ଉପରେ ଗମ୍ଭୀର ବିଷଣ୍ଣ ହେବାର ଅଭିନୟ କରୁଛନ୍ତି ।

 

ଭଦ୍ରଲୋକ ଟଙ୍କା ପରିଶୋଧର ଗୋଟିଏ ଦିନ କଣ୍ଟ କରି ବିଦାୟ ନେଲେ । ଶୋଇବା ପୂର୍ବରୁ ଜଗବନ୍ଧୁ ଆଉ ନରେନ୍ଦ୍ର ନିଜ ନିଜ ଜୋତା ବ୍ରସ୍‌ କଲେ । ଭଟ୍ଟେ ହସି ହସି କହିଲେ—ଗୁରୁଙ୍କ ଜୋତା ସଫା କରିଛ ? ଦୁହେଁ ଅପ୍ରତିଭ ହେଲେ—ଏ ଯୁଗରେ ଏମ୍‌. ଏ. ପଢ଼ା ପିଲାଏ ପ୍ରଫେସରଙ୍କ ଜୋତା ସଫା କରିବେ ? ପୃଥିବୀ ଓଲଟି ପଡ଼ିଲା ନା କଣ ? କିନ୍ତୁ ଭଟ୍ଟେ କି ଛାଡ଼ିବା ଲୋକ ? ସେ ପ୍ରାଚୀନ ଗୁରୁକୁଳ ଆଦର୍ଶ କହି ବସିଲେ । ତା ପୂର୍ବରୁ ମୋର ଦୁଇ ପ୍ରିୟ ଛାତ୍ର ଜୋତାର ପଟେ ପଟେ ଧରି ଭାରି ଭିଡ଼ରେ ସଫା କରିବାରେ ଲାଗି ଯାଇଥାନ୍ତି । ସତେ ଯେପରି ଗୋଟିଏ କିଛି ଅପରାଧ ହୋଇଯାଇଛି ! ମୁଁ କହିଲି—ପ୍ରାଚୀନ ଆଉ ଆଧୁନିକ ଯୁଗ ମଧ୍ୟରେ ସେତୁ ଦୁଇଟି ପାଦୁକା ?

Image

 

ଝେଲମ୍‌ ନଦୀରେ ସନ୍ଧ୍ୟା

 

ଝେଲମ୍‌ କୂଳରେ—ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ ଲାଳିତ—ଏହାର କଳକଳ ଧ୍ୱନି କାହାର ଜୀବନ ସ୍ମୃତିକି ବା ଜୀବନ୍ତ କରେ ନାହିଁ ? ସଦା ପୂର୍ଣ୍ଣଜଳା, ସୁନାବ୍ୟା—କାଶ୍ମୀରବାସୀ ଏହି ନଦୀର ପ୍ରଶଂସାରେ ମୁଖର । ଅପ୍ରଶସ୍ତ ବୁଢ଼ାବଳଙ୍ଗ ପରି ଏହାର ଆକାର, କିନ୍ତୁ ଜଳ ଗାଢ଼ ନୀଳ, ବଙ୍କେଇ ବଙ୍କେଇ ବୁଲି ବୁଲି ସମସ୍ତ ଶ୍ରୀନଗର ଅଞ୍ଚଳକୁ ସ୍ପର୍ଶ କରିଛି । ଝେଲମ୍‌କୁ ବାଦ୍‌ ଦେଲେ ଶ୍ରୀନଗରରୁ ‘ଶ୍ରୀ’ଟିକୁ ବାଦ୍‌ ଦେବାକୁ ହେବ । କାଶ୍ମୀର ରଙ୍ଗମଞ୍ଚର ପ୍ରଧାନ ନର୍ତ୍ତକୀ ଭୂମିକାରେ ସେ ଅଭିନୟ କରିଛି । ଶ୍ରୀନଗର କାଶ୍ମୀରର ହୃଦୟ, ଝେଲମ୍‌ ତାର ପ୍ରଧାନତମ ରକ୍ତବାହୀ ଧମନୀ । ଶ୍ରୀନଗରର ସମସ୍ତ ଶ୍ରୀ ପ୍ରାଣରେ ଅଙ୍କିତ କରିବା ଲାଗି ଆମର ଜଳଯାତ୍ରା ।

 

ଗୋଟିଏ ‘ଶିକାରା’ (କାଶ୍ମୀରର ଛୋଟ ଛୋଟ ନୌକା) ଭଡ଼ା ନେଲୁ, ତା ସହିତ ଦୁଇଟି ଚୌକୀ ସଂଲଗ୍ନ, ସେଥିରେ ମଖମଲୀ ଗଦି ପଡ଼ିଛି, ଅକ୍ଳେଶରେ ଚାରିଜଣ ବସି ପାରିବେ । ମୁଣ୍ଡ ଉପରେ ଚିତ୍ରବିଚିତ୍ର ଚାନ୍ଦୁଆ ଟଣା ହୋଇଛି । ଚାନ୍ଦୁଆର ଚାରି ଖମ୍ୱରେ ନାଲି, ନେଳୀ, ହଳଦିଆ ରଙ୍ଗର କାଗଜ ଗୁଡ଼ା ହୋଇଛି, ସେଥିରୁ ଅଧେ ଅଧେ ପତାକା ପରି ପବନରେ ଉଡ଼ୁଛି । ହାଁଜି (ନାଉରି) ମୁସଲମାନ—ଦୀର୍ଘ ପାଞ୍ଚହାତ ମର୍ଦ୍ଦ, ପିନ୍ଧା ବଡ଼ ଅପରିଚ୍ଛନ୍ନ, ଗଦିକୁ ଝାଡ଼ିଝୁଡ଼ି ଆମକୁ ବଡ଼ ଆଦରରେ ବସାଇଲା, ନଈ ମଝିକୁ ଶିକାରା ନେଇ ଧୀରେ ଆହୁଲା ମାରି ଚଳେଇଲା । ବହୁ ଅଚଳ ଆଉ ଅଚଳନ୍ତି ହାଉସବୋଟ୍‌ ମଝିରେ ଚାଲିଲା ଆମର ଶିକାରା, ପଛେଇ ରହିଲା ଗୋଟି ଗୋଟି ସୌଧ, ଉଦ୍ୟାନ, ସେତୁ ଆଉ ଘାଟ ।

 

ନଦୀର ଦୁଇପଟେ ନଗରର ଦୁଇ ଅଂଶ ରହିଅଛି, ଯୋଗସୂତ୍ର ରଖିବା ଲାଗି ସାତୋଟି ସେତୁ ଗଢ଼ା ଯାଇଅଛି । ବିଭିନ୍ନ ଯୁଗରେ ବିଭିନ୍ନ ଶାସକଙ୍କ ସମୟରେ ଏଗୁଡ଼ିକ ନିର୍ମିତ ହୋଇଅଛି-। ଆଲୀକଦଲ୍‌ ସବୁଠାରୁ ପ୍ରାଚୀନ, ୧୪୧୭ ଖ୍ରୀଷ୍ଟାବ୍ଦରେ ଆଲୀସାହଙ୍କ ସମୟରେ ଏହା ନିର୍ମିତ ହୋଇଥିଲା । ଏହା ଛଡ଼ା ଅମୀର କଦଲ୍‌, ହବା କଦଲ୍‌, ଫତେ କଦଲ୍‌, ଜୈନ କଦଲ୍‌, ନଓ୍ୱା କଦଲ୍‌, ସଫା କଦଲ୍‌ ନାମରେ ଆଉ ଛ’ଗୋଟି ସେତୁ ଅଛି । ସେତୁଗୁଡ଼ିକ କାଷ୍ଠରେ ନିର୍ମିତ; ଶ୍ରୀନଗରସ୍ଥ ଝେଲମ୍‌ ନଦୀରେ ଜଳଯାତ୍ରା କଲେ ଏହି ସାତୋଟି ସେତୁ ପାରି ହେବାକୁ ହୁଏ । ବଡ଼ ବଡ଼ ବ୍ୟାଙ୍କ, ବିଦ୍ୟାଳୟ, ହୋଟେଲ, କଲେଜ, ମନ୍ଦିର, ମସଜିଦ୍‌, ଗୋଦାମ, କାରଖାନା ଝେଲମ୍‌ କୂଳକୁ ଆବୋରି ରହିଛି, ଅହରହ ଯାତ୍ରୀ ଆଉ ବାଣିଜ୍ୟ ତରୀ ଏହି ନଦୀରେ ଯାତାୟାତ କରୁଅଛନ୍ତି । କେଉଁଠି କୂଳଲଗା ହାଉସବୋଟରେ ଦୋକାନ ବସିଛି, କାର୍ପେଟ୍‌, ସାଲ, କାଠ ଆଉ କାଗଜରେ ତିଆରି ବିବିଧ ଜିନିଷ ସଜା ହୋଇଛି, ଲୋକେ ଶିକାରାରେ ଆସି ଜିନିଷପତ୍ର ଖର୍ଦ୍ଦି କରି ନେଉଛନ୍ତି-। କେଉଁଠି ନୌକାରେ ଗୋଟିଏ ଗୋଟିଏ ପରିବାର ବାସ କରୁଛନ୍ତି, ବାହାର ଜଗତ ସହିତ ମିଶିବାର ସୁଯୋଗ ନାହିଁ, ଏ ଜଳ ଗୃହରେ ଛୋଟ ଛୋଟ ପିଲାମାନେ ଖେଳୁଛନ୍ତି—ଭାଇ ସଙ୍ଗେ ଭଉଣୀ । ବଡ଼ ବିଚ୍ଛିନ୍ନ ଏ ଜୀବନ, ଚୌଦିଗରେ ଜଳ ଯାତ୍ରୀବାହୀ ନୌକା ବା ବୃହତ୍‌ ସୌଧ-। ଘରଣୀ ହାଉସ୍‌ ବୋଟ୍‌ ଓଳାଉଛି, ଉତ୍ତର ଦିଗକୁ ଅନାଉଛି, ବେଳ ବୁଡ଼ିଲା, ‘ସେ’ କାହିଁକି ଆସିଲେ ନାହିଁ ?

 

ଆର ତୁଠରେ ପ୍ରୌଢ଼ାଟିଏ ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡ଼ଉଛି । ଏଠି ଏଇ ଧରଣର ଲୁଗା କଚା ହୁଏ, ଶ୍ରମ ଊଣା ହୁଏ, ହାତରେ ଥଣ୍ଡା ପାଣି ଲାଗେ ନାହିଁ । ଘାଟ ନୌକାରୁ ଖଲାସୀ ଜିନିଷପତ୍ର ଉଠାଇ ନେଉଛି, କୂଳରେ ବସି ବୁଢ଼ା ପଠାଣ ଧୂଆଁ ଖାଉଛି, ଛାତିଯାଏ ଲମ୍ୱିଛି ତାର ଦାଢ଼ି । ଛେଳିଜଗା ଟୋକା ଛେଳିପହ୍ଲ ଉଡ଼ାଇ ଆଣୁଛି; ପୋଲ ଉପରେ ଟଙ୍ଗା ପରେ ଟଙ୍ଗା ଧାଇଁଛି; କିଏ ଅଫିସ୍‌ରୁ ଫେରୁଛନ୍ତି, କିଏ ଯାଉଛି ବଜାର କରି, କିଏ ଯାଉଛି ନିମାଜ ପଢ଼ି, କିଏ ଯାଉଛି ମନ୍ଦିରକୁ । ଏ ଛାଣ୍ଟକାଟ୍‌ ଯୁବକ ଦିଜଣ କିଏ ? କଲେଜ୍‌ ପିଲା ହେବେ ପରା ! ମୁହଁରେ ବେପରୁଆ ଭାବ, ଓଠରେ ସିଗାରେଟ୍‌, ବଡ଼ ତରବରରେ ପାଦ ପକେଇ ଚାଲିଛନ୍ତି, ବୋଧେ ସିନେମା ଦେଖି ।

 

ଆକାଶରେ ବିରଳ ମେଘ, ମେଘ ପରେ ଆକାଶ; ଆକାଶ ପରେ ମେଘ, ମିଶାମିଶି, ସୂର୍ଯ୍ୟ ନଦୀର ଜଳକୁ ନଇଁଲେ, ସନ୍ଧ୍ୟା ଢେଉ ଉପରେ ଗୋଲାପୀ ପାଦ ଚାଳି ସତେ ଆମ ଆଡ଼କୁ ଆସିଲା, ତାର କନକ ହାତର କୁହୁକ ସ୍ପର୍ଶରେ ମନ ଚକିତ ଚଞ୍ଚଳ ହେଲା । ତରଳ ସୁବର୍ଣ୍ଣ ସ୍ରୋତରେ ସୁବର୍ଣ୍ଣ ତରୀ, ସେଥିରେ ବସିଲା ସନ୍ଧ୍ୟା, କାଶ୍ମୀରୀ କିଶୋରୀ ପରି ସୁନ୍ଦରୀ । ତା ପରେ ଇନ୍ଦ୍ରଜାଲ ବଳରେ ତା ବାହୁକୁ ଲକ୍ଷେ ଗୁଣ କରି ଲମ୍ୱାଇ ଦେଲା ସୁଦୂର ଶୈଳକୁ, ବୃକ୍ଷେ ବୃକ୍ଷେ ଫୁଟାଇଲା ଅଗ୍ନିର ଫୁଲ, ତୁଷାରେ ତୁଷାରେ ଜାଳି ଦେଲା ଲୋହିତ ହୁତାଶ ! ମେଘରେ ବାଷ୍ପ ତୂଷାନଳ ପରି ଝଟକି ଉଠିଲା । ଶୃଙ୍ଗେ ଶୃଙ୍ଗେ ମେଘର ନୂତନ ଶୃଙ୍ଗ, ଚିନାର ଆଉ ସଫେଦା ବୃକ୍ଷ ଉପରେ ପକ୍ଷୀର ସୁବର୍ଣ୍ଣ କଳସ । ସମଗ୍ର ବିଶ୍ୱ ଯେପରି କି ସନ୍ଧ୍ୟାର ମହିମାରେ ମହିମାମୟ ହୋଇ ଉଠିଲା । ତା ପରେ ସେ ଚଞ୍ଚଳିକା ପଶ୍ଚିମ ଦିଗ୍‌ବଳୟକୁ ଉଡ଼ିଗଲା, ହିମାଦ୍ରିର ସହସ୍ର ଶୃଙ୍ଗକୁ ସିନ୍ଦୂରିତ କରି ଶେଷରେ ଗୋଟିଏ ବିନ୍ଦୁ ହୋଇ ନିଭିଗଲା । ଶ୍ରୀନଗରରେ ଅଜସ୍ର ତାରା ଜଳି ଉଠିଲେ, ଶିକାରା ଆମର ମୁଖ ଫେରାଇଲା ।

 

ସ୍ରୋତର ବିପରୀତ ଦିଗରେ ନୌକା ଚାଲିଲା ଧୀରେ—ଅତି ଧୀରେ । ଚିତ୍ତ କ୍ଳାନ୍ତ, ଅବସନ୍ନ; କହିଲି—ହାଁଜି, ତୁମ ଦେଶର ଗୋଟିଏ ଗଳ୍ପ କହ । ହାଁଜି କହିଲା, ବାବୁ, ମୁଁ ମୁର୍ଖ ଲୋକ କି ଜାଣେ ?

 

କହିଲି—ହଁରେ, ପିଲାଦିନେ ବାପମାଆଙ୍କଠୁ କେତେ ଗଳ୍ପ ଶୁଣିଥିବୁ, କହ ଗୋଟିଏ କହ ।

 

ହାଁଜି ଦେଖିଲା—ଆମେ ଛାଡ଼ିବୁ ନାହିଁ, ଘଡ଼ିଏ ଭାବି ଗଳା ସଫା କରି ଆରମ୍ଭ କଲା ।

 

କାଶ୍ମୀରର ଗୋଟିଏ ଲୋକ ଗଳ୍ପ

 

ରଜାପୁଅ ମନ୍ତ୍ରୀପୁଅ ସଙ୍ଗାତ, ଦିହିଙ୍କ ଭିତରେ ପାଣି ଗଳେ ନାହିଁ । ଜଣେ ଜଣକୁ ଦଣ୍ଡେ ନ ଦେଖିଲେ ବାଉଳା, ଏକା ମନ, ଏକା ପ୍ରାଣ । କାହା ମନରେ କୋଉ କଥା ଉଇଁଲେ ସଙ୍ଗେ ସଙ୍ଗେ ଫେଡ଼ି ନ କହି ରହି ପାରେନାହିଁ, ଏମିତି ସୁଖର ଦିନ ସୁଖରେ ବୋହିଯାଏ ।

 

ଦିନେ ମନ୍ତ୍ରୀପୁଅ ଦେଖିଲା, ରଜାପୁଅ ଏଡ଼େ ମୁହଁକରି ବସିଛି, କହିଲା, ସଙ୍ଗାତେ, ତୁମକୁ କୋଉକଥା ଅପୂରୁବ ? ହଜିଗଲେ ଖୋଜିଦେବି, ଭାଙ୍ଗିଗଲେ ଗଢ଼ିଦେବି, ସରଗର ଚାନ୍ଦ କହିଲେ ଦୁଆରେ ଆଣି ହାଜର କରିବି । ମୁଁ ଥାଉଁ ଥାଉଁ ତୁମର କି ଦୁଃଖ ?

 

ରଜାପୁଅ କହିଲା, ସଙ୍ଗାତେ, କାଲିରାତିରେ ସପନ ଦେଖିଛି, ଚନ୍ଦ୍ରଉଦିଆ ପରି ରୂପ, କୋଉ ଦେଶର ରାଜଜେମା, ଫୁଲସଙ୍ଗେ ଗେଲେଇଲୁଟେଇ ହେଉଥିଲା, ପ୍ରଜାପତି ପଛରେ ଗୋଡ଼ାଉଥିଲା, ମୋତେ ଦେଖିଲା, ଦେଖିଲା, ପଦେ କଥା କହନ୍ତା ! ଆଡ଼ ଆଖି ହାଣିଦେଇ ଗଲା, ଗଲା, କୁଆଡ଼େ ଉଭେଇଗଲା, ସେଇ କାହିଁ ନ ଦେଖିଲା ରୂପ ମୋ ଆଖି ଆଗରେ ନାଚୁଛି, ତାକୁ ଆଣି ନ ଦେଲେ ମୋ ଆଶା ଛାଡ଼ ।

 

ମନ୍ତ୍ରୀପୁଅ ପଚାରିଲା—ମନେ ଅଛି, କୋଉ ଦିଗରେ ସେ ବଗିଚା ? ରଜାପୁଅ କହିଲା–ମୋ ଆଖି ଆଗରେ ତ ବାଟଘାଟ ସବୁ ଦିଶିଯାଉଛି, କେମିତି ସେ କନ୍ୟା ପ୍ରାପତ ହେବ, ଉପାୟ କର । ତାକୁ ଦେଖିଲାବେଳୁ ମୋତେ ଦାନାପାଣି ରୁଚୁନାହିଁ ।

 

କୁଆଁତରା ଝଟକୁଛି, ରଜାପୁଅ-ମନ୍ତ୍ରୀପୁଅ ଘୋଡ଼ାଶାଳରୁ ଭଲ ଭଲ ଘୋଡ଼ାଦୁଇଟି ବାଛିଲେ, ପିଠିରେ ବସି କୋରଡ଼ା ମାରିଲେ । ବଣବୁଦା, ନଈପାହାଡ଼ ଡେଇଁ ଘୋଡ଼ା ଧାଇଁଲେ; ବେଳ ରତ ରତ ହେଉଛି, ଗୋଟିଏ ମୁଲକରେ ପହଞ୍ଚିଲେ । ଓସାରିଆ ରାସ୍ତା, ଦି ପାଖେ ଉଞ୍ଚ ଉଞ୍ଚ କୋଠାଘର, ସବୁଠାରୁ ବଳି ଯେଉଁ କୋଠାଟି ଉଞ୍ଚ, ତା ସିଂହ ଦୁଆରେ ଘୋଡ଼ାରୁ ଓହ୍ଳାଇଲେ, ଜଗୁଆଳୀ ଆଖିରେ ଧୂଳିଦେଇ ରଜାଙ୍କ ବଗିଚାରେ ପଶିଲେ—ଫୁଲର ସଂସାର; କିଏ ଫୁଲ, କିଏ ପ୍ରଜାପତି ବାରି ହେଉନାହିଁ । ଜେମା ପବନଦୋହଲା ଗଛବୃଛର ଶାଗୁଆ ଢେଉକୁ ଚାହିଁଛି—ଚାହିଁଛି । ଯେମିତି ରଜାପୁଅ ଉପରେ ଆଖି ପଡ଼ିଛି, ଅଲରା ବାଳକୁ ସଜାଡ଼ି ଦେଇ—ଦେ ଦୌଡ଼ । ସ୍ୱପ୍ନରେ ଯୋଉ ରୂପର ଛାଇ ଫୁଟିଥିଲା, ସତରେ ଆଖି ଆଗରେ ସହସ୍ର ଗୁଣରେ ଝଟକି ଉଠିଲା । ତା ଦେଖି ରଜାପୁଅର ଚେତା ବୁଡ଼ିଗଲା ।

 

ମନ୍ତ୍ରୀପୁଅ ଛିଞ୍ଚାବିଞ୍ଚା କରି ତାକୁ ଚେତା କଲା, ବୋଧଶୋଧ ଦେଇ ଗୋଟିଏ ଜାଗାରେ ରଖେଇଲା, ନିଜେ ଜଣେ ପିଠାବିକାଳି ଘରେ ରହିଲା । ତାକୁ କେତେ ଧନଦରବ ଦେଲା, କେତେଗୁଡ଼ିଏ ଭଲ ଭଲ ପିଠା କରି ତା ହାତରେ ରାଜଜେମା କତିକି ପଠେଇଲା । ରାଜଜେମା ପିଠା ଖାଇ କହିଲା ତୋ ପିଠା ପରି ତ ଲାଗୁନାହିଁ, ସତ କହ, ଏ ପିଠା କିଏ କରିଛି ? ପିଠା ବିକାଳି କହିଲା—ଏ ମୁଣ୍ଡ ରହିଲେ କହିବି । ଜେମା ଅଭୟ ଦେଲାରୁ କହିଲା ମୋ ଘରେ କୁଆଡ଼ୁ ଆସି ଜଣେ ବାଟୋଇ ରହିଛି, ଏ ପିଠା ତୁମପାଇଁ ଅଲଗା କରି ସେ ପଠାଇଛି । ଜେମା କହିଲା—ତାକୁ ଆଣି ଶୀଘ୍ର ଏଠି ହାଜର କର ।

 

ମନ୍ତ୍ରୀପୁଅ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା, କହିଲା—ଅମକ ଦେଶର ରଜାପୁଅ ତୁମଲାଗି ଝୁରିମରୁଛି, ତା ଜୀବନରେ ଆଉ ଆଶା ନାହିଁ । ତୁମର ପଦିଏ କଅଁଳ କଥା ହୁଏତ ତାକୁ ଜୀବଦାନ ଦିଅନ୍ତା । ଉଆସରୁ ଡାକେ ବାଟରେ ଗୋଟାଏ ଅସଣା ଘରେ ସେ ପଡ଼ିଛି, ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ, ତାକୁ ଥରୁଟିଏ ଦେଖା ଦିଅ, ତା ଦିହରେ ଜୀବ ପଶୁ ।

 

ଜେମାର ହୃଦୟ ବଡ଼ କୋମଳ—ଛାର ତା ଲାଗି ରଜାପୁଅର ପ୍ରାଣ ଯିବ ? ପ୍ରାଣ ଗଲେ ସେ ଦୋଷ କାହାକୁ ଲାଗିବ ? କହିଲା—ଯାଅ, ଆଜି ରାତି ଦଶ ଘଡ଼ି ଠେଇଁ ମୁଁ ରଜାପୁଅକୁ ଦେଖା ଦେଇ ଆସିବି ।

 

ଖୁସିମନରେ ମନ୍ତ୍ରୀପୁଅ ଫେରିଲା, ରଜା ପୁଅର ଆନନ୍ଦ କହିଲେ ନ ସରେ, ଦଣ୍ଡକ ଯୁଗପରି ଲାଗୁଥାଏ । ରାତି ଆଠଘଡ଼ି, ନ’ ଘଡ଼ି ଶେଷକୁ ଦଶଘଡ଼ି ହେଲା । ଜେମା କଥା ଭାବୁ ଭାବୁ ନିଘୋଡ଼ ନିଦରେ ଶୋଇପଡ଼ିଲା, କୁଆକୋଇଲି ବୋବେଇଲେ, ରାତି ପାହିଲା, ଆଖି ମଳି ମଳି ରଜାପୁଅ କହିଲା—ଜେମା ଆସିନାହିଁ, ସଙ୍ଗାତ ମିଛ କହୁଥିଲା । ମନ୍ତ୍ରୀପୁଅ କହିଲା କଣ କହିଲ ? ଜେମା ଆସିନାହାନ୍ତି ? ସେ ରଜାପୁଅର ପକେଟ ଦରାଣ୍ଡି ଖଣ୍ଡିଏ ରୁମାଲ କାଢ଼ିଲା, ଜେମାର ମୁକୁଟ ଅଙ୍କା, ସେଥିରେ କେତେଗୁଡ଼ିଏ ଶଙ୍ଖମଲମଲ ପଥରଖଣ୍ଡ ବନ୍ଧା ହୋଇଛି । ରଜାପୁଅର ରୁମାଲଟି ପକେଟରେ ନାହିଁ, ମନ୍ତ୍ରୀପୁଅ କହିଲା, ସଙ୍ଗାତ, ଜେମା ଆସିଥିଲା, ମୋତେ କପଟ କରୁଛ କାହିଁକି ?

 

ରଜାପୁଅର ଅସରା ଅସରା ଲୁହ ବୋହିଗଲା, କହିଲା—ମୁଁ ନିତାନ୍ତ ଅନାଡ଼ି, ଶୋଇ ପଡ଼ିଲି, ରାଜଜେମା କଅଁଳ ପାଦକୁ ପୀଡ଼ାଦେଇ ଆସିଥିଲା, ଫେରିଗଲା, କଣ ସେ ଭାବିଥିବ, କଅଁଳ ମନକୁ କେଡ଼େ ବାଧିଥିବ । ୟା କହି ଗାଲରେ ଦି ଚଟକଣି ମାରିହେଲା, ନିଜକୁ ବହେ ଶୋଧିଲା—କେଡ଼େ ହୀନକପାଳିଆ ମୁଁ, ଚନ୍ଦ୍ରମାକୁ ହାତ ପାହାନ୍ତାରେ ପାଇ ଛାଡ଼ିଲି ।

 

ମନ୍ତ୍ରୀପୁଅକୁ ପଚାରିଲା—ଏ ପଥରଖଣ୍ଡ କାହିଁକି ଦେଇ ଯାଇଛି ? ମନ୍ତ୍ରୀପୁଅ ହସି ହସି କହିଲା—ଖେଳିବା ପାଇଁ, ଅର୍ଥାତ୍‌ ତୁମେ ବାଳକ, ପ୍ରେମିକର ଯୋଗ୍ୟ ନୁହଁ । ଏଥିରେ ରଜାପୁଅର କୋହ ଉଠିଲା ।

 

କ୍ରୋଧରେ ଜେମାଙ୍କ ଓଠ ଥରୁଥାଏ, ନାକପୁଡ଼ା ଫୁଲି ଉଠୁଥାଏ, ଭାବୁଥାନ୍ତି—ପରବୁଦ୍ଧି ପ୍ରଳୟ, ପର କଥାରେ କାହିଁକି ପଡ଼ିଲି ? କିଏ ଯଦି ଦେଖିଥାନ୍ତା, ଆଉ ମହତ ରହିଥାନ୍ତା ! ସେ କହିବା କଥା ଭୁଲିଯାଏ ସେ କି ମଣିଷ ? ଯେ ପ୍ରେମିକାକୁ ନିରାଶରେ ଫେରେଇ ଦିଏ ସେ କୋଉ ନାୟକରେ ଲେଖା ? ଯେତେ ନେହୁରା ନମସ୍ତେ ହେଲେ ବି ଆଉ ସେଠିକି ଯିବି ନାହିଁ, ନାହିଁ-ନାହିଁ-

 

ଏତିକିବେଳେ ମନ୍ତ୍ରୀପୁଅ ପହଞ୍ଚିଗଲା, ଦେଖ ତ ରାଗ, କହିଲେ ତୁମେ ସବୁ ଠକ, କଥାରେ ଠିକ୍‌ ନାହିଁ, ନିଆଁ ସଙ୍ଗେ ଗେଲ ଖେଳୁଛ, ତେଲ ବାହାରିଯିବ, ଜାଣିଥାଅ ।

 

ମନ୍ତ୍ରୀପୁଅ କହିଲା—ଯାହା ଘଟିଯାଇଛି, ଘଟିଯାଇଛି, ସବୁ ଦୋଷ ରଜାପୁଅର, ତା ଦୋଷ ମୋର, ମୋତେ ଯାହା ଗାଳି ଦେବାର ଦିଅ । ଏ ଭୁଲ୍‌ ଆଉ ହେବ ନାହିଁ । ତୁମକୁ ଦେଖିବା ନିଶାରେ ରଜାପୁଅ ଏକପ୍ରକାରେ ବାଇଆ ହୋଇ ଯାଇଥିଲା, କେତେବେଳେ ଶୋଇ ପଡ଼ିଲା ଜାଣିପାରିଲା ନାହିଁ । ଏବେ ତା କୋହ ଦେଖିଲେ ଗଛପତ୍ର ତରଳିଯିବ । ତାକୁ ବଞ୍ଚାଅ, ତା ଜୀବନନାଟି ତୁମ ହାତରେ । ରଜାଝିଅ ଏ କଥାରେ ପ୍ରସନ୍ନ ହେଲା ।

 

ନିଶା ସାଇଁ ସାଇଁ ଗରଜୁଛି, ରଜାପୁଅ ଆଖିରେ ପଲକ ପଡ଼ୁନାହିଁ, ସେ ମୁହୁର୍ତ୍ତ ଗଣୁଛି, ଚଲାପଥ ଆଲୁଅ କରି ଜେମା ପହଞ୍ଚିଲା । ରଜାପୁଅର ଆଖିରେ ସେ ରୂପ ଚରିଗଲା, ଯୋଉଠି ପଡ଼ିଲା, ସେଠି ଲାଖିଲା । ଯୋଉଠି ଲାଖିଲା, ସେଠି ଲାଗି ରହିଲା । ଜେମା ବି ରଜାପୁଅର ରୂପରୁଚିରେ ଖୁସି ହୋଇଗଲା । ଦିହିଙ୍କ ମନ ଯେତେବେଳେ ମିଳିଗଲା, ହସିଲେ—ଯୋଉଠି ହସିବା ଦରକାର ନାହିଁ, କଥାବାର୍ତ୍ତା ହେଲେ, ଯାହାର କିଛି ଅର୍ଥ ନାହିଁ । ଆଳାପଆମୋଦ, ହସଖୁସି; ଈର୍ଷୀ ଭାଗ୍ୟଦେବତା ୟା ସହିପାରିଲା ନାହିଁ ।

 

କଟୁଆଳ ନଗର ପରିକ୍ରମା କରୁଥିଲା, ତା କାନରେ ଏ ଶବ୍ଦ ବାଜିଲା । ସେ କାନେଇଲା, ଏତେ ରାତିରେ କିଏ ଏମିତି ହେଉଛି ? ଓ, ଏ ଯେ ଜେମାଙ୍କ କଣ୍ଠସ୍ୱର ! ସତେ ତ ଜେମା ! ଜଗୁଆଳୀଙ୍କୁ ହୁକୁମ୍‌ ଦେଲା—ଏ ଦୁହିଙ୍କୁ ବନ୍ଦୀ କର ।

 

ରଜାପୁଅ, ରଜାଝିଅ କଏଦୀଖାନାରେ ରହିଲେ । ମନ୍ତ୍ରୀପୁଅ ଏ ଉଦନ୍ତ ପାଇ ମହାଭାବନାରେ ପଡ଼ିଲା—କଥା ଫୁଟିଆରା ହେଲେ କି ଆଉ ମୁଣ୍ଡ ରହିବ ? ଯୋଉସିଲା ଉପାୟରେ ୟାଙ୍କୁ ଉଦ୍ଧାର କରିବାକୁ ହେବ, ବୁଦ୍ଧି ହେଉଛି ବଳ; ଭାବି ଭାବି ଶେଷକୁ ଗୋଟିଏ କଉଶଳ କଲା, ପୁରୁଷବେଶ ଓହ୍ଲେଇ ଗୋଟିଏ ବୁଢ଼ୀ ବେଶ ଧଇଲା, ଅଣ୍ଟା ନଇଁ ପଡ଼ିଛି, ଗୋଟିଏ ପିଠାଟୋକେଇ କାଖେଇଛି, ହାତରେ ଖଣ୍ଡିଏ ବାଡ଼ି, ଯାଇ କଏଦୀଖାନା ଫାଟକରେ ପହଞ୍ଚିଲା । ଜଗୁଆଳୀଙ୍କି ଦେଖି କହିଲା—ଆରେ ପୁଅ, ଚଛୁକୁ କିଛି ଦିଶୁନାହିଁ, ହୁଡ଼ାକୁ ବାଟ ଖୋଜିଲିଣି, ଭାବିଲି—ଧନଦରବ କଣ ମଶାଣିକି ନେବି ? କାହା ଉପୂଗାରରେ ଲାଗୁ ହେଲେ । ଏ କଏଦୀ ଘରଦୁଆର ଛାଡ଼ି କେଡ଼େ ହୀନିମାନରେ ଅଛନ୍ତି, କିଏ ତାଙ୍କୁ ଭଲମନ୍ଦ ରାନ୍ଧି ଦେଉଛି ? ପିଠା ଦିଟା ଦେଲେ ଦେଇ ଆସେଁ, କଇଲାଣ କରିବେ, ଧର୍ମ ହେବ । ଜଗୁଆଳୀ ବିଚାରିଲେ, ସେ ତ ପିଠାଦେବ, ଆମର କଣ ହେଉଛି ? ଛାଡ଼ିଦେଲେ । ବୁଢ଼ୀ ଭିତରକୁ ଗଲା, ଜେମା ବୁଢ଼ୀବେଶ ଧରି ବାହାରକୁ ଚାଲି ଆସିଲା । କେହି ଚିହ୍ନିପାରିଲେ ନାହିଁ ।

 

ଏ ମଧ୍ୟରେ କଟୁଆଳ ଯାଇ ରଜାଙ୍କୁ ଜଣାକଲା—ମହାରାଜ, ଏମିତି ଏମିତି କଥା । ଛାମୁ ସ୍ୱଚକ୍ଷୁରେ ଦେଖନ୍ତୁ । ଜେମା ତାଙ୍କର ଦେବୀ ପ୍ରତିମା, ସେ ଅବାଟକୁ ଯିବେ ଏ କଥା ରାଜାଙ୍କୁ ପ୍ରତେ ହେଲାନାହିଁ । ତଥାପି ସେ ଗଲେ, କଟୁଆଳ ସହିତ କଏଦୀଘରେ ପହଞ୍ଚିଲେ । କଟୁଆଳ ଜେମାଙ୍କୁ ଚିହ୍ନୋଟ କଲା । ରଜା ଓଢ଼ଣା ଖୋଲି ଦେଖନ୍ତି ତ ଆଉ କିଏ ଜଣେ, ଜେମା ନୁହନ୍ତି । ରଜା ଗୋଜା, ଚଟ୍‌କିନେ ଆଖିକି ନିଆଁ ଚହଟିଗଲା । ତରବାରୀ କାଢ଼ି ସଙ୍ଗେ ସଙ୍ଗେ କଟୁଆଳକୁ ଚୋଟେ ଦେଲେ । କଟୁଆଳ ମୁଣ୍ଡ ରକ୍ତ ସରସର ହୋଇ ଭୂଇଁରେ ଲୋଟିଲା । ରଜା ରଜାପୁଅ ଆଉ ମନ୍ତ୍ରୀପୁଅର ବେଡ଼ି, କଡ଼ି ଖୋଲିଦେଲେ ।

 

ଗୋଟିଏ ପୋଡ଼ାଶୀ ରାଜ୍ୟର ରଜାପୁଅ ସଙ୍ଗେ ରଜାଝିଅର ପାଟମୁଦି ହୋଇଥିଲା, ଆଜି ମଙ୍ଗଳକୃତ୍ୟ, ମନ୍ତ୍ରୀପୁଅର ମନ କଅଣ ହୋଇଗଲା, ଏତେ କଷ୍ଟ ପଡ଼ି କି ଫଳ ହେଲା ? ସମୟ ଯେ ଆଉ ନାହିଁ; କଣ କରିବି ? ବୋଇଲା—

 

ଉପାୟ କର ନାନାମତେ, ଫଳିବ କର୍ମର ଆୟତ୍ତେ ।

 

ମନ୍ତ୍ରୀପୁଅ ଉପାୟ ପାଞ୍ଚିଲା ।

 

ଏଣେ ରାଜଧାନୀରେ ମଣିମାଣିକ୍ୟଖଞ୍ଜା ସୁନାର ତୋରଣ ବନ୍ଧାହେଲା, ଦ୍ୱାରେ ଦ୍ୱାରେ କଦଳୀଗଛ ପୋତାହେଲା, ପୁର୍ଣ୍ଣକୁମ୍ଭ ରଖାହେଲା । ବାଇଦ ବରକାଠ ବାଜିଲା, ବର ଆସିଲା, ବେହେଘର ହେଲା; ବରକନ୍ୟା ବିଦା ହୋଇଗଲେ । ଜେମା ଆଖିରେ ଲୁହ—ସତେ ପ୍ରଭୁ ମୋ ମନକଥା ବୁଝିବେ ?

 

ସଞ୍ଜହେଲା, ପାହାଡ଼ିଆ ଜାଗା, ଦେଖୁ ଦେଖୁ ଅନ୍ଧାର ଘନେଇ ଆସିଲା । ବରଯାତ୍ରୀ କହିଲେ—ଏଇଠି ଡେରା ପକାଅ, ଆଜି ରାତିକ ରହଣି ହେଉ । ସୁନା ଛାଆଣି ହାତୀ ଦାନ୍ତର ପାଲିଙ୍କି ରହିଲା; ଏ ମଧ୍ୟରେ ମନ୍ତ୍ରୀପୁଅ ରାଜଜେମା ବେଶ ଧରି ପାଲିଙ୍କିରେ ବସିପଡ଼ିଲା, ଜେମା ଧୀରେଧୀରେ ବଣକୁ ଖସିଗଲେ, ଯଥାସ୍ଥାନରେ ପ୍ରେମିକ ରାଜପୁତ୍ରକୁ ଭେଟିଲେ ।

 

ଜେମାଙ୍କୁ ଏକୁଟିଆ ଡର ମାଡ଼ୁଥିବ ବୋଲି ରଜାଙ୍କ ଭଉଣୀ ଆସି ପାଲିଙ୍କିରେ ବସିଲେ; ମନ୍ତ୍ରୀପୁଅ ତା ରୂପଦେଖି ଚମକି ପଡ଼ିଲା—ପାଲିଙ୍କି ସତେ କି ହାଲ୍ଲୋଳ ହୋଇଗଲା । ମନ୍ତ୍ରୀପୁଅ ତା ସଙ୍ଗେ ଆଳାପ ଜମେଇଲା, କଥାରେ ତା ହୃଦୟକୁ କିଣି ନେଲା, ଦୁହେଁ ଦୁହିଙ୍କର ଅତି ଆପଣାର ହୋଇଗଲେ, ଥିର କଲେ—ବେହେ ହେବେ । କିନ୍ତୁ ଏଠୁ ଖସି ନ ପଳାଇଲେ ରକ୍ଷା ନାହିଁ, ଅନ୍ଧାର ଦେଖି ଦୁହେଁ ବଣ ଭିତରକୁ ଚାଲିଗଲେ । ମନ୍ତ୍ରୀପୁଅର ଘୋଡ଼ା ବାଟରେ ତକେଇ ରହିଥିଲା । ରଜାପୁଅ ମନ୍ତ୍ରୀପୁଅ ଦୁହେଁ ଦୁଇ କନ୍ୟାକୁ ଘେନି ବିଜୁଳି ଗତିରେ ଛୁଟିଲେ ।

 

ଯେତେବେଳେ ଦୁହେଁ ନିଜ ରାଜ୍ୟରେ ପହଞ୍ଚିଲେ, ବାପ ମାଆଙ୍କ ଆନନ୍ଦ କହିଲେ ନ ସରେ; ଖାଲି ପୁଅ ଫେରି ନାହାନ୍ତି, ସଙ୍ଗରେ ବୋହୂ ଘେନି ଆସିଛନ୍ତି—ନାହିଁ-ନଥିବା-ରୂପ । ଯାହା ସ୍ୱପ୍ନରେ ଭାବି ନ ଥିଲେ, ସ୍ୱ ଚକ୍ଷୁରେ ଦେଖିଲେ । ବେଦି ଗଢ଼ା ହେଲା, ବାଣନିଶାଣ ଖଞ୍ଜା ହେଲା, ରାଇଜଯାକ ମଉଛା ଲାଗିଗଲା । ବଡ଼ ସମାରୋହରେ ବେହେଘର ହୋଇଗଲା ।

 

ଗପ ଶେଷ ହେଲା । ଶିକାର ଲାଗିଲା ଗଣପତି ଘାଟରେ । ହାଁ ଜି ବିଦାକୀ ନେଇ ବିଦାୟ ନେଲା, ତା ମନରେ ଟିକିଏ ପୁରୁଣା ସ୍ୱପ୍ନ ଆମ ମନରେ ରଖି ଦେଇ ।

Image

 

‘ଶଙ୍କର’ ପର୍ବତ ଶୃଙ୍ଗରେ

 

ଓଡ଼ିଶାର ମହେନ୍ଦ୍ର, ମେଘାସନ, ସିଂହଳର ଆଦିମ ଶୃଙ୍ଗ—‘ଶଙ୍କର’ ପର୍ବତ ଏମାନଙ୍କଠାରୁ ଆକାରରେ ବୃହତ୍‌ ନୁହେଁ; ଏକ ଦୃଶ୍ୟ ଓ ଅନୁଭୂତିର ପୁନରୁକ୍ତି; ତେବେ କାୟକ୍ଳେଶ ଛଡ଼ା ଆରୋହଣରେ ଅଧିକ କି ଲାଭ ହେବ ? ମାଟି ଆଉ ପଥର ଗଦା, ଏଥି ଲାଗି ଚିତ୍ତର ଏତେ ଉଦବେଗ କାହିଁକି ? ଦେବତାର ଆକର୍ଷଣ ? ଯେଉଁଠି ଲୋକସଂଖ୍ୟା ଅପେକ୍ଷା ଦେବତା ସଂଖ୍ୟା ବେଶୀ ସେଠି ମୋର ଜନ୍ମ, କାଶ୍ମୀରକୁ ଆଉ ଯାହା ହେଉନା କାହିଁକି, ନିଶ୍ଚୟ ଦେବତା ଦେଖି ଆସିନାହିଁ ।

 

‘ହିମାଳୟ’ ନାମରେ ଏକ ସ୍ୱତନ୍ତ୍ର ରୋମାଞ୍ଚ ଅଛି, ଅବଶ୍ୟ ‘ଶଙ୍କର’ ତାର ଉଚ୍ଚତମ ଶୃଙ୍ଗ ତୁଳନାରେ ଏକ ଶିଶୁ, ହେଉ ପଛେ, ଏଇ ଶିଶୁର ନାଡ଼ି ସ୍ପନ୍ଦନରେ ହିମାଦ୍ରି ଆତ୍ମାର କିଞ୍ଚିତ୍‌ ସ୍ପର୍ଶ ପାଇବି—ଏଇଭାବ ମୋତେ ଅଭିଭୂତ କଲା । ‘ଶଙ୍କର’ କେବଳ ମାଟି ଆଉ ପଥରର ବୃହତ୍‌ ବନ୍ତ ନୁହେଁ, ଏହାର ଅବସ୍ଥିତି ଉପତ୍ୟକାକୁ ଦେଇଛି ବଳିଷ୍ଠ ଶ୍ରୀ, କାଶ୍ମୀର ଚରିତ୍ରକୁ ସୁଦୃଢ଼ ବ୍ୟକ୍ତିତ୍ୱରେ ଭୂଷିତ କରିଛି । ଅଗଣିତ ଶୃଙ୍ଗରେ ‘ଶଙ୍କର’ ହଜି ନାହିଁ, ବରଂ ବହୁ ରୂପପାୟୀର ମନକୁ ହଜାଇଛି । ହୃଦୟରେ ବିପୁଳ ଉଦବେଗ ଘେନି ଯାତ୍ରା କଲୁ ।

 

କିଶୋର ସାଥୀ

 

ଆମର ସାଥୀ ଗୋଲାମ ମହମ୍ମଦ୍‌, ବୟସ ବାର କି ତେର ହେବ । ପାହାଡ଼ ମୂଳେ ତାର ଘର । ଏ ଦେଶର ପ୍ରଧାନମନ୍ତ୍ରୀ ଗୋଲାମ୍‌ ମହମ୍ମଦ୍‌, ଆଉ ଏ ଗୋଲାମ୍‌ ମହମ୍ମଦ୍‌ ମଧ୍ୟରେ କି ତଫାତ୍‌ ! ଛିଣ୍ଡା ପ୍ୟାଣ୍ଟ୍‌, ଛିଣ୍ଡା କାମିଜ, ସିଲାଇ କଳରୁ ବାହାରିଲା ଦିନୁ ଉଜଳାଘର ଦେଖି ନାହିଁ, ଚିରା ହେଉ ପଛେ ମେଣ୍ଢାଲୋମର ଟୋପିଟି ମୁଣ୍ଡକୁ ମାନୁଛି । ପେଟ ଲାଖି ଯାଇଛି, ଓଠ ଶୁଖିଲା, କିଛି ଖାଇନାହିଁ । ଓପାସଭୋକରେ ପର୍ବତ କେମିତି ଉଠିବ ? ଆମର ସାଥୀ ଦରକାର ନାହିଁ, ସେ ଲଗେଇଲା, ତାକୁ ନେଲୁ ବିଚରା କିଛି ପାଉ । ଆମ ପାଖରେ ଜଳଖିଆ ନାହିଁ ଦେଖି ଗୋଲାମ୍‌ ସିଗାରେଟ୍‌ ମାଗିଲା, ବାବୁ ଯେତେବେଳେ, ନିଶ୍ଚୟ ଖାଉଥିବେ, ସେଥିରେ ବି ନିରାଶ ହେଲା, କିନ୍ତୁ ଦୁଃଖିତ ହେଲା ନାହିଁ । ନଥିଲା ଘର ପିଲା ସେ, ‘ନାହିଁ’ ଭିତରେ ବଢ଼ିଛି । ଗୋରା ତକତକ ଦେହ, ପାଚିଲା ଆପଲ୍‌ ପରି ମୁହଁ, ଆମ ଦେଶର ରାଜା ଏପରି ସୁନ୍ଦର ପୁଅ ପାଇଲେ ନିଶ୍ଚୟ ଗର୍ବିତ ହୁଅନ୍ତେ; ଦାରିଦ୍ର୍ୟ କେବଳ ଗୁଣନାଶୀ ନୁହେଁ, ରୂପନାଶୀ ମଧ୍ୟ—ଏହାର ପ୍ରମାଣ ଗୋଲାମ୍‌ ମହମ୍ମଦ୍‌ ।

 

ଏ ପାହାଡ଼ଟା ତାକୁ ଗୋଟାଏ ବାଲିକୁଦ, କେତେ ଥର ଚଢ଼ିଛି, ଆମେ ପାହୁଣ୍ଡେ ପକାଇଲାବେଳକୁ ସେ ଡେଇଁ ଡେଇଁ ପାଞ୍ଚ ପାହୁଣ୍ଡ ଆଗେଇ ଗଲାଣି । ଏମିତି ଦଉଡ଼ୁ ଦଉଡ଼ୁ ମହମ୍ମଦ୍‌ ଅଟକିଲା, କାହିଁକି ? ପକେଟରେ ଭର୍ତ୍ତି କରୁଛି କଣ ? ଆରେ କଣାରେ ସବୁ ଗଳି ପଡ଼ିଲାରେ ! ଚାଉଳ ? ଚାଉଳ ଏଠାକୁ କୁଆଡ଼ୁ ଆସିଲା ? ମହମ୍ମଦ୍‌ କହିଲା—ଶିବ ଦର୍ଶନ କରିବାକୁ ଆସି ଧର୍ମପ୍ରାଣ ବ୍ୟକ୍ତିମାନେ ପକ୍ଷୀଙ୍କ ଲାଗି ଆଞ୍ଜୁଳା ଆଞ୍ଜୁଳା ଚାଉଳ ଏଠି ଅଜାଡ଼ି ଦେଇ ଯାଇଥାନ୍ତି, ପକ୍ଷୀଙ୍କ ଉଚ୍ଛିଷ୍ଟ ଏତିକି ବଳିଛି । ୟା କହି ସେ ପୋଷ ପୋଷ ଚାଉଳ ପାଟିରେ ପେଷି ଦେଇଗଲା, ସାକ୍ଷାତେ ଦି ପଟ ଚକି ବୁଲୁଛି !

 

ପାହାଡ଼ ଉପରକୁ ଦୁଇଟି ରାସ୍ତା, ଗୋଟିଏ ସିଧା, ଅନ୍ୟଟି ବଙ୍କା । ସିଧା ରାସ୍ତାଟି କେହି ଗଢ଼ିନାହିଁ, ମଣିଷ ଯାଇ ଯାଇ ହୋଇଛି । ଏଥିରେ ଉଠାଣି ବେଶୀ, ଗଡ଼ାଣି ବି ବେଶୀ । ବଙ୍କା ରାସ୍ତାଟି ଗଢ଼ା, ଆସ୍ତେ ଆସ୍ତେ ଉଠିଚି, ବୁଲା; ଗୋଟିଏ ଯୁଆନଙ୍କ ପାଇଁ, ଆଉ ଗୋଟିଏ ଦୁର୍ବଳ, ଚଳାଭୀରୁ ବାବୁ ବା ଅସମର୍ଥ ବୃଦ୍ଧଙ୍କ ପାଇଁ । ଆମେ ଚଞ୍ଚଳ ପହଞ୍ଚିବା ଲାଗି ସିଧା ରାସ୍ତା ଧଇଲୁ । ପାହାଡ଼ ଆଗରେ ପହଞ୍ଚିବାକୁ ପୂରା ଦେଢ଼ଘଣ୍ଟା ଲାଗିଲା, ଏଡ଼େବଡ଼ ଶୀତରେ ବି ଦେହରୁ ଗମ୍‌ ଗମ୍‌ ଝାଳ ବୋହିଲା । ମନ୍ଦିର ପଛର ଗୋଟିଏ ବୃହତ୍‌ ସାଉଁଳିଆ ପଥର ଉପରେ ବସିଲି, ଏକାବେଳକେ ଶ୍ରୀନଗରର ସମସ୍ତ ଦୃଶ୍ୟ ମନରେ ଛାପି ନେବାର ଏ ପରମ ସୁଯୋଗ ।

 

ବିବିଧ ଦୃଶ୍ୟ

 

ବୃତ୍ତାକାରରେ ପାହାଡ଼ ଘେରିଛି, ମଝିରେ ଶଙ୍କର ପର୍ବତ; ଚତୁର୍ଦ୍ଦିଗରୁ ବରଫ ତରଳି ଝରି ଆସୁଛି, ଏକ ଦିଗରେ ଝେଲମ୍‌ ଆଉ ତାର ନାଳ, ଅନ୍ୟ ଦିଗରେ ଡାଲ୍‌ ହ୍ରଦ, ଜଳାର୍ଣ୍ଣବରେ ଶ୍ରୀନଗରର ଘରସବୁ ଭାସିଲା ପରି ଦିଶୁଛି, ଜଳ ମଧ୍ୟରେ ନୌକାଗୃହରେ କାଶ୍ମୀର ଲୋକସଂଖ୍ୟାର ଏକ ଦଶମାଂଶ ବାସ କରନ୍ତି । ଘର ସବୁ ପେନ୍ଥି ପେନ୍ଥି, ପୁଞ୍ଜି ପୁଞ୍ଜି ହୋଇ ରହିଛି, ସବୁଜ ପ୍ରାନ୍ତର, ଫଳ ଫୁଲର ଉଦ୍ୟାନ, ସରୁ ସରୁ ପିଚୁରାସ୍ତା, ସାରି ସାରି ଚିନାର ଆଉ ପପ୍‌ଲାର ବୃକ୍ଷ, ମନ୍ଦିର, ମସଜିଦ୍‌, ଗିର୍ଜାର ଚୂଡ଼ା, ପାହାଡ଼ ଢାଲୁରେ ପାଚିଲା ଗହମ ଖେତ, ପାହାଡ଼ ତଳ ବିଲରେ ଧାନବୁଆ—ଏଥିମଧ୍ୟରୁ କିଏ କେତେବେଳେ ଆଖିକି ଓଟାରି ରଖୁଚି, ଠିକଣା ନାହିଁ ।

 

ମନ୍ଦିର ସାମ୍ନାରେ ବହୁ ଉଚ୍ଚ ପର୍ବତ, ତା ପଛକୁ ତା ପଛ ସ୍ଥିର ବଉଦ ପରି ଶୃଙ୍ଗ, କେଉଁଠି ଲଗାଲଗି, କେଉଁଠି ଛଡ଼ାଛଡ଼ା—ମୁହୁର୍ମୁହୁଃ ରଙ୍ଗ ବଦଳୁଛି, ସୁଦୂରରେ ଦିଶୁଛି ଗୋଟିଏ ଧୂସର ପାହାଡ଼, ହାତୀର ଦୁଇଟି ଦାନ୍ତ ପରି ଦୁଇ ଦିଗର ତାର ବରଫ ଲମ୍ୱିଛି, କୁହୁଡ଼ି ମଧ୍ୟରେ ବାମ ଦିଗର ଏଇ ଶୃଙ୍ଗଟି ଢୁଳେଇଲା ପରି ଦିଶୁଛି, ଦକ୍ଷିଣ ଦିଗର ଏଇ ବୃହତ୍‌ ଶୃଙ୍ଗଟି ଆଗ୍ନେୟଗିରି ପରି ମେଘ ବମନ କରୁଛି, ପିଲାମାନେ ଘାସର କୁଣ୍ଡଳିରେ ପାଣି ଲଗାଇ ଫୁଙ୍କି ଉଡ଼ାଇଲା ପରି କେଉଁ କେଉଁ ଶୃଙ୍ଗ ମେଘକୁ ଉଡ଼ାଉଛି—ଦଳ ଦଳ ଛଞ୍ଚାଣ ପରି ସେମାନେ ଝାମ୍ପ ଦେଉଛନ୍ତି ଆକାଶକୁ ଗ୍ରାସି ଯାଉଛନ୍ତି ଅରା ଅରା ଆକାଶର ନୀଳିମା । କେଉଁଠି ଯାଆଁଳା ଭାଇ ପରି ମେଘ ଆଉ ବରଫ–ପ୍ରଭେଦ ବାରି ହେଉନାହିଁ, କେଉଁଠି ଛିଣ୍ଡା ଛିଣ୍ଡା ମେଘ ମିଶି ଏକ ହେଉଛନ୍ତି, ପୁଣି ଯାଉଛନ୍ତି ଭାଙ୍ଗି । ଛିଣ୍ଡା ମେଘ ଫାଙ୍କରୁ ସୂର୍ଯ୍ୟ କିରଣ ଗୋଟିଏ ମାତ୍ର ପର୍ବତକୁ ଅଭିଷିକ୍ତ କରୁଛି—ଅନ୍ୟ ସମସ୍ତ ଶୃଙ୍ଗ ଛାୟାମୟ, ଆହା ମେଘର ଜୁଆରରେ ସେ ନିଭିଗଲା, ନିଭିଗଲା; ଗୋଟିଏ ମାତ୍ର ଚିଲ ଆକାଶରେ ଉଡ଼ୁଛି, ପକ୍ଷୀ ସମାଜର ପ୍ରତିନିଧି ସତେ କି ପରିଦର୍ଶନରେ ଆସିଛନ୍ତି, ମେଘମୟ ଆକାଶ ପକ୍ଷୀଙ୍କ ବିହାରଯୋଗ୍ୟ ହେଲା କି ନାହିଁ ଦେଖିବା ପାଇଁ !

 

ଚଉକତିରେ ବରଫ ଜମିଛି, ମନ୍ଦିର ଦୁଆରେ ଝୁଲା ଘଣ୍ଟା ବଜାଇ ଭିତରେ ପଶିଲୁ, ଶଙ୍କରାଚାର୍ଯ୍ୟ ଏହି ପର୍ବତରେ ଅବସ୍ଥାନ କରିଥିଲେ; କାଶ୍ମୀର ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ଏଠି ତାଙ୍କୁ ଶାକ୍ତ ଧର୍ମରେ ଦୀକ୍ଷିତ କରିଥିଲେ ବୋଲି ଜନଶ୍ରୁତି ଅଛି । ମନ୍ଦିରଟି ଏଇ ଘଟଣାର ସ୍ମାରକ ରୁପେ ନିର୍ମିତ, ଏଇ ପର୍ବତ ବି ଶଙ୍କରଙ୍କ ନାମରେ ନାମିତ । ମନ୍ଦିରଟି ଠିକ୍‌ ପର୍ବତ ଚୂଳରେ ଅବସ୍ଥିତ, ଉଚ୍ଚତାରେ ପ୍ରାୟ ୪୦ ହାତ ହେବ, କାରୁକୀର୍ତ୍ତିର ସ୍ପର୍ଶ ନାହିଁ । ଶିବଲିଙ୍ଗ ଆକାରରେ ବୃହତ୍‌, ଲଲାଟରେ ‘ଓଁ’ ଲିଖିତ । ଲିଙ୍ଗ ସଙ୍ଗେ ସଙ୍ଗେ ଶଙ୍କରଙ୍କ ଫଟୋ ବି ପୂଜିତ ହେଉଛି । ଭୋଗରାଗର ଆଡ଼ମ୍ୱର ନାହିଁ, ଖଞ୍ଜାପଡ଼ା ନାହିଁ; ଯାତ୍ରୀମାନେ ଯାହା ଦିଅନ୍ତି, ସେଥିରେ ନୀତି ବଢ଼େ । ପାରମ୍ପରିକ ରୀତିରେ ମୁଣ୍ଡିଆଟିଏ ମାରି ଆଖି ଫେରାଇଲି, ଆଗରେ ଭାସିଲା ସୌନ୍ଦର୍ଯ୍ୟ ଦେବତାର ଲୀଳାମୟ ମୂର୍ତ୍ତି ।

 

କବିତା ରଚନାରେ ଅସଫଳ ପ୍ରୟାସ

 

ଭାବିଲି—ଲେଖିବି ଗୋଟିଏ କବିତା । ଏ ସୁନ୍ଦର ପରିବେଶରେ କବିତା ଲେଖିବାର ପ୍ରଲୋଭନ କୌଣସି କବି ଏଡ଼ି ପାରେ ? କିନ୍ତୁ ଲେଖିବି ବୋଇଲେ ତ ଲେଖା ହୁଏନାହିଁ । ଭିତରୁ ଡାକ ଆସିବା ଦରକାର । ଡାଇରୀ ବହିରେ ଗୁଡ଼ିଏ ଅକ୍ଷର ଲେଖି କାଟିବା ହିଁ ସାର ହେଲା । ମନକୁ ନଚାଇଲି, ଦୋଳାଇଲି, ଖେଳାଇଲି; ଅଭିନୟ ବ୍ୟର୍ଥ ହେଲା । ଜମାଟବନ୍ଧା ଭାବ ଲେଖନୀ ମୁନକୁ ଆସିଲା ନାହିଁ । ବହୁ ପାପଳାପାପଳି ପରେ ପ୍ରେତ ଛାଇ ପରି ଗୁଡ଼ାଏ ଅସ୍ପଷ୍ଟ ଭାବ ଦେଖା ଦେଲେ, ପ୍ରକାଶକୁ ଭାଷା ପାଇଲା ନାହିଁ; କାହାକୁ ରୂପ ଦେବି, କାହାକୁ ଛାଡ଼ିବି ସ୍ଥିର କରିପାରିଲି ନାହିଁ । ଶେଷକୁ ଗୋଟିଏ ଭାବ ଅନ୍ତରର ଅଭ୍ୟର୍ଥନା ପାଇଲା—‘‘ହେ ଦେବତା, ତୁମେ କଣ ଏ ଦେଉଳରେ ଅଛ ? ତେବେ ବିଶ୍ୱର ଏ ଲାବଣ୍ୟମୟ ମନ୍ଦିର କାହା ଲାଗି ତୋଳା ହୋଇଛି ? ତୁମେ ସୁନ୍ଦର, ସୁନ୍ଦରର ଅଜସ୍ର ଲୀଳାରେ ହିଁ ତୁମର ପ୍ରକାଶ । ତୁମେ କେତେବେଳେ ନିର୍ଝରଝରା ପର୍ବତରେ ନୃତ୍ୟ କର, କେତେବେଳେ ଚନ୍ଦ୍ର ହୋଇ ଚନ୍ଦ୍ରିକାରେ ତୁମର ଶ୍ୱେତ ଉତ୍ତରୀ ମେଲିଦିଅ । କେତେବେଳେ ତୁମ କାଉଁରୀ ସ୍ପର୍ଶରେ ଦ୍ରୁମ ପୁଲକିତ ହୁଏ, କଳିକା ବିକଶିତ ହୁଏ, କେତେବେଳେ ମଳୟ ହିଲ୍ଲୋଳରେ ତୁମ ହୃଦ ସ୍ପନ୍ଦନ ଅନୁଭବ କରେ, କେତେବେଳେ ତୁଷାରମୁକୁଟ ପରିଧାନ କରି ଘନ ବନ ତଟରେ ବୈରାଗୀ ହୋଇ ବୁଲ, କେବେ ବା ଜଳପ୍ରପାତରେ ଇନ୍ଦ୍ରଧନୁର ଛଟକ ଛଇ ହୋଇ ଦେଖା ଦିଅ । ଏହିପରି ଅଜସ୍ର ସୁଷମାସମୃଦ୍ଧିରେ ମୁଁ ତୁମକୁ ଦେଖେ । ତୁମେ ଏ ମନ୍ଦିରରେ ନାହଁ ।’’

 

ଏ ଭାବଟିକି ରୂପ ଦେଲି ଗଦ୍ୟକବିତାରେ, ମନକୁ ପାଇଲା ନାହିଁ; ପୁଣି ମାତ୍ରାବୃତ୍ତରେ ଲେଖିଲି । ମନଃପୁତ ହେଲା ନାହିଁ । କ୍ରୋଧରେ କାଟି ପକାଇଲି । ଅସାଫଲ୍ୟର କରୁଣ ସ୍ମାରକ ରୂପେ ରହିଲା ନିମ୍ନ କେତୋଟି ଧାଡ଼ି :—

 

ହେ ମୋର ଦେବତା ନାହଁ ତୁମେ ମନ୍ଦିରେ

ନାଚ ଏଇ ଝର ଝର୍ଝରମୟ ପର୍ବତ ଶିରେ ଶିରେ

X X X X X

କେବେ ଭାସେ ଏଇ ଆକାଶେ ଆକାଶେ ଧୂମାୟିତ କେଶରାଶି

ପର୍ବତ ପଦେ ଆସ ପଥ ତବ ବିଦ୍ୟୁତେ ଉଦ୍ଭାସି

ଝଞ୍ଜା ବଜାଏ ଭୈରବ ତବ ଭେରୀ

ହେ ଦେବତା, ନାହିଁ ମନ୍ଦିରେ ଅଛ ଚଉପାଶେ ମୋର ଘେରି ।

Image

 

‘ଡାଲ୍‍’ ହ୍ରଦରେ ଅପରାହ୍‌ଣ

 

ଅପରାହ୍ନ । ହ୍ରଦର ଚଳ, ଚପଳ ଢେଉରେ ରୁପାର ଥାଳିଆ ଖେଳୁଥାଏ, ଜରି ଫୁଲ ଫୁଟୁଥାଏ । ସୂର୍ଯ୍ୟ ଚୁନ୍‌ ଚୁନ୍‌ ହୋଇ ଭଙ୍ଗା କାଚ ପରି ସମସ୍ତ ହ୍ରଦରେ ଛିଟିକି ପଡ଼ୁଥାନ୍ତି । ଚାଲିଥାଏ ଆମର ‘ଶିକାରା’; ଦୋଳୁଥାନ୍ତି, ହ୍ରଦ ତଳର ତୃଣ, ରାଶି ରାଶି ପଦ୍ମ ପତ୍ର, ଢେଉଖେଳା ପକ୍ଷୀ । ପଦ୍ମ ଏବେ ଫୁଟି ନାହିଁ, ଶୀତର ଅଭିଶାପରୁ ମୁକ୍ତ ହୋଇ ମୁଣ୍ଡ ଟେକୁଚି । ଯେତେବେଳେ ବସନ୍ତ ଆସେ, ଶରତ୍‌ କୃଷ୍ଣପକ୍ଷର ଅଜସ୍ର ନକ୍ଷତ୍ର ପରି ଏଠି ପଦ୍ମ ଫୁଟେ, ପଦ୍ମ ଫୁଟାର ଟକ ଟକ ଶବ୍ଦ ବି ଶୁଣାଯାଏ-। ସମସ୍ତ ହ୍ରଦ ପଦ୍ମ କେଶର ଆଉ ପାଖୁଡ଼ାରେ ଆଚ୍ଛନ୍ନ ହୁଏ, ତୀର୍ଥକ୍ଷେତ୍ରରେ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି ପରି ମହୁମାଛିର ଗୁଞ୍ଜନ ଶୁଣାଯାଏ । ମଧୁଚକ୍ରରେ ସଞ୍ଚିତ ପଦ୍ମ ମଧୁ ଲୋକେ ଆହରଣ କରନ୍ତି । ସେ ଦୃଶ୍ୟ ଦେଖିବାର ସୌଭାଗ୍ୟ ଆମର ନାହିଁ ।

 

ଶୀତ ଦିନରେ ବେଳେ ବେଳେ ଡାଲ୍‍ ଜମାଟି ବାନ୍ଧେ, ନୌକା ଚଳାଚଳ ବନ୍ଦ ହୋଇଯାଏ; ହ୍ରଦ ଜଳ ଖଣ୍ଡିଏ ବୃହତ୍‌ ଶଙ୍ଖମଲମଲ ପ୍ରସ୍ତରରେ ପରିଣତ ହୁଏ, ନଗରବାସୀ ଏହା ଉପରେ ନାନା କ୍ରୀଡ଼ାରେ ରତ ହୁଅନ୍ତି ।

 

ନେହୁରୁ ପାର୍କ

 

ହ୍ରଦ ଜଳ ଆଜି ଶାନ୍ତ, ଆକାଶ ସ୍ୱଚ୍ଛ, ପଶ୍ଚିମ ଦିଗରେ ଅପରାହ୍ନର ସୂର୍ଯ୍ୟ, ଆଗରେ ତରଙ୍ଗବାହିନୀ, ହ୍ରଦ ମଝାରେ ଅଣ୍ଟା ସୂତା ପରି ଛୋଟ ଛୋଟ ଦ୍ୱୀପ, କୂଳର ଅଳ୍ପ ଦୂରରେ ହିମାଦ୍ରିର ଅଗଣିତ ଧବଳ ଶୃଙ୍ଗ, ଦଳଦଳ ହୋଇ ବହୁ ଅପରିଚିତ ପକ୍ଷୀ ଆମ ମସ୍ତକ ଉପରେ ଉଡ଼ି ଯାଉଛନ୍ତି, ହ୍ରଦ କୂଳେ କୂଳେ ଚାଲିଛି ଆମର ‘ଶିକାରା’, ଚତୁର୍ଦ୍ଦିଗରେ ବୁଲୁଛି ଆମର ଆଖି, ବିଶ୍ରାମୁଛି କେତେବେଳେ ସଚଳ ପର୍ବତରେ, କେତେବେଳେ କ୍ଷଣକୁ କ୍ଷଣ ପରିବର୍ତ୍ତିତ ଆକାଶ ଆଉ ହ୍ରଦର ବର୍ଣ୍ଣବିଭାରେ । ହ୍ରଦ ଭିତରେ ଗୋଟିଏ ଛୋଟ ପାର୍କ, ନାଁ ନେହୁରୁ ପାର୍କ; ନାନା ଜାତିର ଫୁଲ ଫୁଟିଛି, ଘାସର ଗାଲିଚା ପଡ଼ିଛି, କୂଳରୁ ହ୍ରଦ ଭିତରକୁ ରାସ୍ତା ଗଢ଼ାଯାଇଛି, ନୀଳ ଜଳରେ ପ୍ରତିଫଳିତ ହୋଇ ଏହି ପାର୍କ ସ୍ୱପ୍ନ ମହଲ ସୃଷ୍ଟି କରିଛି ।

 

‘ଡାଲ୍‍’ ଦ୍ୱୀପରେ ହୋଟେଲ

 

ପାର୍କ ପଛକୁ ଗୋଟିଏ ହୋଟେଲ୍‌—କାଠର ଦୋ ପହଲା ଘର, ସଜାସଜି ଅପୂର୍ବ । ସମସ୍ତ ହ୍ରଦର ଦୃଶ୍ୟ ଉପଭୋଗ କରିବା ଲାଗି ଏଇ ସ୍ଥାନଟି ଉପଯୁକ୍ତ । ହୋଟେଲରେ କେହି ନାହାନ୍ତି, ଜଣେ ବେହେରା ମାତ୍ର । ଅଳ୍ପ ଆଳାପରେ ତା ସଙ୍ଗେ ବନ୍ଧୁତା ହୋଇଗଲା । ହୋଟେଲରେ ଗୋଟିଏ ରାତି କଟେଇବା ଲାଗି ବେହେରା ଆମକୁ ଅନୁରୋଧ କଲା, ଆମର ବି ଲୋଭ ହେଲା, କିନ୍ତୁ ସୁଯୋଗ ଯୁଟିଲା ନାହିଁ । ବସନ୍ତ କାଳରେ ଏ ହୋଟେଲଟି ଖୋଲେ, ଶୀତ ଆରମ୍ଭରେ ବନ୍ଦ ହୋଇଯାଏ । ଏ ବର୍ଷ ବସନ୍ତ ଆସିଛି, କିନ୍ତୁ ମଧୁ ବଦଳରେ ବର୍ଷୁଛି ଜଳ ବା ବରଫ । ପାଗ ବଦଳିଲେ ଯାତ୍ରୀ ଆସିବେ, ଏ ଆଶାରେ ବେହେରା ଚୌକୀ, ଟେବୁଲ୍‌, ବାସନକୁସନ, ଘରଦ୍ୱାର ସଫା କରୁଛି । ବାସ୍ତବିକ ଅଳ୍ପ କେତେ ଦିନ ମଧ୍ୟରେ ଏଠି ଖୁବ୍‌ ଗହଳଚହଳ ଲାଗିଯିବ, ଖିଆପିଆ ଧୁମ୍‌ ଉଡ଼ିବ, ମଉଜମଜଲିସ୍‌ ହସଖୁସିର କଳ କୋଳାହଳରେ ଏ ସ୍ଥାନ ମୁଖରିତ ହେବ; କିନ୍ତୁ ଏହାର ନିର୍ଜନ, ଶାନ୍ତଶ୍ରୀ ଉପଭୋଗ କାହାରି ଭାଗ୍ୟରେ ଘଟିବ ନାହିଁ-। ମୁହୂର୍ତ୍ତେ ଧ୍ୟାନସ୍ଥ ହୋଇ ହୀରକ ଶୃଙ୍ଗ ମଧ୍ୟରେ ଶରତ୍‌ ଆକାଶ ପରି ସ୍ୱଚ୍ଛ ନୀଳ କଲ୍ଲୋଳ ଶ୍ରୀ ଚିତ୍ତରେ ଆଙ୍କିନେଲୁ ।

 

ଦ୍ୱୀପର ଗୋଟିଏ ଦୋକାନୀ

 

ଗୋଟିଏ ଦ୍ୱୀପ କୂଳରେ ନାଉରି ନାଆ ଲଗାଇଲା—କଳାମାଟି, କେତୋଟି ଉଇଲୋ ଆଉ ସଫେଦା ଗଛ, ଯୋଡ଼ିଏ ମାତ୍ର ଘର, ଦ୍ୱୀପଟି ଅତି ଛୋଟ, ମାନଚିତ୍ରରେ ଗୋଟିଏ ବିନ୍ଦୁର ଶହେ ଭାଗରୁ ଭାଗେ ବି ହେବନାହିଁ । ସେଥିରେ ଗୋଟିଏ ଦୋକାନ ଅଛି, ଲୁଣ ତେଲ ଚାଉଳରୁ ଆରମ୍ଭ କରି ଚାଆ, ବିଡ଼ି, ବିସ୍‌କୁଟ୍‌, କଇଞ୍ଚି ସିଗାରେଟ୍‌ରୁ ଘୋଡ଼ାମାର୍କ । ଦିଆସିଲି ପର୍ଯ୍ୟନ୍ତ ବୁଢ଼ା ଦୋକାନୀ ବହୁ ଜିନିଷ ରଖିଛି । କେତେକ ଗହକୀ ହ୍ରଦ କୂଳରେ ‘ଶିକାରା’ ଅଟକେଇ ଜିନିଷପତ୍ର କିଣୁଛନ୍ତି । ବୁଢ଼ା ଆମକୁ ବିଦେଶୀ ଦେଖି ପଚାରିଲା—ତୁମ ଦେଶ କେଉଁଠି ? ମୁଁ କହିଲି—ଜଗନ୍ନାଥ ଧାମ ।

 

‘‘ତୁମ ଦେଶରେ ଏପରି ହ୍ରଦ ଅଛି ?’’

 

‘‘ଏ ହ୍ରଦଟି ମାତ୍ର ଚାରି ମାଇଲ ଲମ୍ୱ, ଅଢ଼େଇ ମାଇଲ୍‌ ଓସାର । ଆମ ଆଡ଼େ ଯେଉଁ ହ୍ରଦ ଅଛି, ସେ ଏହାଠାରୁ ଢେର୍‌ ବଡ଼, ତା ନାଁ ଚିଲିକା । ତା ମଝିରେ ବଡ଼ ବଡ଼ ଦ୍ୱୀପ ଅଛି, ପାହାଡ଼ ଅଛି, ତେବେ ଏଠା ପାହାଡ଼ ପରି ସେଠି ବରଫ ନାହିଁ, ଏଠା ପାଇନ୍‌ ଆଉ ଉଇଲୋ ବଣ ପରି ସେଠି ବଣ ଅଛି, କିନ୍ତୁ ସେ ସବୁ ଗଛବୃଛ ଆଉ ପ୍ରକାରେ । ସେ ବଣରେ ଡର ମାଡ଼େ—ବାଘ, ଭାଲୁ, ସାପ ।’’

 

‘‘ତେବେ ସେ ଦେଶ ଛାଡ଼ି ଏଠି କଣ ଦେଖିବାକୁ ଆସିଛ ?’’

 

‘‘ତୁମର ଏ ଦୋକାନଟି !’’

 

ବୁଢ଼ା କିର୍‌କିରେଇ ହସିଲା—‘‘କେତେ ଦୋକାନବଜାର ଦେଖିଥିବ, ରାଜ୍ୟରାଜ୍ୟ ବୁଲୁଛ, ମୋର ଏ ଛୁଆ ଦୋକାନରେ କଣ ଅଛି ? ଗହକୀ ଆସିଲେ ତ ହେଲା, ନୋହିଲେ ପେଟରେ କଙ୍ଗଡ଼ି, ପାଟିରେ ପିଙ୍କା ଯାକି ବସି ରହିଲି ।’’

 

‘‘ତୁମେ ଯେଉଁ ଜାଗାରେ ଦୋକାନ କରିଛ ସେ ଭଳି ଜାଗାରେ ଆମ ଦେଶରେ କେହି ଦୋକାନ କରନ୍ତି ନାହିଁ—ମାନେ ହ୍ରଦ ଭିତରକୁ ଖାଲି କେଉଁଟମାନେ ମାଛ ମାରି ଯାଆନ୍ତି, ସଉକିଆନି ବାବୁମାନେ ଘେରାଏ ନୌକାରେ ବୁଲି ଘରକୁ ଫେରିଯାନ୍ତି, ତା ଭିତରେ ରହିବାର ସୁବିଧା ନାହିଁ, ହୋଟେଲ୍‌ ନାହିଁ କି ଦୋକାନ ନାହିଁ । ତୁମ ଦେଶକୁ ବର୍ଷକେ ପଚାଶ ହଜାର ଯାତ୍ରୀ ବାହାରୁ ଆସନ୍ତି, ତା ଫଳରେ ହୋଟେଲ୍‌ ବାଲା, ଦୋକାନବାଲାଙ୍କର ଆଚ୍ଛା ଦି ପଇସା ହାତପୈଠ:ହୁଏ । ସରକାରଙ୍କର ଏ ଗୋଟିଏ ବଡ଼ ଆୟ । ଆମ ଦେଶକୁ ବି ଏହିପରି ଯାତ୍ରୀ ଯାନ୍ତି, କିନ୍ତୁ ଅଧିକାଂଶ ଦିଅ ଦେଖି । ସୁନ୍ଦର ହ୍ରଦ, ପ୍ରପାତ, ଅରଣ୍ୟ, ପର୍ବତ ଦେଖି କେହି କ୍ୱଚିତ୍‌ ଯାନ୍ତି ।

 

‘‘ତୁମ ଆଡ଼େ ଏମିତି ବଡ଼ ବଡ଼ ପର୍ବତ ଅଛି ?’’

 

‘‘ନା, ଏତେ ନାହିଁ, ଏତେ ବଡ଼ ବି ନାହିଁ; କିନ୍ତୁ ଆମ ଆଡ଼େ ଆଉ ଗୋଟିଏ ଜିନିଷ ଅଛି, ଯାହା ତୁମ ଆଡ଼େ ନାହିଁ ।’’

 

‘‘କଣ ?’’

 

‘‘ସମୁଦ୍ର !’’

 

‘‘ସମୁଦ୍ର କଣ ଡାଲ୍‍ ପରି ନା ବଡ଼ ?’’

 

‘‘ତୁମ ଡାଲ୍‌ର ଲକ୍ଷେ ଗଣ୍ଡା ସମୁଦ୍ରର ଗୋଟାଏ କଣରେ ପଶିଯିବେ, ଡାଲ୍‍ ଖୁବ୍‌ ବେଶୀ ହେଲେ ଚାଳିଶି ଫୁଟ୍‌ ଗଭୀର, ସମୁଦ୍ରରେ ଏମିତି ଜାଗା ଅଛି, ସେଥିରେ ତୁମ ହିମାଳୟକୁ ପକାଇଦେଲେ ବି ଉପରକୁ ଅଧମାଇଲିଏ ପାଣି ରହିବ !’’

 

ବୁଢ଼ା କହିଲା—‘‘ଏଁ କି ଆଶ୍ଚର୍ଯ୍ୟ କଥା ? ତୁମ ଦେଶ ଏମିତି ?’’

 

ମୁଁ କହିଲି, ‘‘ଆମ ଦେଶ କଣ ? ସେ ଦେଶ ତୁମରି, ଏ ଦେଶ ବି ତୁମରି ।’’

 

ବୁଢ଼ା କହିଲା—‘‘ପଇସେ ପଇସେ ଛଞ୍ଚି ରଖିଛି, ପୁଅକୁ ଦୋକାନରେ ବସେଇ ସେ ଦେଶ ଦେଖି ଅଲ୍‌ବତ୍‌ ଯିବି ।

 

କୁକୁଡ଼ା ଗୋଡ଼ରେ ଖତଗଦା ରାମ୍ପୁଡ଼ି ଦାନା ଖୁଣ୍ଟୁଛନ୍ତି, ଗୋଟାଏ ଦାଢ଼ିଆ ଛେଳି ଏକ ଲୟରେ ହ୍ରଦ ଆଡ଼କୁ ଅନାଇଛି । ଏସବୁ ଦେଖୁ ଦେଖୁ ହ୍ରଦ କୂଳେ କୂଳେ ମଣିଷଚଲା ରାସ୍ତାରେ ଜଗବନ୍ଧୁ ଆର ନରେନ୍ଦ୍ର ଘରର ଆର ପାଖକୁ ଚାଲିଗଲେ, ହଠାତ୍‌ ଗୋଟାଏ ଖେଁକାର ଶୁଣି ସେମାନେ ପଛକୁ ଘୁଞ୍ଚି ଆସିଲେ; ବାଘ ? ଭାଲୁ ? ନା; ପାଟିରେ ଗୋଟିଏ ବୋଲି ଦାନ୍ତ ନାହିଁ, ମୁଣ୍ଡରେ ପାଚିଲା ଝୋଟ, ଦେହଟା ଅଣ୍ଟାରୁ ଅଧା ଭାଜି ପଡ଼ିଛି । ଗୋଟାଏ ବୁଢ଼ୀ—ନଇଁ ନଇଁ ସତେ କି ଖୋଜୁଛି ତାର ହଜିଲା ଯୌବନ, ଆଖିରେ ତାର ହିଂସ୍ର କଟାରୀ, ସେଥିରେ ଯେପରି ଏଇ ଯୁବକ ଦୁହିଁକି କତଲ୍‌ କରିଦେବାକୁ ଚାହେଁ ସେ । ବର୍‌ ବର୍‌ କରି କଣ ଗୁଡ଼ାଏ ବକି ଯାଉଛି । ବ୍ରହ୍ମାଙ୍କ ଅଜା ବି ବୁଝିପାରିବ ନାହିଁ । କଥା କଣ କି ବୁଢ଼ୀ ତା ଯୁବତୀ ମୁଣ୍ଡ ବାନ୍ଧୁଥିଲା, ଅଜାଣତରେ ଏମାନଙ୍କ ଆଖି ପଡ଼ିଗଲା, ବୁଢ଼ୀ ପିଲେଇତୀ ବାଘୁଣୀ ପରି ଗର୍ଜି ସେମାନଙ୍କୁ ତଡ଼ିଆଣିଲା, ଏମାନେ ଦେ ଦଉଡ଼, ନୌକାରେ ହାଜର ।

 

ନୌକାଘରେ ଗୋଟିଏ ରାତି

 

ସେତେବେଳକୁ ପଶ୍ଚିମ ଆକାଶରେ ସୂର୍ଯ୍ୟ ଗୋଟିଏ କାନ୍ଥ ଘଣ୍ଟା ପରି ଝୁଲୁଥାନ୍ତି, ଶିକାରା ଆସି ଗୋଟିଏ ହାଉସବୋଟ୍‌ ପାଖରେ ଲାଗିଲା । ବୋଟ୍‌ର ମାଲିକ କହିଲେ, ‘‘ଆମ ନୌକାଘରର ନାମ ‘ରବିରଶ୍ମି’—ଶୀତଦିନରେ ରବିରଶ୍ମି ପରି ଏହା ଲୋକପ୍ରିୟ । ଭିତରେ ବୁଲି ଦେଖନ୍ତୁ, ମନ ମାନିଲେ ରହିବେ ।’’ ମୁଁ କହିଲି, ‘‘ରହିବା ଚାର୍ଜଟା କେତେ କହନ୍ତୁ, ନୌକାଟି ଭଲ ହୋଇଥିବ, ବାହାର ଚେହେରାରୁ ଜଣାଯାଉଛି ।’’ ମାଲିକ କହିଲେ—‘‘ଜିନିଷ ନ ଦେଖି ଦରଦାମ୍‌ କରାଯାଏ ନାହିଁ; ଘର ଯଦି ମନମତ ହୁଏ, ଆପଣ ଦି ପଇସା ଖୁସିରେ ଦେଇଯିବେ ।’’ ଏହା କହି ସେ ବୋଟ୍‌ଘରୁ ଶିକାରାକୁ ଗୋଟିଏ କାଠପାହାଚ ଲମ୍ୱାଇ ଦେଲେ । ଆମେ ଭିତରେ ପଶିଲୁ ।

 

ବୋଟରେ କାଠର ଗୋଟିଏ କୋଠାଘର ତୋଳା ହୋଇଛି, ଚାରୋଟି କୋଠରୀ ଅଛି । ବୈଠକ ଘରେ ଅତି ମୂଲ୍ୟବାନ୍‌ ଗାଲିଚା ପଡ଼ିଛି, ତା ଉପରେ ଚିନାର କାଠର ଗୋଲ୍‌ ଟେବୁଲ, ତା ଚଉକତିରେ ଗଦିପକା ଚୌକୀ, କାନ୍ଥରେ ଗୋଟିଏ ବିରାଟ ଦର୍ପଣ, କେତେ ପ୍ରକାର ଫଟୋ, ଛବି ଟଙ୍ଗା ଯାଇଛି; ଝରକାରେ, ଦୁଆରେ କେତେ ଚିତ୍ରବିଚିତ୍ର ପରଦା ଟଣା ହୋଇଛି । ଗଦିପକା ଖଟ, ସାହେବୀ ବାସନକୁସନ, ବିଜୁଳି ଆଲୁଅ, ପାଣିକଳ, ଗାଧୋଇବା କୁଣ୍ଡ, ପାଇଖାନା କମୋଡ଼ ଦେଖି ଏଇ ଘରେ ରହିବା ପାଇଁ ଆମର ଲୋଭ ହେଲା, ଘର ସାଜ—ସରଞ୍ଜାମ ଆମ ମନଲାଖି ହୋଇଛି ଜାଣି ମାଲିକ୍‌ କହିଲା, ‘‘ଏଥିରେ ଗୋଟିଏ ଦିନ ରହିଲେ ୩ ଜଣଙ୍କୁ ୪୫ ଟଙ୍କା ଅର୍ଥାତ୍‌ ଜଣପିଛା ୧୫ ଟଙ୍କା । ରଜା, ଜମିଦାର ଅଥବା ମିଲ୍‌ ମାଲିକଙ୍କ ପୁଅ ନୋହୁଁ, ଏତେ ଟଙ୍କା ପାଇବୁ କାହୁଁ ? ମୁହଁ ବୁଲାଇ ଶିକାରାକୁ ଚାଲିଗଲୁ—ଅର୍ଥାତ୍‌ ତା ନୌକାଘରେ ରହି ଭଡ଼ା ଛିଡ଼ିପାରିବ ନାହିଁ । ମୁଁ ଏପରି ଚାଲିଯିବାର ଦେଖି ମାଲିକ ଅର୍ଦ୍ଧ ନିରାଶ ହୋଇ କହିଲେ, ‘‘ମୁଁ ଯାହା କହିଲି ସେ ଆମର ରେଟ୍‌, ଆପଣ କଣ ସେଇୟା ଦେବେ ?’’ ମୁଁ କହିଲି, ‘‘ଏବେ କେହି ଯାତ୍ରୀ ନାହାନ୍ତି, ବୋଟ୍‌ ଗୁଡ଼ାକ ଖାଲି ପଡ଼ିଛି ଆମେ ମାତ୍ର ଗୋଟିଏ ରାତି ରହିବୁ । କେତେ ଅଳ୍ପ ହେଲେ ତୁମର କ୍ଷତି ହେବ ନାହିଁ, କୁହ ।’’

 

ମାଲିକ କହିଲେ, ‘‘ରାତିକ ଲାଗି ତିନିଜଣଙ୍କୁ ପନ୍ଦରଟଙ୍କା ।’’ ମୁଁ କହିଲି—‘‘ନାଇଁ ଦଶ-।’’ ଏକଥା ଟଣାଟଣିରେ ଶେଷକୁ ସେଇ ଦଶ ଟଙ୍କାରେ ଛିଡ଼ିଲା । ଆମର ଲକ୍ଷ୍ୟ ସିଦ୍ଧ ହେଲା-। ଚା’ ପାନ ପରେ ହାଉସବୋଟ ଛାତ ଉପରକୁ ଉଠିଲି—ସେତେବେଳକୁ ସନ୍ଧ୍ୟା ନଇଁ ଆସିଥାଏ, ଲେଖିଲି ଗୋଟିଏ କବିତା :—

 

ଏଇ ଯେ ଆସିଚି ସନ୍ଧ୍ୟା

ନୌକାଘର ଦୁଆରେ ମୋହର

ଢେଉ ଜଳେ ଜଳେ ଶତ ସୁବର୍ଣ୍ଣ ଦୀପାଳି

ଟେକିଅଛି ପୁଷ୍ପମାଳା ଅଗଣିତ ହାତେ

ଡାଲ୍‌ ହ୍ରଦ ଅଶ୍ରୁ ଛଳ ଛଳ ।

ପିଚୁ ରାସ୍ତାପରେ ଟାକ୍‌ସି

ହ୍ରଦେ ଚଳେ ସୌଖୀନ ଶିକାରା

ଅର୍ଦ୍ଧବୃତ୍ତାକାର ଶତଶୃଙ୍ଗିତ ପର୍ବତ

ତୁଷାରେ ଅବିର ବର୍ଷେ ଅଗ୍ନିମେଘ

ଚିତ୍ତେ ଦୂରଚଲାର ଉଦବେଗ ।

ନାସ୍‌ପାତୀ ଅସ୍ତାତପେ

ଉପବନ ଭାସେ

ଦ୍ୱୀପେ ଦ୍ୱୀପେ ‘ଉଇଲୋ’ ନାଚେ

ସନ୍ଧ୍ୟାର ଉଚ୍ଛ୍ୱାସେ ।

ଚମ୍ପକଚମକଦେହା କାଶ୍ମିରୀ କିଶୋରୀ

ନୌକାଘରେ ବସିଅଛି,

ଚଇତାଳୀ ଗୋଧୂଳିର ସକଳ ସ୍ୱପନ

ଅଧରେ ଖେଳଇ ତାର;

କୁନ୍ତଳେ ତା ଚେରୀ ଫୁଲ କୋମଳ କମ୍ପନ

ଆଜି ଏ ସନ୍ଧ୍ୟାରେ ଦିଏ ଗାନେ ଗାନେ ନବୀନ ସ୍ପନ୍ଦନ

ଅବତରେ ଛାୟାମୟୀ ମାୟା ତାର ଚୌଦିଗେ ବିସ୍ତାରି

ଶଇଳେ ଧୂମଳ କରେ କୁହେଳି ଅଞ୍ଚଳ ତାର ଝାଡ଼ି,

କେବେ ଧାଇଁ କଉତୁକେ ସୁବର୍ଣ୍ଣ ହରିଣ

ଧରେ ସନ୍ଧ୍ୟାବନେ

ହସଇ ପାଇନ୍‌ ଶିରେ ଶୁକ୍ରତାରା

ସୃଷ୍ଟିର ଆନନ୍ଦ ଯେତେ ଠୁଳ ତାର ମନେ ।

 

ନୌକାଘରେ ବିଜୁଳିବତୀ ମିଞ୍ଜି ମିଞ୍ଜି ଜଳୁଛି, ସେଥିରେ ଅକ୍ଷର ପଢ଼ିବା ତ ଦୂରର କଥା, ପରସ୍ପରର ମୁଖଛାୟାମାତ୍ର ଦେଖୁଅଛୁ । ତିନିଚାରିଜଣ ଗୋଟିଏ ଜାଗାରେ ବସି ନୀରବରେ ଚିନ୍ତା କରିବା ସମ୍ଭବ ନୁହେଁ, ତେଣୁ ଗଳ୍ପ ଜମେଇଲୁ । ନୌକାମାଲିକର ପୁଅ ଆସିଲା, ନାଁ ଉସ୍‌ମାନ୍‌, ଯୁବକ; ସ୍ୱଳ୍ପ ଆଳାପରେ ସେ ଆମର ଆପଣାର ହୋଇଗଲା । ବଡ଼ଭାଇ ନାଁ ରହମନ୍‌, ସେ ଜୋତା ଦୋକାନ କରେ । ତା ଦାୟିତ୍ୱରେ ଏ ନୌକାଘର, ଏଥିରୁ ବର୍ଷକୁ ୩ । ୪ ହଜାର ଟଙ୍କା ସେ ଆୟ କରେ । ହା: ସ୍କୁଲ ଦୁଆରୁ ଫେରି ଆସିଛି, ଅର୍ଥାଭାବରୁ ନୁହେଁ, ଚଗଲାବୁଦ୍ଧିରୁ । ସେଥିଲାଗି ତା ମନରେ ଶୋଚନା ନାହିଁ, କେବଳ ଶୋଚନା—କୁସଙ୍ଗରେ ସଙ୍ଗୀହୋଇ ସେ ଜୀବନକୁ ଯାହା ନଷ୍ଟଭ୍ରଷ୍ଟ କରିଦେଲା । କହିଲା—ବାବୁ, ଏ କାଶ୍ମୀର ମୁଲକ ଖାଲି ଦେଖାସୁନ୍ଦର କଖାରୁବଡ଼ି, ଲୋକଙ୍କ ହାତରେ ଧନ ନାହିଁ, ଅଭାବେ ସ୍ୱଭାବ ନଷ୍ଟ । ଅମୀରବାଦସାହା, ସାହେବସୁବା, ରଜାଜମିଦାର ଏଠିକି ହାୱା ବଦଳେଇବାକୁ ଆସନ୍ତି, ଶତ ଶତ ସଜଫୁଟା ଫୁଲକୁ ଧୂଳି—ଧୂସରିତ କରିଦେଇ ଯାନ୍ତି । କାଶ୍ମୀର ପଇସା ଚାହେଁ, ପାଏ; ତାତିଲା ପେଟର ନିଆଁ ଲିଭେ, କିନ୍ତୁ ସେ ଅଗ୍ନି ମନରେ ଶତ ସହସ୍ର ଶିଖା ମେଲି ଜଳୁଥାଏ । ଏଇ ଯେ ଝିଅସବୁ—ଗାଲରେ ଆପଲ, ଓଠରେ ଗୋଲାପ, ଦେହରେ ପାଚିଲା ନାସ୍‌ପାତୀ ରଙ୍ଗ, ମୁଖରେ ଅଙ୍ଗୁର ପରି ମଧୁର କଥା—ନୌକାଘରେ ବସିଛନ୍ତି, ଆଖିରେ ଶର ମାରି ଶିକାରକୁ ଘାଇଲା କରୁଛନ୍ତି, ଏମାନେ ପୋକକଟା ଫୁଲ; ନିଜେ ରୋଗୀଣା, ପେଟଦାଉରେ ଅନ୍ୟକୁ ରୋଗୀଣା କରନ୍ତି । ଏଇମାନଙ୍କ ସଙ୍ଗରେ ପଡ଼ି ମୋ ପାଠପଢ଼ା ଇତି ହେଲା; ବାପା ମୋ ରୀତି ଦେଖି ବାହା କରି ଦେଲେ । ସେଇଦିନୁଁ ଏ ଜୀବନ ଆଉ ପ୍ରକାରେ ଚାଲିଛି ।

 

‘‘ନୂଆ ନୂଆ ଶିଳ୍ପପ୍ରତିଷ୍ଠାନ ହେଲେ ଝିଅମାନେ ଆଉ ଏ ଉପାୟରେ ପଇସା ଅର୍ଜିବେ ନାହିଁ ।’’

 

‘‘ସେ କଥା ଆଲ୍ଲାଙ୍କୁ ଜଣା; ନୌକାରେ ଏ ଯେଉଁ ହାଁଜିମାନଙ୍କୁ ଦେଖୁଛ, ଏଇମାନେ ଅସଲ ଦଲାଲ୍‌ ପରର ଝିଅବୋହୂଙ୍କୁ କୁଟୁଣୀ ସାହାଯ୍ୟରେ ଶିଖେଇ ଆଣନ୍ତି, ଏଥିରେ ସେମାନଙ୍କ ହାତ ଚିକ୍‌କଣ ହୁଏ । ‘ପେଟ ପୋଷ୍‌, ନାହିଁ ଦୋଷ୍‌’ ଏଇ ନୀତିରେ ସେମାନେ ଚଳନ୍ତି । ଶୀତଦିନେ ଯେତେବେଳେ ଡାଲ ଆଉ ଝେଲମ୍‌ ଜମାଟ : ବାନ୍ଧେ, ଏମାନେ ବେକାର ହୁଅନ୍ତି ।’’

 

‘‘ଆଚ୍ଛା ସେ କଥା ଥାଉ, ଭାରତ ସହିତ ଯୋଗ ଦେଇ ତୁମେ ଖୁସି କି ନା ?’’

 

‘‘ଆରେ ବାବା !’’

 

‘‘ଆମେ କଣ କାହାକୁ କହିଦେଉଛୁ, ମନର କଥା କହ ।’’

 

‘‘ବାବୁ ଏ ସବୁ ବଡ଼ ବଡ଼ କଥା, ଆମେ ବୁଝୁନାହୁଁ, ପେଟ ଆମର ଗୁରୁ, ପେଟ ପୂରିଲେ ନଟ ଗଲା । ଭାରତ ଆମର ଦାନାଦାତା, ଟଙ୍କାକୁ ପାଞ୍ଚସେର ଚାଉଳ, ଚାରି ସେର ଗହମ ଦେଇ ଭୋକିଲା କାଶ୍ମୀରକୁ ବଞ୍ଚେଇଛି । ଆମେ ଭାରତ ସହିତ ଯୋଗ ଦେଇ ଖୁସି ହେବୁନାହିଁ କାହିଁକି ?’’

 

‘‘ପାକିସ୍ଥାନରେ ଯେ ଧର୍ମ ରହିଲା, ତା ଡାକ ତୁମେ ଏଡ଼ି ପାରିବ ?’’

 

‘‘ଏଇଠି କଣ ଧର୍ମ ପାଳି ହେବ ନାହିଁ ? କିଏ କୋଉ କଥାରେ ବାଧା ଦେଉଛି ? ଆମ ରକ୍ତର ଲକ୍ଷ ଲକ୍ଷ ଭାଇ ତ ଫେର୍‌ ଏ ଦେଶରେ ଅଛନ୍ତି !’’

 

ଉସ୍‌ମାନ ଆଦର୍ଶ ଆଡ଼କୁ ଚାଲିଲା; କାହିଁକି ଏଠା ମୁସଲମାନ ଆକ୍ରମଣକାରୀଙ୍କୁ ବାଟ କଢ଼େଇ ଆଣିଥିଲେ, ଜୋହାଦ୍‌ ଡାକର ଜବାବ ଦେଲେ, ଭାରତ ଶ୍ରୀନଗର ଅଧିକାର କଲାପରେ ଗିଲ୍‌ଗିଟ୍‌ ଅଞ୍ଚଳକୁ ପଳାଇଗଲେ ଉସ୍‌ମାନ୍‌ କହିପାରିଲା ନାହିଁ ।

 

ସାଢ଼େ ଆଠଟା ବେଳକୁ ବବୁର୍ଚ୍ଚି ଖାନା ଆଣିଲା—ସରୁଭାତ, ଡାଲି, ଆଳୁଦମ୍‌ ଆଉ ହାକ୍‌ । ରନ୍ଧାବଢ଼ା ବଡ଼ ପରିଚ୍ଛନ୍ନ, ତୃପ୍ତିକର ।

 

ହାତେ ଗଦିପକା ଶେଯ, ସେଥିରେ ଆଖି କଷା ପଡ଼ିଲା ନାହିଁ । କାଚ ଝରକା କତିରେ ବସି ରହିଲି । ଚୌଦିଗରେ ମସୀକଳା ଅନ୍ଧକାର ନିବିଡ଼ ହୋଇ ହ୍ରଦ ଜଳରେ ବସିଯାଇଛି । ଆକାଶରେ ପୁଞ୍ଜ ପୁଞ୍ଜ ନକ୍ଷତ୍ର ପରି ଫେନ ଚିକ୍‌ ଚିକ୍‌ କରୁଛି, ନୌକାଘରର ଚଉକତିରେ ଢେଉର ଲପଲପ ପ୍ରଳାପ; ଉତ୍ତୁଙ୍ଗ ମହିମାରେ ହିମାଦ୍ରି ଛିଡ଼ା ହୋଇଛି, ସ୍ଫଟିକ ପରି ତାର ସ୍ୱଚ୍ଛ ତୁଷାର ଅଞ୍ଜନାଭ ଆକାଶକୁ ଭେଦ କରିଛି । ରାତ୍ରିର ଗଭୀରତା ସଙ୍ଗେ ସଙ୍ଗେ ବିଜନତା ଘନେଇ ଆସୁଛି, ଚିନାର, ପପଲାର କେବଳ ଅନ୍ଧକାରର ସ୍ତୂପ; ବିଜନତାର ଅଗ୍ରଦୂତ ପରି ସେମାନେ ସ୍ଥିର, ଯୋଗନିଷ୍ଠ । କେବଳ ସୂପ୍ତର ଶାନ୍ତ ନିଃଶ୍ୱାସ ମାତ୍ର ଶୁଣାଯାଉଛି । ଅଜସ୍ର ଖଦ୍ୟୋତ ଆଖିରେ ଡାଲ୍‍ ଅନେଇଛି ଆକାଶକୁ, ଆକାଶ ଅନେଇଛି ଡାଲ୍‍କୁ—ଏଇ ନୀରବ ଭାବବିନିମୟ ବଡ଼ ହୃଦୟସ୍ପର୍ଶୀ-

 

କେତେବେଳେ ନିଦ୍ରା ମୋର ଆଖିକି ସିଇଁଦେଲା, ଜାଣେ ନାହିଁ । ସାରାରାତି ମୋ ମନରେ ଅଜସ୍ର ଦୃଶ୍ୟର ପଟୁଆର ଚାଲିଛି । ଡାଲଲେକ୍‌ର ଅଗଣିତ ଢେଉ ମୋ ଚଉକତିରେ ବେଢ଼ି ଶୁଣାଉଛନ୍ତି ଅଗଣିତ ସୌନ୍ଦର୍ଯ୍ୟର କାହାଣୀ—ଯାହା ଫୁଟି ଝଡୁଛି, ଲୋକେ ଦେଖୁନାହାନ୍ତି ।

Image

 

Unknown

ବରମୂଳାର ବାଟେ ଘାଟେ

 

ବସରେ ବେଶ୍‌ ଭିଡ଼, ହେଲେ ଜାଗା ଲାଗି କାହା ସଙ୍ଗେ ଝଗଡ଼ା ଝାଟି ଲାଗି ନାହିଁ । ଆମ କେତେଜଣଙ୍କ ଛଡ଼ା ବସ୍‌ର ପ୍ରାୟ ସମସ୍ତ ଯାତ୍ରୀ କାଶ୍ମିରୀ । ପୁରୁଷମାନେ ପାଇଜାମା, ଫେରନ୍‌ ପିନ୍ଧିଛନ୍ତି, ମୁଣ୍ଡରେ ପଗଡ଼ି ଭିଡ଼ିଛନ୍ତି, ସ୍ତ୍ରୀମାନଙ୍କର ରଙ୍ଗବେରଙ୍ଗର ଶାଢ଼ୀ, ଫେରନ୍‌, ମୁଣ୍ଡରେ ତରଙ୍ଗା, କେହି ବୁର୍ଖା ଭିତରେ ଆଖି ଦୁଇଟି ଜଳୁଜୁଳୁ କରୁଛନ୍ତି; ହିନ୍ଦୁସ୍ତ୍ରୀଙ୍କ କାନରେ ଦିଜହୁରୁ, ମୁସଲମାନ ସ୍ତ୍ରୀଙ୍କ ଗୋଛା ଗୋଛା କାନୱାଜି କାନକୁ ଲମ୍ବା ଆଉ ନଡ଼୍‌କା କରି ଦେଇଛି ।

 

ବସ୍‌ ଚାଲିଲା, ରାସ୍ତା ଦୁଇ ପାଖରେ ସଫେଦା, ଧୂଆଁଳିଆ ମେଘ ଅଳସ ଗତିରେ ପାହାଡ଼ ଉପରକୁ ଉଠି ବରଫ ସଙ୍ଗେ ବରଫ ହେଉଛି । ଚଷା ଧାନବିଲ କାଦୁଅ କରୁଛନ୍ତି, କେଉଁଠି ତଳି ରୁଆଁ ହେଉଛି, କେଉଁଠି ଧାନ କଳା ବୁଲି ଆସିଲାଣି, ହିଡ଼େ ହିଡ଼େ ବଗ ଚରି ବୁଲୁଛନ୍ତି, ସୋରିଷ ଖେତରେ ସୁନାର ଢେଉ—ଝେଲମ୍‌ କୂଳେ କୂଳେ ଚାଲିଲା ଆମର ବସ୍‌, ଦିନ ଆଠଟା ବେଳେ ଗୋଟିଏ ପୋଲ ନିକଟରେ ପହଞ୍ଚିଲୁ—ଏଠି ଭାରତ ଓ ପାକିସ୍ଥାନର ଭାଗ୍ୟ ପରୀକ୍ଷା ହୋଇଥିଲା, ରକ୍ତ ଧାରାରେ ଝେଲମ୍‌ର ଜଳ ହୋଇଥିଲା ଲୋହିତ ।

 

ଯୁଦ୍ଧ

 

ସେତେବେଳେ ଆକ୍ରମଣକାରୀ ପାହାଡ଼ୀ ସୈନ୍ୟ ଶ୍ରୀନଗର ଅଧିକାର କରିବାକୁ ଆଗେଇ ଆସୁଥାନ୍ତି । ବରମୂଳା ସେମାନଙ୍କ ପ୍ରଧାନ ସେନାଛାଊଣି, ସଙ୍ଗରେ ନାନା ପ୍ରକାର ଆଧୁନିକ ଅସ୍ତ୍ରଶସ୍ତ୍ର—ଟ୍ୟାଙ୍କ୍‌, ଟ୍ୟାଙ୍କବିଧ୍ୱଂସୀ ରାଇଫଲ୍‌, ମେସିନ୍‌ଗନ୍‌, ଷ୍ଟେନଗନ୍‌, ବ୍ରେନ୍‌ଗନ୍‌, ହାଣ୍ଡଗ୍ରେନେଡ଼୍‌ । ସୈନ୍ୟ ସୁଶିକ୍ଷିତ, ସୁସଜ୍ଜିତ, ଦେହରେ ଅକଳନ୍ତି ବଳ, ମନରେ ବିଜୟବିଶ୍ୱାସ, ସଂଖ୍ୟାରେ ହଜାର ହଜାର । ସେନାପତି ରଣଜିତ୍‌ ରାୟ ବିଷମ ସଂକଟରେ ପଡ଼ିଲେ ।

 

ମାତ୍ର ଘଣ୍ଟାଏ ଆଗରୁ ସେ ଶ୍ରୀନଗର ବିମାନ ଘାଟିରେ ପହଞ୍ଚିଥାନ୍ତି, ଘାଟି ନିରାପଦ ରଖିବା ଲାଗି ଦିଲ୍ଲୀରୁ ଆଦେଶ ପାଇଥାନ୍ତି । କିନ୍ତୁ କାଶ୍ମୀରକୁ ଆସି ଯେଉଁ ଅବସ୍ଥା ଦେଖିଲେ ସେଥିରେ ତାଙ୍କ ଆଖି ଖୋସି ହୋଇଗଲା । ଉରିରେ ବାଧା ଦେବାକୁ ଯାଇ ମହାରାଜ ହରିସିଂଙ୍କ ସେନାପତି ପ୍ରାଣ ଦେଇଛନ୍ତି, ତା ପରେ ଆକ୍ରମଣକାରୀ ବିନା ବାଧାରେ ପଙ୍ଗପାଳ ପରି ଆଗେଇ ଆସୁଛନ୍ତି, ଲୋକଙ୍କ ମନବଳ ଭାଙ୍ଗି ପଡ଼ିଛି, ବିକଳରେ ଈଶ୍ୱରଙ୍କୁ ଡକା ପକାଉଛନ୍ତି, ଚାରିଆଡ଼େ ହାହାକାର ପଡ଼ିଯାଇଛି; ଆଉ ଗୋଟିଏ ଦିନ ମାତ୍ର, ଶ୍ରୀନଗର ଶତ୍ରୁ କବଳରେ ପଡ଼ିବ । ଉଡ଼ାଜାହାଜ ଘାଟିକି ଯାବୁଡ଼ି ଧରି ବସିଲେ କି ଲାଭ ହେବ ? ଶ୍ରୀନଗର ଅଧିକୃତ ହେଲେ ସେ କଣ ସମ୍ଭଳା ପଡ଼ିବ ? ଦିଲ୍ଲୀରୁ ଯେ ଆଦେଶ ନାହିଁ ! ତାକୁ ଚାହିଁବା ଅର୍ଥ ଠେଙ୍ଗା ତୁଲେଇ ବସିବା, ଠେଙ୍ଗା ତୁଲଉଁ ତୁଲଉଁ ଘୁଷୁରି ମଙ୍ଗଳପୁରେ ହାଜର ହେବା ବିଚିତ୍ର ନୁହେଁ । ପୁଣି ଏତିକି ସୈନ୍ୟ ନେଇ ବିରାଟ ଶତ୍ରୁବାହିନୀ ସଙ୍ଗେ କିପରି ଯୁଦ୍ଧ କରା ହେବ ? ମହାସ୍ରୋତ ଆଗରେ ତୃଣ ପରି ଭାସିଯିବା ହିଁ ସାର ହେବ । ମିଲିଟାରୀ ଗାଡ଼ି ନାହିଁ, ଉଡ଼ାଜାହାଜ ନାହିଁ, ସେ ଭଳି ଅସ୍ତ୍ରଶସ୍ତ୍ର ବି ନାହିଁ-। ମହାବୀର ରଣଜିତ୍‌ ରାୟ ମହା ଭାବନାରେ ପଡ଼ିଲେ, କିନ୍ତୁ ଭାବନାରେ ଆନନ୍ଦ ମିଳଇ କାହିଁ । କାର୍ଯ୍ୟ—କାର୍ଯ୍ୟ, ଚତୁର୍ଦ୍ଦିଗରେ କାର୍ଯ୍ୟର ଆହ୍ୱାନ । ଶତ୍ରୁକୁ ବାଧା ଦେବାକୁ ହେବ; ବଳରେ ନ ହେଲା, କଳକୌଶଳରେ ଶତ୍ରୁକୁ ହଟେଇବାକୁ ହେବ । ଶ୍ରୀନଗରରେ ଯେତେ ବସ୍‌, ଲରି, ମୋଟର ଚାଲୁଥିଲା, ସବୁ ଏକାଠି କଲେ, ସେଇ ରାତିରେ କଲେ ଯୁଦ୍ଧଯାତ୍ରା । ବରମୂଳାର ଅଳ୍ପ ଦୂରରେ କୋଟିଏ ପାହାଡ଼, ଶୁଷ୍କ ତୃଣରେ ଧୂସର; ପାହାଡ଼ ମୂଳରେ ରାଜପଥ, ଡାକେ ବାଟରେ ଝେଲମ୍‌ । ରାତି ଅଧ, ଆକାଶର ତାରକା ଆଶୀର୍ବାଦ କଲେ, ରଣଜିତ୍‌ ଏଇ ପାହାଡ଼ରେ ଘାଟି ଜମେଇଲେ । ଗାଡ଼ିସବୁ ଲୁଚାଇ ରଖିଲେ ।
 

 

ତା ଆର ଦିନ ସିନ୍ଦୁରା ଫାଟି ନାହିଁ, ଶତ୍ରୁସୈନ୍ୟ ରାଜପଥରେ ପଟୁଆରରେ ଯିବାର ଦେଖାଗଲା, କି ଫୂର୍ତ୍ତି ! କେତୋଟି ଘଣ୍ଟା ମଧ୍ୟରେ କାଶ୍ମୀରର ରାଜମୁକୁଟ ଅଧିକୃତ ହେବ, ଅକଳନ୍ତି ଧନଦୌଲତ, ଅସରନ୍ତି ଖାଦ୍ୟଭଣ୍ଡାର ହାତରେ ପଡ଼ିବ, ବହୁ ସୁନ୍ଦରୀ ପଦସେବା କରିବେ, ଗୀତ, ନୃତ୍ୟ ଭୋଜି ମଉଜର ସୀମା ରହିବ ନାହିଁ । କି ମଜ୍ଜା !

 

ରଣଜିତ୍‌ ଆଦେଶ ଦେଲେ—ଫାୟାର । ମେସିନ୍‌ଗନ୍‌ ଗର୍ଜ୍ଜି ଉଠିଲା— ଗୁଡ଼ୁମ୍‌, ଗୁଡ଼ୁମ୍‌–ଝେଲମ୍‌ର ଢେଉ ଚମକି ପଡ଼ିଲେ, ଭୟାଳୁ ପକ୍ଷୀ ଆର୍ତ୍ତ ରବରେ ଇତସ୍ତତଃ ପଳାଇଗଲେ, କଜ୍ଜଳ ଧୂମରେ ଉଷାର ସିନ୍ଦୂରିତ ଆକାଶ ଛାଇ ହୋଇଗଲା, ରାସ୍ତାର ଦୁଇ କଡ଼ରେ ଓଲଟି ପଡ଼ିଲେ ଶତ ଶତ ଶତ୍ରୁ ସୈନ୍ୟ, ଗୋଲାପୀ ସ୍ୱପ୍ନ ଉପରେ ସତେ କି ଅକାଳ ଚଡ଼କ ପଡ଼ିଲା, ଛିନ୍‌ ଛତର ହୋଇ କିଏ କୁଆଡ଼େ ପଳାଇଲେ । ସେନାପତି ହୋବ୍‌ ଦେଇ ପୁଣି ସେମାନଙ୍କୁ ଏକାଠି କଲେ, ସେନାକୁ ଦୂରକୁ ଘୁଞ୍ଚାଇ ନେଇ ପାଲ୍‌ଟା ଆକ୍ରମଣ ଲାଗି ପ୍ରସ୍ତୁତ ହେଲେ, ଯେଉଁ ଦିଗରୁ ଗୁଳି ଛୁଟୁଥିଲା, ସେହି ଦିଗକୁ ଲକ୍ଷ୍ୟ କରି ବନ୍ଧୁକର ଘୋଡ଼ା ଟିପିଲେ । କିନ୍ତୁ ଗୋଟିଏ ହେଲେ ଗୁଳି ଶିଖ୍‌ ସୈନ୍ୟଙ୍କ ଦେହରେ ବାଜିଲା ନାହିଁ । ସେମାନଙ୍କର ରକ୍ଷାକର୍ତ୍ତା ପାହାଡ଼ । ତା ପରେ ଶତ୍ରୁବାହିନୀ ପାହାଡ଼କୁ ଦୁଇଦିଗରୁ ଘେରାଉ କଲେ । ରଣଜିତ୍‌ ଦେଖିଲେ—କଥା ସରିଲା, ଆଉ ରକ୍ଷା ନାହିଁ । ଏ ଘାଟିକି ଆବୁରି ରହିବା ଅର୍ଥ ମୃତ୍ୟୁ । କମାଣ ଧୂଆଁର ଆବରଣରେ ସେ ସୈନ୍ୟମାନଙ୍କୁ ପଛେଇ ନେଲେ, ଜଣ ଜଣ ହୋଇ ସମସ୍ତେ ଗଲେ କିନ୍ତୁ ସେ ନିଜର ଆସ୍ଥାନ ଛାଡ଼ିଲେ ନାହିଁ । ଏକୁଟିଆ ଛିଡ଼ା ହୋଇ ସେ ଗୁଳି ଟିପିଲେ, ଝଡ଼ରେ କଦଳୀ ଗଛ ପରି ଆଗେଇ ଆସୁଥିବା ଶତ୍ରୁ ସୈନ୍ୟ ମଧ୍ୟରୁ ଯେତେ ନିପାତ ହେଲେ, ତହିଁରୁ ବେଶୀ ଘାଇଲା ହେଲେ । ଅନ୍ଧକାର ଘନେଇ ଆସିଲାଣି, ଶିଖ୍‌ ସୈନ୍ୟ ଗୋଟିଏ ନିରାପଦ ଘାଟି ଆଗୁଳି ବସିଲେଣି; କିନ୍ତୁ ରଣଜିତ୍‌ ରାୟ ? ଆହା ରଣଜିତ୍‌ ରାୟ ! ଗୋଟିଏ ଗୋଳା ହଠାତ୍‌ କାହୁଁ ଆସି ତାଙ୍କ କପାଳରେ ବାଜିଲା, ରାୟଙ୍କ ଖପୁରି ଉଡ଼ିଗଲା । ମାତ୍ର ୩୪ ବର୍ଷ ବୟସରେ ସେ ଉଚ୍ଚ ପାହ୍ୟାକୁ ଉଠିଥିଲେ—ଲେପ୍‌ଟନେଣ୍ଟରୁ କ୍ୟାପଟେନ୍‌, କ୍ୟାପଟେନରୁ ମେଜର, ମେଜର୍‌ରୁ ଲେପ୍‌ଟନେଣ୍ଟ କର୍ଣ୍ଣେଲ । ସେ ହୁଏତ ଦିନେ ହୋଇଥାନ୍ତେ ଭାରତର ଶ୍ରେଷ୍ଠ ସେନାପତି; ସେ ଜୀବନ ଦେଲେ, ସହସ୍ର ସହସ୍ର ଜୀବନ ରକ୍ଷା ଲାଗି; ରକ୍ଷା କଲେ କାଶ୍ମିରୀ, କାଶ୍ମୀରିଣୀଙ୍କର ଇଜ୍ଜତ, ଭାରତର ସମ୍ମାନ । ଏଇ ଛୋଟ ପାହାଡ଼ରେ ରଣଜିତ୍‌ ରାୟଙ୍କ କୀର୍ତ୍ତି ଅମରାକ୍ଷର ଖୋଦିତ ହୋଇଅଛି ।

 

ବରମୂଳା ଶ୍ରୀନଗରରୁ ୩୪ ମାଇଲ୍‌ ଦୂର, ପହଞ୍ଚିଲୁ ଦିନ ସାଢ଼େ ନ’ଟାରେ । ବସ୍‌ କମ୍ପାନୀ ଅଫିସରେ ଜିନିଷପତ୍ର ରଖି ଦେଇ ସହର ପରିକ୍ରମାରେ ବାହାରିଲୁ । ସହରଟି ଅତି ଛୋଟ, ବଜାରରେ ତେମନ୍ତ ଚାକଚକ୍ୟ ନାହିଁ, ବୃହତ୍‌ ସୌଧ ସ୍ୱଳ୍ପ, ସିନେମା ଏବେ ଚାଲୁ ହୋଇଛି, କଲେଜଟି ପୂର୍ଣ୍ଣାଙ୍ଗ ହୋଇନାହିଁ, ଏହାର ବନ୍ଦ ଦରଜା ଭାଙ୍ଗି ପାହାଡ଼ୀ ସୈନ୍ୟ ରହିଥିଲେ, ତା ପରେ ଭାରତୀୟ ସୈନ୍ୟଙ୍କ କର୍ତ୍ତୃତ୍ୱରେ ଏହା ଅନେକ ଦିନ ରହିଥିଲା, ଏବେ ନୂଆ ହୋଇ ଖୋଲିଛି, ଗଣ୍ଠିଲିପତ୍ର ଘେନି ପଳାଇ ଯାଇଥିବା ଅଧ୍ୟାପକମାନେ ଯୋଗ ଦେଇଛନ୍ତି । ପାହାଡ଼ୀ ସୈନ୍ୟଙ୍କ ଆକ୍ରମଣରେ ଏହି ସହର ଚୂର୍ଣ୍ଣବିଚୂର୍ଣ୍ଣ ହୋଇ ଯାଇଥିଲା, ଏବେ ନୂଆ ହୋଇ ମୁଣ୍ଡ ଟେକୁଛି, ବ୍ୟବସାୟବାଣିଜ୍ୟ ଘନେଇ ଆସୁଛି । ଶତ ଶତ ଭାରତୀୟ ମିଲିଟାରୀ ଗାଡ଼ି ଏଣେ ତେଣେ ଯା’ଆସ କରୁଛି, ତାରଘେରା ତମ୍ବୁରେ ହଜାର ହଜାର ସୈନ୍ୟ ଜଗି ରହିଛନ୍ତି ।

 

ବରମୂଳା ଝେଲମ୍‌ ନଦୀକୂଳରେ ଅବସ୍ଥିତ, ଆଗେ ରାଓଲ୍‌ପିଣ୍ଡି ଦେଇ ଭାରତରୁ କାଶ୍ମୀର ଏଇ ବାଟେ ଯାତାୟାତ ହେଉଥିଲା । ପାକିସ୍ଥାନ ହେବା ପରେ ସେ ଦ୍ୱାର ବନ୍ଦ । ଏହି ସହର ଏକ ଘାଟି ସ୍ଥାନରେ ଅବସ୍ଥିତ, ଜଳ, ସ୍ଥଳ ବା ଆକାଶ ପଥରେ ଏଠାରୁ ଯାଇ କାଶ୍ମୀର ରାଜ୍ୟର ମୁକୁଟ ଶ୍ରୀନଗର ଅଧିକାର କରିବା ସୁବିଧାଜନକ, ସହିପରି ଯୋଜନା କରି ପାକିସ୍ଥାନୀ ଓ ପାହାଡ଼ୀ ସୈନ୍ୟ ଅଗ୍ରସର ହେଉଥିଲେ ।

 

ମୀର୍‌ମାକ୍‌ବୁଲ୍‌ ସେରୱାନୀ

 

ବରମୂଳା ମହାବୀର ମୀର୍‌ମାକ୍‌ବୁଲ ସେରୱାନୀଙ୍କ ଲାଗି ପ୍ରସିଦ୍ଧ । ସେରୱାନୀ ଆକ୍ରମଣକାରୀ ପାହାଡ଼ୀ ସର୍ଦ୍ଦାରମାନଙ୍କୁ କହିଲେ—ଶ୍ରୀନଗର ବରମୂଳାରୁ ମାତ୍ର ଘଣ୍ଟାକର ରାସ୍ତା, ଜାଣ ପାକୀସ୍ଥାନର ହାତ ମୁଠାରେ, ଏତେ ତରବରରେ ଆଗେଇ ଲାଭ ନାହିଁ । ବରଂ ଗାଁ ଗଣ୍ଡା ଲୁଟ୍‌ପାଟ୍‌ କରାଯାଉ । ଏକା ଧର୍ମର ଲୋକ, ସେରୱାନୀଙ୍କ କଥାରେ ସର୍ଦ୍ଦାରମାନେ ମାତିଗଲେ । କେତେ ଘର ପୋଡ଼ାଗଲା, ଲୁଟ୍‌ପାଟ ଚାଲିଲା, କେତେ ନିରୀହଙ୍କ ମୁଣ୍ଡ ଭୂଇଁରେ ଲୋଟିଲା । ପାକିସ୍ଥାନୀ ସୈନ୍ୟଙ୍କ ମଧ୍ୟରେ ଆଉ କୌଣସି ଶୃଙ୍ଖଳା ରହିଲା ନାହିଁ । ଏଇ ଅବସରରେ ଭାରତୀୟ ସୈନ୍ୟ ପହଞ୍ଚି ସେମାନଙ୍କୁ ନିପାତ କଲେ, କେତେକ ବନ ପାହାଡ଼ ପଥରେ ଲୁଚି ପଳାଇଗଲେ । ଏଇ ଯୁଦ୍ଧବେଳେ ପାକିସ୍ଥାନୀ ସୈନ୍ୟମାନେ ସେରୱାନୀଙ୍କ କାରସାଦି ବୁଝିପାରି ତାଙ୍କୁ ବନ୍ଦୀ କଲେ, ତାଙ୍କ ଦେହ ହାତରେ ବଡ଼ ବଡ଼ ଲୁହା କଣ୍ଟା ବାଡ଼େଇ ସେମାନେ ତାଙ୍କୁ କ୍ରୁଶବିଦ୍ଧ କରି ଦେଲେ, ତଥାପି ସେରୱାନୀ ପାକିସ୍ଥାନର ଜୟଧ୍ୱନି ଉଚ୍ଚାରଣ କଲେ ନାହିଁ । ତା ପରେ ତାଙ୍କ ବକ୍ଷକୁ ଲକ୍ଷ୍ୟ କରି ୧୪ଟି ଗୁଳି ମରା ହେଲା ‘ଭାରତର ଜୟ’ ‘କାଶ୍ମୀରର ଜୟ’ ‘ସତ୍ୟର ଜୟ’ କହି ସେରୱାନୀ ପ୍ରାଣ ଦେଲେ । ଫକୀରମୋହନ କଲେଜର ସେ କାଳର ଅଙ୍କ ଅଧ୍ୟାପକ ମୁଝୁଙ୍କ ବିବରଣୀ ସଂଗ୍ରହ କରି ନିମ୍ନ କବିତାଟି ରଚନା କରିଥିଲେ, ଶ୍ରୀଯୁକ୍ତ ମୁଝୁ ଯୁଦ୍ଧରେ ପ୍ରତ୍ୟକ୍ଷ ଭାଗ ନେଇଥିଲେ ।

 

ପଠାଣ ସଇନ ସାଗର ଘେରଇ ସୁନା କାଶ୍ମୀର ରାଜଧାନୀ

ଏ କଥା ଶୁଣିଲା କମ୍ପିତ ବୁକେ ମୀରମାକ୍‌ ବୁଲ୍‌ ସେରୱାନୀ ।

ଲୁହ ଲହୁ ଯେହୁ ବୁହାଏ ଦେଶର ତା ହାତେ ପଡ଼ିବ ଏଇ ଦେଶ ?

କଂସେଇ ହେବ ରାଜ୍ୟର ରାଜା ? ତା ଆଗେ ନିଜରେ କରେ ଶେଷ ।

ଶିଶୁ ଅବଳାର ରକତେ ରଙ୍ଗ ଟହଟହ ଦିଶେ ଯା’ର ହାତ

ଇଜ୍ଜତ କହେ ମୀରମାକ୍‌ ବୁଲ ସହିବୁ କି ତାର ପଦାଘାତ ?

ପୋଡ଼ି ଦେଇ ଗାଆଁ ପାଉଁଶେ ଅନ୍ଧ କରିଅଛି ଯେଉଁ ସଇତାନୀ

ସହିବୁ କି ତାହା କୋରାନ୍‌ଭକ୍ତ ମୀରମାକ୍‌ ବୁଲ୍‌ ସେରୱାନୀ ?

ଇସ୍‌ଲାମ୍‌ ନାମେ ମତାଏ ଏ ଦେଶ ହିଂସ୍ର କଦଳ କାରସାଦି

ବିଶ୍ୱର କେଉଁ ଧରମ କହେ ରେ ଦେଶଯାକ କର ବରବାଦି ?

ଶିଶୁର ହତ୍ୟା ନାରୀ ଧର୍ଷଣ ଧର୍ମ ଯେବେ ରେ ଗୃହଦାହ

ଧର୍ମଛଡ଼ା ଏ ମୀର୍‌ମାକ୍‌ ବୁଲ୍‌ ଗର୍ବିତ ପ୍ରାଣେ ଗାଅ, ଗାଅ ।

ବରଫ ବରଷା, କାଶ୍ମୀର ସାନୁ ଥରି ଉଠେ ଆଜି ଥର ଥର

ସ୍ୱାଧୀନତା ଲାଗି ବେକ ଦେଇଦିଏ ଶହୀଦ୍‌ ରକତ ଜରଜର ।

ବନ୍ଧୁକ ଧୂମେ ଅନ୍ଧ ଆକାଶ, ଆଉ ଏକ ଦିନ ହେଲେ ଡେରି

ଗର୍ବେ ବାଜିବ ଶିରୀନଗରେ ଯେ ପାକିସ୍ଥାନର ଜୟଭେରୀ ।

ମୁକ୍ତି ସଇନ ଭାରତର ଆସି ପାରିବେକି ତାରେ ଟାଳି ଆଉ ?

ଉଦ୍ୟମ କରୁଁ ସଇତାନ୍‌ ହାତେ ପ୍ରାଣ ମୋର ଯଦି ଯିବ ଯାଉ ।

ଶତ୍ରୁ ଶିବିରେ ପ୍ରବେଶିଲା ମୀର୍‌ ପାକିସ୍ଥାନୀର ବେଶ ଧରି

ପାକିସ୍ଥାନର ଜୟ, ଜୟ ନାଦ ମୁଖମଣ୍ଡଳୁ ପଡ଼େ ଝରି ।

ଆଗେଇ କି ଲାଭ ସର୍ଦ୍ଦାର ଭାଇ ? ମୁସଲ୍‌ମାନ ଯେ ତୁମ ବଶ

ଏକ ଧକ୍‌କାରେ ରକ୍ଷା ଦରଜା ଭାଜିଯିବ ତହିଁ କେଉଁ ଯଶ ?

କାଶ୍ମୀର କାମଧେନୁର ରକ୍ତ ବଜ୍ର ହାତରେ ଦୁହିଁ ନିଅ

ଘୋଷିଲା ତୂର୍ଯ୍ୟ—ଏଇ ଉପଦେଶ କମନୀୟ ଅତି କମନୀୟ ।

ହିଂସ୍ରକ ମନେ ଘୋଟିଗଲା ଲୋଭ, ପଙ୍ଗପାଳ କି ଗଲେ ଘୋଟି ?

ସନ୍‌ ସନ୍‌ ସନ୍‌ ଖଡ୍‌ଗ ଚାଲିଲା ଶତ ନିର୍ଦ୍ଦୋଷ ଗଲେ ଲୋଟି ।

ଶତ୍ରୁ ସେନାର ଐକ୍ୟ ଭାଜିଲା ମାତିଗଲେ ଲୁଟ୍‌ ଉତ୍‌ପାତେ

ତୁଟାଇଦେଲା କି କୂଟନୀତି ସବୁ ଲକ୍ଷ୍ୟ ଲୌହ ପଦାଘାତେ ?

କାଶ୍ମୀର ଆଉ ଭାରତ ସନ୍ଧି ଗର୍ବେ ଘୋଷିଲେ ଅବଦୁଲା

ଗୁଡ଼ୁମ୍‌ ଗୁଡ଼ୁମ୍‌ ଭାରତର ତୋପ ଭୟେ ଥରିଗଲା ବରମୂଳା ।

କ୍ରୁଶର ଉପରେ ମୀରମାକ୍‌ ବୁଲ୍‌ ପାକିସ୍ଥାନର ଜୟ କହ

ଲୁହାର କଣ୍ଟା ଭେଦି ଦେହେ ଦେହେ ରକ୍ତ ଝରଇ ଅହରହ ।

ଭାରତର ଜୟ, କାଶ୍ମୀର ଜୟ, ସତ୍ୟର ଜୟ ଘୋଷେ ଟାଣି

ରକ୍ତେ ଝରାଇ ଶେଷ ନିଃଶ୍ୱାସ ମୀର୍‌ମାକ୍‌ବୁଲ୍‌ ସେରୱାନୀ ।

 

ସେରୱାନୀଙ୍କ ସାନଭାଇ ସଙ୍ଗେ ବଜାରରେ ଭେଟହେଲା—ଦୀର୍ଘ—ଦେହ, ଗହଳିଆ ନିଶ, ମୁଣ୍ଡବାଳରୁ ଅଧେ ପାଚିଯାଇଛି, ବୟସ ଚାଳିଶରୁ ଅଧିକ ହେବନାହିଁ, ଦୁର୍ଭୋଗ ଓ ଦୁଶ୍ଚିନ୍ତାରେ ଯେପରି କି ତାଙ୍କ ମେରୁଦଣ୍ଡ ଚଡ଼କି ଯାଇଛି । ଅଶ୍ରୁପୂର୍ଣ୍ଣ ଚକ୍ଷୁରେ ସେ ବଡ଼ଭାଇଙ୍କ କୀର୍ତ୍ତି କାହାଣୀ ବର୍ଣ୍ଣନା କଲେ, ଯେଉଁ ସ୍ଥାନରେ ସେରୱାନୀଙ୍କୁ ହତ୍ୟା କରାଯାଇଥିଲା, ସେ ସ୍ଥାନ ଦେଖାଇଲେ—ସେଠି ଉର୍ଦ୍ଦୁରେ ଲେଖାଅଛି—

 

ଇସ୍‌ ମୁକାମ୍‌ପର୍‌ ୭ ନଭେମ୍ବର, ୧୯୪୭, କାଶ୍ମୀରକେ ମସୁର୍‌ ମୁଜାହିର୍‌ ମହମ୍ମଦ୍‌ ମାକ୍‌ବୁଲ୍‌ ସେରୱାନୀକୋ କବାଲି ଡାକୁନେ ପାକିସ୍ଥାନୀ ଅଫିସରୋକେ ହୁକୁମ୍‌ସେ ବାନ୍ଧ୍‌କର୍‌ ମସୁଫ୍‌କେ ନିସିନା ବେକିନା ପର ଚୌଦ୍‌ ଗୁଲିୟଁ । ଚଲାଇ ମୂଜାଇ ମଉସୁଫ୍‌କେ ଆଲ୍ଲା ହୋ ଆକ୍‌ବର, ସେର୍‌ କାଶ୍ମୀର ଜିନ୍ଦାବାଦ୍‌, ହିନ୍ଦୁ ମୁସ୍‌ଲିମ୍‌ ଶିଖ ଇତିହାଦ୍‌ ଜିନ୍ଦାବାଦ୍‌ କହକର୍‌ ଆପନି ଜାନ୍‌ ଅଜିଜ୍‌ ଖୋଦାଇ ଜୁଲ୍‌ଜୁଲାଲ ।

 

ଯେଉଁ ସ୍ଥାନରେ ସେରୱାନୀଙ୍କ ରକ୍ତ ବିନ୍ଦୁ ବିନ୍ଦୁ ନିଃଶେଷ ହୋଇ ଝରିଛି, ସେ ପବିତ୍ର ତୀର୍ଥକ୍ଷେତ୍ର, ତାର ପ୍ରତ୍ୟେକ ଧୂଳିକଣାରେ ସେରୱାନୀଙ୍କ ଶୌର୍ଯ୍ୟ ମିଶିଛି, ଟିପେ ଧୂଳି ଆଣି ମୁଣ୍ଡରେ ଲଗାଇଲି, ଦୀର୍ଘ ଶୋଷାରେ ଶୋଷିନେଲି ସେ ବାୟୁମଣ୍ଡଳର ମହତ୍ତ୍ୱ । ସେରୱାନୀଙ୍କ ମହତ୍‌ ଆତ୍ମାକୁ ନମସ୍କାର ଜଣାଇ ଅଧ୍ୟାପକ ମୁଝୁଙ୍କ ଘର ଖୋଜି ବାହାରିଲୁ; ମୁଝୁ ଓଡ଼ିଶା ଛାଡ଼ି ଏବେ ବମ୍ପାଇରେ ଚାକିରୀ କରୁଛନ୍ତି, ଗ୍ରୀଷ୍ମ ଛୁଟିରେ ବରମୂଳା ଆସନ୍ତି । ତେବେ ଆମ ଖୋଜାଟି ବୃଥା ହୋଇନାହିଁ, ଆଳୁ ଖୋଳୁ ଖୋଳୁ ମହାଦେବ ମିଳିଲେ । ଅଧ୍ୟାପକ ମୁଝୁଙ୍କୁ ଖୋଜୁ ଖୋଜୁ ଅଧ୍ୟାପକ ଧର୍‌ଙ୍କୁ ଭେଟିଲୁ । ନୈଷ୍ଠିକ ହିନ୍ଦୁ, ଜଗନ୍ନାଥଧାମରୁ ଯାଇଛୁ, ପୁଣି ବିଶ୍ୱଭାରତୀର ଅଧ୍ୟାପକ, ଛାତ୍ର; ଆଦରଯତ୍ନର ସୀମା ରହିଲା ନାହିଁ । ଅଧ୍ୟାପକ ମହାଶୟଙ୍କର ସନ୍ତାନ ମଧ୍ୟରେ ଗୋଟିଏ ମାତ୍ର କନ୍ୟା, ନାଁ କୃଷ୍ଣା; ତୂଳୀରେ ଅଙ୍କା ଚେହେରା; ପୂର୍ଣ୍ଣଚନ୍ଦ୍ରର ଶ୍ରୀ ସଙ୍ଗେ ଲାଜକୁଳୀ ଲତାର ହ୍ରୀ ମିଶି ତାଙ୍କୁ ପ୍ରକୃତରେ ଅତି ଲାବଣ୍ୟମୟୀ କରିଛି । ସେ ସ୍ଥାନୀୟ କଲେଜର ଆଇ. ଏ. ଶ୍ରେଣୀର ଛାତ୍ରୀ, ଆମ ଲାଗି କାଶ୍ମିରୀ ଚା ଆଉ ରୁଟି ଆଣି, ବୈଠକଖାନା ଶ୍ରୀ ପୂର୍ଣ୍ଣ କରିବା ଲାଗି ବାପାଙ୍କ ନିକଟରେ ବସି ରହିଲେ—ଠିକ୍‌ ଗୋଟିଏ ମାର୍ବଲ୍‌ ପିତୁଳା ପରି । ଦୀର୍ଘ ଦୁଇଘଣ୍ଟା କଥାବାର୍ତ୍ତା ମଧ୍ୟରେ ପଦ୍ମ ପତ୍ରବିଶାଳାକ୍ଷ ଈଷତ୍‌ ଅବନତ କରି ଚାହିଁଛନ୍ତି, ଶୁଣିଛନ୍ତି ଆମ ଦୀର୍ଘପଥର କାହାଣୀ, ଗୋଟିଏ ହେଲେ ଶବ୍ଦ ଉଚ୍ଚାରଣ କରି ନାହାନ୍ତି । ପାଳଧୁଆ ଫୁଲ ପରି ଲାଲ ଟୁକୁ ଟୁକୁ ଓଠ, ଦର ହସିଲା ଭଙ୍ଗୀରେ ରହିଛି, କଥାବାର୍ତ୍ତାରେ ସେଥିରେ ବିଜୁଳି ଝଟକନ୍ତା, କେବଳ ସଙ୍କୋଚ ନୁହେଁ, କୌଣସି ସାମାଜିକ ବାଧା ଜିହ୍ୱାଗ୍ରରେ ରହି ବାକ୍‌ର ଲଗାମ୍‌କୁ ସତେ କି ଭିଡ଼ି ଧରିଛି । ଆମର ସମସ୍ତ ପ୍ରଶ୍ନ ସେ ନତମସ୍ତକରେ ଗ୍ରହଣ କରିଛନ୍ତି, ଉତ୍ତର ଦେଇଛନ୍ତି ତାଙ୍କର ବାପା । କାରଣ ତାଙ୍କ ଜାଣିବାରେ ଝିଅ ଭାରି ଲାଜକୁଳୀ, ଉତ୍ତର ଦେଲାବେଳେ ଝାଉଁଳିବ ସିନା, ଝଟକିବ ନାହିଁ ।

 

କାଶ୍ମିରୀ

 

ଆମେ ପଚାରିଲୁ, ‘‘ଅଧ୍ୟାପକ ଧର୍‌, ଆମ ଜାଣିବାରେ କାଶ୍ମୀରର ସବୁଠାରୁ ଦର୍ଶନୀୟ ଆଉ ଜ୍ଞାତବ୍ୟ ବିଷୟ ହେଉଛି ‘କାଶ୍ମିରୀ’ । ଆପଣ ସେ ବିଷୟରେ ଆଲୋକପାତ କରନ୍ତୁ ।’’ ଅଧ୍ୟାପକ ଧର୍‌ ଗମ୍ଭୀର ହୋଇ ଟିକିଏ ବସିଲେ, ତା ପରେ ଗଳା ସଫାକରି ଆରମ୍ଭିଲେ—ଅବିଭକ୍ତ କାଶ୍ମୀରର ଆୟତନ ୮୦,୯୦୦ ବର୍ଗମାଇଲ, ଲୋକସଂଖ୍ୟା ୪୦ ଲକ୍ଷରୁ କିଞ୍ଚିତ ଊର୍ଦ୍ଧ୍ୱ । କାଶ୍ମୀରର ଏକ—ତୃତୀୟାଂଶରୁ ଅଧିକ ଏବେ ପାକିସ୍ଥାନର ଅଧିକାରରେ ଅଛି, ସେଥି ମଧ୍ୟରେ ଗିଲିଗିଟ୍‌ ଅବସ୍ଥିତି ଯୋଗୁଁ ବିଶେଷ ମୂଲ୍ୟବାନ, ତା ଉପରେ ଆମେରିକାର ଶ୍ୟେନ ଦୃଷ୍ଟି ପଡ଼ିଛି, ତେଣୁ ପାକିସ୍ଥାନକୁ ଡଲାରରେ ମନ୍ତ୍ରମୁଗ୍‌ଧ କରି ରଖିଛି । ଭାରତ ଅଧିକୃତ କାଶ୍ମୀର ପ୍ରକୃତରେ ଦୁଇଟି ପ୍ରଦେଶ—ଜାମୁ ଆଉ କାଶ୍ମୀରର । ଜାମୁରେ ଶତକରା ୯୮, କାଶ୍ମୀରରେ ଶତକରା ୧୦ ଜଣ ମାତ୍ର ହିନ୍ଦୁ ରହିଛନ୍ତି । କାଶ୍ମୀର ପ୍ରକୃତରେ ମଣିଷର ଗୋଟିଏ ଚିଡ଼ିଆଖାନା । ଏହାର ଚାରିପଟେ ବଡ଼ ବଡ଼ ପାହାଡ଼ କାନ୍ଥ, ଉପତ୍ୟକାର ଏଇ ଘରେ ବହୁ ବଖରା, ଏକ ଏକ ବଖରାରେ ଏକ ଏକ ଜାତିର ଲୋକ, ଏହାଛଡ଼ା ପାହାଡ଼ ଉପରେ ବି ଲୋକ ରହନ୍ତି । ବିଚିତ୍ର ତାଙ୍କର ରୂପ, ବର୍ଣ୍ଣ, ଭେକ; ଅଦ୍ଭୁତ ତାଙ୍କର ରୀତି, ନୀତି, ଚଳଣି, ଦୁର୍ଗମ ପାର୍ବତୀୟ ମାର୍ଗ ଯୋଗୁଁ ଆଦାନପ୍ରଦାନ ଓ ଭାବ ବିନିମୟର ସମ୍ଭାବନା ସ୍ୱଳ୍ପ ।

 

ଏ ଜାତିଙ୍କ ମଧ୍ୟରେ ଚମ୍ପା, ଲଡ଼ାକୀ, ବଲତି, ଦରଦ, ପଞ୍ଜାବୀ, ଚିବାଲୀ, ପାହାଡ଼ୀ, ଡୋଗରା ପ୍ରଧାନ । ଡୋଗରା ଏଥି ମଧ୍ୟରେ ସବୁଠାରୁ ଅଗ୍ରଗାମୀ । ଜାତି ମଧ୍ୟରେ ବହୁ ଉପଜାତି ବି ଅଛନ୍ତି । ଡୋଗରାଙ୍କ ମଧ୍ୟରେ ବ୍ରାହ୍ମଣ, ରାଜପୁତ, ବଣିଆଁ, କ୍ଷତ୍ରିୟ, ଜାଠ, ଠାକର, କାର, ଜୀବର ପ୍ରଭୃତି ଉପଜାତି ପ୍ରଧାନ । ଡମ, ଧ୍ୟାର୍‌ ପ୍ରଭୃତି ହରିଜନ ବି ଅଛନ୍ତି । ଜମ୍ବୁର ରାଜପୁତ୍‌ ଦୁଇ ଭାଗରେ ବିଭକ୍ତ—କିସାନ୍‌ ରାଜପୁତ୍‌, ମିଆଁ ରାଜପୁତ୍‌ । ହିନ୍ଦୀରେ ମିଆଁ ଅର୍ଥ ସ୍ୱାମୀ, ଏହା ଅଶେଷ ସମ୍ମାନସୂଚକ । ମିଆଁମାନେ ହଳ କରନ୍ତି ନାହିଁ, ମହାରାଜ୍‌ ହରି ସିଂ ମିଆଁ ରାଜପୁତ୍‌ ।

 

ଗୁଜରମାନେ ଗୋଚାରଣ କରନ୍ତି, ଲଡାକୀମାନଙ୍କ ପିନ୍ଧା ଅତି ସାଧାରଣ, ସ୍ତ୍ରୀ ପୁରୁଷ ଏକା ପ୍ରକାର ଜୋତା ପିନ୍ଧନ୍ତି । ସେମାନଙ୍କ ଗାଲ ହାଡ଼ ଉଚ୍ଚ, ଚିବୁକ ଛୋଟ, ନାକ ଚେପ୍‌ଟା, ମୁଖ ବଡ଼ । ସେମାନେ ବୌଦ୍ଧ, ସେମାନଙ୍କ ପୁରୋହିତଙ୍କୁ ‘ଲାମା’ କହନ୍ତି । ସେମାନେ ଖୁସ୍‌ ମିଜାଜୀ, ଶାନ୍ତିପ୍ରିୟ, ‘ଚିଙ୍ଗା’ ନାମକ ଦେଶୀ ମଦ୍ୟ ପାନ କରନ୍ତି । ସ୍ତ୍ରୀମାନେ ପାହାଡ଼ୀ ରାସ୍ତାରେ ବୋଝ ମୁଣ୍ଡେଇ ୨୦ । ୩୦ ମାଇଲ୍‌ ଚାଲି ପାରନ୍ତି । ସେମାନେ ବର୍ଷକେ ଥରେ ଗାଧାନ୍ତି, ଛିଣ୍ଡି ନ ଯିବା ଯାଏ ଦେହରୁ ପୋଷାକ କାଢ଼ନ୍ତି ନାହିଁ । ଲାଡ଼ାକ୍‌ ଅଞ୍ଚଳରେ ସ୍ତ୍ରୀ ସଂଖ୍ୟା ଅଳ୍ପ, ଗୋଟିଏ ସ୍ତ୍ରୀର ବହୁ ପତି ଥାନ୍ତି । ବଡ଼ଭାଇ ଯାହାକୁ ବିଭା କରେ, ସେ ଛୋଟ ଭାଇମାନଙ୍କର ବି ସ୍ତ୍ରୀ ହୁଏ । ସ୍ତ୍ରୀମାନଙ୍କ ସଂଖ୍ୟାଳ୍ପତା ଯୋଗୁଁ ଜନସଂଖ୍ୟା ବୃଦ୍ଧି ଲାଭ କରେ ନାହିଁ । ପାହାଡ଼ୀ ଲୋକ ବଳିଷ୍ଠ, ସୁନ୍ଦର, ତାର ନାସା ଦୀର୍ଘ, କେଶ କଳା, ଦାଢ଼ି ଘନ । ଚମ୍ପା ଜାତିର ଲୋକେ ଉଚ୍ଚ ପାହାଡ଼ୀ ଘାଟିରେ ରହନ୍ତି । ୧୧ ହଜାର ଫୁଟ ତଳର ଉଷ୍ମତା ସେମାନେ ସହି ପାରନ୍ତି ନାହିଁ, ଛେଳି, ଭେଡ଼ା ଚରାନ୍ତି, ପଶୁର ମୁହଁ ବାନ୍ଧି ନିଃଶ୍ୱାସ ବନ୍ଦ କରି ମାରନ୍ତି, ହାଣନ୍ତି ନାହିଁ, ଛତୁଆ, ଶାକସବ୍‌ଜି, ମାଂସ ଖାନ୍ତି । କାଶ୍ମୀରରେ ଏମାନେ ସଂଖ୍ୟା ମାତ୍ର ଏକ ହଜାର ।

 

ବଲ୍‌ତି ଦେଖିବାକୁ ଠିକ୍‌ ଲଡାକୀଙ୍କ ପରି, କିନ୍ତୁ ବେଶଭୂଷା ଭିନ୍ନ । ମୁସଲମାନ ଧର୍ମ ଦ୍ୱାରା ଏମାନେ ବିଶେଷ ପ୍ରଭାବିତ । ବହୁ ପତ୍ନୀ ବିବାହ ପ୍ରଥା ଏମାନଙ୍କ ମଧ୍ୟରେ ପ୍ରଚଳିତ ।

 

ଦରଦ ଅତି ପ୍ରାଚୀନ ଜାତି, ତାର କାନ୍ଧେ ଚୌଡ଼ା, ସ୍ୱର କର୍କଶ, ଆକୃତି ମନୋହର ନୁହେଁ । ସେ ସଂଗୀତକୁ ଘୃଣା କରେ; ‘ଲାମା’କୁ ଗୁରୁ ବୋଲି ମାନେ । କାଶ୍ମିରୀର ଆକୃତି ମନୋହର, ମସ୍ତକ ବିଶାଳ, ଭ୍ରୂଶ୍ୟାମଳ, ଫକା ନୀଳ ଚକ୍ଷୁ । ହାଁଜି ବୋଇଲେ ମାଝି, ସଂଖ୍ୟା ୩୦ ହଜାର, ଏମାନେ ନୌକାରେ ଘର କରି ରହନ୍ତି ।

 

ରାଜାଙ୍କ ଅମଳରେ ଏ ଦେଶରେ ଅନ୍ଧାଧୁନିଆ ଶାସନ ଚାଲିଥିଲା, ତେଣୁ ଶିକ୍ଷାଦୀକ୍ଷାରେ ଏ ରାଜ୍ୟ ଆଗୁସାର ହୋଇ ପାରି ନାହିଁ, ଲୋକସାଧାରଣ ଘୋର ଅନ୍ଧକାରରେ ରହିଛନ୍ତି ।

 

ବରମୂଳା ଆକ୍ରମଣ

 

ପଚାରିଲୁ—‘‘ଆଚ୍ଛା, ଏ ରାଜ୍ୟ ଉପରେ ହଠାତ୍‌ ଆକ୍ରମଣ କିପରି ହେଲା ?’’ ଧର୍‌ କହିଲେ—‘‘ବାହାର ଜଗତ ଜାଣିବାକୁ ହଠାତ୍‌, ଆମ ଜାଣିବାରେ ପାକିସ୍ଥାନୀ ପାହାଡ଼ୀ ସୈନ୍ୟମାନେ ବହୁ ଆଗରୁ ପ୍ରସ୍ତୁତ ହେଉଥିଲେ । ଏହି ରାଜ୍ୟକୁ କଳ୍ପିତ ପାକିସ୍ଥାନର ଅନ୍ତର୍ଭୁକ୍ତ କରିବା ଲାଗି ଜିନ୍ନା ବିଶେଷ ଜାଗ୍ରତ ଥିଲେ, ମଝିରେ ମଝିରେ ଆସି ସଭାସମିତି କରି ଯାଉଥିଲେ । ସେରୱାନୀଙ୍କ ପରି ଲୋକ ତାଙ୍କର ବିରୋଧିତା କରୁଥିଲେ । ଥରେ ବରମୂଳାର ଗୋଟିଏ ସଭାରେ ଜିନ୍ନା କହିଲେ—ହିନ୍ଦୁ କାଫେର୍‌ । ସେରୱାନୀ କହିଲେ—ହିନ୍ଦୁ ମଣିଷ, ହିନ୍ଦୁ ମୁସଲମାନ୍‌ ଭାଇ ଭାଇ । ଏଥିରେ ଜିନ୍ନା ସାହେବ ଅଗ୍ନିଶର୍ମା ହୋଇ ସଭା ତ୍ୟାଗ କରି ପଳାଇ ଯାଇଥିଲେ । ସେ ନିରାଶ ହେଲେ ନାହିଁ, ସତର୍କ ହେଲେ । ତାଙ୍କର ଦୂରଦୃଷ୍ଟି ଥିଲା, କିନ୍ତୁ ସାଂପ୍ରଦାୟିକ ଚିନ୍ତାରେ ତାହା କଳୁଷିତ । ଭାରତ ବିଭାଗର ୨ ବର୍ଷ ଆଗରୁ ସେ ପାହାଡ଼ୀ ଲୋକଙ୍କୁ ମତାଇ ରଖିଥିଲେ, ଭାଗ ବଣ୍ଟାରେ ପଡ଼ିଥିବା ଅସ୍ତ୍ରଶସ୍ତ୍ର ସେମାନଙ୍କ ହାତକୁ ବଢ଼ାଇ ଦେଲେ; ଇଂରେଜୀ ସାମ୍ରାଜ୍ୟବାଦୀଙ୍କ ହାତ ଯେ ୟା ପଛରେ ନ ଥିଲା, କିଏ କହିବ ? ସୁବିଧା ସୁଯୋଗ ଦେଖି ଆରମ୍ଭ ହେଲା ଆକ୍ରମଣ-। କେତେ ଦିନ ଆଗରୁ ଏ ସମ୍ବାଦ ପାଇଥିଲେ ବରମୂଳାର ଜଣେ ମୁସଲମାନ ଓକିଲ । —ସାବଧାନ, ଲୁଟ୍‌ପାଟ୍‌ ବେଳେ କାଫେର ଅକାଫେରଭେଦ ରହିବ ନାହିଁ । ଧର୍ମଭାବ ତ ମୁହଁର ଦୁହା, ସେ ଦୁହା ନ ଦେଲେ ଲୋକେ ମାତିବେ ନାହିଁ । କିନ୍ତୁ ତା ପଛରେ ଥିଲା ତୀବ୍ର ଅର୍ଥ ଲୋଭ । ଚିଠି ସମ୍ବାଦ କିପରି ଫୁଟିଆରା ହୋଇଗଲା, କେତେକ ଲୋକ ଘରଦ୍ୱାର ଛାଡ଼ି ପଳାଇଲେ, ଯେ ରହିଲେ ତାଙ୍କ କପାଳ ଫାଟିଲା ।

 

‘‘ଆପଣ ଏ ଆକ୍ରମଣ ଦେଖିଛନ୍ତି ?’’

 

‘‘ଆକ୍ରମଣସମ୍ବାଦ ପାଇବା ମାତ୍ରେ କଲେଜ ବନ୍ଦ କରି ଆମେ ଯେ ଯୁଆଡ଼େ ଚାଲିଗଲୁ-। ମୁଁ ସେ କାହାଣୀ ଶୁଣିଛି, ବଡ଼ ମର୍ମନ୍ତୁଦ ।’’

 

‘‘କହନ୍ତୁ, କହନ୍ତୁ ।’’

 

ପାହାଡ଼ୀ ସୈନ୍ୟଙ୍କ ଅତ୍ୟାଚାର

 

‘‘ପାହାଡ଼ୀ ଲୋକଙ୍କ ଆକୃତି ଶାର୍ଦ୍ଦୁଳ ପରି ଭୟଙ୍କର, ଯୁଆଳିଆ ନିଶ, ପାଞ୍ଚହତା ମର୍ଦ୍ଦ, ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ । ହୁଣ୍ଡାଷଣ୍ଢା, ଶିକ୍ଷାଦୀକ୍ଷା ନାହିଁ, ନ୍ୟାୟନ୍ୟାୟ ବିଚାର ନାହିଁ, ବରମୂଳାରେ ପହଞ୍ଚିବା ମାତ୍ରେ ଲୁଟ୍‌ପାଟ୍‌ ଆରମ୍ଭ କରିଦେଲେ, ଟିକିଏ ଉଁ ଚୁ କଲେ ଗୁଳି । ସେମାନଙ୍କ ଆଖିରେ ମଣିଷଟାଏ ମାରିବା ଯାହା, ମାଛିଟାଏ ମାରିବା ସେଇଆ । କାନ୍ଦିବା ଅପରାଧ, ହସିବା ଅପରାଧ, ପଳେଇବା ଅପରାଧ, ନୀରବ ରହିବା ବି ଅପରାଧ । ଅପରାଧ, ଅପରାଧ, ବରମୂଳାର ସମସ୍ତେ ଅପରାଧୀ, ଯାହା କିଛି ସୁନ୍ଦର ତାର ସ୍ଥାନ ନିଆଁରେ ଧୂଆଁରେ । ରାସ୍ତା ଘାଟ ଯେଉଁଠି ଦେଖିବ ଗୋଟେ ଦିଟା ମୁର୍ଦ୍ଦାର ପଡ଼ି ସଢ଼ୁଛି, କଟା ଗଳାର କଳା ରକ୍ତ ଜମାଟ ବାନ୍ଧିଛି, ବେଢ଼ିଚନ୍ତି ଧାର ଧାର ପିମ୍ପୁଡ଼ି । କାଠଘର ହୁ ହୁ ଜଳୁଛି, ପାହାଡ଼ୀମାନେ ନିଆଁ ପୋହୁଁଛନ୍ତି, ପରିଶ୍ରମ କରି ‘କଙ୍ଗଡ଼ି’ ଲଗାଇବ କିଏ ? ପହ୍ଲ ପହ୍ଲ ଗୋରୁ, ମେଣ୍ଢା, ଛେଳି ତରବାରୀ ମୁହଁରେ ପଡ଼ିଲେ । ଚତୁର୍ଦ୍ଦିଗ ନୀରବ, ନିଶ୍ଚଳ, ଭୟରେ ଯେପରି କାଠ ହୋଇ ଯାଇଅଛି ! କେବଳ ଦରମଲା ଲୋକଙ୍କ କାନ୍ଦଣା ଏ ଶ୍ମଶାନ ଶାନ୍ତ ଭଙ୍ଗ କରୁଛି !

 

ଦିନେ ଏଇ ରକ୍ତମୁଖା ଦଳ ସ୍ଥାନୀୟ କନଭେଣ୍ଟରେ ପହଞ୍ଚିଲେ; ଏହାର ସ୍ଥାପୟିତ୍ରୀ ଜଣେ ଆମେରିକାନ୍‌ ମଳିହା, କାଶ୍ମୀରବାସୀଙ୍କ ସେବା ଲାଗି ସେ ସାତ ସମୁଦ୍ର ତେର ନଦୀ ପାରି ହୋଇ ଏ ଦେଶକୁ ଆସିଲେ, ନିଜର ବିନ୍ଦୁ ବିନ୍ଦୁ ରକ୍ତ ଦେଇ ଏ ଅନୁଷ୍ଠାନଟି ଗଢ଼ିଲେ—ଧୀରେ ଧୀରେ ଏହାର ଅଭିବୃଦ୍ଧି ହେଲା—ବିଦ୍ୟାଳୟ, ଡାକ୍ତରଖାନା, ଶିଳ୍ପାଗାର । ବୃଦ୍ଧ ବୟସରେ ଏହି ପ୍ରାତଃସ୍ମରଣୀୟା ମହିଳା ପରଲୋକ ଗମନ କଲେ । ଆଶ୍ରମର ଭାର ନେଲେ କେତେକ ସିଷ୍ଟର୍‌ । ସେଥି ମଧ୍ୟରୁ କିଏ ଜର୍ମାନୀରୁ, କିଏ ବେଲଜିୟମ୍‌, କିଏ ଇତାଲୀରୁ, କିଏ ଫ୍ରାନ୍‌ସରୁ ଆସିଛି । ଆକ୍ରମଣକାରୀଙ୍କ ଦୌରାତ୍ମ୍ୟ କଥା ଯଥାସମୟରେ ସିଷ୍ଟରଙ୍କ କାନରେ ବାଜିଲା । ସେମାନେ କହିଲେ—ଯେହୁ ଚିନ୍ତଇ ପରମନ୍ଦ, ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ । ଆମେ କାହାର କିଛି ଅନିଷ୍ଟ କରିନାହୁଁ, ସେମାନେ ଆମର ଅନିଷ୍ଟ କରିବେ କାହିଁକି ? ଆମର କାର୍ଯ୍ୟ ପରସେବା, ଆକ୍ରମଣକାରୀମାନେ ରୋଗବ୍ୟାଧିରେ ପଡ଼ିଲେ ଆମେ ସେମାନଙ୍କ ଶୁଶ୍ରୂଷା କରିବାକୁ ପଛେଇବୁ ନାହିଁ । ତେଣୁ ଭୟ ନାହିଁ, ନିଶ୍ଚିନ୍ତ ରହ ।

 

ସେତେବେଳକୁ ସନ୍ଧ୍ୟା ଛ’ଟା; କେଲ୍‌, ବୁଦୁଲର ଦୀର୍ଘ ଛାୟା ଲମ୍ବିଛି ବରମୂଳାର ବାଟଘାଟେ । ଅସ୍ତ ସୂର୍ଯ୍ୟ ମୁଖରୁ ଝରୁଛି ରକ୍ତ ନଦୀ, ଗିରିବନ ପ୍ଳାବିତ; ଆକାଶ, ଅବନୀ ରକ୍ତାକ୍ତ । ରକ୍ତପାୟୀ ଆକ୍ରମଣକାରୀ ଚତୁର୍ଦ୍ଦିଗକୁ ଅନାଇ କହିଲେ—ରକ୍ତ, ରକ୍ତ, ଆହୁରି ରକ୍ତ । କନଭେଣ୍ଟ ଦରଜାରେ ବାଜିଲା ଧକ୍‌କା—ଏକ୍‌, ଦୁଇ, ତିନି; ତା ପରେ ଅଜସ୍ର ଗୋଇଠା, ପଥର ଧକ୍‌କା, କିଳେଣି ହୁଗୁଳି ଗଲା, ଅଜାଡ଼ି ହୋଇ ପଡ଼ିଲା କବାଟ—ସମୂହ ଅଟ୍ଟହାସ—ତା ପରେ ଆକ୍ରମଣକାରୀ ପଶିଲେ, ବାଧା ଦେଲେ ଜଣେ ବୃଦ୍ଧ ସାହେବ, ନାଁ ଲେପ୍‌ଟନେଣ୍ଟ କର୍ଣ୍ଣେଲ୍‌ ଭି. ଓ. ଟି. ଡାଇକସ୍‌; ସେ ଭାରତୀୟ ସୈନ୍ୟବିଭାଗରେ ଆଗେ କାର୍ଯ୍ୟ କରୁଥିଲେ, ଅବସର ନେବାପରେ ଏବେ ସସ୍ତ୍ରୀକ ବରମୂଳାରେ ରହିଥିଲେ । କର୍ଣ୍ଣେଲ୍‌ଙ୍କ ଚର୍ମ ଲୋଳିତ, କଙ୍କାଳସାର ଚେହେରା, ଏ ଦୌରାତ୍ମରେ ତାଙ୍କ ଆଖିଦିଟା ନିଆଁ ମୁଣ୍ଡା ପରି ଜଳିଉଠିଲା, ଆତ୍ମରକ୍ଷା ଲାଗି ସେ ବନ୍ଧୁକ ଉଠାଇଲେ, କିନ୍ତୁ ତାଙ୍କ ଶିଥିଳ ହାତ ଗୁଳି ଚଳାଇବା ଆଗରୁ ସେ ଟଳି ପଡ଼ିଲେ, ତାଙ୍କ ଛାତିରେ ବାଜିଲା ଗୁଳି । ଏତିକି ବେଳେ ତାଙ୍କ ସ୍ତ୍ରୀ ଧାଇଁ ଆସିଲେ, ଚିତ୍କାରଟି ମଧ୍ୟ ଶେଷ କରି ପାରିନାହାନ୍ତି-। ତାଙ୍କ ମୁଣ୍ଡ ଭୂଇଁରେ ଲୋଟିଲା, ତାଙ୍କୁ ଉଲଗ୍ନ କରି କୂଅରେ ଫିଙ୍ଗିଦେଲେ । ଡାକ୍ତରଖାନାରେ ଯେ ସାମ୍ନାରେ ପଡ଼ିଲା, ଜାଣ ଯମ ତାର ପାଞ୍ଜି ପୋଛିଲା, ଗୁଳି ବା ତରବାରୀ ଚୋଟରେ ନିକାଶ; ଡାକ୍ତର, ନର୍ସ, ରୋଗୀ କେହି ବାଦ୍‌ ପଡ଼ିଲେ ନାହିଁ । ମୃତ୍ୟୁ—ମୃତ୍ୟୁ, ସମସ୍ତଙ୍କୁ ମରିବାକୁ ହେବ, ସେଥିରେ ହିଁ ଆକ୍ରମଣକାରୀର ଶାନ୍ତି ।

 

ଶେଷରେ ସେମାନେ ସାତଜଣ ସିଷ୍ଟରଙ୍କୁ ଧରିଆଣି ଏକାଧାଡ଼ିରେ ଛିଡ଼ା କରାଇଲେ—ମାନେ ଏକାବେଳକେ ଗୁଳି ମାଡ଼ରେ ସମସ୍ତଙ୍କ ଖପୁରି ଉଡ଼ାଇ ଦିଆଯିବ । ସିଷ୍ଟରମାନେ ଆଖି ବୁଜିଲେ—ଏ ନୃଶଂସମାନଙ୍କୁ ଆଖିରେ ଦେଖି ମରିବେ ନାହିଁ, ମନେ ମନେ ପ୍ରାର୍ଥନା କଲେ ଜଗଦୀଶ୍ୱରଙ୍କୁ, ଆକ୍ରମଣକାରୀମାନେ ଗୁଳି ଭର୍ତ୍ତି କରି ବନ୍ଧୁକ ଲକ୍ଷ୍ୟ କଲେ; ଗୋଟିଏ ମୁହୂର୍ତ୍ତ ମାତ୍ର-

 

ଏଇ ସମୟରେ ହଠାତ୍‌ ଗୋଟିଏ ନାଟକୀୟ ଘଟଣା ଏ ଦୃଶ୍ୟର ମୁଖ ବଦଳାଇ ଦେଲା-। ଜଣେ ସିଷ୍ଟରଙ୍କର ଗୋଟିଏ ଦାନ୍ତରେ ସୁନା ଛାଉଣୀ ହୋଇଥିଲା, ଜଣେ ସୈନ୍ୟ ତାହା ଲକ୍ଷ୍ୟକଲା, ତାର ଲୋଭ ହେଲା, ସେ ଦାନ୍ତଟି ଭାଙ୍ଗି ଆଣିବା ଲାଗି ଆଗଭର ହେଲା, ଏ ସୁନା ଦାନ୍ତ ଉପରେ ଅନ୍ୟ ଆକ୍ରମଣକାରୀଙ୍କର ମଧ୍ୟ ସମାନ ଅଧିକାର ଅଛି, ସେମାନଙ୍କ ଲୋଭ ବି ଊଣା ନୁହେଁ, ଲାଗିଲା ହାତାହାତୀ, ଧସ୍ତାଧସ୍ତି । କୋଳାହଳ ଶୁଣି ଜଣେ ପାକିସ୍ଥାନୀ ଅଫିସର ପହଞ୍ଚିଗଲେ—ଚୁପ୍‌ କର । ଏ ନିରୀହ ସିଷ୍ଟରମାନଙ୍କ ଉପରକୁ ବନ୍ଧୁକ ଉଞ୍ଚେଇଛ କାହିଁକି ? ସମସ୍ତେ କଣ ବାଧ୍ୟ ? ଏମାନେ ବିଦେଶିନୀ, କାଶ୍ମୀରିଣୀ ନୁହନ୍ତି । ମାରି ଲାଭ କଣ ? ଆକ୍ରମଣକାରୀ ତଳକୁ ବନ୍ଧୁକ ନୁଆଇଁ ଆଣିଲେ । ଏହିପରି ସିଷ୍ଟରମାନେ ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ।

 

ଅଳ୍ପ କେତେ ଦିନ ପରେ ଭାରତୀୟ ସୈନ୍ୟ ବରମୂଳାରେ ପହଞ୍ଚିଲେ, ସେତେବେଳକୁ ଆକ୍ରମଣକାରୀମାନେ ପଳାଇ ଯାଇଥିଲେ, ଗଲାବେଳେ ରାସ୍ତାଘାଟ, ପୋଲ ସବୁ ଭାଙ୍ଗି ଚୁର୍‌ମାର କରି ଦେଇ ଯାଇଥିଲେ, ସେମାନଙ୍କୁ ଅନୁସରଣ କରିବା ସମ୍ଭବ ହେଲାନାହିଁ । ଲୋକେ ବଣଜଙ୍ଗଲରୁ ଫେରି ଆସିଲେ, ଘର ତୋଳାତୋଳି ଚାଲିଲା, ବରମୂଳାରେ ଶାନ୍ତି ବିରାଜିଲା ।

 

କାଶ୍ମୀରର ଭବିଷ୍ୟତ କଣ ?

 

ମୋର ଏଇ ପ୍ରଶ୍ନରେ ଧର୍‌ କହିଲେ—ଭାରତ ସରକାର କାଶ୍ମୀର ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ତା ନ କରି ବି ଉପାୟ ନାହିଁ, କାଶ୍ମୀରବାସୀଙ୍କି ତୁଷ୍ଟ ରଖିବାକୁ ହେବ । ଏ ପ୍ରଦେଶ ଭାରତର ମସ୍ତକ, ଭାରତବାସୀ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରାଣବଳି ଦେବେ ସିନା, କାଶ୍ମୀର ଛାଡ଼ିବେ ନାହିଁ । ଏଠି ଭାରତର ସୈନ୍ୟଶକ୍ତି ପ୍ରବଳ, ଆଧୁନିକ ଅସ୍ତ୍ରଶସ୍ତ୍ର, ପ୍ରଚୁର ଖାଦ୍ୟ ପଦାର୍ଥର ସରବରାହ ରହିଅଛି, ଦୁର୍ଗ ସୁନିର୍ମିତ ଘାଟି ସୁରକ୍ଷିତ ରହିଅଛି, ଲୋକଙ୍କ ମନରେ ଆତ୍ମବିଶ୍ୱାସ ଅଛି-। ପାକିସ୍ଥାନ ଭାରତକୁ ହଟାଇ ପାରିବନାହିଁ, ଖାଦ୍ୟଦ୍ରବ୍ୟ ଶସ୍ତା, ଦରିଦ୍ର ଜନସାଧାରଣ ଭାରତ ପ୍ରତି ଆକୃଷ୍ଟ ହୋଇଛନ୍ତି । କିନ୍ତୁ ‘ଯେତେ କହିଲେ ଭାଗବତ, ସ୍ଥିର ନ ହୁଏ ମୋ ଚିତ୍ତ’ । ମୁସଲମାନ ଜନତାର ଅବସ୍ଥା ଏଇଆ । ଭିତରେ ପାକିସ୍ଥାନ ପ୍ରତି କେତେକଙ୍କର ମୋହ ଅଛି, ବେଳେବେଳେ ଆଚରଣରେ ଫୁଟି ପଡ଼ୁଛି, ମୁହଁ ଫିଟାଇ କିଛି କହୁନାହାନ୍ତି, କାରଣ ମୁଣ୍ଡ ଉପରେ ବନ୍ଧୁକ ଝୁଲୁଛି । ଯେତେବେଳେ ବୈଦେଶିକ ସାହାଯ୍ୟ ଓ ଚକ୍ରାନ୍ତରେ ପାକିସ୍ଥାନର ଶକ୍ତି ପ୍ରବଳ ହେବ, ସେତେବେଳେ କଣ ହେବ କିଏ କହିବ ?

 

ମୁଁ କହିଲି—ପାକିସ୍ଥାନର ଶକ୍ତି ପ୍ରବଳ ହେଲେ ଭାରତର ଶକ୍ତି ପ୍ରବଳତର ହେବ । ଅନ୍ୟ ପ୍ରଦେଶର ମୁସଲମାନଙ୍କ ପରି କାଶ୍ମୀରର ମୁସଲମାନ ଆସ୍ତେ ଆନୁଗତ୍ୟ ସ୍ୱୀକାର କରିଯିବେ-। ସେମାନେ ଧର୍ମପ୍ରବଣ, ଭାରତ ଧର୍ମନିରପେକ୍ଷ । ମୁସଲମାନଙ୍କ ଧର୍ମ ଆଚରଣରେ ଏ ଦେଶରେ କୌଣସି ବାଧା ନାହିଁ । ଭାରତ ହିନ୍ଦୁର ଭାରତ ନୁହେଁ, ମୁସଲମାନ୍‌, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ୍‌ସବୁ ଧର୍ମର ଭାରତ ।

 

ଅଧ୍ୟାପକ ଧର୍‌ କୌଣସି କାର୍ଯ୍ୟରେ ଶ୍ରୀନଗର ଯିବେ ବୋଲି ତରବର ହେଲେଣି, ମୁଁ ତାଙ୍କୁ ମୋର ଶେଷ ପ୍ରଶ୍ନ ପଚାରିଲି—କାଶ୍ମୀର ସମସ୍ୟାର କିଭଳି ସମାଧାନ ଆପଣ ଆଶା କରନ୍ତି-? ଧର୍‌ କହିଲେ—ଅନ୍ଧାରକୁ ଟେକା ପକେଇବା କଥା, ସଠିକ୍‌ କିଛି କହିବା ସମ୍ଭବ ନୁହେଁ । ମୋର ବିଶ୍ୱାସ, ଭାରତ ବା ପାକିସ୍ଥାନ ଯେ ଯେଉଁ ଅଂଶ ଅଧିକାର କରିଛି, ସେ ସେଥିରେ ରହିବ । କାଳକ୍ରମେ ଏ ସମସ୍ୟାର ଉତ୍କଟତା ଊଣା ହୋଇଯିବ, ଯେ ଯାହା ଅଂଶ ଘେନି ସନ୍ତୁଷ୍ଟ ରହିବେ ।

 

ଏହି ସମୟରେ ସ୍ଥାନୀୟ କଲେଜର ଅଧ୍ୟାପକ ମୋଜା ଆସି ପହଞ୍ଚିଲେ, ଅଧ୍ୟାପକ ଧର୍‌ ପରିଚିତ କରେଇଦେଲେ, ତା ପରେ ଆମେ ପରସ୍ପରର ଅନ୍ତରର ହୋଇଗଲୁ, ଦୂରତା ପ୍ରତିବନ୍ଧକ ହୋଇ ରହିଲା ନାହିଁ । ମୋଜା ବରମୂଳାର କଲେଜ୍‌, ଡାକ୍ତରଖାନା ବୁଲେଇ ଦେଖାଇଲେ, ଶେଷରେ ତାଙ୍କ ଦୋମହଲା ଘରକୁ ଘେନିଗଲେ; ମୋଜାଙ୍କ ଛୋଟ ଛୋଟ ପିଲାମାନେ ଡିଆଁଡେଇଁ ଖେଳ ଖେଳୁଥିଲେ, ଆମକୁ ଦେଖିବା ମାତ୍ରେ ଯେ ଯୁଆଡ଼େ ପଳାଇଗଲେ । ବିଛା ହୋଇଥିବା ଗାଲିଚାରେ ବସିଲୁ, ନାନା ସୁଖାଳାପ ମଧ୍ୟରେ ବରମୂଳା ଉଦ୍ୟାନମାନଙ୍କର ଫୁଟନ୍ତ ବସନ୍ତଶ୍ରୀ ଦେଖୁଥାଏ । ଖିଆପିଆ ହେଲା, ଦୁଇ ପ୍ରକାର ମାଂସ, ସରୁ ଅନ୍ନ, ଚଟଣି; ଭଟ୍ଟଙ୍କ ଘରେ ଯେଉଁ ରୀତି, ଏଠି ପ୍ରାୟ ସେଇଆ । ଗାଡ଼ିବେଳ ହେଲା, ଜଣେ ଶିଖ୍‌ ବୃଦ୍ଧ ଭଦ୍ରଲୋକ ବରମୂଳାରେ ତାଙ୍କ ସଙ୍ଗରେ ଗୋଟିଏ ରାତି କଟେଇବା ଲାଗି ବିଶେଷ ଅନୁରୋଧ କରିଥିଲେ, କିନ୍ତୁ ଉଲାର ଢେଉର ଆହ୍ୱାନ ଆମେ ଏଡ଼ି ପାରିଲୁ ନାହିଁ, ଟଙ୍ଗାରେ ବସିଲୁ, ଚାଲିଲୁ ‘ସୋ’ପୁର’ ଅଭିମୁଖେ ।

Image

 

ସୋ’ପୁର

 

ସୋ’ପୁର ଝେଲମ୍‌କୂଳର ଗୋଟିଏ ସହର, ବରମୂଳାରୁ ମାତ୍ର ୧୦ ମାଇଲ ରାସ୍ତା । ଏଠି ଟଙ୍ଗାରେ ସିଟ୍‌ ପିଛା ଦରହୁଏ, ଜଣେ ଲୋକ ବସି ଗଲେ ସେ ସମସ୍ତ ଟଙ୍ଗାର ଭଡ଼ା ଦିଏ ନାହିଁ-। ଏତେ ବାଟକୁ ମୁଣ୍ଡ ପିଛା ମାତ୍ର ଆଠଅଣା ଭଡା ପଡ଼ିଲା । ନିର୍ମଳ ପିଚୁ ରାସ୍ତା, ଗାଡ଼ି ଘୋଡ଼ା ଭିଡ଼ ନାହିଁ, ମଣିଷ କାହିଁ କେଉଁଠି ଜଣେ ଅଧେ ଯିବା ଆସିବା କରୁଛନ୍ତି । ରାସ୍ତା ଦୁଇ କଡ଼ରେ ଚିନାର ବା ପପ୍‌ଲାର୍‌, ତଳକୁ ଗହୀର ବିଲ ଦୂର ଦିଗ୍‌ବଳୟ ଯାଏ ଲମ୍ବିଛି, ଚରୁଛନ୍ତି ପହ୍ଲ ପହ୍ଲ ଗାଈ, ହଳ ବୁଲୁଛି ।

 

ଟଙ୍ଗାରେ ଯୋଚା ହୋଇଥିବା ଘୋଡ଼ାର ବପୁ ଦୀର୍ଘ, ଉଚ୍ଚ, ଯେମନ୍ତ ସ୍ୱାସ୍ଥ୍ୟ, ତେମନ୍ତ ଶ୍ରୀ । ରାସ୍ତାକୁ ସାକ୍ଷାତେ ପିଇ ଯାଉଥାଏ । ମାତ୍ର ଦେଢ଼ଘଣ୍ଟା ମଧ୍ୟରେ ୧୦ ମାଇଲ ପଥ ଅତିକ୍ରମ କରି ଆମେ ସୋ’ପୁରରେ ପହଞ୍ଚିଲୁ । ପ୍ରଫେସର ମୋଜାଙ୍କ ଠାରୁ ଖଣ୍ଡିଏ ପରିଚୟ ପତ୍ର ଆଣିଥାଉ-। ଏ ଗଳି ସେ କନ୍ଦି ଖୋଜି କୌଣସି ମତେ ଅଧ୍ୟାପକ କାଶୀନାଥ ଧରଙ୍କ ଘର ପାଇଗଲୁ—କାଶୀବାବୁ ସ୍ଥାନୀୟ କଲେଜର ସଂସ୍କୃତ ଅଧ୍ୟାପକ । ଘରକୁ ସମ୍ବାଦ ଗଲା, ବେଉରା ଆସିଲା—ଅଧ୍ୟାପକ ମହୋଦୟ ନାହାନ୍ତି । ଏ ମାମୁଲି ରୀତି । ୟା ପରେ ଭଦ୍ରଲୋକ ଚାଲିଯିବାର କଥା, ଆମେ ଗଲୁନାହିଁ, ଆମ ଆଶ୍ରୟ ସ୍ଥଳ ଆଉ କେଉଁଠି ? ଗୃହିଣୀ ମଧ୍ୟ ସମ୍ୱାଦଟି ଦେଇ ନିଶ୍ଚିନ୍ତ ରହି ପାରିଲେ ନାହିଁ; ଭାବିଲେ, କିଏ କେଉଁଠୁ ବିଶିଷ୍ଟ ବ୍ୟକ୍ତି ଆସିଥିବେ, ଫେରିଯିବେ ! ଅଧ୍ୟାପକଙ୍କ ଛୋଟ ଛୋଟ ପିଲାମାନେ ଆସିଲେ, ଗୃହିଣୀ ତୁଣ୍ଡ ବାରିଲେ—ନା, ଏ ପରିଚିତ ସ୍ଥାନୀୟ କେହି ନୁହନ୍ତି, ଝରକା ଫାଙ୍କରୁ ଅନାଇ ଜାଣିଲେ—ଏ ଆମ ଦେଶର ନୁହନ୍ତି, ଚେହେରା, ଢଙ୍ଗଢାଙ୍ଗ, କଥାଭାଷା ସବୁ ଅଲଗା—ଅତିଥି । ପିଲାଙ୍କ ଜରିଆରେ ନୂଆ ସମ୍ୱାଦ ଆସିଗଲା—ଅତିଥିଙ୍କୁ କହ, ବସିବେ, ବାପା ଏବେ ଆସିବେ ।

 

ତଳ ମହଲାରେ ଗୋଟିଏ ବଣିଆ ଦୋକାନ, ବସିଥିଲେ ଜଣେ ବୃଦ୍ଧ, ସେ ଜରରେ ଥରୁଥିଲେ, କୋଳରେ ଗୋଟିଏ କଙ୍ଗଡ଼ି, କର୍ତ୍ତବ୍ୟର ଆହ୍ୱାନରେ ଉଠି ଆସିଲେ । ତାଙ୍କ ଘରେ କାଶୀବାବୁ ଭଡ଼ା ରହନ୍ତି । କାଶୀବାବୁଙ୍କ ଅତିଥି, ତାଙ୍କର ଅତିଥି । ସେଇ ଭାବରେ ସେ ଆମ ଜିନିଷପତ୍ର ଉପରମହଲାକୁ ଉଠାଇନେଲେ ।

 

ବାଳକ ବାଳିକା

 

ଏ ମଧ୍ୟରେ ଆମ ଚଉକତିରେ ୪୦ । ୫୦ ଜଣ ପିଲା ଜମି ଗଲେଣି—ଶିଶୁରୁ କିଶୋର ପର୍ଯ୍ୟନ୍ତ । ଗୋରା ତକ ତକ ମୁହଁ, ଲାଲ ଟୁକୁ ଟୁକୁ ଗାଲ, ଫିକା ସବୁଜ ଡୋଳାରେ ଚାଞ୍ଚଲ୍ୟ—ସାକ୍ଷାତେ ସିଧା ଚନ୍ଦ୍ରଲୋକରୁ ଖସି ଆସିଛନ୍ତି, ପୃଥିବୀରେ ପହିଲେ ଏଇ ଆମକୁ ଭେଟୁଛନ୍ତି । ଆଖି ଚୁହାଁଚୁହିଁରେ କଥାବାର୍ତ୍ତା, ଓଠରେ ପ୍ରଶ୍ନବାଚକ—ଏଠି ଏ କିଏ ? କିଏ ? କିଏ ? ବଜାରରେ ହଠାତ୍‌ ଗୋଟିଏ ହାତୀ ଦେଖିଲେ ଯେଉଁ କୌତୂହଳ ହୁଏ, ଆଖିରେ ଆଖିରେ ସେଇ କୌତୂହଳ । ମୋର ଦୀର୍ଘଦେହ, କଳା ରଙ୍ଗ, ଅପୂର୍ବ ଟୋପି—ଏଭଳି ବିଚିତ୍ର ଜୀବ ଏମାନେ କେବେ ଦେଖି ନାହନ୍ତି, ଏତେଗୁଡ଼ିଏ କାଶ୍ମିରୀ ପିଲା—ଅସଂଖ୍ୟ କାଶ୍ମିରୀ ଗୋଲାପର ଏ ମନୋରମ ଉଦ୍ୟାନ ଆମେ ବି କେବେ ଦେଖିନାହୁଁ । ବେଳ ସେତେବେଳକୁ ରତରତ, ଜାଣୁ ଭଲ ଉଠିବ ନାହିଁ, ତଥାପି ଗୋଟିଏ ଫଟୋ ନେବାର ଲୋଭ ସମ୍ବରଣ କରିପାରିଲୁ ନାହିଁ । ଫଟୋ ନିଆ ସରିଲା । ପିଲାଏ ଜିଦ୍‌ ଧରିଲେ—ଫଟୋ ଦେଖାଅ । ଏକାବେଳକେ ଉଠିଲା କୌତୂହଳପୂର୍ଣ୍ଣ କୋଳାହଳ ।

 

ବୃଦ୍ଧ ମହେଶ୍ୱର ଭଟ୍ଟ ଏ ଦୃଶ୍ୟ ଦେଖି କ୍ରୋଧରେ ପାଗଳ—‘ବଗୁଲିଆ ଟୋକା ଯାଉଛ କି ଏଇଲେ ଦେଖିବ’—ୟା କହି ଠେଙ୍ଗା ଉଠାଇଲେ । ପିଲାଗୁଡ଼ାକ କିଲିକିଲିଆ ହୋଇ ଯେ ଯୁଆଡ଼େ ପଳେଇଗଲେ । ତାଙ୍କ ଧାରଣା ହୋଇଥିଲା ଯେ ଏଇ ଚଗଲା ଛୁଆଗୁଡ଼ାକ ତାଙ୍କ ଅତିଥିଙ୍କୁ ଅଟକେଇ ହଇରାଣ କରୁଛନ୍ତି । କପଟ କ୍ରୋଧ ପରେ ମୁଖର ରଙ୍ଗ ବଦଳେଇ ମୃଦୁ ମୃଦୁ ହସି ବୃଦ୍ଧ କହିଲେ—ଆମ ଘର ଯେ ଆପଣଙ୍କ ଘର ସେ । ଯେଉଁଠି ରହିଲା ସେଇ ତାର ଘର । ଆମେ ତୁମ ଅସୁବିଧା ନ ଦେଖିଲେ ବିଦେଶକୁ ଗଲେ ଅସୁବିଧାରେ ପଡ଼ିଲେ କିଏ କାହିଁକି ଆମକୁ ପଚାରିବ ? ଭଗବାନ୍‌ଙ୍କ ଲୀଳା ଏ, କାହିଁ ପର୍ବତ ଚୂଳର ଆମେ, କାହିଁ ସମୁଦ୍ର କୂଳର ତୁମେ—ଏ ଭେଟ ପ୍ରଭୁଙ୍କ ଇଚ୍ଛାରେ ଏକା ସମ୍ଭବ ହୁଏ । ଜଗନ୍ନାଥଙ୍କ ଦେଶରୁ ଆସିଛନ୍ତି, ଆପଣମାନେ ପ୍ରକୃତରେ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ପ୍ରଭୁଙ୍କର ସେପରି ମହିମା ନ ଥିଲେ ଆପଣମାନଙ୍କୁ ଦେଖିବା ମାତ୍ରେ ମୋ ଦେହରୁ ଖଇଫୁଟା ତାତି ଓହ୍ଲେଇ ଯାଇଥାନ୍ତା କେମିତି ?

 

ବୃଦ୍ଧ ଆମକୁ ଉପର ମହଲାକୁ ଘେନିଗଲେ, ପହିଲେ କଙ୍ଗଡ଼ି ବଢ଼ାଇଦେଲେ, ତା ପରେ ଚା, କାଶ୍ମୀର ବିସ୍‌କୁଟ୍‌ ଆଣି ଦେଲେ, କୁଣିଆ ଚର୍ଚ୍ଚା ପ୍ରାୟ ଶେଷ ହେଲାବେଳକୁ ଅଧ୍ୟାପକ କାଶୀନାଥ ଧର୍‌ ଆସି ପହଞ୍ଚିଲେ; ଡେଙ୍ଗା ବା ବାଙ୍ଗରା ନୁହନ୍ତି, ମୋଟା କି ପାତଳା ନୁହନ୍ତି, ଗୋରା କିମ୍ବା କଳା ନୁହନ୍ତି । ଆଖିରେ ମୋଟା ଫ୍ରେମ୍‌ ଲଗା ଚଷମା, ନାକ ତଳେ ଟିପେ ନିଶ, ଓଠରେ ମଧୁର ହସ । ପ୍ରାଥମିକ ମଧୁର ସମ୍ଭାଷଣ ପରେ ଆଳାପ ସଂସ୍କୃତ ଓ ସଂସ୍କୃତି ଉପରେ କେନ୍ଦ୍ରୀଭୂତ ହେଲା । ସଂସ୍କୃତର ଦୂରବସ୍ଥା ବିଷୟରେ କହିବାକୁ ଯାଇ କାଶୀବାବୁ କହିଲେ—କାଶ୍ମୀର ଦିନେ ଭାରତବର୍ଷରେ ସଂସ୍କୃତ ଶିକ୍ଷାର ଗୋଟିଏ ଶ୍ରେଷ୍ଠ କେନ୍ଦ୍ର ଥିଲା । ‘ରାଜତରଙ୍ଗିଣୀ’ ରଚୟିତା କହ୍ଲଣ, ଚୌରପଞ୍ଚାଶିକା’ ରଚୟିତା ବିହ୍ଲଣ, ‘ଧ୍ୱନ୍ୟାଲୋକ’ ରଚୟିତା ଆନନ୍ଦବର୍ଦ୍ଧନ, ‘ବୃହତ୍‌ କଥା ମଞ୍ଜରୀ’ ରଚୟିତା କ୍ଷେମେନ୍ଦ୍ର, ‘କଥାସରିତ୍‌ସାଗର’ ରଚୟିତା ସୋମନାଥ ପ୍ରଭୃତି ବହୁ କବି, ସୁଧୀ ଏ ଦେଶର ରାଜସଭା ମଣ୍ଡନ କରିଥିଲେ । ସେ ସୁଦିନ ଆଉ ନାହିଁ, ବିଦ୍ୱାନ୍‌ ଯାଇଛନ୍ତି, ବିଦ୍ୟାକୁ ପାହାଡ଼ ଡେଇଁ ପାର କରିଦେବାର ଉଦ୍ୟମ ହେଉଛି । ଏବେ ଏ ରାଜ୍ୟର ଅଧିକାଂଶ ବାସିନ୍ଦା ମୁସଲମାନ୍‌, ସଂସ୍କୃତର ଧାର୍‌ ଧାରନ୍ତି ନାହିଁ । ହିନ୍ଦୁ ପିଲା ବି ସଂସ୍କୃତକୁ ମୃତ ଭାଷା କହିଲେଣି । ତେଣୁ ସଂସ୍କୃତ ଏଠି ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ପରି ହୋଇଛି ।

 

ସ୍କୁଲ, କଲେଜ ଶିକ୍ଷାର ଅବସ୍ଥା କଣ ?

 

ମୋର ଏ ପ୍ରଶ୍ନରେ କାଶୀନାଥବାବୁ କହିଲେ—ଏବେ ଏଠି ବିଚିତ୍ର ଆଇନ୍‌ ହୋଇଛି । ଲୋକସଂଖ୍ୟା ଅନୁପାତରେ ସ୍କୁଲ, କଲେଜରେ ଛାତ୍ର ଭର୍ତ୍ତି ହେଉଛନ୍ତି, ହିନ୍ଦୁ ସମାଜ ଅଗ୍ରଗାମୀ, ସୁଯୋଗ ପାଇଲେ ସେମାନେ ଅଧିକ ପଢ଼ନ୍ତେ, କିନ୍ତୁ ଆଇନ ଅନୁଯାୟୀ ଶତକରା ତିରିଶିରୁ ଅଧିକ ହିନ୍ଦୁଛାତ୍ର କୌଣସି ଅନୁଷ୍ଠାନରେ ସ୍ଥାନ ପାଉ ନାହାନ୍ତି । ବହୁ ଛାତ୍ର ମୂର୍ଖ ହୋଇ ଘରେ ବସୁଛନ୍ତି । ଏବେ ସ୍କୁଲ, କଲେଜ ସର୍ବତ୍ର ଦରମା ଛାଡ଼ କରାଯାଇଛି, ଫଳରେ ଯେଉଁମାନଙ୍କ ଦିହାତି କେବେ ପାଠ ହେବ ନାହିଁ, ସେମାନେ ଆସି ପଢ଼ୁଛନ୍ତି, ୨।୩ ବର୍ଷ ଫେଲ୍‌ ହେଲା ପରେ ପୋଥିରେ ଡୋରି ଦିଆ ହେଉଛି । ଏଣେ ଶରୀର ଶ୍ରମ, ପୈତୃକ ବ୍ୟବସାୟ ପ୍ରତି ମନରେ ଘୃଣା, ତେଣେ ଚାକିରୀ ପାଇଁ ଯଥେଷ୍ଟ ଯୋଗ୍ୟତାର ଅଭାବ, ଖଡ଼ିକି ହେଉ ନାହାନ୍ତି କି ପେଡ଼ିକି ହେଉ ନାହାନ୍ତି, ତ୍ରିଶଙ୍କୁ ହୋଇ ରହୁଛନ୍ତି ।

 

କାଶ୍ମିରୀ ଭାଷା ଓ ସାହିତ୍ୟ

 

କାଶୀନାଥବାବୁ କହିଲେ—କାଶ୍ମିରୀ ଅନ୍ୟାନ୍ୟ ଭାରତୀୟ ଭାଷା ପରି ବିକଶିତ ହେବାର ସୁଯୋଗ ପାଇନାହିଁ । ବୌଦ୍ଧ ଆଉ ହିନ୍ଦୁ ଯୁଗରେ ଅଧିକାଂଶ ଗ୍ରନ୍ଥ ସଂସ୍କୃତରେ ରଚିତ ହେଉଥିଲା । ହିନ୍ଦୁଯୁଗରେ ଯତ୍‌ସାମାନ୍ୟ କାଶ୍ମିରୀ ସାହିତ୍ୟ ରଚିତ ହୋଇଥିଲା; ଏହାର ଭାଷା ଆଳଙ୍କାରିକ, ସଂସ୍କୃତ ଶବ୍ଦବହୁଳ । ମୁସଲମାନ ଲେଖକମାନେ କାଶ୍ମୀର ଭାଷାରେ ଯେଉଁ ଗ୍ରନ୍ଥ ଲେଖିଛନ୍ତି ତହିଁରେ ବହୁ ପରିମାଣରେ ପାରସୀ ଶବ୍ଦ ରହିଅଛି । ଖାଣ୍ଟି କାଶ୍ମିରୀ ଭାଷାର ରଚନା ଏ ଯୁଗରେ ବିରଳ ।

ପ୍ରେମନାଥ ବେଜାଜ୍‌ଙ୍କ ମତରେ କାଶ୍ମିରୀ ଭାଷାର ପ୍ରଥମ କବି ରାଜନକ ଶିତିକଣ୍ଠ; ତାଙ୍କ ଶ୍ରେଷ୍ଠ କାବ୍ୟ ‘ମହାନୟ ପ୍ରକାଶ’ ତ୍ରୟୋଦଶ ଶତାବ୍ଦୀର ରଚନା । ଗ୍ରୀୟରସନ୍‌ଙ୍କ ମତରେ ପ୍ରଥମ କବି ଜଣେ ନାରୀ, ନାମ ଲଲ୍ଲେଶ୍ୱରୀ । କାଶ୍ମୀରରେ ସାହିତ୍ୟ, କଳା ପ୍ରଭୃତି ବିଷୟରେ କିଛିହେଲେ ଗବେଷଣା ହୋଇନାହିଁ । ପ୍ରଥମ କବି ପ୍ରକୃତରେ କିଏ, ଜାଣିବା ଦୁଷ୍କର ।

ଶେଖ୍‌ ନୁରୁଦ୍ଦୀନ ଭକ୍ତକବି ଲଲ୍ଲେଶ୍ୱରୀଙ୍କ ଶିଷ୍ୟ, ସେ ଫକୀର, ହିନ୍ଦୁ, ମୁସଲମାନ ଉଭୟେ ତାଙ୍କ ଭକ୍ତ, ତାଙ୍କ ପଦାବଳୀ ଲୋକପ୍ରିୟ । ଭାରତରେ କବୀରଙ୍କ ସ୍ଥାନ ଯାହା, ଏଠି ନୁରୁଦ୍ଦୀନଙ୍କ ସ୍ଥାନ ସେଇଆ ।

ଅନ୍ୟାନ୍ୟ କବିଙ୍କ ଭିତରେ ଦିବାକର ରାମାବତାର, ଲବକୁଶ ଚରିତ୍ର ପ୍ରଭୃତି କାବ୍ୟ ଶୁଦ୍ଧ କାଶ୍ମିରୀରେ ରଚନା କରିଅଛନ୍ତି । ପ୍ରଥମ କାବ୍ୟରେ ସୀତା ମନ୍ଦୋଦରୀଙ୍କ ପୁତ୍ରୀ ବୋଲି ଉଲ୍ଲିଖିତ ହୋଇଅଛି । ଅନ୍ୟାନ୍ୟ ବିଷୟ ଚିତ୍ରରେ ମଧ୍ୟ ଭାରତୀୟ ରାମାୟଣ ମଧ୍ୟରେ ତାରତମ୍ୟ ରହିଅଛି ।

ହବ୍‌ବା ଖାନୁନ୍‌ କାଶ୍ମୀରର ପ୍ରସିଦ୍ଧ କବି । ସେ କୃଷକ କନ୍ୟା, ଆଦିରସାତ୍ମକ ରଚନା ଲେଖିବାରେ ତାଙ୍କର ଅସାଧାରଣ କ୍ଷମତା ଥିଲା, ମଧ୍ୟଯୁଗର ଅଧିକାଂଶ କାବ୍ୟଗ୍ରନ୍ଥ କୃଷ୍ଣ ବା ଶିବଙ୍କୁ କେନ୍ଦ୍ର କରି ରଚିତ, ଭାବଧାରାରେ ଏହି କବିମାନେ ସୁଫି କବିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅଛନ୍ତି ।

ଆଧୁନିକ କବି ରସୁଲ୍‌ବୀର ସ୍ୱାତନ୍ତ୍ର୍ୟବାଦୀ, ୪୦ ବର୍ଷ ବୟସରେ ସେ କାବ୍ୟାରମ୍ଭ କରିଥିଲେ । ତାଙ୍କ କବିତା କାଶ୍ମୀର ଜନତା ମଧ୍ୟରେ ନବ ଜାଗରଣ ଆଣିଲା । ନାଦିମ୍‌ ଅତ୍ୟାଧୁନିକ ଯୁଗର ସର୍ବଶ୍ରେଷ୍ଠ କବି । ତାଙ୍କ କବିତା କାଶ୍ମୀର ଓ କାଶ୍ମୀର ବାହାରେ ବିଶେଷ ଆଦୃତ ହେଉଛି ।

Image

 

ଉଲାର ହ୍ରଦରେ ମଧ୍ୟାହ୍ନ

 

ହାଁ ଜି ଧୀରେ ଧୀରେ ଆହୁଲା ମାଇଲା, ଝେଲମ୍‌ ମଝିରେ ଚାଲିଲା ଆମର ‘ଶିକାରା’ । ନୀଳ ଜଳରେ ତୀର ସୌଧର ଛାୟା, ଭାଙ୍ଗୁଥାଏ; ପୁଣି ଯୋଡ଼ି ହୋଇ ଗୋଟା ହେଉଥାଏ, ଉଇଲୋ ବଣର ଶିଖେ ଶିଖେ ବରଫ ରଙ୍ଗର ମେଘ ପହଁରି ଯାଉଛି, ଶିକାରାର ଦୁଇ ପାଖେ କେତେ ବୋଝେଇ ଡଙ୍ଗା ଚାଲିଛନ୍ତି, ବହୁ ଆହୁଲା ଏକା ତାଳରେ ଉଠୁଛି, ପଡ଼ୁଛି—ଏକା ସ୍ୱରରେ କାଶ୍ମୀର ମାଝି ଗାଉଛନ୍ତି ଗୀତ...‘‘ଝେଲମର ଢେଉ ପରି ଚାନ୍ଦିନୀ, ଚେରୀ ଗଛର ଫୁଲ ଶାଖାରେ ଡାକୁଚି ବୁଲ୍‌ବୁଲ୍‌—ହେ ବିଦେଶୀ, ତୁମେ ଆଜି ରାତିକ ରହ, ଏ ପାହାଡ଼ିଆ ଶୀତ ତୁମ ପକ୍ଷରେ ହିତକର ହେବନାହିଁ, ଏ କୁହୁଡ଼ିଆ ପବନ ତୁମର ହାଡ଼କୁ ବଙ୍କେଇ ଦେବ । ହେ ସୁନ୍ଦର ବିଦଶୀ, ପିଞ୍ଜରାର ଶାରୀ ମୁଁ ଡାକୁଛି, ତୁମେ ଏ ରାତିକ ଏଠି ରହ ।’’

 

ଗୀତର ସ୍ୱରମୂର୍ଚ୍ଛନାରେ ଆମ ନୌକା କ୍ଷଣେ ଥମିଗଲା, ବାସ୍ତବ ସ୍ୱପ୍ନ ପରି ଲାଗିଲା—ଜଗତ୍‌ ଚିତ୍ରପଟ ପରି ନୀରବ, ନିସ୍ତବ୍‌ଧ । ନୌକା ପରେ ନୌକା ଆମ ବିପରୀତ ଦିଗରେ ଚାଲିଲା, କ୍ଷଣେ ଏକାଠି ହେଲୁ, କ୍ଷଣକେ ଅନ୍ତର ହେଲୁ । କିଏ କେଉଁଠୁ ଆସୁଛି, କୁଆଡ଼େ ଯାଉଛି, ଏଥିରୁ ଗୋଟିଏ ଊଣା ହେଲେ ସାକ୍ଷାତେ ଏ ଦୃଶ୍ୟ ଖଣ୍ଡିତ ହୁଅନ୍ତା, ଅପୂର୍ଣ୍ଣ ଦିଶନ୍ତା ଏ ସୁନ୍ଦର ପରିବେଶ ।

 

ଆଗରେ ଉଜ୍ଜ୍ୱଳତମ ସୂର୍ଯ୍ୟ—ଆକାଶରେ, ଜଳରେ, ଦୁଇ କୂଳରେ ଦୃଷ୍ଟିରୋଧୀ ବରଫ ପାହାଡ଼; ପାହାଡ଼ ଉପରେ ଧାଡ଼ି ଧାଡ଼ି ମେଘ, ପେଙ୍ଗୁଇନ୍‌ ପକ୍ଷୀପରି ଉପରକୁ ମୁଖ ଟେକି ଛିଡ଼ା ହୋଇଛନ୍ତି । ଝେଲମ୍‌ ନଈର ଗଙ୍ଗେଇଟି ପାଦରେ ଢେଉ ଛୁଇଁ ଛୁଇଁ ଉଡ଼ି ଆମ ସାମ୍ନା ଆକାଶକୁ ଆସି ପକ୍ଷୀ ଭାଷାରେ ପଚାରିଲା—କିଏ—କିଏ—କିଏ ? ଏ ପ୍ରଶ୍ନରେ ଆମେ ଅପ୍ରସ୍ତୁତ ହେଲୁ, ଉତ୍ତର ନ ପାଇ ଚଢ଼େଇଟି ଚିନାର ବଣରେ ପଶିଲା ।

 

ଝେଲମର କ୍ଷୀଣପ୍ରବାହ ଧୀରେ ଧୀରେ ପ୍ରସାରିତ ହେଲା, ଦେଖୁଁ ଦେଖୁଁ ହ୍ରଦର ବିପୁଳି ପ୍ରବାହରେ ହଜିଗଲା । ଉତ୍ପଳବଂଶର ରାଜା ଅବନ୍ତୀ ବର୍ମନ୍‌ ଏଇ ନଦୀର ଗତିପଥ ବଦଳାଇ ତାକୁ ଉଲାର ମଧ୍ୟରେ ପ୍ରବାହିତ କରିଥିଲେ । ‘ଉଲ୍ଲୋଳ’ ଶବ୍ଦରୁ ଉଲ୍ଲାରର ଉତ୍ପତ୍ତି ହୋଇଅଛି । ଭାରତର ମଧୁରଜଳ ହ୍ରଦ ମଧ୍ୟରେ ଉଲାର ବୃହତ୍ତମ, ପ୍ରାୟ ୧୪ ମାଇଲ୍‌ ଲମ୍ବ, ୭ ମାଇଲ୍‌ ଓସାର । ପ୍ରାୟ ଆଠଶରୁ ଅଧିକ କେଉଟ ଏଥିରୁ ମତ୍ସ୍ୟ ଆହରଣ କରି ଜୀବନ ଧାରଣ କରନ୍ତି । ପ୍ରତିଦିନ ପଚାଶ ମହଣରୁ ଅଧିକ ମାଛ ମରାଯାଏ, ଆଖପାଖ ସହରରେ ବିକ୍ରୀ ହୁଏ ।

 

ଗ୍ରୀଷ୍ମ କାଳରେ ଏହାର ଜଳ ବୃଦ୍ଧିପ୍ରାପ୍ତ ହୁଏ, ଚତୁର୍ଦ୍ଦିଗରେ ପର୍ବତରୁ ବରଫ ତରଳି ଝରିଆସେ, ତା ଛଡ଼ା ଝେଲମର ବନ୍ୟା ବି ଏହାର ଜଳ ପରିମାଣ ବୃଦ୍ଧି କରିଥାଏ । ଶୀତକାଳରେ ଏହି ହ୍ରଦର ବିସ୍ତାର ଊଣା ହୋଇଆସେ, କେତେକାଂଶର ଜଳ ଶୁଷ୍କହୁଏ, ଏ ଭୂମିରେ ନାନା ପ୍ରକାର ଫସଲ ଉତ୍‌ପାଦନ କରାଯାଏ । ହଜାର ହଜାର ମହଣ ଶିଙ୍ଗଡ଼ା ତୋଳା ହୋଇ ସହରବଜାରକୁ ବିକ୍ରୀ ଉଦ୍ଦେଶ୍ୟରେ ପ୍ରେରିତ ହୁଏ । ହ୍ରଦଜଳରେ ଉଇଲୋ ବଣ, ହ୍ରଦ ଜଳରେ ନାଚୁଛି ତାର ଛାଇ । କେତେକ ଗଛ ଲୋକେ ହାଣି ନଦୀ ସ୍ରୋତରେ ଦୂର ଦୂରାନ୍ତରକୁ ଭସାଇ ନେଇଛନ୍ତି, ଖୁଣ୍ଟା ମୂଳସବୁ ଉପରକୁ ଚାହିଁଛି ।

 

ଉଲାର ହ୍ରଦର କେଉଟ

 

ହ୍ରଦରେ ତିନୋଟି ନୌକାରେ କେଉଟ ଖେପା ଜାଲ ପକାଇ ମାଛ ଧରୁଥାନ୍ତି । ଇଚ୍ଛା ହେଲା—ମାଛ କିଣିବା । ଡାକ ପକାଇଲୁ—ହେ ଭାଇ, ନୌକା ଆଣ । ତିନିପଟୁ ଘେରି ତିନୋଟି ନୌକା, ମଝିରେ ରହିଲା ଆମ ଶିକାରା । ଥରେ ସେହି ତିନୋଟି ନୌକା ଉପରେ ଆଖି ବୁଲାଇ ଆଣିଲୁ—ଗୋଟିଏ ଘୋଡ଼ଣି ଲଗା ବେତ ଟୋକେଇ, ତା ଭିତରେ ମାଟି ପାତ୍ର, କାଲି ରାତିରେ ଏଥିରେ ବୋଧେ ଭାତ ଆଣିଥିଲେ, ସହଜରେ ଖାଦ୍ୟ ଥଣ୍ଡା ହେବ ନାହିଁ, ସେଥିଲାଗି ଏ ଟୋକେଇର ବ୍ୟବସ୍ଥା । ପ୍ରତି ନୌକାରେ ରଖାହୋଇଛି ଯୋଡ଼ିଏ ଲଖାଏଁ କଠଉ, ଘରୁ ନୌକା ପର୍ଯ୍ୟନ୍ତ ଆସିଲା ବେଳେ ପିନ୍ଧି ଆସିଥିବେ । ଖଣ୍ଡିଏ ଲେଖାଏଁ ଛିଣ୍ଡା କତରା, ଘୋର ଶୀତରେ କଙ୍ଗଡ଼ି କୋଳରେ ଜାକି ଇଆରି ଉପରେ ଶୋଇଥିବେ । ବସି ମନ ମଉଜରେ ଟାଣିବା ପାଇଁ ପ୍ରତି ନୌକାରେ ଗୋଟିଏ ଗୋଟିଏ ହୁକା । କେଉଟ ତିନିଜଣ ମୁସଲମାନ, ନିଶ, ଦାଢ଼ି ନାହିଁ । ଛିଣ୍ଡା, କୋତରା ପିନ୍ଧା, ମୁଣ୍ଡରେ ମେଣ୍ଢା ଲୋମର ଟୋପି; ଦେଖିବାକୁ ବେଶ୍‌ ମଜଭୁତ୍‌; କିନ୍ତୁ ବଡ଼ ଦରିଦ୍ର । ମାଛ ମାରି ଯାହା ଅର୍ଜନ କରନ୍ତି, ସେଥିରୁ କିଛି ନିଶାରେ ଉଡ଼ିଯାଏ । ମନକୁ ଉଷୁମ ନ ରଖିଲେ ଦେହକୁ ତାକତ ନ ରଖିଲେ ଏ ଶୀତରେ ମାଛ ଧରିବେ କେମିତି ? ନିଶାରୁ ଯାହା ବଞ୍ଚେ, ସେଥିରେ ବଡ଼ ଟଣାଟଣିରେ ସଂସାର ଚଳେ । ଯାହା କହନ୍ତି—ଲକ୍ଷେ ଅରଜିଲେ ପକ୍ଷକୁ ଅଣ୍ଟେ ନାହିଁ, ସେଇ ଅବସ୍ଥା । ଖୋଜି ବସିଲେ ସାରା କେଉଟସାଇରେ ଜଣେ ହେଲେ ଥିଲାବାଲା ନ ଥିବ-

 

ଆମ ହାଁ ଜି ଦର କଲା—ମାଛ ସେର ଆଠ ଅଣା । ସେମାନେ ମୁଣ୍ଡ ହଲାଇଲେ, ଅର୍ଥାତ୍‌ ଏ ଦର ପଟିବ ନାହିଁ । ହାଁ ଜି ତାଳ ଜାଣେ, ଅଣାଏ, ତା ପରେ ଆଉ ଅଣାଏ ବଢ଼ାଇଲା, ଶେଷକୁ ସେଇ ଦଶଣାରେ କଥା ଛିଡ଼ିଲା । ଡଙ୍ଗାର ଗୋଟିଏ କଣରେ କାଠର ବନ୍ଧ ବନ୍ଧା ଯାଇଛି, ଢଳା ଯାଇଛି ପାଣି, ପିଲାଙ୍କ ଖେଳ ପୋଖରୀଟିଏ, ସେଥିରେ ଛଡ଼ା ଯାଇଛି ମାଛ, ଦେଖିବାକୁ କାଠି ପୋହଳା ପରି, ନାଁ କଣ କେଜାଣି ? ଗୁଡ଼ିଏ ମୁଣ୍ଡ ଭାସୁଛି, ନିଜ ଦୁର୍ଦ୍ଦଶାରେ ସେମାନେ ଯେପରିକି ଅତି ମ୍ରିୟମାଣ ହୋଇ ପଡ଼ିଛନ୍ତି, କେତେକ ପାଟି ପାକୁ ପାକୁ କରୁଛନ୍ତି, ଯେମିତିକି ପଚାରୁଛନ୍ତି—ଆମ ଆୟୁ ଆଉ କେତେ କାଳ ?

 

ଦୁଇ କଡ଼ରେ ଛିଣ୍ଡା ଜାଲ, ସେଥିରେ ଦଉଡ଼ି ବନ୍ଧା ଯାଇ ଖଣ୍ଡିଏ ସାଉଁଳିଆ କାଠରେ ଝୁଲା ଯାଇଛି—ଏ ହେଲା ଦେଶୀ ତଉଲା । ସେର ଛଟାଙ୍କି ପାଇବେ କାହୁଁ ? ସେଇ ଓଜନର ବାଲିଗିରିଡ଼ା ଯୋଗାଡ଼ କରିଛନ୍ତି । ସେଥିରେ ଦୁଇ ସେର ମାଛ ଓଜନ କରି ଦେଲେ, ଦୁଇ ଚାରିଟା ଲାଭ ବି ପକାଇ ଦେଲେ । ଏ ପନ୍ଥା ସାରା ଭାରତରେ ଚଳେ, କ୍ରେତା ବିକ୍ରେତାର ଲାଭାଂଶରୁ ଏତକ ଭାଗ ନିଏ ।

 

ବ୍ୟୂହରୁ ଡଙ୍ଗା ଛଡ଼ାଇ କେଉଟମାନେ ପୁଣି ମାଛ ମାରି ଚାଲିଲେ, ଆମେ କିଛି ଦୂର ଯାଇ ନୌକାକୁ ହ୍ରଦକୂଳରେ ବାନ୍ଧିବା ଲାଗି ଆଦେଶ ଦେଲୁ । କୂଳରେ କାଦୁଅ ନାହିଁ, ଦଳ ସଢ଼ି ପରସ୍ତ ପରେ ପରସ୍ତ ବସି ଯାଇଛି । କୂଳରେ ଛିଡ଼ା ହୋଇ ଏକ ଦିଗକୁ ଅନାଇଲେ ଝେଲମ୍‌ ଧୀର ପ୍ରବାହ, ଅନ୍ୟଦିଗରେ ତିନି ପାଖରେ ବରଫ ପାହାଡ଼ ଘେରା ଉଲାର—ଏକ ବିପୁଳ ସର୍ପର ଅଜସ୍ର ଫଣା ପରି ଉତ୍‌ଥିତ ତରଙ୍ଗ, ରବିକିରଣରେ ଝଲମଲ ପ୍ରତ୍ୟେକ ଫଣାର ମଣି ।

 

ସେତେବେଳକୁ ସୂର୍ଯ୍ୟ ମୁଣ୍ଡ ଉପରେ, ଆମେ ଉଲାର କୂଳର ଉଇଲୋ ବଣରେ ପଶିଲୁ-। ସରୁ ସରୁ ପତ୍ର, ଛୋଟ ଛୋଟ ଡାଳ ଗହଳ ଭେଦି ସୂର୍ଯ୍ୟ କିରଣ ପଡ଼ୁନାହିଁ । କେଉଁଠି ଗଛ ପତ୍ର ଝଡ଼ା ଦେଇଛି, କେବଳ ଝାଟି ଛିଡ଼ା ହୋଇଛି । ଏଇ ବନ ପ୍ରାକୃତିକ ନୁହେଁ, କୌଣସି ବ୍ୟବସାୟୀଙ୍କ ଦ୍ୱାରା ରୋପିତ, ଉଇଲୋ କାଠ ବଡ଼ ମୂଲ୍ୟବାନ୍‌ । ଏଥିରେ ଦିଆସିଲି କାଠି ହୁଏ, ଟେନିସ୍‌ରାକେଟ୍‌, ହକି ଷ୍ଟିକ୍‌ ବି ହୁଏ । ଗଛ ତଳ ନିର୍ମଳ, ଘାସ ବା କଣ୍ଟାବୁଦା ନାହିଁ, ପତ୍ର ସଢ଼ି ମାଟିରେ ପିଢ଼ ପରି ବସି ଯାଇଛି ।

 

ବନ ଅତି ନିର୍ଜ୍ଜନ, ପବନ ସ୍ଥିର, ମର୍ମର ଧ୍ୱନି ଶୁଣା ଯାଉନାହିଁ, ଗୋଟିଏ ଝିଙ୍କାରୀ କ୍ଷୀଣ ସ୍ୱରରେ ହୁଇସିଲ୍‌ ବଜାଉଛି—ବନେ ବନେ ଆଖି ଯୁଆଡ଼େ ଟାଣିଲା, ଚାଲିଲି । ଗୋଟିଏ ଗୋଟିଏ ଚିତ୍ର ବିଚିତ୍ର ବେଙ୍ଗ ଆଗରେ ଡେଇଁ ଯାଉଥାନ୍ତି, ସନ୍ତସନ୍ତିଆ ଜାଗାରେ ଜିଆ ମୁହଁ କାଢ଼ିଛନ୍ତି, କେଉଁଠି ବା ମାଟି ଗାଳି ଦେଉଳ ତୋଳିଛନ୍ତି; ଦୁଇଟି ଚିତ୍ର ପ୍ରଜାପତି, ଫୁଲର ପାଖୁଡ଼ା ଦୁଇଟି ଯୋଡ଼ି କିଏ ବା ଜୀବନ୍ୟାସ ଦେଇଛି । କ୍ଷଣେ ଏକାଠି ମିଶିଲେ, ପୁଣି କୁଆଡ଼େ ଦୁଇ ଦିଗକୁ ଉଡ଼ିଗଲେ । ଦୁଇଟି ଗାଈଜଗା ଟୋକା, କେତେ କଥା ପଚାରିଲି, କିଛି ବୁଝିଲେ ନାହିଁ । କେବଳ ହସ—ହସ, ହସରେ ବିଦାୟ । ତା ପରେ ଖୋଲା ଜାଗାରେ କଟା ଗଛର ମୂଳ ଉପରେ ବସିଲି, ଆଗରେ ଉଲାର, ଝେଲମ୍‌, ହିମାଦ୍ରି । ଲେଖିଲେ ଗୋଟିଏ କବିତା—

 

ପରବତ ଶିଖ ପରେ ଶିଖ

ତିଖ ହୋଇ ଉଠିଛି ଆକାଶେ

ଶିରେ ତା ତୁଷାର ତାଜ୍‌

ଶଙ୍ଖ ଶୁଭ୍ର ମେଘର ମହଲ ।

 

ସେ କୂଳେ ସୋରିଷ ଖେତେ ପଥ ଭାଙ୍ଗି ଭାଙ୍ଗି ଚଳେ କାଶ୍ମୀର କିଶୋରୀ

ଏ କୂଳେ ଉଇଲୋ ବଣ ନିଃଶବ୍ଦ, ନିର୍ଜ୍ଜନ

ମଝିରେ ଉଲାର,

ସଙ୍ଗେ ତା ଆଳାପ କରେ ।

କି ରହସ୍ୟ ଝେଲମର ଧାର ।

 

ଭାସିଯାଏ ନୌକାଘର, ଶିରେ ତାର ତାମ୍ରଚୂଡ଼ ଡାକେ

ପକ୍ଷ ଝାଡ଼ି ବୁଜି ପୁଣି ପହଁରେ ବତକ

ନଉକାର ପ୍ରତିଯୋଗୀ;

ମୁଖରେ ଆତଙ୍କ

ଛାଗଳ ଅନାଇଅଛି ଉଦ୍ଧତ ଲହରେ

ଶଙ୍ଖଚିଲ ଚକ୍‌କରେ ଚକ୍‌କରେ

ଅମପା ଅସୀମେ ବୃତ୍ତ ରଚେ ।

 

ଦେବଦାରୁ ପତ୍ରେ

ଝଙ୍କାରେ ମଧ୍ୟାହ୍ନ ରାଗେ

ବିଜନତା ମନ ଗାଥା

ଶିକ୍ଷିତ ଝିଙ୍କାରୀ

ଘୁମାଏ ପର୍ବତ ଛାୟା

ଦ୍ୱି ପ୍ରହର ସୂର୍ଯ୍ୟ

ଯୋଗ ମଗ୍ନ,

ରଜତର ପିଣ୍ଡ ତାର ସତରଳ

ଝରି ଝରି ଜମେ ଅବା ଉଲାର ସଲିଳେ !

 

ନୌକା ଚଳେ

ଧୀବର ମେଲିଛି ଜାଲ

କଳା ଛାଇ

ଚାଲି ଚାଲି ଯାଏ ନୀରେ ନୀରେ ।

 

ଏ ପର୍ବତ, ଏଇ ମେଘ, ଏଇ ହ୍ରଦ

ଏଇ ନଦୀ ବନ

ଏଇ ସୂର୍ଯ୍ୟ, ଏ ଆକାଶ

ଦିଗ୍‌ବଳୟ ମଣ୍ଡଳ ତାହାର ।

 

ଆହୁଲାର ତାଳେ ତାଳେ

ମଧ୍ୟାହ୍ନ ପ୍ରକୃତି ଦେହେ

କରୁଛି କି ଜୀବନ ସଞ୍ଚାର ?

 

ମହେଶ୍ୱର ଭଟ୍ଟ

 

ଆମେ ଫେରିଲୁ ସ୍ୱେଚ୍ଛାରେ ନୁହେଁ, ହାଁ ଜିଙ୍କ ତାଗିଦରେ । ଯିବାର ମାଦକତା ଆସିଲାବେଳେ ନ ଥାଏ, ନ ଥିଲା । ବାହାର ଜଗତକୁ ଦୃଷ୍ଟି ନ ମେଲାଇ ଅନ୍ତରରେ ଧ୍ୟାନସ୍ଥ ହେଲି, ଆହୁଲାର ତାଳେ ତାଳେ ଛାଇନିଦ ଲାଗିଗଲା । ହାଁ ଜିଙ୍କୁ ବିଦାକୀ ଦେଇ ପ୍ରାୟ ଦିନ ଗୋଟାଏ ବେଳେ ଅଧ୍ୟାପକ ଧର୍‌ଙ୍କ ଘରେ ପହଞ୍ଚିଲୁ । ଆମ ହାତରେ ମାଛ ଦେଖି ବୁଢ଼ା ରାଗରେ ଜଳି ଉଠିଲେ—ବୟସ ସତୁରି ପାଖାପାଖି, ନିରାମିଷାଶୀ, ମହେଶ୍ୱର ଭଟ୍ଟ ପ୍ରତିଦିନ ଗୀତା ପାରାୟଣ ନ କରିବା ପର୍ଯ୍ୟନ୍ତ ଜଳ ଗ୍ରହଣ କରନ୍ତି ନାହିଁ । ରାଗଟା ଏତେ ଉଚ୍ଚକୁ ଉଠିଥିଲା ଯେ ଘଡ଼ିଏ ଯାଏ ପାଟିରୁ କଥା ବାହାରିଲା ନାହିଁ । ତା ପରେ କହିଲେ—ଏ ମାଛ ଯେ ଛୁଟୁପୁଟୁ ହୋଇ ମରୁଛନ୍ତି ତୁମ ମନ ଟିକିଏ ବିକଳ ହେଉନାହିଁ ? ଯେଉଁମାନେ ଏଡ଼େ ନିଷ୍ଠୁର, ସେମାନଙ୍କୁ ମଁ ମଣିଷରେ ଗଣେନି । ସେତେବେଳକୁ ଛାଇ ଗଡ଼ିଲାଣି, ଭୋକରେ ପେଟ ଜଳୁଛି, ରକ୍ତ ଚଟ୍‌କିନେ ତାଳୁକୁ ଚମକି ଗଲା । କହିଲି—ପୃଥିବୀର ଶତକରା ଅଶୀ ଲୋକ ମାଛ ମାଂସ ଖାନ୍ତି, ସୋମାନେ ମଣିଷ ନୁହନ୍ତି, ଆପଣଙ୍କ ଉପରେ ଏକା ମଣିଷ ବୋଲି ଟିକା ମରିଛି ? ମଣିଷ ଭଲ କି ମନ୍ଦ ତା ବ୍ୟବହାରରୁ ଚିହ୍ନାଯାଏ ନା ଖାଦ୍ୟରୁ ? ଆପଣ କଣ କୌଣସି ଜୀବହତ୍ୟା କରୁ ନାହାନ୍ତି ? ଚାଲିଲାବେଳେ ଆପଣଙ୍କ ପାଦରେ କେତେ କେତେ ଛୋଟ ଛୋଟ ଜୀବ ଦଳି ହୋଇଯାନ୍ତି, ନିଃଶ୍ୱାସରେ କେତେ ଜୀବ ଆପଣଙ୍କ ଗର୍ଭକୁ ଯାଇ ନଷ୍ଟ ହୁଅନ୍ତି । ମେଲେରିୟା ହେଲେ ଆପଣ ଯେଉଁ ଓଷଦ ଖାନ୍ତି, ସେଥିରେ କେତେ କେତେ ଜୀବାଣୁ ବିନଷ୍ଟ ହୁଅନ୍ତି, ସେମାନେ ବି ତ ପ୍ରାଣୀ ! ଏଭଳି ଯଦି ପାପପୁଣ୍ୟର ବିଚାର କରାଯିବ, ଆମ ପାପର କଣ ସୀମା ରହିବ ? ପୃଥିବୀର କେଉଁ ଲୋକ ନିଷ୍ପାପ ରହିପାରିବ ? କେବଳ ନରକ ଗଢ଼ୁ ଗଢ଼ୁ ବିଧାତାର ସୃଷ୍ଟିଶକ୍ତି ନିଃଶେଷ ହୋଇଯିବ । ଆପଣଙ୍କ କଳ୍ପିତ ଏହିପରି ଅଜସ୍ର ପାପର ନିରାକରଣ ପାଇଁ ଭକ୍ତବନ୍ଧୁମାନେ ଅତି ସହଜ ବ୍ୟବସ୍ଥା କରିଯାଇଛନ୍ତି—

 

କୃଷ୍ଣ ନାମରେ ପାପକ୍ଷୟ ଯେତେ

କରି ନ ପାରେ ପାପୀ ପାପ ତେତେ ।

 

ଆମ ପାପର ପରିମାଣ ପାପ କ୍ଷୟର ପରିମାଣକୁ ବଳିପାରେ ନାହିଁ, ଥରେ କୃଷ୍ଣ ନାମ ଧଇଲେ ହେଲା । ଅଜାମିଳଙ୍କ ପରି ପୁତ୍ରର ନାମ ନାରାୟଣ ଦେଇଥିଲେ ଏହି ନାମୋଚ୍ଚାରଣର ଅଭ୍ୟାସ ଥିବ, ମୃତ୍ୟୁସମୟରେ ଭୁଲିହେବ ନାହିଁ । ନ ହେଲେ ଥରେ ବୃଦ୍ଧ ବୟସକୁ ଗଙ୍ଗାରେ ବୁଡ଼ ପକାଇଲେ ହେଲା, ସବୁ ପାପ କଳୁଷ ଧୋଇଯିବ ।

 

ଏ ଯୁକ୍ତିରେ ଅପ୍ରତିଭ ହୋଇ ଭଟ୍ଟ କହିଲେ—That is my feeling.

 

ମୁଁ କହିଲି–ଆପଣଙ୍କ ହୃଦୟବୃତ୍ତିକୁ ନମସ୍କାର ଜଣାଉଛି, ତା ଉପରେ ମୋର କିଛି କହିବାର ନାହିଁ, କିନ୍ତୁ ଆପଣଙ୍କ ପ୍ରକାଶ ସଂଯତ ହେଲା କି ? ଅନ୍ୟର ମନୋଭାବ ପ୍ରତି ପ୍ରକୃତ ଧାର୍ମିକ ବ୍ୟକ୍ତି ଅସହିଷ୍ଣୁ ହୁଏ କି ? ଧର୍ମଶାସ୍ତ୍ରକୁ କେବଳ ମୁଖସ୍ଥ କଲେ ହେବନାହିଁ, ତାର ସତ୍‌ଚିନ୍ତା ସଦାଚରଣରେ ଫୁଟିବା ଆବଶ୍ୟକ । ଶତଶତ ଲୋକ ଆପଣଙ୍କ ସାମ୍ନାରେ ଗୋରୁ କାଟି ଖାଉଛନ୍ତି, ସେମାନଙ୍କୁ ରୋକିବା ଦୂରର କଥା, ପାଟି ଫିଟେଇବାର ଯୁ ନାହିଁ । ଆମର ସାମାନ୍ୟ ମାଛଖିଆ ଆପଣଙ୍କ ଆଖିକି ଦିଶିଲା, ଏ ବଡ଼ ବିଚିତ୍ର ।

 

ଏଥିରେ ବୃଦ୍ଧ ମର୍ମେ ମର୍ମେ ବେଦନା ଅନୁଭବ କରିଥିଲେ, ମୁଁ ମଧ୍ୟ । ରାଗ ବ୍ରହ୍ମ ଚଣ୍ଡାଳ, ଉଚ୍ଛ୍ୱାସରେ କଣ ଗୁଡ଼ାଏ କହିଗଲେ, କହିବା ଉଚିତ ନ ଥିଲା ପରା ! ବୃଦ୍ଧଙ୍କର ବଦଳିବାର ବୟସ ଆଉ ନାହିଁ । ଅଯଥା ଜମାଟ ଭାବକୁ ଚହଲେଇ ବିକଳ କରି କି ଲାଭ ?

 

ପ୍ରାୟ ଦୁଇଟା ବେଳେ ଖିଆପିଆ ହେଲା । ଆଶା—ତେଲରେ କଡ଼ କଡ଼ ଭଜା ହୋଇ ମାଛ ଆସିବ, ଅନ୍ୟ ତରକାରୀକି ପଚାରେ କିଏ ? କାଇଁ ? ଏବେ ତ ଚାଲିଯିବୁ, ଗୃହିଣୀ ଏତିକି ଟିକିଏ ଶ୍ରମ ଆମଲାଗି କଲେ ନାହିଁ ? ପରେ ବୁଝିଲୁ କାଶ୍ମୀରର ମାଛରନ୍ଧା ପ୍ରଣାଳୀ ବଡ଼ ଜଟିଳ । କଞ୍ଚା ମାଛକୁ ଶିଝେଇ ଦିଆଯାଏ, ତା ପରେ ମସଲା ଦିଆଯାଇ ଝୋଳ ହୁଏ । ଦେଶକେ ଫାଙ୍କ୍‌ ନଈକେ ବାଙ୍କ୍‌ । ଏଥିରୁ ଯାହା ଅସ୍ୱାଦ ମିଳେ, ତାହା କାଶ୍ମୀର ରୁଚିର ଅନୁକୂଳ । ଭିନ୍ନ ଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ରୁଚି । ଦିନେ ଡାକ୍ତର ଶମ୍ଭୁନାଥ କଲିକତୀ ମାଛ ରନ୍ଧାକୁ ବଡ଼ ନାପସନ୍ଦ କରୁଥିଲେ । ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

Image

 

ପହଲଗାଁଓ

 

୧୮-୪-୫୫, ସକାଳ । ବନ୍ୟାର ପ୍ରବାହ ପରି ଧୂଆଁଳିଆ ମେଘ ଛୁଟିଛି, କିନ୍ତୁ ବର୍ଷା ନାହିଁ, ପାଉଁଶିଆ କୁହୁଡ଼ି ମଧ୍ୟରେ ଆଖ ପାଖ ପାହାଡ଼ର ଛାଇଛାଇଆ ଚେହେରା ବେଳେ ବେଳେ ମେଘ ଗହଳରେ ହଜି ଯାଉଛି । ଶ୍ରୀନଗର ଶୀତଳ, ତନ୍ଦ୍ରାଚ୍ଛନ୍ନ, ଝେଲମ୍‌ପାଣ୍ଡୁର, ଡାଲ୍‍ ବିଷଣ୍ଣ ।

 

ବିଶ୍ୱନାଥ ମେହେଟା

 

ବସ୍‌ ଛାଡ଼ିବା ଉପରେ, ଖାଲି ପେଟରେ କି ଦୃଶ୍ୟ ଦେଖା ହେବ ? ତରବରରେ ଦୁଇଖଣ୍ଡ ପାଉଁରୁଟି, କିଛି ମିଠା କିଣି ବସି ପଡ଼ିଲୁ । ବସ୍‌ ଚାଲିଲା, ଆମର ପାଟି ମଧ୍ୟ । ଶୋଷ; ପାଣି କାହୁଁ ମିଳିବ ? ବରଫ ପରି ଥଣ୍ଡା ପାହାଡ଼ୀ ଝରଣା, ହାତରେ ବାଜିଲେ ଆଙ୍ଗୁଠି କେମ୍ପା ହୁଏ, ଦାନ୍ତରେ ବାଜିଲେ ଦାନ୍ତ ଓପାଡ଼ି ନିଏ, ଜଣେ ସହଯାତ୍ରୀ ଭଦ୍ରଲୋକ ଆମର ଉଦବେଗ ଲକ୍ଷ୍ୟ କଲେ; ଥର୍ମାଫ୍ଲାକ୍‌ସ ଖୋଲି କପେ ଲେଖାଏଁ କଫି, ଗୋଟିଏ ଗୋଟିଏ କମଳା ଲେମ୍ବୁ, କିଛି ଲେମନ୍‌ଚୁସ୍‌ ବଢ଼ାଇ ଦେଲେ । ପ୍ରୟୋଜନ ଅପରିଚୟର କୁଣ୍ଠାକୁ ପ୍ରଶ୍ରୟ ଦେଲାନାହିଁ । ବିପଦ କାଳେ ଯେ ଯାଚି ପରଷଇ ତାହାକୁ ବୋଲିବ ବନ୍ଧୁ । ଧନ୍ୟବାଦ ଜଣାଇଲୁ । ସଦ୍ୟ ଅର୍ଜିତ ଏଇ ବନ୍ଧୁଙ୍କ ନାମ ବିଶ୍ୱନାଥ ମେହେଟା । ସେ କେବଳ ଆମର ଅଭାବ ମେଣ୍ଟାଇଲେ ତା ନୁହେଁ, ବସରେ ଯେତେ ଧୂଆଁ ଖିଆଳି ଥିଲେ ସମସ୍ତଙ୍କୁ ଖଣ୍ଡେ ଖଣ୍ଡେ ଗୋଲ୍‌ଡ଼ଫ୍ଲେକ୍‌ ବିତରଣ କରିଦେଲେ, ସେ ହେଲେ ବସ୍‌ର ସର୍ବସାଧାରଣ ବନ୍ଧୁ । ଲୋକଟି ବଡ଼ ମେଳାପୀ, କିନ୍ତୁ ଏ ମେଳାପ ପ୍ରକୃତିଗତ ନୁହେଁ, ବ୍ୟବସାୟଗତ । ସେ ବନ୍ଧୁ ଅର୍ଜୁ ନ ଥିଲେ, ବନ୍ଧୁ କିଣୁଥିଲେ । ସ୍ୱପକ୍ଷରେ ଯାଉ ନ ଯାଉ, ଅନ୍ତତଃ ତାଙ୍କ ସ୍ୱାର୍ଥ ବିରୁଦ୍ଧରେ ଏ କିଣା ବନ୍ଧୁରୁ କେହି ଯିବେ ନାହିଁ, ଏ ଭରସା ତାଙ୍କର ଅଛି । ଦୀର୍ଘ ଦେହରେ ଦାମୀ ଗରମ୍‌ ସୁଟ୍‌, ହାତରେ ଚମଡ଼ା ବ୍ୟାଗ୍‌, ଓଠରେ ନିଆଁ ଲାଗିଛି, ଧୂଆଁ ନଳି ପରି ଦୀର୍ଘ ନାସାରୁ ଅବିରତ ଧୂଆଁ ବାହାରୁଛି । ମେହେଟା ଜଣେ ବ୍ୟବସାୟୀ, ଉତ୍ତର ପଶ୍ଚିମ ପ୍ରଦେଶରେ ତାଙ୍କର ଘର, ବର୍ମାରେ ବ୍ୟବସାୟ ଗାଦି । ପହଲଗାଁଓରେ ଗ୍ରୀଷ୍ମ ଆଉ ବର୍ଷା ଋତୁ କଟେଇବା ତାଙ୍କର ଇଚ୍ଛା । ସେଥିଲାଗି ମାସିକ ୧୮୦୦ ଟଙ୍କାରେ ଗୋଟିଏ ବଡ଼ କୋଠାଘର ଭଡ଼ା ନେଇଛନ୍ତି । ଢିଙ୍କି ସ୍ୱର୍ଗକୁ ଗଲେ ଧାନ କୁଟେ । ମେହେଟା ବ୍ୟବସାୟକୁ ସିନା ଛାଡ଼ି ଆସିଛନ୍ତି, ବ୍ୟବସାୟ ତାଙ୍କୁ ଛାଡ଼ି ନାହିଁ । ସେଥିଲାଗି ମୁଣ୍ଡରେ ଖେଳୁଛି—କି ଉପାୟ କଲେ ହାୱା ବଦଳା ହେବ, ହାତରୁ ପଇସାଟିଏ ଖର୍ଚ୍ଚ ହେବ ନାହିଁ । ମାଛ ତେଲରେ ମାଛ ଭାଜିବା ବିଶେଷ ଚାଲାକୀ ଲୋକର କାମ । ମେହେଟା ସେଇ ଶ୍ରେଣୀର ।

 

ଭଡ଼ା ଘରୁ ଅଧେ ସେ ଦୋକାନୀମାନଙ୍କୁ ଭଡ଼ା ଲଗେଇ ସାରିଲେଣି, ସେଥିରୁ ମୂଳ ଜମା ଉଠି ଯାଇଛି, ବାକୀ ଅଧକରୁ ଅଧେ ଭଡ଼ା ଦେଇ ଖାଇବା ଖର୍ଚ୍ଚ ଉଠେଇବେ ବୋଲି ବସିଛନ୍ତି-। ସ୍ଥାନୀୟ ବ୍ୟବସାୟୀମାନେ ମେଳି ବାନ୍ଧିଛନ୍ତି, କୌଣସି ବାହାର ବ୍ୟବସାୟୀକି ଏଠି ପୂରେଇ ଦେବେନାହିଁ । ଅଙ୍ଗୁଳି ପ୍ରବେଶାତ୍‌ ବାହୁ ପ୍ରବେଶ, ଥରେ ପ୍ରବେଶ କଲେ ସୂତ୍ର ଖଞ୍ଜି ସେମାନେ ସମସ୍ତ ବ୍ୟବସାୟ ହାତକୁ ନେଇଯିବେ, କାଶ୍ମୀର ବ୍ୟବସାୟୀର ଅର୍ଥ ବଳ ନାହିଁ, ପ୍ରତିଯୋଗିତାରେ ଛିଡ଼ା ହୋଇ ପାରିବ ନାହିଁ । ତେଣୁ ସେମାନେ କାଶ୍ମିରୀ ଅଣକାଶ୍ମିରୀ ଦୁହା ଉଠାଇଛନ୍ତି, କିନ୍ତୁ ମେହେଟାଙ୍କ ଚତୁରତାର ସମ୍ମୁଖୀନ ହେଲା ଭଳି କେହି ଲୋକ ସେଠି ନାହାନ୍ତି । ମେହେଟା ଯେଉଁ ଉପାୟରେ ହେଉନା କାହିଁକି ଏ ଦଳ ଫଟେଇ ଦେଇଛନ୍ତି, ସ୍ଥାନୀୟ ୨ । ୪ ଜଣ ଲୋକଙ୍କୁ ବେଶ୍‌ ହାତ କରି ନେଇଛନ୍ତି । ଏବେ କଳି ଲାଗିଛି ସେମାନଙ୍କ ନିଜ ନିଜ ମଧ୍ୟରେ, ମେହେଟାଙ୍କ ସଙ୍ଗରେ ନୁହେଁ । ମେହେଟା ଭାରତର କୌଣସି ମନ୍ତ୍ରୀଙ୍କଠାରୁ କାଶ୍ମୀରର ମନ୍ତ୍ରୀଙ୍କ ପାଖକୁ ଚିଠି ଆଣିଛନ୍ତି, କାଶ୍ମୀର ମନ୍ତ୍ରୀ ପହଲଗାଁଓର ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କ ନିକଟକୁ ପତ୍ର ଲେଖିଛନ୍ତି—ମେହେଟାଙ୍କୁ ସାହାଯ୍ୟ କର । ବ୍ୟବସାୟୀ ଗୋଷ୍ଠୀ ରକ୍ତ ଚାଉଳ ଚୋବଉଛନ୍ତି, ହେଲେ ପାଟି ଫିଟେଇବାର ଯୁ ନାହିଁ ।

 

ରାସ୍ତାର ଏ ପାଖେ ସେ ପାଖେ ଛୋଟ ବଡ଼ ପାହାଡ଼, ଗହମ, ବାଲିଖେତ, ସୋରିଷ କିଆରି, ମଲ୍‌ବରି ବଣରୁ କୁହୁଡ଼ି ଉଠୁଛି, ପାଇନ୍‌ ଗାଢ଼ ସବୁଜ, ଦେଖି ଦେଖି ଆଖି କ୍ଳାନ୍ତ ହେଉନାହିଁ, ମନର କୌତୂହଳ ବଢ଼ୁଛି । ବସ୍‌ ଅନନ୍ତନାଗରେ ପହଞ୍ଚିଲା । ଅନନ୍ତନାଗ କାଶ୍ମୀର ରାଜ୍ୟର ଗୋଟିଏ ବଡ଼ ସହର, ଜିଲ୍ଲା ହେଡ଼୍‌କ୍ୱାଟର । ସହରଟି ଶ୍ରୀପୂର୍ଣ୍ଣ କିନ୍ତୁ ଅପରିଚ୍ଛନ୍ନ ।

 

ମାର୍ତ୍ତଣ୍ଡଗୟା

 

ଏଠାରେ କେଦାର ଆଉ ଗୌରୀ କୁଣ୍ଡ ପରି ଦୁଇଟି କୁଣ୍ଡ ଅଛି—ବିମଳ କୁଣ୍ଡ, କମଳ କୁଣ୍ଡ । ବିମଳ କୁଣ୍ଡରୁ ଗୋଟିଏ ଛୋଟ ଝରଣା ବାହାରି କମଳ କୁଣ୍ଡ ବାଟେ ଗହିରକୁ ବୋହି ଯାଉଛି-। କୁଣ୍ଡର ଜଳ ଅଗଭୀର, ଗାଢ଼ ନୀଳ, କିଞ୍ଚିତ୍‌ ଦୂରରୁ ଶିଉଳି-ବସା ଭୂଇଁ ପରି ଦିଶେ । କୁଣ୍ଡ ଦୁଇଟି ପ୍ରକୃତରେ ମାଛକୁଣ୍ଡ, ଅସଂଖ୍ୟ ମାଛ ମୁଣ୍ଡ ଟେକିଛନ୍ତି, ସୋରିଷ ପକେଇବାକୁ ଜାଗା ନାହିଁ, ଏତେ ମାଛ ୟା ଭିତରେ ରହିଛନ୍ତି କେମିତି ? ମାଛମାନେ ଏ ତୀର୍ଥରେ ପୋଷା ମାନିଛନ୍ତି, ମଣିଷଙ୍କ ଉପରେ ସେମାନଙ୍କର ଅଖଣ୍ଡ ବିଶ୍ୱାସ ଜନ୍ମିଛି । ତାଳି ମାରିଲେ ଗୋଡ଼ ବାଡ଼େଇଲେ ସେମାନେ ଡରି ଯାଉ ନାହାନ୍ତି, ଅକାଳ ମୃତ୍ୟୁର ଭୟ ନାହିଁ, ମାଛ ବୃଦ୍ଧ ହେଲେ ମରେ । ମଣିଷଠାରୁ ସେମାନେ ପାହାର ନୁହେଁ କେବଳ ଆହାର ଆଶା କରନ୍ତି । ତେଣୁ ମଣିଷ କୁଣ୍ଡ ଚାରିପାଖେ ବୁଲିଲେ ମାଛର ପଟୁଆର ତା ସଙ୍ଗେ ସଙ୍ଗେ ଚାଲେ । ଆହାର ଦେଲେ ମାଛ ମାଛ ଭିତରେ ଯୁଦ୍ଧ ଆରମ୍ଭ ହୋଇଯାଏ ।

 

କାଶ୍ମୀରର ହିନ୍ଦୁମାନେ ପିଣ୍ଡଦାନ ଲାଗି ଅଗଣିତ ଶୃଙ୍ଗ ଲଙ୍ଘି ଅତି ଦୂରବର୍ତ୍ତୀ ଗୟାକୁ ଯାଇ ପାରନ୍ତି ନାହିଁ । ସେଥିଲାଗି ଏ ନବଗୟାର ସୃଷ୍ଟି । ଶ୍ରାଦ୍ଧରେ ଦିଆ ପିଣ୍ଡ ଉପରେ ମତ୍ସ୍ୟମାନଙ୍କର ପିଣ୍ଡ ନିର୍ଭର କରେ ।

 

କୁଣ୍ଡ ନିକଟରେ ତ୍ରିଭୁବନେଶ୍ୱର ମହାଦେବ, ରଘୁନାଥଜୀ ଓ ମାର୍ତ୍ତଣ୍ଡ (ସୂର୍ଯ୍ୟ) ଦେବଙ୍କ ମନ୍ଦିର ରହିଅଛି, କାରୁକାର୍ଯ୍ୟବିହୀନ । ଦେବତାଙ୍କ ଖଞ୍ଜାପଡ଼ାରେ ପଣ୍ଡା ଚଳେ । ଏଠି ଗୋଟିଏ ମେଳା ହୁଏ । ଧର୍ମଶାଳାଟିଏ ଅଛି ।

 

ଦେଉଳ ଦୁଆରେ ବୃହତ୍‌ ଚିନାର ବୃକ୍ଷ ମୂଳେ ଗୋଟିଏ ଅନ୍ଧ ବୃଢ଼ା, ହାତରେ ବାଡ଼ି, ମୁହଁରେ ଅଲଗା ଦାଢ଼ି, ମୁଣ୍ଡରେ ଟୋପି, ଦେହରେ ଛିଣ୍ଡା କମ୍ବଳ । ଗୋଟିଏ ଟିଣ ଥାଳୀରେ ଥାଳିଏ ଭାତ, ଦହି ସୁଡ଼ୁବୁଡ଼ୁ କରି ବୁଢ଼ା ଖାଉଛି, କୌଣସି ଦୟାମୟୀ ଗୃହିଣୀର ଦାନ ଏତକ, ତରକାରୀ ବୋଇଲେ ଲୁଣ । ଝିଅ ତାର ଯୁବତୀ, ରୂପ ଦେଖିଲେ ରାଜଜେମା ଈର୍ଷା କରିବେ, ଦେହରେ ଖଣ୍ଡେ ମଇଲା ଶାଢ଼ୀ, ମୁଣ୍ଡର ଅଲରା ବାଳ ତେଲ ବିନା ବାବାଜିଙ୍କ ଜଟା ପରି କଶରା ପଡ଼ିଯାଇଛି–ଏ ଝିଅ ବୁଢ଼ାର ଆଖି, ବୁଢ଼ାକୁ ଚଲାଏ, ଗୀତ ବୋଲି ଭିକ ମାଗେ ।

 

ଏଇ ଝିଅଟିର ଦେହରେ କାଶ୍ମୀରର ସୌନ୍ଦର୍ଯ୍ୟ ଓ ଦାରିଦ୍ର୍ୟ ସତେ ଯେପରି ମୂର୍ତ୍ତି ପରିଗ୍ରହ କରିଛି । ବସ୍‌ମାର୍ତ୍ତଣ୍ଡଗୟାରେ ଅଧଘଣ୍ଟାଏ ରହିଲା, ଚିନାର ଗଛ ମୂଳରେ ବସି ଲେଖିଲେ ଗୋଟିଏ କବିତା—

 

କାଶ୍ମୀର ସ୍ୱପ୍ନର ନୁହେଁ, ମାଟିର

କେଶରେ ତାର ପାଇନ୍‌ ବନର ଢେଉ

ମୁଖରେ ସଜଫୁଟା ଉଲାର ହ୍ରଦର ପଦ୍ମ

ଉଷା କିରଣ ଗୋଳା ତୁଷାର ପରି ତାର ବର୍ଣ୍ଣ

ଲଲାଟରେ ସୁବର୍ଣ୍ଣ ନାସ୍‌ପାତୀ, ଗଣ୍ଡରେ ଆପଲ୍‌ର

ରକ୍ତିମ ଆଭାସ

ଅଧରରେ ଦ୍ରାକ୍ଷାର ମଧୁର ସୌକୁମାର୍ଯ୍ୟ

ନିଃଶ୍ୱାସରେ ଉପତ୍ୟକା ଉଦ୍ୟାନର ସୁରଭି,

ଆଖିରେ ଝେଲମ ପ୍ରପାତର ଚଞ୍ଚଳତା

ନଖରେ ଚେରି ଫୁଲ, କଣ୍ଠରେ ବୁଲ୍‌ବୁଲ୍‌

ତୁଷାର ସ୍ରୋତ ପରି ମନ୍ଥର ତାର ଗତି

ଚିନାର ବନ କୁଟୀରବାସିନୀ

ଏଇ କିଶୋରୀ ଦେହରେ କାଶ୍ମୀରର ଆଶ୍ଚର୍ଯ୍ୟ ଶ୍ରୀ

ରୂପ ପାଇଛି ଯେମିତି ।

ଶତ ଶତ ଲୋଲୁପ ଆଖି ମାଗେ ତାର ଲାବଣ୍ୟ

ସେ ମାଗେ ମୁଠିଏ ମାତ୍ର ଅନ୍ନ

କିଏ ଦେଖେ ତା ଆଖିରେ ରୂପାସ୍ତ୍ରର ଅସ୍ତ୍ର

ସେ ମାଗେ ଉଛୁଳା ଯୌବନ ଢାଙ୍କିବା ଲାଗି

ଖଣ୍ଡିଏ ମାତ୍ର ବସ୍ତ୍ର ।

କିଏ କହେ—ପ୍ରକୃତିର କାରିଗରୀ ଶେଷ ସୀମା ଛୁଇଁଛି

ମୁଖରେ ଉଠେ ତାର କାରୁଣ୍ୟର ବୀଚି

ସଂଗ୍ରାମର କ୍ଷତ ଅଧରେ ରକ୍ତାକ୍ତ

ଆଖି ତଳେ ପାହାଡ଼ୀ ଝରଣାକୁ ଲୋହିତ କରେ

ଏଇ ଏକ ନୀରାଶ ସୂର୍ଯ୍ୟାସ୍ତ ।

ଅନ୍ଧ ଆଉ ରୁଗ୍‌ଣ ପିତାର ଦାୟିତ୍ୱ ତାର ମଥାରେ

ଚଇତୀ ବନର ଏଇ ସୁନ୍ଦରତମ ମଞ୍ଜରୀ

ଜଳୁଛି ଜୀବନର ବ୍ୟଥାରେ ।

ସର୍ବହରାର ହାହତୋଽସ୍ମି ଗାଲର ଗୋଲାପକୁ

କରିଛି ପଙ୍କିଳ

ଘନ କୁହେଳି ମଧ୍ୟରେ ଶିଶିର ଉଷା ପରି ଛାୟାମୟୀ

ସେ ଯେପରିକି କହେ

କାଶ୍ମୀର ସ୍ୱପ୍ନର ନୁହେଁ

ମାଟିର ।

 

ବସ୍‌ ଚଉକତିରେ ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଏଠି ବି ବହୁ ଭିକାରୀ ଭିକ ମାଗୁଥାନ୍ତି । ବୁଢ଼ା, ଅନ୍ଧ, କଣା, ଛୋଟା ଆଉ ରୋଗୀଙ୍କ ସଙ୍ଗେ ସୁସ୍ଥ, ସବଳ ଟୋକା ବି ଭିକାରୀ ସାଜିଛନ୍ତି । ଭିକମଗା ପେଟ ପୋଷିବାର ସହଜ ଉପାୟ; ଲୋକଙ୍କ ଧର୍ମଭାବରୁ ଏଇ କର୍ମକୋଢ଼ିଦଳ ଫାଇଦା ଉଠାଉଛନ୍ତି । ବିନା ଶ୍ରମରେ ଯଦି ପେଟ ପୋଷା ଯାଇପାରିଲା, ପରିଶ୍ରମ କରିବା ଦରକାର କଣ ? ଜଣକୁ ଅଣିଟିଏ ଦେଲେ ଏଇ ସୁସ୍ଥ ଭିକାରୀ ଅନ୍ଧ, ଛୋଟାଙ୍କୁ ଦଳି ଯାତ୍ରୀଙ୍କୁ ଗଣଗଣିଆ ମାଛି ପରି ବେଢ଼ି ଯାଉଛନ୍ତି ।

 

ଅନାମିକା ପାହାଡ଼ୀ ନଈ କୂଳେ କୂଳେ ବସ୍‌ ଆସ୍ତେ ଆସ୍ତେ ଉପରକୁ ଉଠିଲା । ପହଲଗାଁଓରେ ପହଞ୍ଚିଲା ବେଳକୁ ପ୍ରାୟ ଗୋଟିଏ ବାଜିଲା । ଶ୍ରୀନଗରରୁ ପହଲଗାଁଓ ୫୯ ମାଇଲ୍‌ ଦୂର, ପାହାଡ଼ୀ ରାସ୍ତାରେ ଛ’ ଘଣ୍ଟା ଲାଗିଲା । ରାସ୍ତା କଡ଼ରେ ବରଫ ଜମିଛି, ବଜାର ନିର୍ଜନ, ଯାତ୍ରୀ ଅତି ଅଳ୍ପ ଆସିଛନ୍ତି, ହୋଟେଲ୍‌ ଖୋଲିନାହିଁ, ବଜାରର ଅନ୍ୟ ଦୋକାନ ସବୁ ଫିଟି ନାହିଁ ।

 

ମେହେଟା କହିଲେ—ଏଠି ଦଲାଲଙ୍କ କବଳରେ ପଡ଼ିଲେ ଆପଣମାନଙ୍କଠାରୁ ପଇସା ଛାଣି ନେବେ, ସେମାନେ ଜାଲ ପକାଇ ସୁଯୋଗ ଖୋଜି ବସିଛନ୍ତି, ଚିଡ଼ିଆ ପଡ଼ିଲେ ଆଉ ତ୍ରାହି ନାହିଁ । ଯେ ପଚାରିବ, ତାକୁ କହିବେ, ଆମେ ମେହେଟାଙ୍କ ଅତିଥି । ତା ପରେ ଅଧିକ କିଛି ପଚାରିବାକୁ ଦଲାଲ୍‌ ଭରସିବ ନାହିଁ ।

 

ମେହେଟାଙ୍କ ଘରେ ଜିନିଷପତ୍ର ରଖିଲୁ, ଦୋମହଲାକୋଠା, ଦୁଆରମୁହଁରେ ବରଫ ଗଦା, ପାଣି ଝରି ଝରି ରାସ୍ତା କଡ଼େ କଡ଼େ ଚାଲିଛି । ଉପର ମହଲାରେ ଆମର ବସା, ସିଡ଼ିଯାକ ଅଳିଆଗଦା, ଛ’ମାସ ପରେ ଏ ଘର ଫିଟୁଛି, ଝରକା କାଚ ଭଙ୍ଗା, ଶୀତରୁ ରକ୍ଷା ପାଇବା ପାଇଁ କାଗଜ ମଡ଼ାଇଲୁ । ମେହେଟାଙ୍କ ଯତ୍ନରେ ଗରମ ଭାତ, କିଛି ଆଳୁ ତରକାରୀ ମିଳିଲା । ଦୋକାନପତ୍ର ତ ଖୋଲିନାହିଁ, ଅନ୍ୟ ପନିପରିବା ଏ ଅପନ୍ତରାରେ କାହୁଁ ମିଳିବ ? ଅଣ୍ଡା ବା ଦୁଧ ଗାଆଁକୁ ଯାଇ ଆଣୁଛି କିଏ ? ବୋଇଲା—

 

‘‘ଆହାରେ ଭଲ ମନ୍ଦ ନାହିଁ

ଯେ ସ୍ଥାନେ ଯେମନ୍ତ ମିଳଇ’’ ।

 

ଯାହା ମିଳିଲା ଖାଅରେ ବାପା; ମିଳିଲା, ଏଇ ଭାଗ୍ୟ ।

Image

 

କାଶ୍ମୀରର ଗୋଟିଏ ଗ୍ରାମ

 

ଗୋଟିଏ ଗାଆଁ ଦେଖି ସବୁ ଗାଆଁର କଳନା କରାଯାଇ ନ ପାରେ; ଉପତ୍ୟକା ଆଉ ପାହାଡ଼ୀ ଗାଆଁ ମଧ୍ୟରେ ତାରତମ୍ୟ ଅଛି । ପୁରୀର ଶାସନ ବାଡ଼ ଦେଖି ଏଥିରୁ ଗଡ଼ଜାତ ଗାଆଁର ସ୍ୱରୂପ କଳନା କରିବା ଅବାସ୍ତବ, ଯଦି ବା ଦୁଇଟିଯାକ ଗ୍ରାମ ଗୋଟିଏ ପ୍ରଦେଶରେ ଅବସ୍ଥିତ । କାଶ୍ମିରୀ ଗାଆଁର ମୋଟାମୋଟି ଧାରଣା କରିବା ଲାଗି ଆମେ ‘ଲରିଯାରା’ ବାହାରିଲୁ—ଏ ଗାଆଁଟି ପହଲଗାଁଓରୁ ଦୁଇ ମାଇଲ ଦୂରରେ; ପାହାଡ଼ୀ ଝରଣାରେ ସାପ ମୁଣ୍ଡକଟା ସୁଅ, ଦୁଇ ଜାଗାରେ ପୋଲ ପାରିହୋଇ ବଙ୍କାଢଙ୍କା ରାସ୍ତାରେ ଚାଲିଲୁ, ସରୁ ଗ୍ରାମ ପଥ, ଏଥିରେ ହସ୍ତର ଶ୍ରମ ନାହିଁ, ମଣିଷ ପାଦ ଘଷି ଘଷି ଘାସକୁ ନିର୍ମୂଳ କରିଛି, ଯୁଆଡ଼େ ସହଜ ହୋଇଛି ଯାଇଛି, ଜଣେ ଦୁଇଜଣ, ଦଶ ପଚିଶ ଜଣ ଯାଇଛନ୍ତି, ତା ପରେ ଅଜସ୍ର ପାଦ ଚାଲିଛି, କିନ୍ତୁ କାହାର ସ୍ୱତନ୍ତ୍ର ପଦଚିହ୍ନ ନାହିଁ, କାରଣ ଏହା ଦେଶବିଦେଶର ଏକ ସମୂହ କୀର୍ତ୍ତି ।

 

ଆସ୍ତେ ଆସ୍ତେ ଉଠାଣି ପଡ଼ିଲା, ଉଠି ଉଠି ଗୋଟିଏ ପାହାଡ଼ର ଢାଲୁ ଉପରେ ପହଞ୍ଚିଲୁ-। ଆଣ୍ଠୁଏ ବରଫ, ଗାଢ଼ ସବୁଜ ଭେଲଭେଟ୍‌ପରି ଶିଉଳି ବସିଛି, ଟାଲେ ଟାଲେ ବରଫତରଳା ପାଣି ଜମିଛି, ଯେଉଁଠି ବରଫ ସାନ୍ଦ୍ର, ସେଠୁ ରୀତିମତ ଧାରା ଯାଇ ନଈରେ ମିଶୁଛି । କେଉଁଠି ପାହାଡ଼ ଶୃଙ୍ଗପରି ହଠାତ୍‌ ବରଫ ଖଣ୍ଡେ ଅଜାଡ଼ି ହୋଇ ପଡ଼ୁଛି, ଆଖିକି ଦେଖା ଯାଉନାହିଁ, କିନ୍ତୁ ତାର ଘଡ଼ଘଡ଼ି ଶବ୍ଦରେ କାନ ଥାବ୍‌ଦା ହୋଇଯାଉଛି । ପାଇନ୍‌ ବନର ପତ୍ରେ ପତ୍ରେ ବରଫ, କଟକୀ ରୂପା ତାରକସି କାମ ପରି ସୂକ୍ଷ୍ମ, ଖଣ୍ଡିଏ ଖଣ୍ଡିଏ ହୀରାପରି ବରଫ ଝଡୁଛି । କେଉଁଠି ଗୋଟାଏ ଗୋଟାଏ ଡାଳ ବରଫର ଲଦନ ସହି ନପାରି ଭାଜି ପଡ଼ିଛି, କେଉଁଠି ବା ଶଙ୍ଖମଲମଲ ପଥର ପରି ବରଫର ଶିଳା ଗଦା ହୋଇଛି । କେଉଁଠି ଦୁଇ ଶୃଙ୍ଗକୁ ସଂଯୁକ୍ତ କରୁଛି ବରଫର ସେତୁ, ତା ତଳେ ଝରି ଯାଉଛି ଝରଣା । ଶ୍ୱେତ ବରଫସମୁଦ୍ର ମଧ୍ୟରେ ସରୁପତ୍ରିଆ ଗଛ ବୁଦା, ସବୁଜ କାଳିରେ ସରସ ତୂଳିରେ ସତେ ବା କେଉଁ କଳାବିତ୍ ଏ ସବୁ ଆଙ୍କିଛି ।

 

ବୁଢ଼ା ପାହାଡ଼ର କଙ୍କାଳିଆ ଛାତି ଉପରେ ରାସ୍ତା ଠାଏ ଠାଏ କାଦୁଆ ହୋଇଛି, ଗୋରୁ ମେଣ୍ଢା ଛେଳିଙ୍କ ଖୋଜ ଅଙ୍କା ହୋଇଛି । ଗଡ଼ାଣି ଉଠାଣି ବହୁତ, ଦୁଇ ମାଇଲ ବାଟ ଯିବାକୁ ପୂରା ଘଣ୍ଟାଏ ଲାଗିଗଲା । ଲରିଯାରାରେ ପହଞ୍ଚିଲା ବେଳକୁ ବେଳା ପାଞ୍ଚଟା । ଏଇ ଗାଆଁଟି ପର୍ବତର ଗୋଟିଏ ଗଡ଼ାଣିଆ ଜାଗାରେ, ତଳେ ଗଭୀର ଉପତ୍ୟକା, ଗଭୀରତର ପାହାଡ଼ୀ ନଦୀ । ଆମ ଆଡ଼େ ଯେପରି ଦୁଇପଟେ ଘର, ମଝିରେ ଦାଣ୍ଡ ଥାଏ, ଏଠି ସେପରି ନାହିଁ । ଘରଗୁଡ଼ିକ ଅରମା ଉଠିଲା ପରି ଉଠିଛି, କାହା ବାଡ଼ି ଦୁଆରେ କାହା ଦାଣ୍ଡ, ସମୂହ ଚିନ୍ତା ବା ଯୋଜନାର ସଂକେତ ଏଥିରେ ନାହିଁ, ବରଂ ଖାମଖିଆଲି ଭାବର ପରିଚୟ ମିଳୁଛି ।

 

ସବୁ ଘର କାଠରେ ତିଆରି, ଲୋକେ ମନ ଇଚ୍ଛା ଜଙ୍ଗଲରୁ କାଠ କାଟି ଆଣିଛନ୍ତି; ଗଡ଼ ଉପରେ ଗଡ଼ ନଦି, ଫାଙ୍କରେ ଗୋଡ଼ିଆ ମାଟି ଜାବ ଦେଇ କାନ୍ଥ ଗଢ଼ିଛନ୍ତି । କାଠର ଚଟାଣ, କାଠର ଛାତ, ଉପର ମହଲାକୁ ଉଠିବାକୁ କାଠ ପଟାର ପାହାଚ, କାଠର କୋଠି, କାଠର ଗହାଳ, ଏପରିକି ପାଇଖାନା ବି କାଠରେ ତିଆରି ହୋଇଛି ।

 

ଗାଆଁ ମୁଣ୍ଡରେ ଢେଲା ଢିମା ଭିତରେ ଗଳି ଉପରେ ଡେଇଁ ଝରଣା ଝରୁଛି, କାଠଗଡ଼ର ସେତୁ । ତା ଉପରେ ଲୋକେ ଏପାଖରୁ ସେପାଖ ଯିବା ଆସିବା କରନ୍ତି, ଗାଆଁ ମଝିରେ ଗଦା ଗଦା ବରଫ, ବାଟ କାଦୁଅ ପଚପଚ, ଗୋରୁ ଗାଈ ଯାଇ ଆସି ଦଖଲ କରିଛନ୍ତି ।

 

ଏ ଗାଆଁରେ ମୋଟରେ ପଚାଶଟି ଘର, ସମସ୍ତେ ମୁସଲମାନ, ପାହାଡ଼ ଢାଲୁରେ ଚାଷବାସ କରି ଚଳନ୍ତି, କିଏ ଗୋରୁ ମେଣ୍ଢା ଚରାଇ ଯାଏ, କିଏ ଯାତ୍ରୀଙ୍କ ତଟୁଘୋଡ଼ାରେ ଦୂର ପାହାଡ଼କୁ ବସାଇ ନେଇ ଦୁଇ ପଇସା ରୋଜଗାର କରେ । ଏ ଗାଆଁରୁ ପେଟ ପାଇଁ କେହି ବିଦେଶ ଯାଇନାହିଁ, କେହି କାରଖାନାରେ କାମ କରୁନାହିଁ; ପାହାଡ଼ୀ ପୃଥିବୀ ଯାହା ଦେଇଛି, ସେଥିରେ ସୁଖରେ ହେଉ, ଦୁଃଖରେ ହେଉ, ଚଳୁଛନ୍ତି । ବିଦେଶ ଯାଇ ଅଧିକ ରୋଜଗାର କରି ଧନୀ ହେବା ଆକାଂକ୍ଷା କାହାରି ମନରେ ନାହିଁ । ସ୍ତ୍ରୀ, ପୁରୁଷ ସମସ୍ତେ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି, ଶୀତଦିନେ ବାଧ୍ୟ ହୋଇ ବସି ରହନ୍ତି, ଯାହା ଅର୍ଜି ଛଞ୍ଚିଥାନ୍ତି, ଗର୍ଭସାତ୍‌ କରନ୍ତି । ଗୋରୁଗାଈ ବି ଚରିବାକୁ ଯାଇ ପାରନ୍ତି ନାହିଁ, ବରଫ ଅପନ୍ତରାରେ କଣ ଚରିବେ ? ତେଣୁ ସେମାନଙ୍କ ପାଇଁ ଦାନା ସଞ୍ଚୟ କରି ରଖିବାକୁ ହୁଏ ।

 

ଆର୍ଥିକ ଦିଗରୁ ଦେଖିଲେ ସମସ୍ତେ ଗୋଟିଏ ଶ୍ରେଣୀର, ଗରିବ । ଧନୀ ବା ମଧ୍ୟବିତ୍ତ ନାହାନ୍ତି । ସାହୁକାର ନାହିଁ, ତେଣୁ କରଜ କାହାକୁ କହନ୍ତି, ଜାଣନ୍ତି ନାହିଁ । ବିବାହ, ମୃତାହକ୍ରିୟାରେ ଯତ୍‌ସାମାନ୍ୟ ବ୍ୟୟିତ ହୁଏ, ସେଥିଲାଗି ଲୋକଙ୍କୁ କାହା ଦୁଆରେ ଛିଡ଼ା ହେବାକୁ ପଡ଼େ ନାହିଁ । ଜମିଦାର ନାହିଁ, ସରକାରକୁ ଜମି ମାଣ ପିଛା ଚାରିଟଙ୍କା ଖଜଣା ଦେବାକୁ ହୁଏ । କିଏ କାହା ଜମିରେ ମୂଲିଆ ହୁଏ ନାହିଁ, ଯେ ଯାହା ଜମିରେ ଖଟେ । ସେମାନଙ୍କର ସାଧାରଣ ଶତ୍ରୁ—ବଣର ଚିତାବାଘ ଆଉ ବାର୍‌ହା । ଚିତାବାଘ ମେଣ୍ଢାଛେଳି ଟାଣିନିଏ, ବାର୍‌ହା ଫସଲ ଖାଏ । ତେଣୁ ପାଳିକରି ଗାଆଁ ବାଲା ଫସଲ ଜଗନ୍ତି । ବଡ଼ କଷ୍ଟ ପଡ଼ି ସେମାନେ ଜମି ତିଆର କରନ୍ତି, ବନ୍ଧ କରି ବରଫତରଳା ପାଣି ରୋକନ୍ତି, ଢିମା ଉପରେ ଢିମା ନଦି ଜମି ଚାରିପାଖେ ପଥରବାଡ଼ କରନ୍ତି ।

 

ଗାଆଁରେ କେହି ଉଚ୍ଚଶିକ୍ଷିତ ନାହାନ୍ତି, ଦସ୍ତକତ କରି ଜାଣିବା ସଂଖ୍ୟା ଅତି ଅଳ୍ପ । ଏବେ ସୁକୁଲ୍‌ (ସ୍କୁଲ) ଟିଏ ଖୋଲିଛି । ଏ ପର୍ଯ୍ୟନ୍ତ କେହି ରେଲ୍‌ ଗାଡ଼ି ଦେଖି ନାହାନ୍ତି, ସଭ୍ୟଜଗତ ସହିତ ଏମାନଙ୍କ ସମ୍ପର୍କ ଯାତ୍ରୀମାନଙ୍କ ମାଧ୍ୟମରେ ସ୍ଥାପିତ ହୋଇଅଛି, ଏମାନେ ପହଲଗାଁଓରେ ମାଂସ, କୁକୁଡ଼ା ଡିମ୍ବ ବିକିଯାନ୍ତି, ଯାତ୍ରୀଙ୍କଠାରୁ ଦେଶବିଦେଶର କଥା ଶୁଣନ୍ତି ।

 

ସଞ୍ଜବେଳ; ମାଇପେ ଘଟ ଘେନି ଝରଣାରୁ ଫେରୁଛନ୍ତି, କାନରେ ଗୋଛା ଗୋଛା ଅଳଙ୍କାର । ଦୁଇଟି କିଶୋରୀ ଧାନ କୁଟୁଛନ୍ତି, ଦେହରେ ଫେରନ୍, କାନରେ କାନୱାଜୀ । ସକାରଣ ବା ଅକାରଣରେ ଗୋଲାପୀ ମୁହଁରେ କିରିକିରି ହସ ଫୁଟି ଉଠୁଛି । ଏଠି ଢିଙ୍କିଶାଳ ନାହିଁ । ଗୋଟିଏ ଗଛର ମୂଳ ଗଣ୍ଡି ସମାନ ହୋଇ କଟା ହୋଇଛି, ଖୋଳା ହୋଇଛି । ସେଥିରେ ଧାନ ପଣା ହୋଇଛି । ଦୁଇ କିଶୋରୀଙ୍କ ହାତରେ ଦୁଇଟି କାଠର ମୂଷଳ, ଜଣକ ପରେ ଜଣେ ଧାନ ଉପରେ ପାହାର ପକାଉଛନ୍ତି—

 

‘କୁଟନ୍ତେ ସୁବର୍ଣ୍ଣ କଙ୍କଣ

ଶବଦ ଶୁଭେ ରୁଣଝୁଣ ।’

 

ଧାନକୁଟା ସଙ୍ଗେ ସଙ୍ଗେ ପଦେ ପଦେ ହସମିଶା ଗୀତ ଚାଲିଛି, କୁଣ୍ଡା ପାଛୁଡ଼ିବା ଲାଗି ପାଖରେ କାଠପାତିଆ କୁଲା ରଖା ଯାଇଛି, ଦୁଇ ଚାରୋଟି ମାଇପୀ ପିଲା କାଖେଇ ଛିଡ଼ା ହୋଇଛନ୍ତି, ଧାନକୁଟାରେ ଆମର ଆଗ୍ରହ ଦେଖି କିଶୋରୀ ଦୁଇଟି ହସି ହସି ଗଡ଼ିଗଲେ, ଧାନକୁଟା ବନ୍ଦ ହୋଇଗଲା, ସଙ୍ଗୀତ ବି ।

 

ଝରଣାକୂଳରେ ଆଙ୍ଗୁଠି ପଗ ପରି ଗୋଟିଏ ପକ୍ଷୀ—ହୁଇସିଲ୍‌ ବଜାଉଛି, ଆକାର ତୁଳନାରେ କଣ୍ଠସ୍ୱର ଯଥେଷ୍ଟ ଉଚ୍ଚ । ସମସ୍ତ ଝରଣାକୂଳ ଏଇ ଗୋଟିଏ ମାତ୍ର ପକ୍ଷୀର କାକଳିରେ ମୁଖରିତ । ଏହାର ସ୍ୱରମାଧୁରୀ ସହି ନ ପାରି ପାଇନ୍‌ ବନର ଡାମରାକୁଆ ଗର୍ଜିଲା—କା...ଆ । ବରଫ ମାଡ଼ରେ ତା ତୋଟି ପଡ଼ିଯାଇଛି, ସ୍ୱର ଦଦରା ହାଣ୍ଡି ଶବ୍ଦ ପରି ଶୁଣାଯାଉଛି ।

 

ପାହାଡ଼ୀବରଫର ଓଲଟା ଖିଲାଣରେ ଅସ୍ତସୂର୍ଯ୍ୟ, ରୂପା ପାତିଆ ପରି ତୀକ୍ଷ୍‌ଣ ବରଫ ଦାଢ଼ରେ ସୁନାର ଆଭାସ ଉକୁଟୁଛି । ଆଲୋକ ସ୍ତମ୍ଭ ପରି ଗୋଟିଏ ବରଫ ଶୃଙ୍ଗ ଅସ୍ତ ମେଘ ଖଣ୍ଡେ ଧରି ଛିଡ଼ା ହୋଇଛି । ଆସ୍ତେ ଆସ୍ତେ ଛୋଟ ଛୋଟ ଶୃଙ୍ଗରୁ ଉଠି ଅସ୍ତରାଗ ହିମାଦ୍ରିର ସର୍ବୋଚ୍ଚ ଶୃଙ୍ଗରେ ପୁଞ୍ଜୀଭୂତ ହେଲା । ଶେଷରେ ଅଗ୍ନିବିନ୍ଦୁ ପରି ହୋଇ ଅନ୍ଧକାରର ଭସ୍ମ ଧୂସରେ ହଜିଗଲା । ଆମେ ଫେରିଲୁ, ଆମ ସଙ୍ଗେ ସଙ୍ଗେ ଚାଲିଲା ଶୁକ୍ରତାରା ।

Image

 

ମହାରାଜା ହରିସିଂ ଡାକ୍ତରଖାନାରେ ଚାରିଦିନ

 

‘ଏକ୍‌ସରେ’ ଟେବୁଲ ଉପରେ ଭଙ୍ଗା ହାତକୁ ମୋଡ଼ିମାଡ଼ି ଥୋଇଲେ । ବୁକୁର ଯନ୍ତ୍ରଣା ଆଖିରେ ଧାରା ହୋଇ ନ ଫିଟୁ—ଲୁହକୁ ଚାପି ରଖୁଥାଏ । ଯନ୍ତ୍ରଚାଳକମାନେ ଯେ ଯାହା ସ୍ଥାନରେ ଗମ୍ଭୀର ଭାବରେ ଛିଡ଼ା ହୋଇଥାନ୍ତି । କରୁଣ ନିର୍ଜନତାର ରାଜତ୍ୱ ମୋତେ ଉତ୍‌ପୀଡ଼ିତ କରୁଥାଏ; ଡାକ୍ତର ଉସ୍‌ମାନ୍‌ ଅପରେସନ୍‌ ଡ୍ରେସ ପିନ୍ଧିଥାନ୍ତି, ବୋଧେ ଅପରେସନ୍‌ ଟେବୁଲ୍‌ରୁ ସିଧାସଳଖ ଆସିଛନ୍ତି । ତାଙ୍କ ଇଙ୍ଗିତ ମାତ୍ରେ ଯନ୍ତ୍ର ଗର୍ଜି ଉଠିଲା—ପରସ୍ତ ପରସ୍ତ ବ୍ୟାଣ୍ଡେଜ, ଚମ, ରକ୍ତ, ମାଂସ–ସ୍ତର ପରେ ସ୍ତର ଭେଦ କରି ଯନ୍ତ୍ରର ଶକ୍ତିଶାଳୀ କିରଣ ହାଡ଼ରେ ପହଞ୍ଚିଲା; ଫଟୋ ଉଠିଲା, ସଙ୍ଗେ ସଙ୍ଗେ ଧୁଆ ହେଲା—ଆହା ଡାହାଣ ହାତର ଦୁଇଟିଯାକ ହାଡ଼ ଭାଙ୍ଗି ଯାଇଛି ! ଛାତିରୁ ଦମ୍‌ ଖସି ପଡ଼ିଲା, ମନ କଅଣ ହୋଇଗଲା । ଏଥିପାଇଁ କାହାକୁ ଦୋଷିବି ? ଭାଗ୍ୟକୁ ? ମୁଁ ଭାଗ୍ୟବାଦୀ ନୁହେ । ଭଗବାନ୍‌ଙ୍କୁ ? ସାରା ଜଗତ୍‌ ତାଙ୍କୁ ଦୁଃଖ—ଶୋକରେ ଅଭିଯୁକ୍ତ କରେ, ମୋ ଅଭିଯୋଗରେ ସେ ବିଚଳିତ ହେବେ ନାହିଁ, ମୋ ଦୁଃଖ ବି ଦୂର ହେବନାହିଁ । ଜୀବନରେ ଯେତେ ଆନନ୍ଦ ପାଇଛି, ସେଥିଲାଗି ତାଙ୍କୁ କେବେ କୃତଜ୍ଞତା ଜଣାଇ ନାହିଁ, ଆଜି ଦୁଃଖରେ ଦାୟୀ କରିବି କିପରି ? ତେବେ ମୁଁ ନିଜେ ଦୋଷୀ ? ନା, ଏ ଗୋଟାଏ ଦୁର୍ଘଟଣା—ଦୁର୍ଘଟଣାର ଅର୍ଥ ଦୁର୍ଘଟଣା । ଏଥିଲାଗି କେହି ଦୋଷୀ ବା ଦାୟୀ ନୁହନ୍ତି ।

 

ମଳମୂତ୍ର ପରୀକ୍ଷା, ରକ୍ତ ପରୀକ୍ଷା, ଛାତି ପରୀକ୍ଷା—ପରୀକ୍ଷା ପରେ ପରୀକ୍ଷା—ସବୁଥିରେ ମୁଁ ଉତ୍ତୀର୍ଣ୍ଣ ହେଲି । ଏବେ ହାଡ଼ ଖଞ୍ଜା ହୋଇ ହାତ ପଲସ୍ତରା ହେବ । ଟେବୁଲରେ ଶୋଇଲି—ନୀରବ, ନିଶ୍ଚଳ । ହେ ଭଗବାନ୍‌ ! ବାଆଁ ହାତକୁ ଭାଙ୍ଗି ଭାଙ୍ଗି ଶିରାପ୍ରଶିରା କାଢ଼ିଲେ, ଦିଆହେଲା ଆନାସଥେସିଆ ଇନଞ୍ଜେକ୍‌ସନ; ଏକ... ଦୁଇ... ତିନି... ବତିଶି... ତେ...ତି...ଶି... ଚ...ଉ...ତ୍ରି...ଶି । ତା ପରେ ସବୁ ବାଉଳା । ଆଖି ବୁଜି ହୋଇ ଆସିଲା, ହାତ ପାଦ ସ୍ଥିର, ନିଶ୍ଚଳ । ସମସ୍ତ ଦେହରୁ ଚେତନା ଖସି ଆସି ଗୋଟିଏ ବିନ୍ଦୁରେ ଝୁଲି ରହିଲା । ଜୀବନ୍ତ ଅବସ୍ଥାରେ ମୃତ୍ୟୁର ଏ କି ଅଦ୍ଭୁତ ଅନୁଭୂତି !

 

ବେଳା ପ୍ରାୟ ଚାରିଟା, ଦେହରେ ନବଜୀବନର ଢେଉ ଦୋହଲିଲା; ଆଖି ଫିଟୁ ନ ଥାଏ, କଥା ଫୁଟୁ ନ ଥାଏ । ଚେତନା କ୍ରମେ ଉଜ୍ଜ୍ୱଳତର ହେଉଥାଏ, ଅଦ୍ଭୁତ ନିଶାର ମାଦକତା ତାକୁ ଗଭୀର ତମସାରେ ଡୁବାଇ ଦେବାକୁ ଚେଷ୍ଟା କରୁଥାଏ । ମନ ଭିତରେ ସତେ ଅବା ଜୀବନ ଆଉ ମରଣର ସଂଗ୍ରାମ ଚାଲିଛି । ମାଡ଼ି ବସୁଛି ଜଡ଼ତାର ଭୂତ, ନବ ଚେତନା ତା କବଳରୁ ମୁକୁଳିବାକୁ ପ୍ରୟାସ କରୁଛି । ହଠାତ୍‌ ହୃଦୟର ଦି କୂଳ ଖାଇ ଆନନ୍ଦ ଉଛୁଳିଲା । ମଧୁର ସ୍ୱପ୍ନାଲୋକରୁ ବିଭୋଳ ମନ ଫେରି ଆସଲା ସଚେତନ ପୃଥିବୀକି ।

 

ଜାଗ୍ରତ ହେଲି, ବରଂ ସ୍ୱପ୍ନ ଥିଲା ପ୍ରୀତିକର । ନିଷ୍ଠୁର ବାସ୍ତବ ଆଖିସହା ହେଲା ନାହିଁ । ହାତର ପଲସ୍ତରା ଟାଣ ହୋଇ ଆସୁଛି, ବ୍ୟାଣ୍ଡେଜ୍‌ ଦଉଡ଼ି ବେକରେ ପଘା ହୋଇ ବନ୍ଧା ହୋଇଛି । ହାତଟା ମୁଦ୍‌ଗର ପରି ଓଜନିଆ ହୋଇ ଯାଇଛି । ଡାକ୍ତରଙ୍କ କଡ଼ା ନିର୍ଦ୍ଦେଶ—ଚିତ୍‌ ହୋଇ ଶୋଇବାକୁ ହେବ । ଊର୍ଦ୍ଧ୍ୱବାହୁ ସାଧନା ଆରମ୍ଭ ହେଲା ମୋର ।

 

ଡାକ୍ତରଖାନାରେ ଏଇ ମୋର ଶେଷ ରାତ୍ରି, କାଲି ସକାଳେ ଖଲାସ ହୋଇଯିବି ଏ ଯନ୍ତାରୁ, ଅସଲ ଯନ୍ତ୍ରଣାରୁ ନୁହେଁ । ଚାରୋଟି ଦିନ ଏଠି ଯେପରି କାଟିଛି, ତା ମୁଁ ଜାଣେ, ମୋର ମନ ଜାଣେ । ଶରୀରର ଯନ୍ତ୍ରଣା ଉପରେ ପ୍ରତିକୂଳ ପରିବେଶର ଉତ୍ପୀଡ଼ନ—ଯାହା କହନ୍ତି ବୋଝ ଉପରେ ନଳିତା ବିଡ଼ା ହୋଇଛି ।

 

କାଶ୍ମୀରର ଏ ଡାକ୍ତରଖାନାଟି ସର୍ବଶ୍ରେଷ୍ଠ କେବଳ ଆୟୋଜନରେ ନୁହେଁ, ଆବିଳତାରେ-। ସକାଳ ଆଠଟାବେଳେ କଳକୁ ପାଣିଆସେ, ନିୟମ ! ପ୍ରକୃତିକି ରୋକି ଶେଷରେ ରୋଗୀ ଆବର୍ଜନାର ସ୍ତୂପ ଯନ୍ତ୍ରତନ୍ତ୍ର ଅଜାଡ଼ି ଦିଅନ୍ତି । ଗୋଟିଏ ଛୋଟକାଟର ନରକ, ମଣିଷହାତ ତିଆରି ନରକ ଏ, ମଣିଷର ଅବହେଳାରେ ମଣିଷ ୟା ମଧ୍ୟରେ ସଢ଼େ, ଦୁର୍ଗନ୍ଧରେ ନାକ ଫାଟିପଡ଼େ, ଢାଳେ ପାଣି ଯୋଗାଡ଼ କରିବା ଲାଗି ରୋଗୀ ବା ତାର ଲୋକ ଏଣେତେଣେ ଧାଇଁଥାନ୍ତି । ବାହାର ପ୍ରକୃତି ଆଉ ୟା ମଧ୍ୟରେ କି ନିବିଡ଼ ଅସାମଞ୍ଜସ୍ୟ !

 

ଖାଦ୍ୟ ବ୍ୟବସ୍ଥା ମଧ୍ୟ ତଦ୍ରୂପ । ସକାଳେ ରୋଗୀକୁ ଖଣ୍ଡେ କାଶ୍ମୀର ବିସ୍‌କୁଟ୍‌, କପେ ଚା ଦିଆହୁଏ, ଦ୍ୱିପ୍ରହରେ ପଗଡ଼ିବନ୍ଧା ପଣ୍ଡିତ ଖାଦ୍ୟର ଗାଡ଼ି ଗଡ଼ାଇ ଘେନିଆସେ । ପିତ୍ତଳ କୁଣ୍ଡରେ କୁଣ୍ଡେ ଭାତ, ଡ୍ରାମରେ ଭରା ମାଂସ ତରକାରୀ, ଥଣ୍ଡା ଦେଶ, ତେଣୁ ପ୍ରତିଦିନ ମାଂସର ବ୍ୟବସ୍ଥା । ଅଧଥାଳିଏ କଳ ଚାଉଳ ଭାତ, କରଚୁଲିଏ ତରକାରୀ ବାଢ଼ି ପଣ୍ଡିତ ରୋଗୀ ପାଖରେ ଥୋଇଦିଏ । ମୁହଁ ସଞ୍ଜ ନ ହେଉଣୁ ଚଟାଣ ଉପରେ ପୁଣି ଗାଡ଼ିର ଚକ ଘୂରେ, ଗଦାଏ ଭାତ, ଚଟଣି ପରି ଟିକିଏ ହାକ (ଶାଗ) । ଖାଅରେ ବାପଧନ । ଡାକ୍ତର ଶମ୍ଭୁନାଥଙ୍କ ଘରୁ ରାତିବେଳାର ପଥ୍ୟ ଆସୁଥିଲା, ଡାକ୍ତରଖାନାରୁ ମାତ୍ର ଗିଲାସେ ଦୁଧ ନେଉଥିଲି । ଏମିତି ଚଳିଗଲା ।

 

ମୋ ଲାଗି ଗୋଟିଏ ସ୍ୱତନ୍ତ୍ର ଘରର ବ୍ୟବସ୍ଥା ହୋଇଥାଏ, ବିନା ଭଡ଼ାରେ । ଏହା ଡାକ୍ତର ଶମ୍ଭୁନାଥଙ୍କ ଚେଷ୍ଟାର ଫଳ, ଶୁଶ୍ରୂଷା କରିବା ଲାଗି ପାଖରେ ଜଗବନ୍ଧୁ ବା ନରେନ୍ଦ୍ର ଥାନ୍ତି; ଗୋଟିଏ ଖଟ, ଦୁଇଜଣ ରହିପାରନ୍ତି ନାହିଁ । ମୋ ଦକ୍ଷିଣ ଦିଗରେ ଯେଉଁ ୱାଡ୍‌ଟି ଅଛି, ତହିଁର ଗୋଟିଏ ସ୍ୱତନ୍ତ୍ର କାମେରାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖର୍ଜି ରହିଥିଲେ, ସେଇଠି ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ହଠାତ୍‌ ତାଙ୍କୁ ଉତ୍କଟ ରୋଗ ଆକ୍ରମଣ କଲା, ଚିକିତ୍ସା ଲାଗି ଅବକାଶ ନ ଥିଲା । ଭାରତ ସହିତ କାଶ୍ମୀରର ମିଶ୍ରଣରେ କୌଣସି ସର୍ତ୍ତ ନ ହେଉ, ଦୁଇ ରାଜ୍ୟ ମଧ୍ୟରେ କୌଣସି ବ୍ୟବଧାନ ନ ରହୁ, କାଶ୍ମୀର ପୂରାପୂରି ଭାରତର ହେଉ—ଶ୍ୟାମାପ୍ରସାଦ ଚାହୁଁଥିଲେ । ଦେଶପ୍ରେମୀ ଶ୍ୟାମାପ୍ରସାଦ, ଦେଶକଥା ଭାବୁ ଭାବୁ ତୁମର ପ୍ରାଣ ଗଲା । ତୁମ ମହାନ୍‌ ଆତ୍ମାର ମଦ୍‌ଗତି ହେଉ ।

 

ମୋ ଉତ୍ତର ଦିଗକୁ ରୋଗୀଙ୍କ ୱାଡ଼୍‌, ଦି ଦି ହାତ ଛଡ଼ାରେ ଦି ଧାଡ଼ି ଖଟ ପଡ଼ିଛି; ଗଦି, ମୋଟା କମ୍ବଳ, ତକିଆ—ମଶା ନାହାନ୍ତି, ତେଣୁ ମଶାରି ନାହିଁ । ଗୋଟିଏ ହେଲେ ବିଛଣା ଖାଲି ନାହିଁ, ତା ବୋଲି ଦୁର୍ଘଟଣା ବନ୍ଦ ହୋଇନାହିଁ, ରୋଗୀ ପରେ ରୋଗୀ ଆସୁଛନ୍ତି, ଖଲାସ୍‌ ବେଳା ନ ହେଲେ ବି ଖଲାସ କରା ହେଉଛନ୍ତି । ଅବସ୍ଥାର ଗୁରୁତ୍ୱ ଦେଖି ବ୍ୟବସ୍ଥା । ଅବଶ୍ୟ କଟକ ଡାକ୍ତରଖାନା ପରି ବାରଣ୍ଡା ଚଟାଣରେ ଯନ୍ତ୍ରତନ୍ତ୍ର ରୋଗୀ ପଡ଼ିନାହାନ୍ତି; ଏ ବରଫ ଦେଶରେ ସେ ବ୍ୟବସ୍ଥା ଚଳିବ ନାହିଁ । ଏ ୱାଡ଼୍‌ରେ ହାଡ଼ଭଙ୍ଗା ରୋଗୀ ଅଛନ୍ତି, କାହାର ହାତ, କାହାର ପାଦ ବା କାହାର ଅଣ୍ଟା ଭାଙ୍ଗି ଯାଇଛି । କିଏ ଗଛରୁ ପଡ଼ିଛି, କିଏ ପାହାଡ଼ରୁ ଖସିଛି, କିଏ ବା ଘୋଡ଼ାରୁ ପଡ଼ିଯାଇଛି । ମୋ ପାଖକୁ ଜଣେ ରୋଗୀ ରୀତିମତେ ଯିବା ଆସିବା କରୁଥାଏ, ବୋଧେ ତା ଦୁଃଖକାହାଣୀ ଶୁଣେଇବା ଲାଗି । ଡାକ୍ତରଖାନାରେ ଯେଝା ଦୁଃଖ ତାକୁ ବଳେଇଛି, କିଏ କାହା କଥା ଶୁଣୁଛି ?

 

ଡେଙ୍ଗା, ମଡ଼ମଡ଼ିଆ ଚେହେରା, ଆଖିରେ ଲୁହର ଗୋଟାଏ ପରସ୍ତ ଜମାଟ ବାନ୍ଧଛି, ଓଠ ତାର ହୋଇଛି ଗୋଟିଏ ପ୍ରଶ୍ନବାଚକ—କଣ କରିବି ? ଶୂନ୍ୟ ଛାତିରୁ ଜବାବ୍‌ ମିଳୁଛି, କିଛି ନାହିଁ, କର୍ମ ଠୁଁ କି ରହ । ସେ କର୍ମ ଠୁଁ କି ରହିଛି । ଘରେ ସ୍ତ୍ରୀ, ତିନୋଟି ପିଲା । ମାଣେ ଦୁଇମାଣ ଜମି । ଚାରିମାସ ଭାତ ଚଳେ । ୟା ତା ଦୁଆରେ ମୂଲ ଲାଗି ଆଠମାସ ଘର ଚଳାଏ । ଶିକାରୀ, ବନ୍ଧୁକ ଲାଇସେନ୍‌ସ ଅଛି । ଡାଲ୍‍ର ହଂସରାଳି, ବରଫକୁକୁଡ଼ା ମାରି ମାଂସ କରେ । ଦିନେ ବନ୍ଧୁକ ମୁହଁ ଧରିଥିଲାବେଳେ ଦୈବାତ୍‌ ଘୋଡ଼ା ଟିପି ହୋଇଯାଇ ତା ପାପୁଲିର ହାଡ଼ ଚୂନା ହୋଇଗଲା । ଘାଆ ଭଲ ହେବାକୁ ଦୁଇ ମାସ ଲାଗିଲା । ଏବେ ହାଡ଼ଯୋଡ଼ା କାମ, ହାତ ପଲସ୍ତରା ହେବ । ଘରେ ଧାନ କି ଗହମ ଦେଇ ଆସି ନ ଥିଲା, ଦୁଇ ମାସ କାଳ ପିଲାଏ କେମିତି ଚଳିଥିବେ !

 

ପଚାରିଲି—ତୁ ଏକା ଗରିବ ନା, ତୋ ପରି ଆଉ କେହି ଗରିବ ଗାଆଁରେ ଅଛନ୍ତି ? କହିଲା—ସାହାବ୍‌, ଆମେ ସମସ୍ତେ ଏକା ନାଆରେ ବସିଛୁ, ଏ ଜମି ଫଳବଗିଚା ବଡ଼ଲୋକଙ୍କର; ସେମିତି ବଡ଼ଲୋକ ଆମ ଗାଆଁରେ ଜଣେ ଅଧେ ଅଛନ୍ତି । ଆମର ଦାଣ୍ଡରୁ ଆସେ, ହାଣ୍ଡିରେ ପଶେ । ଏ ଘରେ ଯେତେ ରୋଗୀ ଅଛନ୍ତି ସେଥିମଧ୍ୟରୁ ଶତକରା ଅନେଶ୍ୱତଙ୍କ ଅବସ୍ଥା ଏଇଆ ବା ଏହିପରି ।

 

ବାସ୍ତବିକ୍‌ କାଶ୍ମୀର ବଡ଼ ଗରିବ । ତାର ପର୍ବତ, ଉପତ୍ୟକା, ନଦୀ, ହ୍ରଦରେ ସ୍ୱପ୍ନ ଖେଳୁଛି, ଆକାଶରେ ମାୟାବୀର ଇନ୍ଦ୍ରଜାଲ, ପୁଷ୍ପେ ପୁଷ୍ପେ ଶୋଭାର ମଉଛା ଲାଗିଛି, କିନ୍ତୁ ଖାଲି ପେଟରେ କାଶ୍ମୀରବାସୀ ଏ ମାଧୁରୀ ଉପଭୋଗ କରିପାରେ ନାହିଁ । ତାର ଜୀବନ ସଂଗ୍ରାମ ତୀବ୍ର । କେତେକ ଭୂମ୍ୟଧିକାରୀ, ବ୍ୟବସାୟୀ, ଉଚ୍ଚପାହିଆ ସରକାରୀ କର୍ମଚାରୀଙ୍କୁ ଛାଡ଼ିଦେଲେ ଅଧିକାଂଶ ଦୁଃସ୍ଥ । ଜଣେ ଦରିଦ୍ରର ନୀରସ ମୁହଁକୁ ଚାହିଁଲେ ମନର ସମସ୍ତ ସ୍ୱପ୍ନ ମରିଯାଏ ।

 

ସେ ରୋଗୀକି କିଞ୍ଚିତ୍‌ ସାହାଯ୍ୟ ଦେବି, କହିଥିଲି । ମୋ ହାତ ପଲସ୍ତରା ବେଳେ ସେ ଖଲାସ୍‌ ହୋଇଗଲା । ମୋତେ ଖୋଜି ନ ପାଇ ନିରାଶରେ ଫେରି ଯାଇଥିବ । ଖାଲି ହାତରେ ସେ ଚାରୋଟି ଖାଲି ପେଟର ସମ୍ମୁଖୀନ ହୋଇଥିବ, ଲୁହ ଉପରେ ଲୁହ ହିଁ ଢାଳିଥିବ ।

 

କାଶ୍ମୀରର ପ୍ରଧାନମନ୍ତ୍ରୀ ? ଦିନେ ସାରା ଡାକ୍ତରଖାନାରେ ଚହଳ ପଡ଼ିଗଲା । ମୁଖେ ମୁଖେ କୌତୂହଳ, ହେଇ ଯେ ଗୋଲାମ୍‌ ମହମ୍ମଦ—ଦେହରେ ଦାମୀ ସୁଟ୍‌, ମୁଣ୍ଡରେ ଗରମଟୋପି, ଜୋତା ମସ୍‌ମସ୍‌ କରି ସାମ୍ନାରେ ଚାଲିଯାଉଥିଲେ, ସହଚାରୀ ଡାକ୍ତରଙ୍କଠାରୁ ମୋ ପରିଚୟ ପାଇ ଫେରିଆସିଲେ, ପଦେ ଦୁଇପଦ କଥା ହୋଇ ପୁଣି ୱାଡ଼୍‌ ଆଡ଼କୁ ମୋହିଁଲେ—ଗଲାବେଳେ ତାଙ୍କ ସଙ୍ଗେ ସାକ୍ଷାତ କରିବାକୁ ଅନୁରୋଧ କଲେ ।

 

ଲୋକପ୍ରିୟ ଗୋଲାମ୍‌ ମହମ୍ମଦ—ଅତି ଦରିଦ୍ର ଅବସ୍ଥାରୁ ପ୍ରଧାନମନ୍ତ୍ରୀ ଗାଦିକି ଉଠିଛନ୍ତି, ଉଚ୍ଚଶିକ୍ଷା ନାହିଁ ସତ୍ୟ, ତାଙ୍କର ଉନ୍ନତ ଦୀକ୍ଷା ଅଛି । ନିଜେ ବୁଲିବୁଲି କାଶ୍ମୀରର ପ୍ରଧାନ ପ୍ରଧାନ ଅନୁଷ୍ଠାନ ଦେଖନ୍ତି—ପରିଚାଳନା ସୁଶୃଙ୍ଖଳ, ସୁନ୍ଦର ହେବ, ଏଇ ବିଶ୍ୱାସରେ । ଆଜି ରୋଗୀଙ୍କ ଭାଗ୍ୟ ଖୋଲିଛି, ରାତି କଣେ ନ ପାଉଣୁ ନୌକାର ସଭବାଜ, ଛ’ଟାବେଳୁ କଳରେ ପାଣି ଆସିଛି, ଧୁଆପୋଛା ହୋଇ ଘରଚଟାଣ ଚିକ୍‌ଚିକ୍‌ କରୁଛି; ଜଣକ ପରେ ଜଣେ ବାବୁ ସଫେଇ ସର୍‌ଜମିନ୍‌ କରିଯାଉଥାନ୍ତି ।

 

ପ୍ରଧାନମନ୍ତ୍ରୀ ଦେଖନ୍ତୁ—ଏଠା ଡାକ୍ତର, ନୌକର କିଭଳି ତତ୍ପର, ସମୟ ନ ହେଉଣୁ ଡାକ୍ତର ହାଜର, ସଫାସୁତୁରା ପିନ୍ଧି ନୌକାର ଏଣେତେଣେ ଧାଁ ଧପଡ଼ କରୁଛନ୍ତି । ଦିନକ ପାଇଁ ହେଉ ପଛେ ଏ ନରକପରୀକି ସ୍ୱର୍ଗ ଓହ୍ଲେଇ ଆସିଛି ।

 

ପ୍ରଧାନମନ୍ତ୍ରୀ ପାଞ୍ଚ ମିନିଟ ମଧ୍ୟରେ ସମସ୍ତ ୱାଡ୍‌ଟି ବୁଲିଗଲେ, ରୋଗୀଙ୍କ ରୋଗର ଇତିହାସ ଡାକ୍ତର ଚୁମ୍ବକେ ବଖାଣିଲେ, ଶୁଣିଲେ କି ନାହିଁ ସେ ଜାଣନ୍ତି । ଜଣେ ଅଧେ ରୋଗୀଙ୍କି ଯେ ନ ପଚାରିଲେ ନୁହେଁ—ଏ ବିଧିରକ୍ଷା, ସମୀକ୍ଷା ନୁହେଁ । କିନ୍ତୁ ଡାକ୍ତରଙ୍କ ହାତରେ ଜୀବନନାଟି-। ଡାକ୍ତରଖାନା ବିରୁଦ୍ଧରେ କହିବ, ଏଡ଼େ ଛାତି କାହାର ? ପ୍ରଧାନମନ୍ତ୍ରୀ ଖୁସି ହୋଇ ଫେରି ଗଲେ, ମନରେ ତୃପ୍ତି—ତାଙ୍କ ରାଜ୍ୟରେ ଡାକ୍ତରଖାନାର ପରିଚାଳନା କି ସୁନ୍ଦର !

 

ଭଙ୍ଗା ହାତଟା ବୋହି କାହା ପାଖକୁ ଯିବାକୁ ମନ ହେଲା ନାହିଁ । ଡାକ୍ତରଖାନାରେ ଚାରୋଟି ଦିନ, ଠିକ୍‌ ଚାରୋଟି ଯୁଗ ପରି ଲାଗିଲା । ଦିନ ଅସରନ୍ତି, ରାତି ବି । ବହି ବିଷ ପରି ଲାଗୁଥାଏ, ନାନା ବିକ୍ଷିପ୍ତ ଚିନ୍ତା ମନକୁ କରୁଥାଏ ବିଚଳିତ । ବନ୍ଧୁଙ୍କ ସହିତ ଆଳାପ ଏକମାତ୍ର ଆମୋଦ, ଗାଢ଼ନିଦ୍ରା ଏକମାତ୍ର ଶାନ୍ତି ।

 

ଆଜି ଖଲାସ୍‌, ହେଲି—ବାହାରେ ତୋଫା ଆଲୁଅ, ଖୋଲା ପବନ, ଫୁଲର ସଂସାର, ଖରାରେ ଚକ୍‌ ଚକ୍‌ ବରଫ, ସ୍ୱଚ୍ଛ ନୀଳ ଆକାଶ, କିନ୍ତୁ ହାତକୁ ଚାହିଁ ମନ ମରିଗଲା, କାଶ୍ମୀର ଆଉ ଭଲ ଲାଗିଲା ନାହିଁ । ମନେ ପଡ଼ିଲା ଗାଆଁ ଚାଳ କୁଡ଼ିଆରେ ବୁଢ଼ୀ ମାଆର ସ୍ନେହ, ସେ କୁଟୀର ବିଶ୍ରାମର, ସେ ସ୍ନେହ ଆଶ୍ୱସ୍ତିକର, ମୁଁ ସେଇ ସ୍ନେହ ଚାହେଁ । ମନେ ପଡ଼ିଲା ସହଧର୍ମିଣୀ, ଯାହାକୁ ଛାଡ଼ି ମୁଁ ଏକୁଟିଆ ଏ ଦୃଶ୍ୟ ଉପଭୋଗ କରିବାକୁ ଆସିଥିଲି—ଲୋଡ଼ା ତାର ସେବା, ସେ ସେବା ପ୍ରୀତିକର । ମନ ହେଲା—ଉଡ଼ିଯାନ୍ତି ।

Image

 

ମୋର ପ୍ରଥମ ଉଡ଼ାଜାହାଜ ଯାତ୍ରା

 

ମେଘମିଶା ଅନ୍ଧକାର ଏବେ ବି ଶ୍ରୀନଗର ଆକାଶରୁ କାଳିଗୁଣ୍ଡ ବୃଷ୍ଟି କରୁଛି । କମ୍ବଳ ତଳେ ଚେଇଁ ଶୋଇ ନିର୍ଜନ ପଥରେ କେବେ କେବେ ପଥିକର ଅସ୍ପଷ୍ଟ ପଦଧ୍ୱନି ଶୁଣୁଛି । ଗଣପତି ମନ୍ଦିର ଦ୍ୱାରରେ ଝୁଲୁଥିବା ବୃହତ୍‌ ଘଣ୍ଟି ବାଜି ଉଠିଲା—ଠଁ-ଠଁ-ଠଁ । ଝେଲମରେ ସ୍ନାନ କରି ଧର୍ମପ୍ରାଣ ବ୍ୟକ୍ତିମାନେ ଦେବ ଦର୍ଶନ କରିବାକୁ ଆସିଲେଣି, ରାତି ଆଉ ବେଶୀ ନାହିଁ, ଉଠିପଡ଼ିଲି । ଆଜି ମୋ ଜୀବନର ଗୋଟିଏ ସ୍ମରଣୀୟ ଦିନ, ଆକାଶ ପଥରେ ପକ୍ଷୀ ମେଳରେ ମେଘ ମହଲରେ ଆଜି ଉଡ଼ିବି । ପୂର୍ବରୁ କେତେ ଥର ଉଡ଼ିଛି, ଯୁଦ୍ଧକ୍ଷେତ୍ରରେ ଆଣ୍ଟି ଏୟାର କ୍ରାପ୍‌ଟ ଗନ୍‌ ମାଡ଼ରେ ହାଡ଼ଗୋଡ଼ ଭାଙ୍ଗି ତଳେ ପଡ଼ିଛି, ଇଞ୍ଜିନ୍‌ ଗୋଳମାଳରୁ କେଉଁ ନିବିଡ଼ ଅରଣ୍ୟରେ, ଗଭୀର ସମୁଦ୍ରରେ, ବରଫ ଶୃଙ୍ଗରେ ପଡ଼ି ନିରାପଦରେ ଗୃହକୁ ବାହୁଡ଼ି ଆସିଛି । କିନ୍ତୁ ଏ ସବୁ ସ୍ୱପ୍ନରେ, ଆଜି ସତରେ ଉଡ଼ିବି ।

 

ଆକାଶ ଯାତ୍ରା ସମ୍ଭବ ଓ ସହଜ କରିବାପାଇଁ ଯେଉଁମାନେ ଶହୀଦ୍‌ ହୋଇଛନ୍ତି, ଆଜିର ଅନ୍ତରଭରା ଆନନ୍ଦ ସେଇମାନଙ୍କ ନାମରେ ପାଣି ଛଡ଼ାଇ ଦେଉଛି, ସେଇମାନଙ୍କ ବଡ଼ବଡ଼ିଆଙ୍କ ଉଦ୍ଦେଶ୍ୟରେ ଏ ପ୍ରଭାତରେ ଶ୍ରଦ୍ଧାର ଆଳତି ଅର୍ପଣ କରୁଛି । ସେମାନେ ସ୍ୱଦେହରେ ନାହାନ୍ତି, ଆମ ପ୍ରାଣରେ ବର୍ତ୍ତି ରହିଛନ୍ତି ଆଗାମୀ ଯୁଗରେ ପଥକୁ ପୁଷ୍ପାସ୍ତୃତ କରିବା ପାଇଁ ।

 

ସାଢ଼େ ଛ’ଟା ବାଜିଲା । ଆମେ ପ୍ରସ୍ତୁତ । ଯେଉଁ ଗୃହଟି ପନ୍ଦର ଦିନ କାଳ ଆମକୁ କୋଳରେ ଶୁଆଇଛି, ସ୍ଥିର ମନରେ ଆମର ଦୁଃଖସୁଖ ଶୁଣିଛି, ତାକୁ ଛାଡ଼ି ଆସିଲାବେଳେ ମନ କିପରି କାରୁଣ୍ୟମୟ ହୋଇ ଉଠିଲା । ଭଟ୍ଟଙ୍କ ସ୍ତ୍ରୀ ଟିକିଏ ମୃଦୁହାସ ପରେ ନୀରବ ନମସ୍କାରଟିଏ ଜଣାଇଲେ । ଆମ ବ୍ୟାଖ୍ୟାରେ ମୃଦୁହାସ ଅର୍ଥ—ତୁମର ପଥ ଆନନ୍ଦମୟ ହେଉ, ନୀରବ ନମସ୍କାର ଅର୍ଥ ତୁମ ପରି ବାଟୋଇକି ସେବା କରିବା ପାଇଁ ପଥେ ପ୍ରବାସରେ ମୋ ପରି ଗୃହିଣୀ ମିଳନ୍ତୁ, ଏଥିଲାଗି ଭଗବାନଙ୍କୁ ବଧେଇ । ଭଟ୍ଟଙ୍କ ପିଲାମାନେ ଊର୍ଦ୍ଦୁମିଶା କାଶ୍ମିରୀ କହନ୍ତି, ଆମ ଭଙ୍ଗା ଭଙ୍ଗା ହିନ୍ଦୀ ବୁଝନ୍ତି ନାହିଁ, କିନ୍ତୁ ବୁଝନ୍ତି ସ୍ନେହ ଶ୍ରଦ୍ଧା, କାରଣ ସେ ଭାଷା ସାର୍ବଜନୀନ । ଆମେ ସେମାନଙ୍କୁ କୋଳରେ ବସାଇ ଗେଲ କରୁ, ପିଠି ଥାପୁଡ଼େଇ ଦେଉ, ମୁଣ୍ଡର ଅଲରା ବାଳ ସଜାଡ଼ି ଦେଉ, ବିସ୍‌କୁଟ୍‌ ବା ଲଜେନ୍‌ସ ଆଣି ଦେଉ । ସେମାନେ ଆମ ଅବସରର ଖେଳନା ହୋଇଥିଲେ, ଆମେ ହୋଇଥିଲୁ ସେମାନଙ୍କର କୌତୂହଳ । ବିଦାୟ ବେଳେ ସେମାନେ ବୋଇଲେ—ଆମେ ଛାଡ଼ିବାକୁ ଯିବୁ; ସେ ଟିକି ଟିକି ବୁକୁରେ ଆମ ଲାଗି ଯେଉଁ ମମତା ଉଇଁଥିଲା ତା ଫୁଟିଥିଲା ନିଶ୍ଚଳ ହାସରେ, ଏବେ ତାର ସ୍ୱଚ୍ଛନ୍ଦ ପ୍ରକାଶ ହେଲା ସଚଳ ଉଦ୍ୟମରେ । ଭଟ୍ଟ, ମୋହନଲାଲ୍‌ଜି ଆଉ ପିଲାମାନେ ସମସ୍ତେ ଉଡ଼ାଜାହାଜ ଷ୍ଟେସନକୁ ଆମ ସଙ୍ଗେ ଚାଲିଲେ, କେବଳ ରହିଲେ ଗୃହିଣୀ, ଗୃହର କାରୁଣ୍ୟକୁ ନିବିଡ଼ତର କରିବା ପାଇଁ ।

 

ଟଙ୍ଗା ଚାଲିଲା, ତାର ଚକର ଶବ୍ଦେ ଶବ୍ଦେ କରୁଣ ସଂଗୀତ—ବିଦାୟ ଗଣପତିଆର, ବିଦାୟ ଝେଲମ୍‌ । ସୂର୍ଯ୍ୟମୁଖୀ ପରି କିଏ ଏଇ ସୁନ୍ଦରୀ, ଗଛବୃଛ ଉପରେ ଉଷା କରିଣର ପ୍ରତିଫଳନ ଦେଖୁଛି, ଦୁଇ ମହଲା ଝରକା ପାଖରେ ତାର ମୁହଁଟି ସକାଳ କିରଣ ଉପରେ କିରଣ ଝରାଉଛି, ହେ ଅପରିଚିତା, ବିଦାୟ ।

 

ଖାଲ୍‌ସା ହୋଟେଲର ମ୍ୟାନେଜର ସାହେବ ଦୋମହଲାରେ ବସି ସିଗାରେଟ୍‌ ଟାଣୁଛନ୍ତି, ପାଇନ୍‌ ଜଙ୍ଗଲ ଉପରେ କୁହୁଡ଼ି ପରି ଦାଢ଼ି ଉପରେ ଧୂଆଁ ବୁଲୁଛି । ତାଳଗଛ ପରି ଡେଙ୍ଗା ଚେହେରା, ଦେହକୁ ଚାହିଁ ହୃଦୟ ଅଛି । ଶ୍ରୀନଗର ରହଣି ବେଳେ ଆମକୁ ବହୁ ସାହାଯ୍ୟ କରିଛନ୍ତି । ଥଣ୍ଡାରେ ଗରମ ପାଣି, ଦୁଇପ୍ରହରେ ବିଶ୍ରାମ ଲାଗି ଜାଗା ଦେଇଛନ୍ତି, ସେଥିଲାଗି ପଇସାଟିଏ ନେଇ ନାହାନ୍ତି । ବିଦାୟ ମ୍ୟାନେଜର ସାହେବ ।

 

ଟଙ୍ଗା ଚାଲିଛି, ସୂର୍ଯ୍ୟକିରଣକୁ ଆଉଟି ଆଉଟି ଉଡ଼ିଗଲେ ଦଳେ ପାରା, ଶ୍ରୀନଗରର ଆଖିରୁ ଯେପରିକି ତନ୍ଦ୍ରା ପୋଛି ହୋଇଗଲା । ଟଙ୍ଗା ଚାଲିଲା, ଝାଡ଼ୁଦାର ରାସ୍ତା ଓଳଉଛି, କ୍ଳିନର୍‌ ଗାଡ଼ି ଧୋଉଛି, ମଇଁଷି ଶଗଡ଼ ଘେନି କିଏ କୁଆଡ଼େ ଯାଉଛି । ହକର୍‌ ସାଇକେଲରେ ଗୋଛାଏ ଖବରକାଗଜ ବାନ୍ଧି ଡାକି ଡାକି ଚାଲିଛି । ରେଡ଼ିଓ ଖୋଲି ଚା’ ଦୋକାନୀ ଗର୍‌ହାକଙ୍କୁ ନିମନ୍ତ୍ରଣ କରୁଛି । ଅମୀର କଦଲ୍‌, ଟୁରିଷ୍ଟ ବୁରୋ ପାରି ହୋଇ ଉଡ଼ାଜହାଜ ଟିକେଟ୍‌ ଘରେ ପହଞ୍ଚିଲୁ ।

 

ଘରଟି ଛୋଟ, କିନ୍ତୁ ରୁଚିକର । ଗଦିପକା ଆରାମ୍‌ ଚୌକୀ ପଡ଼ିଛି, ଘର କାନ୍ଥରେ ନାନା ଦୃଶ୍ୟର ଚିତ୍ରପଟ ସଜା ହୋଇଛି । କାଠପଟାର ଅଧାକାନ୍ଥି ଉପରେ ବେଞ୍ଚ ଆକୃତିର ଏକ ଗୋଲେଇ, ତାର ଆର ପଟେ ଷ୍ଟେସନ ମାଷ୍ଟର ଆସୀନ । ପୋଷାକପତ୍ର, ଚାଲିଚଳନ ସବୁ ସାହେବୀ, ଓଠରେ ସିଗାରେଟ୍‌ ରଖି କଥାଭାଷା କରୁଛନ୍ତି, କେତେବେଳେ ଫୋନ୍‌ ଧରୁଛନ୍ତି, କୁଆଡ଼େ ଅନ୍ତର୍ହିତ ହୋଇଯାଉଛନ୍ତି, କ୍ଷଣକେ ଆସି ଟିକେଟ୍‌ ଦେଉଛନ୍ତି, ଠୋସ୍‌ ଠୋସ୍‌ ଇଂରାଜି କହୁଛନ୍ତି, ଉଡ଼ାଜାହାଜ ସମ୍ପର୍କୀୟ ଯାବତୀୟ ସମ୍ବାଦ ଯାତ୍ରୀଙ୍କୁ ଯୋଗାଉଛନ୍ତି, ଲୋକଟିର ଫୂର୍ତ୍ତି ଦେଖିବାର କଥା ।

 

ଷ୍ଟେସନରେ ଯାତ୍ରୀ ଓ ତା ଜିନିଷପତ୍ରର ଓଜନ ହୁଏ, ଯାତ୍ରୀ ପିଛା ୪୪ ପାଉଣ୍ଡ ଜିନିଷ ଛାଡ଼ି, ତାଠାରୁ ଜିନିଷ ବେଶୀ ହେଲେ ଉଡ଼ାଜାହାଜରେ ବୋହି ନେବାକୁ ପାଉଣ୍ଡ ଦୁଇଅଣା ପଡ଼େ । ଶ୍ରୀନଗରରୁ ପଠାଣକୋଟ ପର୍ଯ୍ୟନ୍ତ ଆସିବାକୁ ଜଣପିଛା ଚାଳିଶି ଟଙ୍କା ଭଡ଼ା ପଡ଼ିଲା । ଟିକେଟ୍‌ କରି ବସିଛୁ, ଏଇ ସମୟରେ Indian National Airways ର ସ୍ୱତନ୍ତ୍ର ବସ୍‌ ପହଞ୍ଚିଲା, କମ୍ପାନୀ ପକ୍ଷରୁ ଜିନିଷ ନଦାନଦି କାମ ହେଲା । ଆମେ ନୀରବରେ ଗାଡ଼ିରେ ବସିଲୁ; ଭଟ୍ଟ ବିଦାୟ ନେଲେ, ଚକ୍ଷୁରେ ଅଶ୍ରୁଜଳ, ମୁଖରେ ହାସ୍ୟ । ତାଙ୍କ ପରିହାସ ରସିକତାରେ ଏଇଠି ପୂର୍ଣ୍ଣଚ୍ଛେଦ ପଡ଼ିଲା, ମନ ଆମର ମଉଳି ଗଲା, ହୃଦୟର ଅମୂଲ୍ୟନିଧି ଏଇ ଡାକ୍ତର ବନ୍ଧୁ ସିଗାରେଟ୍‌ ଧୂଆଁ ଛାଡ଼ି ଛାଡ଼ି ଆଗେଇଲେ, କୃତଜ୍ଞତା ଜଣାଇଲୁ ନାହିଁ, ଶୁଷ୍କ ଧନ୍ୟବାଦଟିଏ ବି ଦେଲୁ ନାହିଁ, ଅତି ଆପଣାର ଲୋକ ନିକଟରେ ଏ ଭଦ୍ରତା ଅନାବଶ୍ୟକ, କୃତ୍ରିମ ।

 

ବସ୍‌ଟି ସୁସଜ୍ଜିତ, ସିଟରେ ଗଦି, ବେଶ୍‌ ଆରାମଦାୟକ । ଦଶ ବାରଜଣ ଯାତ୍ରୀ ଆମ ସହିତ ବସିଲେ, ଘଣ୍ଟା ବାଜିଲା ସାଢ଼େ ଆଠ । ବସ୍‌ ଷ୍ଟାଟ୍‌ ହେଲା । ମନରେ ଦୂର ଆକାଶର ମୂର୍ଚ୍ଛନା, ଆଉ କେତେ ମିନିଟ୍‌ ପରେ ଆମେ ଉଡ଼ିବୁ, ଦୂରରୁ ଗୋଟିଏ ବଡ଼ ଚଢ଼େଇ ପରି ଉଡ଼ାଜାହାଜ ଦିଶୁଥିବ, ଗର୍ଜନ ଶୁଣି କାଶ୍ମୀର ପଲ୍ଲୀର ପିଲାମାନେ ଦୌଡ଼ିଆସିବେ, ଆଙ୍ଗୁଠି ଦେଖାଇ କହିବେ—ହେଇରେ ଉଡ଼ାଜାହାଜ !

 

ଉଡ଼ାଜାହାଜ ଘାଟି ରାସ୍ତାରେ ଲୋକ ଚଳାଚଳ ନାହିଁ, ଯାନବାହନର ଗହଳି ବି ନାହିଁ, ତେଣୁ ଅତି ଦ୍ରୁତ ଗତିରେ ଆମ ଗାଡ଼ିର ଚକ ଗଡ଼ି ଚାଲିଲା । ଆମ ପଛ ଆଡ଼କୁ ଚାଲିଲା ପୃଥିବୀର ପଟୁଆର, ଫଳ ଫୁଲର ବଗିଚା, ତା ପରେ ସୋରିଷ ଖେତ ପରେ ଖେତ, ଗହମ, ଆଉ ବାଲି-ଖେତ, ବିସ୍ତୀର୍ଣ୍ଣ ପ୍ରାନ୍ତର, ତା ପରେ ପର୍ବତ ଶୃଙ୍ଗ ପରେ ଶୃଙ୍ଗ; ବସ୍‌ ବିମାନଘାଟିର ପହଞ୍ଚିଲା । ପ୍ରାୟ ପଚାଶ ଗଜ ଦୂରରେ ଗୋଟିଏ ଡାକୋଟା ଘୋର ଗର୍ଜନ କରୁଥାଏ । କଳକବ୍‌ଜା ଠିକ୍‌ ଅଛି କି ନାହିଁ ପରୀକ୍ଷା କରା ଯାଉଥାଏ, ଏଇ ପୁଷ୍କକ ଆମକୁ ଆକାଶ ମାର୍ଗରେ ବୋହିନେବ, ଲୋକ ଗଳ୍ପର ସେଇ ପକ୍ଷୀରାଜ ଘୋଡ଼ା ଯେ ଏକା ଛାଟକେ ସହସ୍ର କୋଶ ଉଡ଼ିଯାଏ, ସେଇ ମନପବନ ଡଙ୍ଗା, ଯେ ମାଲିକର ଇଚ୍ଛାନୁସାରେ ଆକାଶରେ ଉଡ଼େ ପାଣିରେ ବୁଡ଼େ, ଶୈଶବ କୈଶୋରର ସମସ୍ତ ଆକାଶୀ କଳ୍ପନା ଏଇ ଉଡ଼ାଜାହାଜ ରୂପରେ ଛିଡ଼ା ହୋଇଛି, ଆମେ ଶିଶୁ ଆଖିର କୌତୂହଳରେ ଦେଖିଲୁ—ତୃଷାର୍ତ ଏଇ ବୃହତ୍‌ ଗରୁଡ଼ ପ୍ରାୟ ଅଧ ଟାଙ୍କିଏ ପେଟ୍ରୋଲ ଶୋଷି ନେଲା, ୨୫ଟି ବସ୍‌ ଏତକ ପେଟ୍ରୋଲରେ ସେତିକି ବାଟ ଯାଇଥାନ୍ତେ ପରା ।

 

ଯାନ ଛାଡ଼ିବାକୁ ବିଳମ୍ବ ଅଛି, ଆମେ ବିଶ୍ରାମଗାରର ବୈଠକ ଘରେ ପଶିଲୁ, ଚିତ୍ର ବିଚିତ୍ର ଗାଲିଚା ବିଛା ହୋଇଛି, କାନ୍ଥରେ ମନୋରମ ଦୃଶ୍ୟର ଛବିଳ କାଶ୍ମୀର ମହାରାଜାଙ୍କଠାରୁ ଆରମ୍ଭ କରି ପଣ୍ଡିତ ନେହେରୁଙ୍କ ପର୍ଯ୍ୟନ୍ତ ବହୁ ମହାପୁରୁଷଙ୍କ ଫଟୋ ।

 

ବିମାନଘାଟି

 

ଆମ ନିର୍ଦ୍ଦେଶରେ ବାହାର ପାର୍କରେ ବୟ କେତୋଟି ବେତ ଚୌକୀ ପକେଇଦେଲା । ଚା, ବିସ୍‌କୁଟ୍‌ ଆସିଲା । ନାନା ମେଳାପଆଳାପ ମଧ୍ୟରେ ଜଣେ କାଶ୍ମିରୀ ବନ୍ଧୁ ଗୋଟିଏ ଗଳ୍ପ ଆରମ୍ଭ କରିଦେଲେ—ଯୁଦ୍ଧରେ ବିମାନ ଘାଟିର ଗୁରୁତ୍ୱ । ଶ୍ରୀନଗରର ଏଇ ବିମାନ ଘାଟିଟି କାଶ୍ମୀରର ଜୀବନନାଟି । ଏଇଟି ନଥିଲେ ଏ ରାଜ୍ୟରକ୍ଷା ପାଇ ନ ଥାନ୍ତା । ଆକ୍ରମଣକାରୀ ଯେତେବେଳେ କାଶ୍ମୀର ଉପରେ ଝାମ୍ପ ଦେଲେ, ମହାରାଜା ହରି ସିଂ ଦେଖିଲେ—ଅବସ୍ଥା ଆଉ ସମ୍ଭଳା ଯିବ ନାହିଁ, ହଳା କଲେ ନିଶ୍ଚିତ ଭାବରେ ଭେଳା ବୁଡ଼ିବ—ସେ ନେହେରୁଙ୍କ ନିକଟକୁ ତାର କଲେ, ଅବସ୍ଥା ସାଂଘାତିକ, କାଶ୍ମୀରର ଚାଳିଶି ଲକ୍ଷ ଲୋକ ବିପନ୍ନ, ଶୀଘ୍ର ସୈନ୍ୟ ପଠାଅ ।

 

କାଶ୍ମୀରକୁ ଯେଉଁ ରାସ୍ତାଟି ଅଛି ତା ଅତି ସଂକୀର୍ଣ୍ଣ, ବୁଲି ବଙ୍କେଇ ପାହାଡ଼ ଜଙ୍ଗଲରେ ଯାଇଛି, ବରମୂଳା ଆକ୍ରମଣକାରୀଙ୍କ ହାତ ମୁଠାରେ, ଶ୍ରୀନଗର ଉପରେ ଚଢ଼ଉ କରିବା ଲାଗି ସେମାନେ ଦ୍ରୁତଗତିରେ ଆଗେଇ ଆସୁଛନ୍ତି । ସେ ପଥରେ ଗଲେ ଭାରତୀୟ ସୈନ୍ୟ ପହଞ୍ଚିଲା ବେଳକୁ ହୁଏତ ନେଡ଼ି ଗୁଡ଼ କହୁଣିକି ବୋହିଯାଇଥିବ, ଥରେ ହାତରୁ ଖସିଲେ ଶ୍ରୀନଗର ଦଖଲ କରିବା ଆଉ ସହଜସାଧ୍ୟ ହେବ ନାହିଁ, ଶତ୍ରୁ ଘାଟି ରାସ୍ତା ଜଗି ରହିଲେ ହେଲା, ଘାଟିରେ ଛକି ଜଣେ ସୈନ୍ୟ ତିନିଶ ଜଣଙ୍କୁ ଅକ୍ଳେଶରେ ବିନାଶ କରି ପାରିବ । ମହାରାଜାଙ୍କ ତାର ପାଇ ନେହୁରୁ ଭାବି ବସିଲେ, ପଟେଲ୍‌ କହିଲେ—ଶୀଘ୍ର ସୈନ୍ୟ ପଠାଯାଉ । ପଣ୍ଡିତଜୀ ସେନାପତିଙ୍କୁ ଆଦେଶ ଦେଲେ—ଆକାଶ ପଥରେ କାଶ୍ମୀରକୁ ସୈନ୍ୟ ପଠାଅ, ସୈନ୍ୟ ଅସ୍ତ୍ରଶସ୍ତ୍ର ଖାଦ୍ୟ ସରଞ୍ଜାମ ଘେନି ପହିଲେ ତିନିଖଣ୍ଡି ଉଡ଼ାଜାହାଜ ଓହ୍ଲାଇଲା, ଭାଗ୍ୟକୁ ଏଇ ଘାଟିଟି ଅଧିକୃତ ହୋଇ ନ ଥିଲା । ତା ପରେ ଜାହାଜ ପରେ ଜାହାଜ ଆସିଲା, ଘାଟି ରକ୍ଷାର ସୁବ୍ୟବସ୍ଥା ହେଲା, ସେନାପତି ଲେପ୍‌ଟନେଣ୍ଟ କର୍ଣ୍ଣେଲ୍‌ ରଣଜିତ୍‌ ରାୟ ଆକ୍ରମଣକାରୀଙ୍କ ଉପରେ ଅତର୍କିତ ଆକ୍ରମଣ ଆରମ୍ଭ କରିଦେଲେ ।

 

ଆମର ଡାକୋଟା

 

ଗଳ୍ପ ଶେଷ ହୋଇନାହିଁ, ଡକରା ଆସିଲା, ମନରେ ଆସିଲା ବିଜୁଳି ଚମକ, ଶରୀର ରୋମାଞ୍ଚିତ ହେଲା । ଲମ୍ବା ଲମ୍ବା ପାଦ ପକାଇ ବିମାନ କତିରେ ପହଞ୍ଚିଲି, ତଳୁ ବିମାନ ଉପରକୁ ସିଡ଼ିଟିଏ ଲମ୍ବାଇ ଦିଆ ହେଲା, ପକାଇଲି ପାଦ—ଏକ, ଦୁଇ, ତିନି । ପ୍ରତ୍ୟେକ ପଦକ୍ଷେପରେ ଅନ୍ତରରେ ଆନନ୍ଦ ଝଙ୍କୃତ ହେଉଥାଏ । ଏଇ ଯେ ବିମାନର ଭିତର, କି ରୁଚିକର, ଥରେ ଆଖି ବୁଲାଇ ଆଣିଲି, ଅବିକଳ ବସ୍‌ ପରି ବ୍ୟବସ୍ଥା, ବିମାନର ଦୁଇପାଖେ ଗଦିପକା ସିଟ୍‌, ମଝିରେ ରାସ୍ତା । ସିଟ୍‌ ଗୁଡ଼ିକ ଆସ୍ତେ ଆସ୍ତେ ଇଞ୍ଜିନ୍‌ ଆଡ଼କୁ ଉଠି ଉଠି ଯାଇଛି, ଦୁଇପଟେ ବହୁସଂଖ୍ୟକ କାଚର ଝରକା, ବନ୍ଦ ଅଛି; ତିନୋଟି ଚକ ମଧ୍ୟରୁ ଆଗ ଚକ ଦୁଇଟି ବଡ଼, ପଛ ଚକଟି ଛୋଟ, ତେଣୁ ଜାହାଜଟି ଅଳ୍ପ ଉପରମୁହାଁ ହୋଇ ରହିଥାଏ, ଆଲୋକ ସଜ୍ଜିତ, ରାତି ଲାଗି ଏ ବ୍ୟବସ୍ଥା । ଭିତରେ ଗୋଟିଏ ଥାକରେ ଦେଶବିଦେଶର ବହୁ ପତ୍ରିକା ଅଛି, ଯାତ୍ରୀ ମନଇଚ୍ଛା ବାଛି ନେଇ ପଢ଼ିପାରେ, କେତେକ କମ୍ବଳ ସଜ୍ଜିତ ହୋଇ ରହିଅଛି, ଶୀତ ହେଲେ ଯେ କୌଣସୀ ଯାତ୍ରୀ ଏହା ବ୍ୟବହାର କରିପାରେ । ପାଇଖାନାରେ କମୋଡ଼, ପାଣିକଳର ବ୍ୟବସ୍ଥା ଅଛି, ହାତ ପୋଛାପୋଛି ପାଇଁ କେତେଖଣ୍ଡ ତଉଲିଆ ଟଙ୍ଗା ହୋଇଅଛି । ଡେଣା ଯୋଡ଼ିକି ପାଞ୍ଚ କି ଛ’ହାତ ଲମ୍ବ ହେବ, ନକନକିଆ ଜଣା ପଡ଼ୁଥାଏ, କିନ୍ତୁ ଶକ୍ତ । ତା ପାଖରେ ବସିଲେ କିଛି ଦିଶେ ନାହିଁ, ଯାନର ଲାଞ୍ଜ ପଟେ ମୁଁ ଗୋଟେ ସିଟ୍‌ ଯୋଗାଡ଼ କରିନେଲି ।

 

ଆକାଶ ପଥେ

 

ହଠାତ୍‌ ଉଡ଼ାଜାହାଜଟି ଗର୍ଜନ କରି ଉଠିଲା, ଚିତ୍ତରେ ନୂତନ ଚମକ; ଛାତି ଦାଉଁକିନେ ପଡ଼ିଲା । ଗର୍ଜ୍ଜନ ଭୀଷଣରୁ ଭୀଷଣତର ହେଲା, ସିଟରେ ତୁଳା ଖୋସା ହୋଇଥାଏ, ଥାବ୍‌ଦା ହେଲେ କାନରେ ଦେବାଲାଗି । ବ୍ୟୋମଯାନ ଧୀରେ ଧୀରେ ଚାଲିଲା, ତା ପରେ ଗତି ଦ୍ରୁତରୁ ହେଲା ଦ୍ରୁତତମ; ଏମିତି ଦୌଡ଼ୁ ଦୌଡ଼ୁ ଗୁମ୍‌ ଗୁମ୍‌ ଶବ୍ଦରେ ଆମର ଡାକୋଟା ଉପରକୁ ଉଠି ଆକାଶରେ ଚିଲ ପରି ଚକ୍‌କର ଦେଲା, ତା ପରେ ଦ୍ରୁତଗତିରେ ଏକ ଲକ୍ଷ୍ୟରେ ଧାଇଁଲା—ଧାଇଁଲା ।

 

ବଡ଼ ବଡ଼ ବୃକ୍ଷ ସତେ ଯେପରି ତଳକୁ ଖସି ଖସି ଗଲେ, ତରୁ ଆଉ ତୃଣ, କ୍ଷେତ୍ର ଆଉ ପ୍ରାନ୍ତର ମଧ୍ୟରେ ତାରତମ୍ୟ ବାରି ହେଲା ନାହିଁ, ତୂଳିରେ ଅଙ୍କା କେବଳ ଘନ ସବୁଜ ରଙ୍ଗ, ବଡ଼ ବଡ଼ କୋଠାବାଡ଼ି ଆସ୍ତେ ଆସ୍ତେ ଛୋଟ ହୋଇ ତାଆସ ପଟର ଘର ପରି ଦିଶିଲେ; ହିଡ଼ବନ୍ଧା ଖେତ କଗଜଅଙ୍କା ନକ୍‌ସା ପରି, ପ୍ରପାତ ଛିଣ୍ଡା ଛିଣ୍ଡା ଜରି ପରି ଝଟକୁ ଥାଏ । ଝେଲମ୍‌ ପୃଥିବୀ ଆଖିର ସବୁ ଲୁହଧାରା ପରି, ଦେଖୁ ଦେଖୁ ଶ୍ରୀନଗର ଦୃଷ୍ଟିପଥରୁ ଲୁଚି ଲୁଚିଗଲା ।

 

ବରଫ ଶୃଙ୍ଗରେ କଳା ମେଘସବୁ ମଇଁଷିପହ୍ଲ ପରି ଚରୁଥାନ୍ତି, ବହଳ ବଉଦର ପରଦା ଭେଦ କରି ଆଖି ବେଳେ ବେଳେ ପୃଥିବୀ ପୃଷ୍ଠ ଦେଖିପାରୁ ନ ଥାଏ, କଳା ସିମିଟିର ଚଟାଣ ପରି ଦିଶୁଥାଏ କେବଳ ମେଘ—ମେଘ, ଦିଗ୍‌ବଳୟ ସୀମାନ୍ତ ପର୍ଯ୍ୟନ୍ତ କେବଳ ମେଘର ଚନ୍ଦ୍ରାତପ ।

 

ଅଗଣିତ କ୍ଷୁଦ୍ର ପାହାଡ଼ ଅତିକ୍ରମ କଲା ପରେ ପଡ଼ିଲା ଉତ୍ତୁଙ୍ଗ ପର୍ବତମାଳା, ବିମାନ ଊର୍ଦ୍ଧ୍ୱକୁ ଉଠିଲା, ଜୀବଜନ୍ତୁ, ମନୁଷ୍ୟ ଅଦୃଶ୍ୟ ହେଲେ, କେବଳ ପର୍ବତ—ପର୍ବତ, ଅଗଣିତ ପର୍ବତମାଳା, କିଏ ମେଘାଳଙ୍କୃତମୌଳି, କିଏ ତୁଷାରମଣ୍ଡିତ, କିଏ କୁଜ୍‌ଝଟିରେ ତନ୍ଦ୍ରାଚ୍ଛନ୍ନ, ଶୃଙ୍ଗ ଉପରେ ଘଷି ହୋଇ ବିମାନ ଉଡ଼ୁଥାଏ । ହାତ ବଢ଼ାଇଲେ ସତେ ବ ଶୃଙ୍ଗର ଶିର ସ୍ପର୍ଶ କରିବୁ, ବାତାୟନ ପାଶରେ ଘଷିହୋଇ ଯାଉଥିବା ବଉଦକୁ ଧରି ପକାଇବୁ ! ହିମାଦ୍ରିର ସହସ୍ର ସହସ୍ର ଶୃଙ୍ଗ ଉପରେ ଭାସିଯିବା କି ରୋମାଞ୍ଚକର !

 

କିନ୍ତୁ ଏଇ ଯାତ୍ରାର ଆନନ୍ଦ ଭୟମିଶ୍ରିତ । ଆକ୍‌ସିଡ଼େଣ୍ଟ ! ଉଡ଼ାଜାହାଜ ଯେତେବେଳେ ଉପରକୁ ଉଠେ ବା ତଳକୁ ଖସେ, ଶଙ୍କାରେ ମନ ଅସ୍ଥିର ହୁଏ, ଇଞ୍ଜିନ୍‍ ଗୋଳମାଳ ହେଲା ? ପ୍ରକୃତରେ ଏ କିନ୍ତୁ ମନ ଇଞ୍ଜିନର ଗୋଳମାଳ !

 

ଉଡ଼ାଜାହାଜ ବସିବା ମଉଜ ଏତେ ଉପଭୋଗ କରୁଥାଏ ଯେ ସହଯାତ୍ରୀମାନଙ୍କ ଆଡ଼କୁ ନଜର ଦେବାକୂ ଅବସର ନ ଥାଏ । ଜଣେ ଆଙ୍ଗ୍ଳୋଏଣ୍ଡିଆନ୍‌ ସାହେବ, ସାଥିରେ ସାହେବାଣୀ, ସାମ୍ନାରେ ଜଣେ ପଞ୍ଜାବୀ, ଜଣେ ଗୁଜୁରାଟୀ, ଜଣେ ପାର୍ସି, ପାଇଲଟ୍‌ଙ୍କ ସଙ୍ଗେ ଇଞ୍ଜିନ୍‌କୁ ଲାଗି ଆଉ ଜଣେ କିଏ ବସିଥାନ୍ତି । ସମସ୍ତେ ନୀରବ, ନିଶ୍ଚଳ । ବିମାନ ଗର୍ଜନରେ ବେଶୀ କଥାଭାଷା ଚଳେନାହିଁ । ଆମେ କାହା ବିଷୟରେ କିଛି ଜାଣିଲୁ ନାହିଁ, ଆମ ବିଷୟରେ ଜାଣିବା ଲାଗି କାହାର ଆଗ୍ରହ ବି ଦେଖିଲୁ ନାହିଁ । ଏବେ ସ୍ମୃତିରେ ମୋର ସହଯାତ୍ରୀମାନେ ପ୍ରସ୍ତର ମୂର୍ତ୍ତିପରି ଦିଶୁଛନ୍ତି ।

 

ଏମିତି ଦୁଇଦିନର ଦୁର୍ଗମ ପାହାଡ଼ୀ ରାସ୍ତା ମାତ୍ର ୪୫ ମିନିଟରେ ଅତିକ୍ରମ କଲୁ, ବିମାନ ଆସ୍ତେ ଆସ୍ତେ ପର୍ବତ ଶୃଙ୍ଗରୁ ସମତଳ କ୍ଷେତ୍ରକୁ ଖସିଲା, ଆମେ ଜାମୁ ପାରିହେଲୁ । ସେତେବେଳେ ସାମ୍ନାରେ ବିଜୁଳି ଅକ୍ଷରରେ ଲେଖା ହୋଇଗଲା । Fasten your belts. ଆମେ ସିଟ୍‌ ସଙ୍ଗରେ ଲଗା ହୋଇଥିବା ବେଲ୍‌ଟକୁ ଅଣ୍ଟାରେ ବାନ୍ଧିଲୁ, ତା ପରେ ବିମାନ ଅଳ୍ପ ଉଚ୍ଚରେ ଗତିକଲା, ବେଗ ମଧ୍ୟ ଊଣା ହୋଇ ଆସିଲା, ବିଲବାଡ଼ିର ସୀମା ସ୍ପଷ୍ଟତର ହେଲା; ଗୃହ, ବୃକ୍ଷଲତା କ୍ରମେ ବୃହଦାକାର ଧାରଣ କଲେ, ମନୁଷ୍ୟର ଚଳପ୍ରଚଳ ଜଣାଗଲା । ବୈଚିତ୍ର୍ୟହୀନ ସମତଳ ପଥରେ କିଛିକାଳ ଗତିକଲା ପରେ ଉଡ଼ାଜାହାଜ ତଳକୁ ଖସିଲା, ପଠାଣକୋଟ୍‌ ବିମାନ ଘାଟିରେ ଓହ୍ଲେଇଲା, ମଟରପରି ଦ୍ରୁତଗତିରେ ଦୌଡ଼ିଲା, ତା ପରେ ସ୍ଥିର ରହିଲା ।

 

ଓହ୍ଲାଇଲୁ, ଭାରି ଗରମ୍‌, ଏଇଟା ଯେ ଗ୍ରୀଷ୍ମକାଳ ଅଧମାସେ କାଳ ଏକଥା ଭୁଲିଯାଇଥିଲୁ । ଏଇ ଡାକୋଟାରେ ଶ୍ରୀନଗର ଯିବା ଲାଗି ବହୁଯାତ୍ରୀ ଅପେକ୍ଷା କରିଥାନ୍ତି, ସେମାନେ ତପ୍ତ କଟାହରୁ ଯାଇ ଶୀତ ବସନ୍ତର ମଧୁର ମିଶ୍ରଣ ଉପଭୋଗ କରିବେ, କିନ୍ତୁ ଆମେ ?

 

ଉଡ଼ାଜାହାଜରେ ନିମ୍ନ କବିତାଟିର କଙ୍କାଳ ମନେ ମନେ ଆଙ୍କିଥିଲି, ପରେ ତାହା ରୂପାୟିତ ହେଲା ।

 

ମେଘର ମହଲେ ଉଠୁଚି ମୋ ଡାକୋଟା

ରୂପାର ତରବାରୀ ପରି ଝଟକୁଚି ଝେଲମ୍‌

ଏହା ସହିତ ମୋର ପ୍ରାଣର ସ୍ରୋତ ମିଶିଥିଲା ।

ମୋଚା ମୋଚା ସବୁଜ ଗାଲିଚା ପରି ଡାଲ୍‌ ହ୍ରଦ

ଛିନ୍ନ ବୃନ୍ତ ପଦ୍ମ ପରି ଏହାର ତରଙ୍ଗେ ତରଙ୍ଗେ

ଖେଳି ବୁଲୁଥିଲା ମୋର ମନ ।

ଚିହ୍ନା ଚିନାର, ସ୍ନେହୀ ସଫେଦା

ମୋତେ ବାଟେଇ ଦେବାଲାଗି ଦୂତ ପଠାଇଛନ୍ତି—

ଏଇ ବକପଂକ୍ତି;

ପାହାଡ଼ ଗଡ଼ାଣି ପାଇନ୍‌ ବନର ହସ ପରି

ସେମାନେ ଉଡ଼ି ଆସୁଛନ୍ତି ।

ଏଇ ଭେଲଭେଟ୍‌ ପ୍ରାନ୍ତର

ଏହାର ତୃଣେ ତୃଣେ ମିଶିଥିଲି

ସବୁଜ ରସ ହୋଇ

ଉଦ୍ୟାନେ ଉଦ୍ୟାନେ ଫୁଟିଥିଲି—ତାର ପ୍ରଫୁଲ୍ଲତା

ଆପ୍ରିକଟ ଆଉ ଆପଲରେ ଝୁଲୁଥିଲି—ପ୍ରାଣର ସତ୍ତା ।

 

ଉଷାର ପ୍ରସାରିତ ପଣତ ହୋଇ ଉଡ଼ୁଥିଲି ଦିଗେ ଦିଗେ

ପ୍ରଦୋଷର ଉଦାସ ଚାହାଣିରୁ

ଫୁଟିଥିଲି ରାତ୍ରିର ପ୍ରହେଳିକା ସଙ୍ଗେ ।

ତୁଷାର ହୋଇ ଶୋଇଥିଲି ହିମାଦ୍ରିର ଉଚ୍ଚତମ ସାନୁରେ

ଅବା ଝରିଥିଲି ପ୍ରପାତର ବିନ୍ଦୁଳ ଇନ୍ଦ୍ରଧନୁରେ ।

ମେଘେ ମେଘେ ବୁଲୁଥିଲି—ତାର ବିଦ୍ୟୁତ୍‌

ଝଞ୍ଜାରେ ଝଞ୍ଜାରେ—ତାର ଅଗ୍ରଦୂତ ।

ପ୍ରଭାତର କିରଣ ହୋଇ ଫୁଟାଉଥିଲି ଡାଲ୍‍ ହ୍ରଦର ପଦ୍ମ

ଜ୍ୟୋତ୍ସ୍ନା ହୋଇ ଖୋଲୁଥିଲି ଜଡ଼ ଜୀବନ୍ତର

ମନର ସଦ୍ମ ।

ତିମିର ହୋଇ ପୂର୍ଣ୍ଣ କରିଥିଲି

ଆକାଶ ଅବନୀର ଫାଙ୍କ

ତୃଣହୀନ ଉପତ୍ୟକାରେ ତପସ୍ୟା କରୁଥିଲି—

ବିଜନତା, ନିଶ୍ଚିନ୍ତ, ନିର୍ବାକ !

ଯାହା କିଛି ରୁଚିର, ରୁଚିକର

ହୋଇଥିଲା ମନର ଆବାସ

ତେଣୁ ହାହାଶ୍ୱାସ

ଆଖିରେ ମୋ ଅଶ୍ରୁର ନିର୍ଝର ।

ଦୂର ନୀଳାଭ କୁହେଳିରେ

ହଜି ହଜି ଯାଉଛି ଶ୍ରୀନଗର ।

ମେଘର ମହଲ ଲଙ୍ଘି ଡାକୋଟା ମୋର ଛୁଟିଛି

ଚଞ୍ଚଳ ଚରଣେ ଛୁଇଁ ଅଗଣିତ ବରଫର ବୀଚି ।

ଛୁଇଁଯାଏ ମନ ମୋର ପ୍ରପାତ, ନିର୍ଝର

ଶ୍ୟାମଶସ୍ୟ, ଶ୍ୟାମପତ୍ର ସୁନାଝର ପୁଷ୍ପର କେଶର

ହୁଏ ମୁହିଁ ଜଡ଼ ଆଉ ଜୀବନ୍ତ ଦେଶର ମହା ପାରାବାର

ସକଳର ସଙ୍ଗେ ଏକାକାର ।

ଝଡ଼ ବେଗରେ ଉଡ଼ୁଚି ମୋର ଗରୁଡ଼

ଦିଶୁଛି ନୂଆ ନୂଆ ଶୃଙ୍ଗର ଚଡ଼

ସଫେଦ ଆଉ ସୁନ୍ଦର,

ସମତଳ କ୍ଷେତ୍ରରେ ଓହ୍ଲାଉଛି ମୋର ଯାନ

ବିପୁଳ ରହସ୍ୟ ତଳୁ ଜନ୍ମ ନିଏ ଗ୍ରାମ ପରେ ଗ୍ରାମ ।

ପୁଷ୍ପକ ମୋର ଛୁଇଁଲା ପୃଥିବୀ

ରୁକ୍ଷ, କଙ୍କରମୟ ପଥ

ଲେହନ କରୁଛି ରୌଦ୍ର

ଦହନ କଲା ମୋର ମନ

କାଶ୍ମୀର ?

କଳ୍ପ ଲୋକର ସ୍ୱପ୍ନ

ଲିଭିଗଲା, ଆହା, ଲିଭିଗଲା ।

 

ଶାନ୍ତିନିକେତନ

୧୪ । ୮ । ୫୫

Image

 

ପରିଶିଷ୍ଟ

 

ଇତିହାସର ଇଙ୍ଗିତ

 

କାଶ୍ମୀରର ଇତିହାସ ରାଜାରାଜୁଡ଼ାଙ୍କ କାହାଣୀ, ଜନସମାଜର ତଥ୍ୟ ଏଥିରୁ ମିଳେ ନାହିଁ । ସାମୟିକଭାବରେ ଜଣେ ଜଣେ ଭଲ ରାଜା ଆସନ୍ତି, ଭଲ ରାଜ୍ୟଶାସନ ଚାଲେ; ନ ହେଲେ ଅଧିକାଂଶ ରାଜା ଅତ୍ୟାଚାରୀ । ନ୍ୟାୟ ଲାଗି ଜନତା ସାମୟିକ ବିପ୍ଳବ କରେ, କିଛି ଦିନ ଲାଗି ହୁଏତ ନ୍ୟାୟ ପ୍ରତିଷ୍ଠିତ ହୁଏ । ତା ପରେ ଯଥା ପୂର୍ବଂ ତଥା ପରଂ । ମହାରାଜା ହରିସିଂଙ୍କ ପତନରେ ଏବେ ସେହି ଅତ୍ୟାଚାରୀ ରାଜଶାସନର ଅବସାନ ଘଟିଲା, ଲୋକଶାସନ ପ୍ରତିଷ୍ଠିତ ହେଲା ।

 

ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି କାଶ୍ମୀର ଇତିହାସ ରଚନାରେ ଉଦାସୀନ ନ ଥିଲା । ଐତିହାସିକ ବିବରଣୀ ମଧ୍ୟରେ କହ୍ଲଣଙ୍କ ‘ରାଜତରଙ୍ଗିଣୀ’ ପ୍ରଧାନ, ୧୧୫୦ ଖ୍ରୀଷ୍ଟବ୍ଦରେ ଏହାର ରଚନା ଶେଷ ହୋଇଥିଲା । ଜୋନ୍‌ ରାଜ, ଶ୍ରୀବର, ପ୍ରାଜ୍ଞଭଟ୍ଟ ପ୍ରଭୃତି ବିଭିନ୍ନ ଐତିହାସିକ ହିନ୍ଦୁଶାସନର ଅବସାନ (୧୩୩୯) ପର୍ଯ୍ୟନ୍ତ ଧାରାବାହିକ ଭାବରେ ଐତିହାସିକ ବିବରଣୀ ଲିପିବଦ୍ଧ କରୁଥିଲେ ।

 

ପ୍ରାଚୀନ ହିନ୍ଦୁ ନରପତିଗଣ

 

କହ୍ଲଣ ଅତି ପ୍ରାଚୀନ ରାଜା ଓ ରାଜ୍ୟଶାସନର ଯେଉଁ ବିବରଣୀ ଦେଇଛନ୍ତି ତାହା କାଳ୍ପନିକ ମନେ ହୁଏ । ସପ୍ତମ ଶତାବ୍ଦୀଠାରୁ ପ୍ରଦତ୍ତ ବିବରଣୀ ବିଶ୍ୱାସଯୋଗ୍ୟ । ଏହି ଶତାବ୍ଦୀର ଶ୍ରେଷ୍ଠ ରାଜା ବିନୟାଦିତ୍ୟ ଅତି ସରଳ, ସାଧୁ ପ୍ରକୃତିର ଲୋକ ଥିଲେ । ସିଂହାସନ ଆରୋହଣ ବେଳେ ସେ ଘୋଷଣା କଲେ—‘‘ତାଙ୍କ ରାଜ୍ୟରେ କେହି ଚୋରୀ କରିବେ ନାହିଁ, ମିଛ କହିବେ ନାହିଁ, ଜୀବହତ୍ୟା କରିବେ ନାହିଁ ।’’ ରାଜକାର୍ଯ୍ୟ ଚଳାଇବା ଲାଗି ସେ କର୍ମଚାରୀ ରଖୁ ନ ଥିଲେ, ପ୍ରଜାଙ୍କ ସାଧୁତା ଉପରେ ତାଙ୍କର ଏକାନ୍ତ ବିଶ୍ୱାସ ଥିଲା । କେବଳ ରାଜ୍ୟରକ୍ଷା ଲାଗି ସେ ଗୋଟିଏ ଛୋଟ ସୈନ୍ୟ ବାହିନୀ ରଖିଥିଲେ । ରାଜା ହୋଇ ଦରିଦ୍ର ପ୍ରଜା ପରି ଗୋଟିଏ ଛୋଟ ଘରେ ରହୁଥିଲେ, ନିଜର ଖାଦ୍ୟପେୟ, ବସନଭୂଷଣରେ ଅତି ଅଳ୍ପ ଖର୍ଚ୍ଚ କରୁଥିଲେ । ତାଙ୍କ ରାଜ୍ୟ କାଶ୍ମୀରର ରାମରାଜ୍ୟ । ଏବେ ବି ଲୋକ ଆକାଂକ୍ଷା ପୋଷଣ କରନ୍ତି—ବିନୟାଦିତ୍ୟଙ୍କ ରାଜୁତି ଫେରି ଆସନ୍ତା !

 

ପ୍ରାଚୀନ ସମ୍ରାଟଙ୍କ ମଧ୍ୟରେ ଲଳିତାଦିତ୍ୟ ସବୁଠାରୁ କ୍ଷମତାଶାଳୀ ଥିଲେ । ସେ ଗଙ୍ଗାଯମୁନା ଦୋଆବ୍‌, ତିଦ୍ଦତ ପ୍ରଭୃତି ରାଜ୍ୟ ଜୟ କରିଥିଲେ, ଚୀନ୍‌ ସମ୍ରାଟ୍‌ ହୁଏନ୍‌ ସୁଙ୍ଗଙ୍କ ସହିତ କୂଟନୀତିକ ସଂପର୍କ ସ୍ଥାପନ କରିଥିଲେ, ବହୁ ମଠ ମନ୍ଦିର ନିର୍ମାଣ କରିଥିଲେ । ଏତେ ଶକ୍ତିଶାଳୀ ଥିଲେ ମଧ୍ୟ ସେ ପ୍ରଜା ବିପ୍ଳବକୁ ବିଶେଷ ଭୟ କରୁଥିଲେ । ସେ ଆଦେଶ ଦେଇଥିଲେ—‘‘ପ୍ରଜା ବର୍ଷେ ଚଳିବା ମୁତାବକ ଖାଦ୍ୟ ନିଜ ପାଖେ ରଖି ପାରିବ, ଚାଷ ଲାଗି ଯେତୋଟି ବଳଦ ଦରକାର ସେତୋଟି ରଖିପାରିବ ।’’ ଧନ ବଢ଼ିଲେ ଶକ୍ତି ବଢ଼େ, ଶକ୍ତି ବଢ଼ିଲେ ପ୍ରଜା ବିପ୍ଳବ କରେ ବୋଲି ତାଙ୍କର ବିଶ୍ୱାସ ଥିଲା । ସେ ମଦ୍ୟପ ଥିଲେ; ନିଶା ଲାଗିଲାବେଳେ ସମସ୍ତ କାଣ୍ଡଜ୍ଞାନ ହରାଇ ବସୁଥିଲେ ।

 

ଅବନ୍ତୀବର୍ମନ୍‌ଙ୍କ ଶାସନ କାଳରେ ଦେଶରେ ଶାନ୍ତି ଶୃଙ୍ଖଳା ଥିଲା; ରାଜା କବି, ପଣ୍ଡିତଙ୍କର ପୃଷ୍ଠପୋଷକ ଥିଲେ; ଧ୍ୱନ୍ୟାଲୋକ ରଚୟିତା ଆନନ୍ଦବର୍ଦ୍ଧନ, ଦେବୀଶତକ ଓ ହରବିଜୟ ରଚୟିତା ରତ୍ନାକର ଏହାଙ୍କ ଦରବାର ମଣ୍ଡନ କରୁଥିଲେ ।

 

ତାଙ୍କ ପରେ ଘୋର ଅରାଜକତା ଉପସ୍ଥିତ ହେଲା, ରାଜକୋଷ ଶୂନ୍ୟ ଦେଖି ନୂତନ ରାଜା ଶଙ୍କରବର୍ମନ୍‌ ୬୪ଟି ମନ୍ଦିର ଲୁଣ୍ଠନ କରିଥିଲେ, ବିବାହ, ଜିନିଷପତ୍ର ବିକ୍ରୟ ଏପରିକି ମନ୍ଦିରର ପ୍ରସାଦ ବିକ୍ରୟ ଉପରେ ସେ ଟିକସ ବସାଇଥିଲେ । ତାଙ୍କ ରାଜତ୍ୱରେ ଦେଶର ସାମନ୍ତମାନେ ବିଶେଷ ଶକ୍ତିଶାଳୀ ହୋଇଥିଲେ, ରାଜାଙ୍କ ଅସ୍ତିତ୍ୱ ସେମାନଙ୍କ ସଦିଚ୍ଛା ଉପରେ ନିର୍ଭର କରୁଥିଲା । ସାମନ୍ତଙ୍କୁ ତୁଷ୍ଟ ରଖିବାପାଇଁ ଗାଦିରେ ବସିବା ପରେ ରାଜା ଅଧିକାଂଶ ରାଜସ୍ୱ ବ୍ୟୟ କରୁଥିଲେ । ବାପ ବିରୁଦ୍ଧରେ ପୁଅ ଷଡ଼ଯନ୍ତ୍ର କରୁଥିଲା, ପୁଅ ପଛରେ ବାପ ଜହ୍ଲାଦ ଲଗାଉଥିଲା । ଦରବାର ତୋଟିକଟା, ଜୁଆଚୋର ଆଉ ଦଲାଲ୍‌ଙ୍କ ଆଡ଼୍‌ଡା ଜାଗା ହୋଇଥିଲା ।

 

ରାଜା ହର୍ଷଙ୍କ ସମୟରେ କିଛି ଦିନ ପାଇଁ ଶାନ୍ତି ଫେରି ଆସିଲା, କିନ୍ତୁ ଏହା ବିପ୍ଳବକୁ ଅଧିକ ପ୍ରଜ୍ଜ୍ୱଳିତ କରିବାପାଇଁ । ରାଜା ବୁଦ୍ଧିମାନ୍‌ ନ ଥିଲେ, ସଙ୍ଗୀତରଚନା ଓ କଳା, ସାହିତ୍ୟ ଚର୍ଚ୍ଚାରେ ମାତି ସେ ଶାସନ କାର୍ଯ୍ୟରେ ଅବହେଳା ଦେଖାଇଲେ । ଦୁର୍ଭାଗ୍ୟକୁ ଏଇ ସମୟରେ ଘୋର ଦୁର୍ଭିକ୍ଷ ଉପସ୍ଥିତ ହେଲା । ପ୍ଳେଗରେ ଏତେ ମଣିଷ ମଲେ ଯେ ଶବ ଉଠାଇବାକୁ ଲୋକ ମିଳିଲେ ନାହିଁ । ଜିନିଷପତ୍ରର ଦରଦାମ୍‌ ଖୁବ୍‌ ବଢ଼ିଗଲା । ଚୋରୀ, ଡକେଇତୀ, ହତ୍ୟାକାଣ୍ଡ ଏକ ମାମୁଲି ଘଟଣା ହେଲା । ଏଇ ବିପଦରେ କାଣ୍ଡଜ୍ଞାନ ଶୂନ୍ୟ ହୋଇ ରାଜା ନିଜ ପରିବାରର ସମସ୍ତ ଲୋକ ଓ ପ୍ରଭାବଶାଳୀ ସାମନ୍ତମାନଙ୍କୁ ହତ୍ୟା କରିବା ଲାଗି ଆଦେଶ ଦେଲେ । ପ୍ରଜାମାନେ ବିଦ୍ରୋହ କରି ରାଜକୁମାରମାନଙ୍କୁ ହାଣି ପକାଇଲେ, ରାଜବାଟିରେ ନିଆଁ ଲଗାଇଦେଲେ । ରାଜା ଭୟରେ ପଳାଇ ଯାଇ ବଣରେ ଲୁଚିଲେ ।

 

ତା ପରେ ଏଇ ବିଦ୍ରୋହର ନେତା ଉଚ୍ଛଳ ରାଜଗାଦିରେ ବସିଲେ, ସେ କୌଶଳ କରି ସାମନ୍ତମାନଙ୍କ ହାତରୁ ହତିଆର କାଢ଼ିନେଲେ । ଦେଶରେ ଶୃଙ୍ଖଳା ପ୍ରତିଷ୍ଠିତ ହେଲା । ରାଜା ଛଦ୍ମବେଶରେ ବୁଲି ପ୍ରଜାମାନଙ୍କ ସୁଖଦୁଃଖ ବୁଝୁଥିଲେ । ମୃତ୍ୟୁମୁଖରୁ ପ୍ରଜାମାନଙ୍କୁ ରକ୍ଷା କରିବାପାଇଁ ସାମାନ୍ୟ ଦାମରେ ରାଜଭଣ୍ଡାରର ଶସ୍ୟ ବିତରଣ କରୁଥିଲେ । ସୌଭାଗ୍ୟରେ ଈର୍ଷାପରାୟଣ ହୋଇ ତାଙ୍କର ଜଣେ ବିପ୍ଳବ ସାଥୀ ତାଙ୍କୁ ହତ୍ୟା କରିଥିଲେ ।

 

ତା ପରେ ଜୟସିଂହ ସିଂହାସନ ଆରୋହଣ କଲେ । ସେ ଜଣେ କୂଟନୀତିକ ଥିଲେ—ତାଙ୍କ ମୁଖରେ ହାସ, ଅଣ୍ଟାରେ ଛୁରୀ । ସେ କୂଟନୀତି ପ୍ରୟୋଗ କରି ସାମନ୍ତମାନଙ୍କୁ ହାତ କରିଥିଲେ । ଐତିହାସିକ କବି କହ୍ଲଣ ଏହାଙ୍କ ଦରବାରରେ ଥିଲେ ।

 

ଜୟସିଂହଙ୍କ ପରେ ୨୦୦ ବର୍ଷ ପର୍ଯ୍ୟନ୍ତ ରାଜା ସାମନ୍ତଙ୍କ ହାତପିତୁଳା ହୋଇ ରହିଲେ-। ଯେ ଅଧିକ ଅର୍ଥ ଦେଉଥିଲା, ସେ ସିଂହାସନରେ ବସୁଥିଲା, ସାମନ୍ତଙ୍କ ବିରାଗଭାଜନ ହେଲେ ବିତାଡ଼ିତ ହେଉଥିଲା । ଏଇ ଅପ୍ରଧାନ ହିନ୍ଦୁରାଜାଙ୍କ ମଧ୍ୟରେ ସହଦେବ ସର୍ବଶେଷ ରାଜା । ତାଙ୍କ ରାଜତ୍ୱରେ କାଶ୍ମୀର ସୀମାନ୍ତରେ କାନ୍ଧାର ରାଜାଙ୍କ ସେନାପତି ଉପଦ୍ରବ କରିଥିଲେ, ରାଜା ତାଙ୍କୁ ଦମନ ନ କରି ଲାଞ୍ଚ ଦେଇ ବାହୁଡ଼ାଇ ଦେଇଥିଲେ । ଏଇ ସମୟରେ ତିବ୍ଦତର ଶରଣାର୍ଥୀ ରାଜପୁତ୍ର ଆସି ତାଙ୍କ ଆଶ୍ରୟରେ ରହିଲେ । ରାଜାଙ୍କ ଅନୁପସ୍ଥିତିରେ ସାମନ୍ତମାନଙ୍କୁ ହାତ କରି ହଠାତ୍‌ ସିଂହାସନ ଆରୋହଣ କଲେ । ସେ ପହିଲେ ଆଶ୍ରୟଦାତା ସହଦେବଙ୍କୁ ହତ୍ୟା କଲେ । ହିନ୍ଦୁ ହେବା ଲାଗି ତାଙ୍କର ପ୍ରବଳ ଇଚ୍ଛା ଥିଲା, କିନ୍ତୁ ରକ୍ଷଣଶୀଳ ହିନ୍ଦୁମାନେ ଏଥିରେ ବାଧା ଦେଲେ-। ସେ ମୁସଲମାନ ହେଲେ, ମନ୍ଦିର ଭାଙ୍ଗି ମସ୍‌ଜିଦ୍‌ ଗଢ଼ିଲେ । ଦଳେ ଅପରିଣାମଦର୍ଶୀ ହିନ୍ଦୁଙ୍କ ଯୋଗୁଁ ହିନ୍ଦୁ ରାଜତ୍ୱର ଅବସାନ ହେଲା । ୧୩୨୨ ଖ୍ରୀଷ୍ଟାବ୍ଦରୁ କାଶ୍ମୀର ମୁସଲମାନଙ୍କ ହାତକୁ ଗଲା ।

 

ମୁସଲମାନ ରାଜତ୍ୱ

 

ତା ପରେ ସିକନ୍ଦର ସୁଲତାନ ହେଲେ, ସେ ହିନ୍ଦୁ ସ୍ତ୍ରୀ ବିବାହ କରିଥିଲେ । ତାଙ୍କର ଜଣେ ହିନ୍ଦୁ ମନ୍ତ୍ରୀ ଥିଲେ, ସେ ହଠାତ୍‌ ମୁସଲମାନ ହୋଇ ସୁଲତାନଙ୍କୁ ମତାଇ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଦେଲେ । ଆଦେଶ ହେଲା—ଏ ଦେଶରେ ମୁସଲମାନଙ୍କ ଛଡ଼ା କେହି ରହିପାରିବେ ନାହିଁ । ହଜାର ହଜାର ପଣ୍ଡିତ ପ୍ରାଣଭୟରେ ରାଜ୍ୟ ଛାଡ଼ି ପଳାଇଗଲେ । ସୁଲତାନ୍‌ ପାର୍ବତୀୟ ପଥ ବନ୍ଦ କରିଦେଲେ । ମୁସଲମାନ ନ ହେଲେ ସଙ୍ଗେ ସଙ୍ଗେ ହିନ୍ଦୁଙ୍କୁ ହତ୍ୟା କରା ହେଉଥିଲା । ସେତେବେଳେ ବହୁ ମୁସଲମାନ ଘରେ ଲୁଚାଇ ବହୁ ହିନ୍ଦୁଙ୍କ ଜୀବନ ରକ୍ଷା କରିଥିଲେ କିମ୍ବା ସହାୟକ ହୋଇ ରାଜ୍ୟବାହାରେ ଛାଡ଼ି ଦେଇ ଆସୁଥିଲେ । ଏହିପରି କାଶ୍ମୀରର ଅଧିକାଂଶ ଲୋକ ମୁସଲମାନ ହୋଇଗଲେ ।

 

୧୩୯୮ରେ ତୈମୁରଲଙ୍ଗ ଭାରତ ଆକ୍ରମଣ କଲେ, ଦିଲ୍ଲୀରେ ଲୁଟ୍‌ପାଟ୍‌, ହତ୍ୟାକାଣ୍ଡ କରି ଲେଉଟି ଆସିଲାବେଳେ ସିକନ୍ଦର ତାଙ୍କ ନିକଟକୁ ଦୁଇଟି ହାତୀ ଉପହାର ପଠାଇଥିଲେ; କେତେ ଲକ୍ଷ ସ୍ୱର୍ଣ୍ଣମୁଦ୍ରା ଭେଟି ଦେବାକୁ ହେବ ଶୁଣି ଅଧା ବାଟରୁ ଲେଉଟି ଆସିଲେ ।

 

କାଶ୍ମୀର ଇତିହାସରେ ଜୈନୁଲାଦ୍ଦୀନ୍‌ଙ୍କ ଶାସନ ସବୁଠାରୁ ଗୌରବମୟ, ସେ ସିକନ୍ଦରଙ୍କ ପୁତ୍ର, କିନ୍ତୁ ଭାବଧାରାରେ ସଂପୂର୍ଣ୍ଣ ଆନ୍ତର୍ଜାତିକ ଥିଲେ । ସମଗ୍ର ମାନବଜାତି ପ୍ରତି ତାଙ୍କର ଶ୍ରଦ୍ଧା ଓ ସଦ୍ଦିଚ୍ଛା ଥିଲା । ଦେଶରୁ ଅନ୍ୟାୟ, ଅତ୍ୟାଚାର ଲୋପ କରି ସେ ଶାନ୍ତି ପ୍ରତିଷ୍ଠା କରିଥିଲେ । ସିକନ୍ଦରଙ୍କ ଉତ୍‌ପୀଡ଼ନ ଯୋଗୁଁ ଶାସକଙ୍କ ପ୍ରତି ଏପରି ଘୃଣା ଜାତ ହୋଇଥିଲା ଯେ ସୁଲତାନ୍‌ ପୀଡ଼ିତ ହେଲେ ତାଙ୍କ ଲାଗି ଜଣେ ଚିକିତ୍ସକ ମିଳିଲେ ନାହିଁ । ବହୁ ଚେଷ୍ଟାରେ ସୂର୍ଯ୍ୟଭଟ୍ଟ ଆସି ତାଙ୍କୁ ଆରୋଗ୍ୟ କଲେ, ସୁଲତାନ ତାଙ୍କୁ ନ୍ୟାୟାଧୀଶ ରୂପେ ନିଯୁକ୍ତ କଲେ, ସ୍ୱସଂପ୍ରଦାୟର ଯାବତୀୟ ଉନ୍ନତି କରିବା ଲାଗି ତାଙ୍କୁ ଅଧିକାର ଦେଲେ । ଯେଉଁ ବ୍ରାହ୍ମଣମାନେ ଦେଶ ଛାଡ଼ି ପଳାଇ ଯାଇଥିଲେ, ସୁଲତାନ ସେମାନଙ୍କୁ ଫେରାଇ ଆଣିଲେ; ସେମାନଙ୍କ ଲାଗି ବିଦ୍ୟାଳୟ ପ୍ରତିଷ୍ଠା କଲେ, ତୀର୍ଥଯାତ୍ରା ଓ ଶବଦାହ ଲାଗି ହିନ୍ଦୁଙ୍କ ଉପରେ ବସିଥିବା ଟିକସ ଉଠାଇଦେଲେ । ସେ ବହୁ ମଠ ଓ ମନ୍ଦିର ନିର୍ମାଣ କରିଥିଲେ, ଅବସର ସମୟରେ ସଂସ୍କୃତ ପଢ଼ୁଥିଲେ, ହିନ୍ଦୁ ମନ୍ଦିରକୁ ଯାଉଥିଲେ, କୌଣସି କର୍ମଚାରୀ ଯେପରି ଲାଞ୍ଚ ନ ନିଅନ୍ତି, ପ୍ରଜାଙ୍କୁ ହଇରାଣ ନ କରନ୍ତି, ସେଥିପ୍ରତି କଡ଼ା ଦୃଷ୍ଟି ଦେଉଥିଲେ । ସେ ଜେଲରେ ନାନା ସଂସ୍କାର ଆଣିଥିଲେ, ଅପରାଧୀର ଚରିତ୍ର ସଂଶୋଧନ କରି ନାଗରିକ ଭାବରେ ପୁଣି ତାକୁ ପ୍ରତିଷ୍ଠିତ କରୁଥିଲେ; ସେ ଜିନିଷପତ୍ରର ଦର ନିୟନ୍ତ୍ରଣ କରି ବ୍ୟବସାୟୀଙ୍କ ମୁନାଫାଗିରି ବନ୍ଦ କରିଥିଲେ ।

 

ସୁଲତାନ୍‌ ନିଜେ ବିଦ୍ୱାନ୍‌ ଥିଲେ, ବିଦ୍ୱାନ୍‌ମାନଙ୍କୁ ସମ୍ମାନ କରୁଥିଲେ । ବୌଦ୍ଧ ତାଙ୍କର ପ୍ରଧାନମନ୍ତ୍ରୀ, ସୂର୍ଯ୍ୟଭଟ୍ଟ ନ୍ୟାୟାଧୀଶ, କର୍ପୂରଭଟ୍ଟ ବୈଦ୍ୟ ଓ ରୂପଭଟ୍ଟ ଜ୍ୟୋତିଷୀ ଥିଲେ । ମହାଭାଷ୍ୟ ଟୀକାକାର ରାମାନନ୍ଦ ତାଙ୍କ ଦରବାର ମଣ୍ଡନ କରିଥିଲେ । ଯୁଦ୍ଧଭଟ୍ଟଙ୍କ ପ୍ରେରଣାରେ ସୁଲତାନ୍‌ ପାଠଶାଳାରେ ଅର୍ଥବ ବେଦ ପଢ଼ାର ବ୍ୟବସ୍ଥା କରିଥିଲେ ।

 

ସେ ଲାଡ଼ାକ୍‌ ନଦୀରୁ ସୁନା କଢ଼େଇ ଦେଶର ଆୟ ବୃଦ୍ଧି କରିଥିଲେ, ଝେଲମ୍‌ ନଦୀ ଉପରେ ପୋଲ, ଡଲାର ହ୍ରଦରେ ଗୋଟିଏ ଦ୍ୱୀପ ନିର୍ମାଣ କରିଥିଲେ; ପରଦା, ସୋଲ ଓ କାଗଜ ଜିନିଷ ତିଆରି ଲାଗି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାଙ୍କ ସମୟରେ ଦେଶରେ ରେଶମ୍‌ ଶିଳ୍ପ ଆରମ୍ଭ ହେଲା, ଗୋଳା ବାରୁଦ ଚାଲୁ ହେଲା ।

 

ସେ ସିନ୍ଧୁ ଓ ତିବ୍ଦତର କେତେକାଂଶ ଜୟ କରିଥିଲେ, ଗୁଜୁରାଟର ସୁଲତାନ ଓ ଦିଲ୍ଲୀର ବାଦସାହାଙ୍କ ସହିତ ତାଙ୍କର ମିତ୍ରତା ଥିଲା । ସେ ଗୋଟିଏ ମାତ୍ର ସ୍ତ୍ରୀ ବିବାହ କରିଥିଲେ ।

 

ତାଙ୍କ ପରେ ୨୩ ଜଣ ସୁଲତାନ୍‌ ଗାଦିରେ ବସିଛନ୍ତି, କିନ୍ତୁ କୌଣସି ଉଲ୍ଲେଖଯୋଗ୍ୟ ଘଟଣା ଘଟିନାହିଁ । ୟୁସୁଫସାହ କାଶ୍ମୀରର ଶେଷ ସୁଲତାନ୍‌ । ଆକ୍‌ବର ତାଙ୍କୁ ବନ୍ଦୀ କରି ଆଣିଲେ, ବିହାରରେ ଖଣ୍ଡିଏ ଜାଗିରି ଦେଇ ସବୁବେଳେ ନଜରବନ୍ଦିରେ ରଖିଲେ । ୧୫୮୭ରେ କାଶ୍ମୀର ମୋଗଲ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା ।

 

ମୋଗଲ ଶାସନରେ କାଶ୍ମୀର

 

ଆକବରଙ୍କ ରାଜତ୍ୱରେ ଏହି ପ୍ରଦେଶରେ ସୁଶାସନ ପ୍ରତିଷ୍ଠିତ ହୋଇଥିଲା । ମୋଗଲ ସୁବେଦାର ଶାସନକାର୍ଯ୍ୟରେ ସୁଦକ୍ଷ ଥିଲେ । ଆକ୍‌ବରଙ୍କ ଇଞ୍ଜିନିଅର ମହମ୍ମଦ୍‌ କାସିମ୍‌ କାଶ୍ମୀରରୁ ଭାରତବର୍ଷ ପର୍ଯ୍ୟନ୍ତ ଗୋଟିଏ ସୁନ୍ଦର ରାସ୍ତା ନିର୍ମାଣ କରିଥିଲେ । ଯାତାୟାତର ସୁବିଧା ଯୋଗୁଁ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହୋଇଥିଲା, କାଶ୍ମୀରବାସୀଙ୍କ ଜୀବନର ଗତି ପରିବର୍ତ୍ତିତ ହୋଇଥିଲା ।

 

କାଶ୍ମୀର ମୋଗଲମାନଙ୍କ ବିଳାସ ଉଦ୍ୟାନ ହେଲା । ଆକ୍‌ବର ଏହି ରାଜ୍ୟକୁ ତିନିଥର ଆସିଥିଲେ, ହିନ୍ଦୁଙ୍କ ଉପରେ ବସୁଥିବା ସମସ୍ତ ସ୍ୱତନ୍ତ୍ର କର ଉଠାଇ ଦେଇଥିଲେ, ସେମାନଙ୍କ ବାଜ୍ୟାପ୍ତ ଜମି ଫେରାଇ ଦେଇଥିଲେ । ସେ ଡାଲ୍‍ ଲୋକ୍‌ କୂଳରେ ଅବସ୍ଥିତ ହରିପର୍ବତ ଉପରେ ଗୋଟିଏ ଦୁର୍ଗ ନିର୍ମାଣ କରିଥିଲେ, ତାର ଅବଶେଷ ଅଦ୍ୟାପି ବର୍ତ୍ତମାନ । ଆବୁଲ୍‌ଫାଜଲ୍‌ ଆଇନୀ ଆକ୍‌ବରୀରେ ସେ କାଳର କାଶ୍ମୀର ଓ କାଶ୍ମୀରବାସୀଙ୍କ ସଂପର୍କରେ ନିମ୍ନ ବିବରଣୀ ଦେଇଅଛନ୍ତି–ଭୂମିକମ୍ପ ଭୟରେ ଲୋକେ ମାଟି ବା ପଥର ଘର ନିର୍ମାଣ କରୁ ନ ଥିଲେ । ସାଲ, କାର୍ପେଟ, ପରଦା ଅନ୍ୟ ଦେଶକୁ ଉପହାର ସ୍ୱରୂପ ପଠା ଯାଉଥିଲା । ଲୋକେ ଅତି ଦରିଦ୍ର ହେଲେହେଁ ଭିକ୍ଷା ମାଗୁ ନ ଥିଲେ ବା ଚୋରୀ କରୁ ନ ଥିଲେ, ଶୀତଦିନ ଲାଗି ପନିପରିବା ଶୁଖାଇ ରଖୁଥିଲେ; ବ୍ରାହ୍ମଣ ସଂଖ୍ୟାରେ ଅଧିକ ଥିଲେ, ସଂସ୍କୃତ ସେମାନଙ୍କର କଥିତ ଭାଷା ଥିଲା । ବୃକ୍ଷର ବଳ୍‌କଳରେ ସେମାନେ ପୁସ୍ତକ ଲେଖୁଥିଲେ ।

 

ଜାହାଙ୍ଗିର ବିଶେଷ ଉଦ୍ୟାନପ୍ରିୟ ଥିଲେ । କାଶ୍ମୀରର ପ୍ରସିଦ୍ଧ ସାଲ୍‌ମାର, ନିଶାତ୍‌, ନସୀମ୍‌ବାଗ୍‌, ଇଚ୍ଛାବଲ୍‌, ବେରାନାଗ ପ୍ରଭୃତି ଉଦ୍ୟାନ ତାଙ୍କର କୀର୍ତ୍ତି । ସା’ଜାହାନଙ୍କୁ କାଶ୍ମୀର ଦୃଶ୍ୟାବଳୀ ମନ୍ତ୍ରମୁଗ୍‌ଧ କରି ରଖୁଥିଲା । ଚିକିତ୍ସକ ବାର୍ଣ୍ଣିଆର ଆଉରଙ୍ଗଜେବଙ୍କ ସଙ୍ଗେ କାଶ୍ମୀର ଆସିଥିଲେ । ମୋଗଲ୍‌ ଆଉ କାଶ୍ମୀର କବିଙ୍କ ମଧ୍ୟରେ କବିତା ପ୍ରତିଯୋଗିତା ହୋଇଥିଲା । ସମ୍ରାଟ କବିମାନଙ୍କୁ ପୁରସ୍କୃତ କରିଥିଲେ ।

 

ବାର୍ଣ୍ଣିଆର ଲେଖିଛନ୍ତି—କାଶ୍ମିରୀ ବୁଦ୍ଧିମାନ୍‌, ପରିଶ୍ରମୀ । ଏଠାରେ ନିର୍ମିତ ପଲଙ୍କ, ବାକ୍‌ସ, କଲମଦାନୀ, ସାଲ ଅତି ଚମତ୍କାର । କାଶ୍ମୀରିଣୀ ଗଠନ ସୌଷ୍ଠବ ଓ ବର୍ଣ୍ଣବୈଭବ ଯୋଗୁଁ ପ୍ରସିଦ୍ଧ । ଇଉରୋପୀୟଙ୍କ ଆଖିରେ ମଧ୍ୟ ସେ ସୁନ୍ଦରୀ । ତାର ନାକ ତାତାରଦେଶୀୟ ନାକପରି ଚେପ୍‌ଟା ନୁହେଁ, ଆଖି ଛୋଟ ନୁହେଁ । ପ୍ରତି ମୋଗଲ ଅଫିସର କାଶ୍ମୀର ସ୍ତ୍ରୀ ବିଭା ହେବାକୁ ଗୌରବଜନକ ମନେ କରୁଥିଲେ ।

 

୧୭୫୩ରେ ଅହମ୍ମଦ୍‌ ସାହ ଦୁରାନୀଙ୍କ ସେନାପତିତ୍ୱରେ ଆଫଗାନ୍‌ମାନେ କାଶ୍ମୀର ଜୟକଲେ । ଇଂରେଜୀ ସୈନିକ ଲରେନ୍‌ସ ଏହି ଆକ୍ରମଣକୁ ଲକ୍ଷ୍ୟ କରି ଲେଖିଛନ୍ତି—ଏହା କ୍ରୂରତା ଓ ନୃଶଂସତାର ଯୁଗ ଥିଲା । ବିଜେତାମାନେ ବିଜିତ ଦେଶ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଅଶେଷ ଦୁଃଖ ଦେଉଥିଲେ ।

 

୧୮୨୪ରେ ପଞ୍ଜାବକେଶରୀ ରଣଜିତ୍‌ ସିଂ ଅମିରଦୋସ୍ତ ମହମ୍ମଦ୍‌କୁ ଯୁଦ୍ଧରେ ପରାସ୍ତ କରି କାଶ୍ମୀରକୁ ନିଜ ସମ୍ରାଜ୍ୟର ଅନ୍ତର୍ଭୁକ୍ତ କଲେ । ୧୮୬୪ ପର୍ଯ୍ୟନ୍ତ କାଶ୍ମୀର ଉପରେ ଶିଖ୍‌ମାନଙ୍କ ଆଧିପତ୍ୟ ବଜାୟ ରହିଥିଲା । ରଣଜିତ୍‌ ଏହି ପ୍ରଦେଶର ଶାସନ ସଜାଡ଼ିବାକୁ ଚେଷ୍ଟା କରି ନ ଥିଲେ, ତାଙ୍କ ନିଯୁକ୍ତ ଗଭର୍ଣ୍ଣର କାଶ୍ମୀରବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ; ଏହା କେତେ ଦୂର ସତ୍ୟ, ବିବେଚ୍ୟ । ଉଇଲିୟମ୍‌ ମୂରକ୍ରାପ୍‌ଟ ଲେଖିଛନ୍ତି—କୌଣସି ଶିଖ୍‌ କାଶ୍ମୀରକୁ ଜୀବନରେ ମାରିଦେଲେ ତାକୁ ଫାଶି ହୁକୁମ ହେଉ ନଥିଲା । ଅପରାଧୀକୁ ୧୦ । ୨୦ ଟଙ୍କା ମାତ୍ର ଜୋରିମାନା ହେଉଥିଲା । ମୃତବ୍ୟକ୍ତି ହିନ୍ଦୁହେଲେ ତା ପରିବାରକୁ ୪ ଟଙ୍କା, ମୁସଲମାନ ହେଲେ ତା ପରିବାରକୁ ୨ ଟଙ୍କା କ୍ଷତିପୂରଣ ମିଳୁଥିଲା । କର ଆଦାୟ ସରକାରଙ୍କ ପ୍ରଧାନ କାର୍ଯ୍ୟ ଥିଲା । ଏକା ସାଲ ତିଆରିରେ ଶ୍ରୀନଗରରେ ୨୫ ହଜାର ଲୋକ ନିଯୁକ୍ତ ଥିଲେ, ଏ ବ୍ୟବସାୟ ଏ ସମୟରେ ଏକଦମ୍‌ ମାଟି ହୋଇଯାଇଥିଲା । ସରକାରୀ କର୍ମଚାରୀ ଶସ୍ୟକ୍ଷେତ୍ର ଉପରକୁ ଝଞ୍ଚାଣ ପରି ଝାମ୍ପି ପଡ଼ୁଥିଲେ । ଫସଲର ଅଧିକାଂଶ ଭାଗ ସେମାନେ ହରଣଚାଳ କରିନେଇ ଯାଉଥିଲେ ।

 

୧୮୪୫ରେ ମହାରାଜା ରଣଜିତ୍‌ ସିଂଙ୍କ ମୃତ୍ୟୁ ହେଲା । ଦୁର୍ବଳ ଉତ୍ତରାଧିକାରୀ ତାଙ୍କର ବୃହତ୍‌ ସାମ୍ରାଜ୍ୟ ସମ୍ଭାଳିବାକୁ ଅସମର୍ଥ ହେଲେ । ସେତେବେଳେ ରାଜକୁଟୁମ୍ବର ଜଣେ ସର୍ଦ୍ଦାର ରଣଜିତ୍‌ଙ୍କର ବଡ଼ ପ୍ରିୟପାତ୍ର ଥିଲେ, ତାଙ୍କ ନାଆଁ ଗୁଲାବସିଂ । ସେ ଜମ୍ବୁ ଆସି ପାହଡ଼ୀ ଅଞ୍ଚଳରେ ରଣଜିତ୍‌ଙ୍କ ରାଜ୍ୟ ବିସ୍ତାର କଲେ, ଘାଟି ଅଞ୍ଚଳର ଛୋଟ ଛୋଟ ରାଜାଙ୍କୁ ପରାସ୍ତ କରି ବଶୀଭୂତ କଲେ, ସେନାପତି ଜୋରାବରସିଂଙ୍କ ସହାୟତାରେ ବଲ୍‌ତିସ୍ଥାନ ଓ ଲଡାକ୍‌କୁ ହସ୍ତଗତ କଲେ, କୌଶଳରେ ବିଦ୍ରୋହୀ ନେତାଙ୍କୁ ବିନାଶ କରି ରଣଜିତ୍‌ସିଂଙ୍କୁ ତାଙ୍କ ମସ୍ତକ ଉପହାର ଦେଲେ । ଏହିପରି ବହୁ ଦୁଃସାହସିକ କାର୍ଯ୍ୟ ସାଧନ ପରେ ସେ ତାଙ୍କର ବିଶ୍ୱାସଭାଜନ ହୋଇଥିଲେ । ରଣଜିତ୍‌ଙ୍କ ମୃତ୍ୟୁ ପରେ ସେ ଗୋଟିଏ ରାଜ୍ୟ ହସ୍ତଗତ କରି ତହିଁରେ ରାଜା ହେବା ଲାଗି ପ୍ରୟାସୀ ହେଲେ । ଇଂରେଜମାନେ ଶିଖ୍‌ ସାମ୍ରାଜ୍ୟକୁ ଛିନ୍ନଭିନ୍ନ କରିଦେବାକୁ ଚାହୁଁଥିଲେ, ତେଣୁ ତାଙ୍କୁ ସେ ଦିଗରୁ ସାହାଯ୍ୟ ମିଳିଗଲା । କନିଂଘମ୍‌ଙ୍କ ମତରେ ଗୁଲାବ୍‌ସିଂ ଶିଖଙ୍କୁ ପରାସ୍ତ କରିବା ଲାଗି ଇଂରାଜୀମାନଙ୍କ ସହିତ ମିଶି ଷଡ଼ଯନ୍ତ୍ର କରୁଥିଲେ, ଇଂରାଜୀମାନେ ତାଙ୍କୁ କାଶ୍ମୀର ଓ ସୀମାନ୍ତ ରାଜ୍ୟ ଦେଲେ, ତା ବଦଳରେ ୩୫ ଲକ୍ଷ ଟଙ୍କା, ତିନିଯୋଡ଼ା କାଶ୍ମୀର ସାଲ, କେତେକ ଛେଳି, ଘୋଡ଼ା ଉପହାର ପାଇଲେ । ଶିଖଙ୍କ ବଳ ଭାଙ୍ଗିବା ଲାଗି ଇଂରାଜଙ୍କ ଚକ୍ରାନ୍ତ ଏହି ପ୍ରକାରେ ସଫଳ ହୋଇଥିଲା ।

 

ଗୁଲାବ୍‌ ସିଂଙ୍କ ରାଜତ୍ୱରୁ କାଶ୍ମୀରରେ ଡୋଗରା ବଂଶ ପ୍ରତିଷ୍ଠିତ ହେଲା; ଗୁଲାବ୍‌ ସିଂଙ୍କ ଶୋଷଣ ଆଉ ଉତ୍‌ପୀଡ଼ନରେ ପ୍ରଜାମାନେ ଅସ୍ଥିର ହୋଇଥିଲେ । ୧୮୫୭ରେ ସିପାହି ବିଦ୍ରୋହ ଦମନ କରିବା ଲାଗି ରାଜା ସୈନ୍ୟ ପଠାଇଥିଲେ । ସେହି ବର୍ଷ ତାଙ୍କର ମୃତ୍ୟୁ ହେଲା ।

 

ପୁତ୍ର ରଣବୀର ସିଂ ଗୁଲାବ୍‌ ସିଂଙ୍କ ଉତ୍ତରାଧୀକାରୀ ହେଲେ, ସେ ଇଂରାଜୀମାନଙ୍କର ପରମଭକ୍ତ ଥିଲେ । ଗୁଲାବ୍‌ ସିଂଙ୍କ ଅମଳରେ ଗିଲ୍‌ଗିଟ୍‌ ଓ ଏହାର ଆଖପାଖ ରାଜ୍ୟ ବିଦ୍ରୋହୀ ହୋଇଥିଲେ । ରଣବୀର ସୈନ୍ୟ ପଠାଇ ଏ ବିଦ୍ରୋହ ଦମନ କଲେ ।

 

ଇଂରାଜୀମାନେ ଉତ୍ତରାଞ୍ଚଳରେ କୌଣସି ରାଜାଙ୍କୁ ବଳଶାଳୀ ରଖିବାକୁ ଚାହୁଁ ନ ଥିଲେ-। ତେଣୁ ରଣବୀରଙ୍କ କ୍ଷମତା ହ୍ରାସ କରିବା ଲାଗି ନାନା ଉପାୟ ଖଞ୍ଜି ବସିଲେ । କାଶ୍ମୀରରେ ଜଣେ ରିଜେଣ୍ଟ ରଖିବା ପାଇଁ ସେମାନେ ରାଜାଙ୍କୁ ଅନୁରୋଧ କଲେ । ରଣବୀର ଏ ପ୍ରସ୍ତାବରେ ରାଜି ହେଲେ ନାହିଁ । ଇଂରାଜୀମାନେ ଅଭିଯୋଗ କଲେ—ରଣବୀର ଅତ୍ୟାଚାରୀ, ତାଙ୍କ ରାଜ୍ୟରେ ଆଇନ୍‌କାନୁନ୍‌ ନାହିଁ । ପ୍ରକୃତରେ ରଣବୀର ଉଦାର ଥିଲେ । ଅବଶ୍ୟ କଳଙ୍କୀ ଶାସନ କଳକୁ ସେ ସଜାଡ଼ି ପାରି ନ ଥିଲେ । କିନ୍ତୁ ଇଂରାଜୀମାନଙ୍କ ଏ ଅଭିଯୋଗର ସ୍ୱରୂପ ଭିନ୍ନ । ସେମାନେ ପ୍ରକୃତରେ ସଂସ୍କାରପ୍ରୟାସୀ ନ ଥିଲେ, କାଶ୍ମୀର ଉପରେ ଆଧିପତ୍ୟ ଜାରି କରିବାର ଯେ କୌଣସି ଗୌଣ ଛଳନା ଲୋଡ଼ୁଥିଲେ । ଗିଲ୍‌ଗିଟରେ ଗୋଟିଏ ସୈନ୍ୟ ଛାଉଣି ରଖିବା ଦରକାର ହେଲା, ରିଜେଣ୍ଟ ରଖିବା ଇଚ୍ଛା ତା ଆଗରୁ ଥିଲା । ଏତିକିବେଳେ (୧୮୮୪ରେ) ରଣବୀରଙ୍କର ମୃତ୍ୟୁ ହେଲା । ଇଂରାଜୀମାନେ ତାଙ୍କ ବିରୁଦ୍ଧରେ ଅନ୍ୟାୟ, କୁଶାସନ, ପକ୍ଷପାତ, ଅତ୍ୟାଚାର ଅଭିଯୋଗ ଆଣିଲେ; ସଂଖ୍ୟାଗରିଷ୍ଠ ମୁସଲମାନଙ୍କୁ ହିନ୍ଦୁ ରାଜ ଅତ୍ୟାଚାର କବଳକୁ ରକ୍ଷା କରିବା ଲାଗି ରଙ୍ଗମଞ୍ଚକୁ ଅବତରଣ କଲେ । ହିନ୍ଦୁ ମୁସଲମାନ ବିଦ୍ୱେଷ ବିଷ ବୁଣାଗଲା । ୧୮୮୫ରେ ସ୍ଥାୟୀ ପଲଟିକାଲ୍ ଏଜେଣ୍ଟ ନିଯୁକ୍ତ ହେଲେ, ଅଳ୍ପ ଦିନ ମଧ୍ୟରେ ସେ ସର୍ବଶକ୍ତିମାନ୍‌ ହୋଇ ଉଠିଲେ । ସେହି ବର୍ଷ ପ୍ରତାପ ସିଂ ସିଂହାସନ ଆରୋହଣ କଲେ । ଅଭିଷେକ ପରେ ରାଜା ପ୍ରଜାଙ୍କ ଦୁଃଖ ଦୂର କରିବା ଲାଗି ତତ୍ପର ହେଲେ । ସେ ଜମିର ସ୍ଥାୟୀ ବନ୍ଦୋବସ୍ତ କଲେ । ଆଗରୁ ଜମିର ଖୋଦ୍‌ ମାଲିକ ଥିଲେ ମହାରାଜା, ତାଙ୍କ ବିନାନୁମତିରେ କେହି ଜମି ବିକ୍ରି ଖର୍ଦ୍ଦି କରି ପାରୁ ନ ଥିଲେ । ପ୍ରତାପ ସିଂଙ୍କ ସମୟରେ ପ୍ରଜା ଜମିର ମାଲିକ ହେଲା, କିନ୍ତୁ ଖଜଣା ଅତ୍ୟଧିକ ବଢ଼ିଗଲା ।

 

ସ୍ଥୂଳତଃ ଡୋଗରା ଶାସନରେ କାଶ୍ମୀରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା । ଜମିବାଡ଼ିର କୌଣସି ଉନ୍ନତି ହେଲାନାହିଁ । କର୍ମଚାରୀମାନେ ବିଶେଷ ଲାଞ୍ଚଖୋର ଥିଲେ । ଆଗେ କୁଟୀର ଶିଳ୍ପରୁ ୫୪ ଲକ୍ଷ ଟଙ୍କା ଆୟ ହେଉଥିଲା । ଲକ୍ଷାଧିକ ଲୋକ ଏହି କାର୍ଯ୍ୟରେ ନିଯୁକ୍ତ ଥିଲେ । ଡୋଗରା ଶାସନରେ କୌଣସି ଉତ୍ସାହ ନ ପାଇ ଶିଳ୍ପୀମାନେ ଅମୃତସର, ଜଳନ୍ଧର, ଲାହୋର ପ୍ରଭୃତି ଅଞ୍ଚଳକୁ ପଳାଇଗଲେ । ପଞ୍ଜାବର ଶିକ୍ଷିତ ଲୋକେ ବଡ଼ ବଡ଼ ସରକାରୀ ଚାକିରୀରେ ନିଯୁକ୍ତି ପାଇଲେ । ବଡ଼ ବଡ଼ ବ୍ୟବସାୟ ବି ସେଇମାନଙ୍କ ହାତକୁ ଚାଲିଗଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଲା । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ କାଶ୍ମୀରରେ ଗୋଟିଏ କଲେଜ୍‌ ସ୍ଥାପିତ ହେଲା । ଲୋକେ ଉଚ୍ଚତର ଆଧୁନିକ ଶିକ୍ଷା ପାଇବାର ଏଇ ପ୍ରଥମ ସୁଯୋଗ ପାଇଲେ ।

 

୧୯୨୫ରେ ହରି ସିଂ ମହାରାଜା ହେଲେ, ୧୯୨୭ରେ ଏହି ଆଦେଶ ଜାରୀ ହେଲେ ଯେ ଗୁଲାବ୍‌ ସିଂଙ୍କ ଆଗରୁ ଯେଉଁମାନେ କାଶ୍ମୀରରେ ଥିଲେ ବା ୧୮୮୫ରୁ ଏହି ରାଜ୍ୟକୁ ଆସି ବସବାସ କରିଅଛନ୍ତି, ସେମାନେ ରିୟାସତ୍‌ଙ୍କ ପ୍ରଜା । ଏହା ଫଳରେ ପଞ୍ଜାବରୁ ଲୋକ ଆସିବା ବନ୍ଦ ହୋଇଗଲା ।

 

ହରି ସିଂଙ୍କ ବିରୁଦ୍ଧରେ ପ୍ରଜାବିଦ୍ରୋହ ହେବାର ନିର୍ଦ୍ଦିଷ୍ଟ କାରଣ ରହିଅଛି । ସେ ସ୍ୱଜାତି ଡୋଗରାମାନଙ୍କୁ ଡାକି ବଡ଼ ବଡ଼ ଚାକିରୀ ଦେଇଥିଲେ । ଯୋଗ୍ୟତା ନିଯୁକ୍ତିର ମାପକାଠି ହେଉ ନ ଥିଲା । ସମ ବା ଅଧିକ ଯୋଗ୍ୟତାସମ୍ପନ୍ନ ହିନ୍ଦୁ ବା ମୁସଲମାନ ଏ ଚାକିରୀ ପାଉ ନଥିଲେ । ଦ୍ୱିତୀୟରେ ହରିସିଂ ଶ୍ରୀନଗରରୁ ଜାମୁକୁ ରାଜଧାନୀ ଉଠାଇ ନେଇଥିଲେ । ପ୍ରତାପ ସିଂଙ୍କ ଅମଳରେ ଜାମୁ ଶୀତକାଳୀନ, ଶ୍ରୀନଗର ଗ୍ରୀଷ୍ମକାଳୀନ ରାଜଧାନୀ ହେଉଥିଲା । ପ୍ରଜାମାନଙ୍କ ବିନା ପରାମର୍ଶରେ ରାଜଧାନୀ ଏ ଭଳି ଉଠାଇନେବାରୁ ସେମାନେ ଉତ୍ୟକ୍ତ ହୋଇଥିଲେ । ସେଖ୍‌ ଅବଦୁଲାଙ୍କ ନେତୃତ୍ୱରେ ଗୋଟିଏ ରାଜନୀତିକ ଅନୁଷ୍ଠାନ ଗଠିତ ହୋଇଥିଲା । ଏହା ରାଜାଙ୍କ ପକ୍ଷପାତ ବିଚାରର ଘୋର ପ୍ରତିବାଦ କରିଥିଲା । ରାଷ୍ଟ୍ରୀୟ ଆନ୍ଦୋଳନ ୧୯୩୧ରେ ବିପ୍ଳବ ଆକାର ଧାରଣ କଲା । ଯୁଗ ଯୁଗର ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଏକଛତ୍ର ସାମନ୍ତବାଦୀ ଶାସନ ବିରୁଦ୍ଧରେ ଏ ବିପ୍ଳବ—ଏହି ବିପ୍ଳବରୁ ନୂତନ କାଶ୍ମୀର ଜନ୍ମଲାଭ କଲା ।

 

ଏହାର ସର୍ବମାନ୍ୟ ନେତା ଥିଲେ ସେଖ୍‌ ଅବ୍‌ଦୁଲା । ସେର୍‌ଇ-କାଶ୍ମୀର-କାଶ୍ମୀରର ସିଂହ-। ଭାରତର ସ୍ୱାଧୀନତା ଲାଭ ପରେ ପାକିସ୍ଥାନୀ ଓ ପାହାଡ଼ୀ ସୈନ୍ୟମାନେ କାଶ୍ମୀର ଆକ୍ରମଣ କଲେ । କାଶ୍ମୀରକୁ ପାକିସ୍ଥାନର ସାମିଲ୍‌ କରିବା ଜିନ୍ନାଙ୍କର ମତଲବ୍‌ ଥିଲା । ମହାରାଜ ହରି ସିଂହ ଭାରତୀୟ ଇଉନିଅନରେ ଯୋଗ ଦେଲେ । ‘କାଶ୍ମୀର ଆଉ ଭାରତ ସନ୍ଧି ଗର୍ବେ ଘୋଷିଲେ ଅବ୍‌ଦୁଲା’ । ଭାରତୀୟ ଆକ୍ରମଣ ଫଳରେ ପାକିସ୍ଥାନ ପୃଷ୍ଠଭଙ୍ଗ ଦେଲା । ଅବସ୍ଥାଚକ୍ରରେ ମହାରାଜ ହରି ସିଂହ ବିତାଡ଼ିତ ହେଲେ । ଯୁବରାଜ କରଣ ସିଂହ ହେଲେ ସଦର-ଇ-ରିଆସତ୍‌ (ରାଜମୁଖ୍ୟ) । ସେଖ୍‌ ଅବଦୁଲାଙ୍କ ପ୍ରଧାନ ମନ୍ତ୍ରୀତ୍ୱରେ କାଶ୍ମୀରର ଦାୟିତ୍ୱପୂର୍ଣ୍ଣ ଶାସନ ପ୍ରତିଷ୍ଠିତ ହେଲା ।

 

କାଶ୍ମୀର ଘଟଣା ଜାତିସଂଘକୁ ଯିବା ଫଳରେ ଭାରତ କ୍ଷତିଗ୍ରସ୍ତ ହେଲା । ପାକିସ୍ଥାନ ହାତରେ କାଶ୍ମୀରର ଏକ-ତୃତୀୟାଂଶ ରହିଗଲା । କେତେକ ବିଦେଶୀ ରାଷ୍ଟ୍ରଙ୍କ ଚକ୍ରାନ୍ତ ଫଳରେ ପାକିସ୍ଥାନୀ ଆକ୍ରମଣକାରୀ ବୋଲି ସ୍ୱୀକୃତ ହେଲା ନାହିଁ, ଓଲ୍‌ଟି ଭାରତୀୟ କାଶ୍ମୀରରେ ଗଣଭୋଟ ଦାବି କଲା । ଭାରତ ସରକାରଙ୍କ ଦୃଢ଼ତା ଓ ଆପଦର ବନ୍ଧୁ ସୋଭିଏତ୍‍ ରୁଷିଆର କ୍ରମାଗତ ସମର୍ଥନ ଫଳରେ ସମସ୍ତ ଚକ୍ରାନ୍ତ ପାଣି ଫାଟିଗଲା । କାଶ୍ମୀର ଭାରତର ଅନ୍ୟାନ୍ୟ ରାଜ୍ୟପରି ଏକ ରାଜ୍ୟରେ ପରିଣତ ହେଲା ଓ ଏହାର ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭାବେ ଆଖ୍ୟାତ ହେଲେ । ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ କୂଟନୀତି ପରବର୍ତ୍ତୀ କାଳରେ ସେଖ୍‌ ଅବ୍‌ଦୁଲାଙ୍କ ମତ ପରିବର୍ତ୍ତନ ଘଟାଇଲା ଓ ସେ ହେଲେ କାଶ୍ମୀରର ମୁଖ୍ୟମନ୍ତ୍ରୀ । ପୂର୍ବପାକିସ୍ଥାନ ବିଚ୍ଛିନ୍ନ ହେବା ପରେ ପାକିସ୍ଥାନର ଶକ୍ତି ଓ ସାହସ ଊଣା ହୋଇଗଲା, ଭାରତ ସହିତ କଳି ଭିଆଇବା ଆଉ ଲାଭଜନକ ହେଲାନାହିଁ, ବରଂ କ୍ଷତିର ସମ୍ଭାବନା ଦେଖାଗଲା । ଫଳରେ କାଶ୍ମୀରରେ ଶାନ୍ତି ବିରାଜିତ ହେଲା ।

 

କାଶ୍ମୀର ଭାରତର ଏକ ଅବିଭାଜ୍ୟ ରାଜ୍ୟ । ଏବେ କାଶ୍ମୀର ଆକ୍ରମଣ ଅର୍ଥ ଭାରତ ଆକ୍ରମଣ । ଭୂସ୍ୱର୍ଗ କାଶ୍ମୀର ଭାରତର ଜନନୀର ମଥାମଣି ସ୍ୱରୂପ । ତାର ନିରାପତ୍ତାରେ ତିଳାର୍ଦ୍ଧ ଯାଞ୍ଚ ଆସିଲେ ସମଗ୍ର ଭାରତ ରଣାଗ୍ନିରେ ଝାସ ଦେବ ।

Image